Unknown

 

 

 

 

 

 

 

 

 

ଏକଚାଳିଶ

ବୋରିସ୍‌ ଲାଭ୍ରେନିଓଭ୍‌

ଅନୁବାଦ

ଶ୍ରୀ କୃଷ୍ଣପ୍ରସାଦ ପଟ୍ଟନାୟକ

 

ପ୍ରଥମ ଅଧ୍ୟାୟ

 

ଯେଉଁ ଅଧ୍ୟାୟଟିକୁ ଅଗତ୍ୟା ଲେଖିବାକୁ ପଡ଼ିଲା ବୋଲି ଲେଖାଗଲା ।

 

ଚତୁର୍ଦ୍ଦିଗରେ କୋଜାକ୍‌ ବାହିନୀର ଉଦ୍ୟତ ତରବାରୀ । ଝଲମଲ୍‌ ତରବାରୀ ଘେର ।

 

ଗୋଟିଏ ମାତ୍ର ମୁହୂର୍ତ୍ତ । ଅତି ସଂକ୍ଷିପ୍ତ ସେ ମୁହୂର୍ତ୍ତ । ସେଇ ମୁହୂର୍ତ୍ତକ ପାଇଁ ଛିନ୍ନ ହୋଇଗଲା ଏହି ତରବାରୀର ଘେର ମେସିନ୍‌ଗନ୍‌ର ଝଟିକାଏ ଗୁଳିରେ । ଉତ୍ତର ଦିଗରୁ ଛିନ୍ନ ହୋଇଗଲା ବ୍ୟୁହ । ଆଉ ସେହି ମୁହୂର୍ତ୍ତକ ଭିତରେ ସେଇ ଫାଙ୍କ ଭିତର ଦେଇ ଏକ ଅନ୍ତିମ ଉନ୍ନତ୍ତ ଉଦ୍ୟମରେ ଝଡ଼ ପରି ପଶିଗଲେ ଲୋହିତ ୟେଭ୍‌ଶୁକଭ୍‌ ।

 

ଏହି ସିକତାମୟ ଗର୍ତ୍ତର ସେହି ମୃତ୍ୟୁବଳୟ ଭିତରୁ ଯେଉଁମାନେ ପ୍ରାଣ ନେଇ ଖସି ଚାଲିଗଲେ, ସେମାନେ ହେଉଛନ୍ତି ଲୋହିତ ୟେଭଶୁକଭ୍‌, ତାଙ୍କର ତେଇଶି ଜଣ ସୈନିକ ଆଉ ମାରୁତ୍‌କା ।

 

ପଛରେ ରହିଗଲେ ଆହୁରି ଅନେକ । ଶହେ ଉଣିଶ ଜଣ ସୈନିକ । ସୈନ୍ୟବାହିନୀର ସବୁ ଉଷ୍ଟ୍ର ପଲ । ଜଡ଼ ନିସ୍ପନ୍ଦ ହୋଇ ପଡ଼ି ରହିଲେ ସେମାନେ ସେଇ ତୁଷାରାବୃତ ସିକତାର ପ୍ରାନ୍ତର ଉପରେ, ବଣବୁଦାର ସେଇ ସର୍ପିଳ ଚେର ମୂଳେ ମୂଳେ, ରକ୍ତାପ୍ଳୁତ ଲତାଗୁଳ୍ମର ଛାଇ ତଳେ ତଳେ ।

 

କୋଜାକ୍‌ ବାହିନୀର ସେନାପତି ବୁରିଆଗା । ତାଙ୍କୁ ସମ୍ବାଦ ଦିଆଗଲା, ଶତ୍ରୁ ବାହିନୀର ଅବଶିଷ୍ଟ ସୈନ୍ୟ ଖସି ପଳାଇଛନ୍ତି । କିନ୍ତୁ ତିଳେ ମାତ୍ର ବିଚଳିତ ହେଲେ ନାହିଁ ବୁରିଆଗା । ଭାଲୁ ପାଦ ପରି ତାଙ୍କର ସେଇ ପାପୁଲି ଦି’ଟାରେ ନିଘଞ୍ଚ ନିଶ ହଳକ ମୋଡ଼ି ମୋଡ଼ି, ଉନ୍ମୁକ୍ତ କବର ପରି ଗୋଟାଏ ବିରାଟ ହାଇ ମାରି, ଅଳସଛନ୍ଦରେ ସ୍ୱର ଲମ୍ୱେଇ ଲମ୍ୱେଇ କହିଲେ ‘‘ଯାଆନ୍ତୁ ସେମାନେ ଜାହାନ୍ନାମାକୁ । ବ୍ୟସ୍ତ ହେବାର କିଛି ନାହିଁ । ସେମାନଙ୍କର ଅନୁଧାବନ କରି କିଛି ଲାଭ ନାହିଁ । ଅନୁଧାବନ କଲେ ଘୋଡ଼ାଗୁଡ଼ାକୁ ବେଦମ କରି ଦେବା ହିଁ ସାର ହେବ । ଯାଆନ୍ତୁ ସେମାନେ ! ଏହି ବିଶାଳ ମରୁଭୂମି ସେମାନଙ୍କୁ ନିଃଶେଷ କରିଦେବ !’’

 

ଆଉ ଏଣେ ? ଏଣେ ସେଇ ଲୋହିତ ୟେଭ୍‍ଶୁକୋଭ୍‍, ମାର‍୍ୟୁତ୍‍କା ଆଉ ସେଇ ତେଇଶି ଜଣ ସୈନିକ ଆହତ ଶୃଗାଳ ପରି ବାଟ ଅବାଟ ନମାନି ପାଗଳ ପରି ଛୁଟି ଯାଉଛନ୍ତି ସୀମାହୀନ ମରୁକାନ୍ତାର ଭିତରକୁ, ଗଭୀରକୁ ଆହୁରି ଗଭୀରକୁ !

 

ପାଠକମାନେ ହୁଏତ ଅସହିଷ୍ଣୁ ହୋଇ ଉଠିବେଣି ଜାଣିବାକୁ, ଏଇ ୟେଭଶୁକୋଭଙ୍କୁ ଲୋହିତ କୁହାଯାଇଛି କାହିଁକି !

 

ଶୁଣନ୍ତୁ ମୁଁ ବୁଝେଇ ଦେଉଛି ।

 

ପ୍ରତିବିପ୍ଳବୀ ବାହିନୀର ସେନାପତି କୋଲ୍‌ଚାକ୍‌ ଯେତେବେଳେ ଓରେନବର୍ଗ ରେଳପଥକୁ ସହସ୍ର ସହସ୍ର ଚିକ୍‌ ଚିକ୍‌ ସଙ୍ଗୀନମୁନରେ ଆଉ ମେଞ୍ଚାକୁ ମେଞ୍ଚା ମଣିଷର ମାଂସ ଖଳିରେ ଠିପି ମାଇଲା ପରି ଅବରୋଧ କରିଦେଲେ ଆଉ ରେଳପଥର ଧାରେ ଧାରେ, ଷ୍ଟେସନରେ ଷ୍ଟେସନରେ ଅସଂଖ୍ୟ ଅସହାୟ ରେଳ ଇଞ୍ଜିନ୍‌ ଅଚଳ ହୋଇ ପଡ଼ିରହିଲା, ପଡ଼ି ପଡ଼ି କଳଙ୍କି ଖାଇଗଲା, ସେତେବେଳେ ତୁର୍କୀସ୍ଥାନ ରିପାବ୍ଳିକର ଚମଡ଼ା ଶିଳ୍ପ ପାଇଁ କଳାରଙ୍ଗ ମିଳିଲା ନାହିଁ, ସରବରାହ ହୋଇ ପାରିଲା ନାହିଁ କେଉଁଠୁ ।

 

ଆଉ ସେ ସବୁ ଦିନ ହେଉଛି ଚମଡ଼ା ବ୍ୟବସାୟରେ ପ୍ରଚୁର ଲାଭର ଦିନ ।

 

ସେତେବେଳେ ଘରର ଚାରି କାନ୍ଥର ନିବିଡ଼ ଆରାମଦାୟକ ଆଶ୍ରୟ ଭିତରୁ ମଣିଷର ଦେହ ଛିଟିକି ଆସି ପଡ଼ିଥିଲା ବାହାରେ, ବାହାରର ଖରା ଆଉ ବର୍ଷାରେ, ତାତି ଆଉ ତୁଷାରରେ ସେ ଦେହ ଚାହୁଁଥିଲା ଏକ ଶକ୍ତିଶାଳୀ, ଆଶ୍ରୟ ଦାୟୀ ଆବରଣ ।

 

ତେଣୁ ସେ ଦେହ ନିଜକୁ ଢାଙ୍କି ରଖୁଥିଲା ଚମଡ଼ାର ପୋଷାକରେ ।

 

ସାଧାରଣତଃ ଏଇ ଚମଡ଼ାର ଅଙ୍ଗୀଗୁଡ଼ାକୁ କଳା ରଙ୍ଗରେ ମଡ଼େଇ ଦିଆଯାଉଥିଲା ଆଉ ସେଥିରୁ ଉକୁଟି ଉଠୁଥିଲା କେମିତି ଏଇ ଇସ୍ପାତ-ନୀଳ ଆଭା । ବଡ଼ କଠୋର ଆଉ କଠିନ ଥିଲା ସେ ରଙ୍ଗ, ଠିକ୍‌ ସେଇ ମଣିଷମାନଙ୍କ ପରି ଯେଉଁମାନେ ପିନ୍ଧୁଥିଲେ ଏଇ ଚମଡ଼ାର ପୋଷାକ-

 

କିନ୍ତୁ ହଠାତ୍‌ ଏହି କଳା ରଙ୍ଗରୁ ବଞ୍ଚିତ ହୋଇଗଲା ତୁର୍କୀସ୍ଥାନ ।

 

ତେଣୁ ବିପ୍ଳବୀ ସାମରିକ ଦପ୍ତରକୁ ହୁକୁମ ଦେବାକୁ ପଡ଼ିଲା ଯେତେ ଯେଉଁଠି ଯାହା ପାଖରେ ଜର୍ମାନ ଆନିଲାଇନ୍‌ ରଙ୍ଗ ଗଚ୍ଛିତ ହୋଇ ରହିଛି, ସବୁ ସଂଗ୍ରହ କରି ଆଣିବାପାଇଁ । ଏଇ ରଙ୍ଗରେ ଫାର୍ଘାନା ଉପତ୍ୟକାର ଉଜବେକୀ ବୁଣାକାରମାନେ ସେମାନଙ୍କର ସୂକ୍ଷ୍ମ ରେଶମୀ ବସ୍ତ୍ରକୁ ରଙ୍ଗେଇ ଦେଇ ସେଥିରେ ଫୁଟେଇ ଦିଅନ୍ତି ଅଗ୍ନିବର୍ଣ୍ଣ ବିହଙ୍ଗର ଆଭା । ଆଉ ତୁର୍କୀମେନିଆର ରୂପସୀ ତରୁଣୀଗଣ ସେମାନଙ୍କର ବିଖ୍ୟାତ ଗାଲିଚାରେ ବି ଏଇ ରଙ୍ଗ ଲଗେଇ ଦେଇ ତାର ସୂକ୍ଷ୍ମାତିସୂକ୍ଷ୍ମ ନକ୍‌ସାରେ ନକ୍‌ସାରେ ଉକୁଟେଇ ଦିଅନ୍ତି ବିଭିନ୍ନ ବର୍ଣ୍ଣର ଦୀପ୍ତି ।

 

ଲାଲଫୌଜର ସୈନିକମାନେ ବି ଏଥର ଆରମ୍ଭ କରିଦେଲେ ସେମାନଙ୍କର ଦେହକୁ ଏଇ ରଙ୍ଗରେ ରଙ୍ଗେଇବା ପାଇଁ । ଦେଖୁ ଦେଖୁ ଅଳ୍ପ ସମୟ ଭିତରେ ସମଗ୍ର ବାହିନୀ ଝଲମଲ କରିଉଠିଲା ଇନ୍ଦ୍ରଧନୁର ବର୍ଣ୍ଣମୟ ଦୀପ୍ତିରେ—ଲାଲ, ନୀଳ, ସବୁଜ, ଜାଫରାନ୍‌ ଆଦି ରଙ୍ଗର ମଣିମୁକ୍ତା ବିନିନ୍ଦୀ ଦ୍ୟୁତିରେ ।

 

ତାପରେ ଦିନେ ଭାଗ୍ୟ ଆସିଲା ସାମରିକ ବାହିନୀର ଜଣେ ବସନ୍ତମୁହାଁ ଯୋଗାଣ କର୍ମଚାରୀର ବେଶରେ । ଆସି ବଢ଼େଇ ଦେଲା କମିଶାର ୟେଭ୍‌ ଶୁକୋଭଙ୍କ ହାତକୁ ଲାଲରଙ୍ଗର ଗୋଟିଏ ଫତେଇ ଆଉ ପ୍ୟାଣ୍ଟ ହଳେ ।

 

ଆଦ୍ୟ କୈଶୋରରୁ ୟେଭ୍‌ଶୁକୋଭ୍‌ଙ୍କ ମୁହଁଟା କେମିତି ଲୋହିତାଭ ହୋଇ ଆସିଥିଲା ଈଷତ୍‌ ଆଉ ସେଇ ଲାଲିମା ଭିତରେ ବିଚ୍ଛୁରିତ ହୋଇ ରହିଥିଲା କେତୋଟି ଧୂସର ତିଳଚିହ୍ନ । ତାଙ୍କର ମଥାଟା କେଶଗୁଚ୍ଛରେ ଆବୃତ ହେବା ପରିବର୍ତ୍ତେ ଆବୃତ ହୋଇ ରହିଥିଲା ମେଞ୍ଚାଏ ସୂକ୍ଷ୍ମ ଲଘୁ ଲୋମରେ । ଆଉ ତା ସାଙ୍ଗକୁ ତାଙ୍କର ସେଇ କ୍ଷୁଦ୍ରକାୟ ବିଶାଳ ବପୁର ବିରାଟ ପରିଧି ତାଙ୍କର ସମଗ୍ର ଆକୃତିଟାକୁ ଠିକ୍‌ ଗୋଟାଏ ନିଖୁଣ ଅଣ୍ଡା ପରି କରି ଦେଇଥିଲା । ଆଉ ସେ ଯେତେବେଳେ ତାଙ୍କର ସେଇ ଲାଲ ସାମରିକ ଫତେଇ ଓ ଚିପା ପ୍ୟାଣ୍ଟ ହଳକ ପିନ୍ଧି ବାହାରି ପଡ଼ୁଥିଲେ, ସେତେବେଳେ ତାଙ୍କୁ ଦେଖିଲେ ମନେହେଉଥିଲା, ସତେ ଯେମିତି ଗୋଟାଏ ଇଷ୍ଟର ଅଣ୍ଡା ଚଳମାନ ହୋଇ ବାହାରିପଡ଼ିଛି ରାସ୍ତା ଉପରକୁ । ତାଙ୍କ ସାମରିକ ପୋଷାକର ପିଠିପଟେ ଚମଡ଼ାର ଯେଉଁ ପଟିଟି ଛକି ରହିଥାଏ, ସେଇଟି ଠିକ୍‌ ଦେଖାଯାଉଥାଏ ଇଂରେଜି ଭାଷାର ‘‘X’’ ଅକ୍ଷର ପରି । ଆଉ ସେ ବୁଲିପଡ଼ିଲା ବେଳେ ସାମନାରେ ଯଦି ସେମିତି ‘‘B’’ ଅକ୍ଷରଟି ପ୍ରଦର୍ଶିତ ହୋଇଯାଉଥାନ୍ତା, ତାହେଲେ ପୂରାପୂରି ଗୋଟାଏ ଇଷ୍ଟର ଅଣ୍ଡା ସେ ବନିଯାଉଥାନ୍ତେ, ରୁଷ ଭାଷାର ଗୋଟିଏ ପ୍ରବଚନ ପୂର୍ଣ୍ଣାଙ୍ଗ ହୋଇଯାଉଥାନ୍ତା ବି !*

 

*ଏହି ‘‘X’’ ଓ ‘‘B’’ ହେଉଛି ରୁଷ ଭାଷାର ଗୋଟିଏ ପ୍ରବଚନର ଦୁଇଟି ଶବ୍ଦର ପ୍ରଥମ ଦୁଇଟି ଅକ୍ଷର । ଏହି ପ୍ରବଚନର ଅର୍ଥ ହେଉଛି ‘‘ଉଜ୍ଜୀବିତ ଯୀଶୁଖ୍ରୀଷ୍ଟ’’ । ଇଷ୍ଟର ଅଣ୍ଡା ଉପରେ ସାଧାରଣତଃ ଏହି ଦୁଇଟି ଅକ୍ଷର ଅଙ୍କିତ ହୋଇଥାଏ ।

 

କିନ୍ତୁ ୟେଭ୍‌ଶୁକୋଭ୍‌ ସେମିତି ମଣିଷ ନୁହନ୍ତି । ସେ ଖ୍ରୀଷ୍ଟଧର୍ମରେ ବିଶ୍ୱାସ କରନ୍ତି ନାହିଁ କି ଇଷ୍ଟର ପର୍ବରେ ବିଶ୍ୱାସ କରନ୍ତି ନାହିଁ । ତାଙ୍କର ଏକମାତ୍ର ବିଶ୍ୱାସ ସୋଭିଏଟରେ, କମ୍ୟୁନିଷ୍ଟ ଇଣ୍ଟର-ନ୍ୟାଶନାଲରେ ଆଉ ସୋଭିଏଟ୍‌ ୟୁନିୟନର ନିରାପତ୍ତା ବାହିନୀ ଚେକ୍‌କାରେ । ତାଙ୍କର ବିଶ୍ୱାସ ସେଇ ରିଭଲଭରଟା ଉପରେ ଯାହାକୁ ସେ ଜାବୋଡ଼ି ଧରିଥାନ୍ତ ତାଙ୍କର ବଳିଷ୍ଠ ଗ୍ରନ୍ଥିଳ ଅଙ୍ଗୁଳିଗୁଡ଼ାକରେ ।

 

କୋଜାକ୍‌ ତରବାରୀର ସେଇ ମୃତ୍ୟୁବଳୟ ଭିତରୁ ଆଉ ଯେଉଁ ତେଇଶି ଜଣ ସୈନିକ ତାଙ୍କ ସହିତ ମୁକୁଳି ଯାଇଥିଲେ, ସେମାନେ ହେଉଛନ୍ତି ଲାଲ ଫୌଜର ସାଧାରଣ ସୈନିକ ମାତ୍ର । ହଁ, ଅତି ସାଧାରଣ ସୈନିକ ସେମାନେ ।

 

ସେମାନଙ୍କ ଭିତରୁ ଜଣେ ହୋଇ ସେମାନଙ୍କ ସାଙ୍ଗରେ ଥିଲା ତରୁଣୀ ମାର‍୍ୟୁତ୍‌କା ।

 

ମାର‍୍ୟୁତ୍‌କା ପିତୃମାତୃହୀନା, ଅନାଥିନୀ । ଆଷ୍ଟ୍ରାଖାନ୍‌ ନିକଟବର୍ତ୍ତୀ ସେଇ ସୁବିସ୍ତୃତ ଭଲ୍‌ଗା ଉପତ୍ୟକାର ଶଣବନର କୋଳରେ ହଜି ଯାଇଥିବା ଗୋଟିଏ ମତ୍ସ୍ୟଜୀବୀ ଗ୍ରାମର କନ୍ୟା ସେ । ସାତ ବର୍ଷ ବୟସରୁ ବାର ବର୍ଷ ବୟସ ପର୍ଯ୍ୟନ୍ତ ଜୀବନ ତାର ବିତିଯାଇଛି ଭଲ୍‌ଗା ତୀରର ଛୋଟ ବେଞ୍ଚଟିଏ ଉପରେ ଗୋଡ଼ ଲମ୍ୱେଇ ଦେଇ ବସି ବସି ମାଛର ଚିକ୍‌କଣ ଧୂସର ପେଟ କାଟି କାଟି ଅନ୍ତପୁଟା ବାହାର କରିବାରେ ।

 

ଆଉ ତାପରେ ଦିନେ ଯେତେବେଳେ ଖବର ଆସି ପହଞ୍ଚିଲା ନଗରେ ନଗରେ, ଗ୍ରାମେ ଗ୍ରାମେ ଲାଲବାହିନୀ ପାଇଁ ସ୍ୱେଚ୍ଛାସେବକ ସଂଗ୍ରହ କରାଯିବ ସେତେବେଳେ ବେଞ୍ଚ ଉପରେ ଛୁରୀଟାକୁ ଭୁଷି ଦେଇ ଉଠି ଠିଆ ହୋଇପଡ଼ିଲା ମାର‍୍ୟୁତ୍‌କା ଆଉ ସେଇ ମୋଟା କନାର ପ୍ୟାଣ୍ଟଟା ପିନ୍ଧି ସିଧା ସଳଖ ଦ୍ରୁତ ପଦକ୍ଷେପରେ ଚାଲିଲା ଲାଲବାହିନୀରେ ନାମ ଲେଖାଇବା ପାଇଁ ।

 

ପ୍ରଥମେ ସେମାନେ ତାକୁ ଗ୍ରହଣ କଲେ ନାହିଁ, ବିଦା କରିଦେଲେ । କିନ୍ତୁ ପରେ ଯେତେବେଳେ ଦେଖିଲେ ସେ ଛାଡ଼ିବାର ପାତ୍ରୀ ନୁହେଁ, ଆଉ ଦିନ ପରେ ଦିନ ପ୍ରତିଦିନ ସେ ଆସି ହାଜର ହେଉଛି, ସେତେବେଳେ ସେମାନେ ଅତି ଅସହାୟ ଭାବେ ଦୀର୍ଘ ନିଃଶ୍ୱାସଟାଏ ପକାଇ ଅଗତ୍ୟା ତାକୁ ସ୍ୱେଚ୍ଛାସେବକ ବାହିନୀରେ ସାମିଲ କରିନେଲେ । ପୁରୁଷମାନଙ୍କୁ ଯେଉଁ ସର୍ତ୍ତରେ ସ୍ୱେଚ୍ଛାସେବକ ବାହିନୀରେ ନିଆଗଲା, ତାକୁ ମଧ୍ୟ ନିଆଗଲା ସେଇ ସର୍ତ୍ତରେ ।

 

ନଦୀ ତୀରର ସେଇ ଶଣ ଗଛ ପରି ସେମିତି ସରୁ, ସେମିତି ଲମ୍ୱା, ସେମିତି ଲକ୍‌ଲକ୍‌ ତାର ଚେହେରା । ତାର ସେଇ ପିଙ୍ଗଳ ବର୍ଣ୍ଣର କେରି କେରି କୁନ୍ତଳକୁ ବେଣୀ କରି ସେ ଗୁଡ଼େଇ ଦେଇଥାଏ ତାର ମୁଣ୍ଡ ଉପରେ, ତାର କେରି କୁନ୍ତଳକୁ ବେଣୀ କରି ସେ ଗୁଡ଼େଇ ଦେଇଥାଏ ତାର ମୁଣ୍ଡ ଉପରେ, ତାର ସେଇ ଧୂସର ତୁର୍କୀ ଟୋପିଟା ତଳେ । କେମିତି ଏକ ପୀତାଭ ସବୁଜ କଟାଶ ଚାହାଣୀ, ଦାଉ ଦାଉ ହୋଇ ଜଳୁଥାଏ ତାର ସେଇ ବାଦାମ ଆକୃତିର ଆଖି ଦିଟାରେ ।

 

ମାର‍୍ୟୁତ୍‌କା ଜୀବନର ନିର୍ଯ୍ୟାସ ହେଲା ତାର ସ୍ୱପ୍ନ । ଦିନ ପରେ ଦିନ ବସି ବସି ଦିବାସ୍ୱପ୍ନରେ ଆତ୍ମହରା ହୋଇ ରହିବା ତାର ଅଭ୍ୟାସ । ମଝିରେ ମଝିରେ କବିତା ବି ଲେଖେ ସେ-। ଟୁକୁରାଏ କାଗଜ କେଉଁଠୁ ପାଇଲେ ଖଣ୍ଡିଆ ପେନ୍‌ସିଲଟିଏ ନେଇ ଗାରେଇ ଦିଏ କେଇ ଧାଡ଼ି ସେଥିରେ । ଛିଣ୍ଡା କାଗଜ ଉପରେ ଟଳମଳ ହୋଇଉଠେ ବଙ୍କା ବଙ୍କା ଧାଡ଼ି ଧାଡ଼ି ଅକ୍ଷର-

 

ଲାଲ ବାହିନୀର ସମସ୍ତେ ଜାଣନ୍ତି ଏକଥା । ଯେଉଁ ମୁହୂର୍ତ୍ତରେ ସେମାନେ ପ୍ରବେଶ କରନ୍ତି କୌଣସି ସହରରେ, ଯେଉଁଠି ସହରର ଏକ ନିଜସ୍ୱ ସମ୍ୱାଦପତ୍ର ଥାଏ, ସେଇଠି ମାର‍୍ୟୁତ୍‌କା ସଙ୍ଗେ ସଙ୍ଗେ ମାଗିବସେ ଖଣ୍ଡେ ଲେଖିବା କାଗଜ । କାଗଜ ଖଣ୍ଡକ ପାଇବାକ୍ଷଣି, ଅଧୀର ଉତ୍ତେଜନାରେ ଶୁଷ୍କ ହୋଇ ଯାଇଥିବା ତାର ସେଇ ଓଠ ଦିଟାକୁ, ସେ ଟିକିଏ ଚାଟିଦେଇ ବସିଯାଏ ତାର ‘‘କବିତାଗୁଡ଼ିକୁ’’ ଉତାରିବା ପାଇଁ । ନିଠେଇ ନିଠେଇ ସେ ଉତାରେ ଗୋଟି ଗୋଟି କବିତା । ପ୍ରତ୍ୟେକଟି କବିତା ଉପରେ ଦିଏ ଶିରୋନାମା ଆଉ ତାପରେ ଶେଷରେ ତଳେ ଲେଖ–‘‘ମେରିଆ ବାଶୋଭାଙ୍କ ଦ୍ୱାରା ଲିଖିତ ।’’

 

କବିତାଗୁଡ଼ିକୁ ସାଙ୍ଗରେ ନେଇ ସେ ଦୌଡ଼େ ସମ୍ପାଦକଙ୍କ ଅଫିସକୁ । ସମ୍ପାଦକମାନେ ସ୍ତମ୍ଭୀଭୂତ ହୋଇଯାନ୍ତି ଏଇ ଟୁକୁରାଏ ଝିଅକୁ ଦେଖି—ଦେହରେ ତାର ପୁଣି ଚମଡ଼ା ଜ୍ୟାକେଟ ଆଉ କାନ୍ଧରେ ପୁଣି ଝୁଲା ହୋଇଛି ରାଇଫଲ୍‍ ! କବିତାତକ ତା ହାତରୁ ନେଇ ସେମାନେ ନିର୍ଭର ପ୍ରତିଶ୍ରୁତି ଦିଅନ୍ତି ପଢ଼ି ଦେଖିବେ ବୋଲି । ଆଉ ମାର‍୍ୟୁତ୍‌କା ଗୋଟି ଗୋଟି କରି ପ୍ରତ୍ୟେକଙ୍କୁ ଅନେଇ ଦେଇଯାଏ ତାର ସେଇ ଶାନ୍ତ ଗମ୍ଭୀର ଚାହାଣୀରେ । ତାପରେ ବାହାରିଯାଏ ଅଫିସ ଭିତରୁ ।

 

ସମ୍ୱାଦପତ୍ରର ସମ୍ପାଦକ ମଣ୍ଡଳୀର ମୁଖ୍ୟକର୍ତ୍ତା ବେଶ୍‌ ବ୍ୟଗ୍ର ଭାବେ କବିତାଗୁଡ଼ିକୁ ଝାମ୍ପି ନେଇ ପଢ଼ିବାକୁ ଆରମ୍ଭ କରି ଦିଅନ୍ତି । ଧୀରେ ଧୀରେ କାନ୍ଧ ଦିଟା ତାଙ୍କର ସଙ୍କୁଚିତ ହୋଇଯାଇ ଦୋହଲି ଉଠେ, ଓଠ ଦିଟା ବିକୃତ ହୋଇ ଉଠେ ଏକ ଅଦମ୍ୟ ହସରେ । ସହକର୍ମୀମାନେ ଘେରିଯାନ୍ତି ତାଙ୍କ ଚାରିପଟେ ଆଉ ବେଦମ ହସର ଚିତ୍କାର ଭିତରେ ଭିତରେ ସେ ଜୋର ଗଳାରେ ପଢ଼ି ଶୁଣାନ୍ତି ସେଇ କବିତାଗୁଡ଼ିକୁ । ଆଉ ତାଙ୍କର ଶ୍ରୋତାମାନେ ହସି ହସି ଲୋଟିଯାନ୍ତି ପାଖର ସେଇ ଝରକା ଉପରେ ବସି ବସି (ସେତେବେଳେ ସମ୍ୱାଦପତ୍ର ଅଫିସଗୁଡ଼ିକରେ ସାଧାରଣତଃ ଆସବାବ ପତ୍ର ବୋଲି କିଛି ନଥାଏ) ।

 

ତା ପରଦିନ ସକାଳେ ମାର‍୍ୟୁତ୍‌କା ପୁଣି ଫେରିଯାଏ ସେଇ ସମ୍ୱାଦପତ୍ର ଅଫିସକୁ । ସମ୍ପାଦକ ମଣ୍ଡଳୀର କର୍ତ୍ତାଙ୍କର ଭୁଙ୍କୁଚିତ, ମୁହଁଟାକୁ ସ୍ଥିର ଦୃଷ୍ଟିରେ ଅନେଇ ରହେ, ତାପରେ ନିଜର କବିତାତକ ଗୋଟେଇ ପୋଟେଇ ତାର ସେଇ ବୀଣାଜିଣା କଣ୍ଠରେ କହେ, ‘‘ଭଲ ହେଇନି, ନାଁ ? କବିତାର ଶେଷ କିଛି ନାହିଁ, ନୁହଁ ? ମୁଁ ସେ କଥା ଜାଣେ କୁରାଢ଼ୀରେ ଚେନା ଚେନା କରି ହାଣିଲା ପରି ମୁଁ ସେଇ କବିତାଗୁଡ଼ିକୁ ଚେନା ଚେନା କରି ହାଣି ଆଣିଛି ମୋର ହୃଦୟ ଭିତରୁ—କିନ୍ତୁ ସେଗୁଡ଼ା କିଛି ଭଲ ହୋଇ ନାହିଁ । ବୋଧହୁଏ ଏଇ କବିତା ଲେଖିବା ପାଇଁ ମତେ ଆହୁରି କଠୋର ସାଧନା କରିବାକୁ ହେବ ! ତା’ଛଡ଼ା ଅନ୍ୟ ଉପାୟ ନାହିଁ । ଆପଣ କହିଲେ ଦେଖି ଏ କବିତା ଲେଖା କାମ କାହିଁକି ଏତେ କଠିନ ମନେହୁଏ ? ଜାଣନ୍ତି ଆପଣ ? ଛାଡ଼ନ୍ତୁ, ମରଣ ହେଉ ସେ କବିତାକୁ ।’’

 

ଏତକ କହି ଦେଇ, ତାର ସେଇ କୁନି କୁନି କାନ୍ଧ ଦିଟାକୁ ଈଷତ୍‌ ଝାଙ୍କି ଦେଇ, ଆଖି ଉପରକୁ ତାର ସେଇ ଟୋପିଟାକୁ ଟାଣି ଆଣି ନିଷ୍କ୍ରାନ୍ତ ହୋଇଯାଏ କକ୍ଷ ମଧ୍ୟରୁ ।

 

ମାର‍୍ୟୁତ୍‌କା କବି ନୁହଁ, କିନ୍ତୁ ଅବ୍ୟର୍ଥ ତାର ଲକ୍ଷ୍ୟ । ସାମରିକ ସ୍ୱେଚ୍ଛାସେବକ ବାହିନୀ ଭିତରେ ତାର ଲକ୍ଷ୍ୟ ସବୁଠୁ ଭଲ ଆଉ ରଣାଙ୍ଗନରେ ସେ ସବୁବେଳେ ଥାଏ ୟେଭଶୁକୋଭଙ୍କ ପାଖେ ପାଖେ ।

 

ୟେଭଶୁକୋଭ ଅଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇ ଦିଅନ୍ତି, ‘‘ଦେଖ ମାର‍୍ୟୁତ୍‌କା ! ଜଣେ ସାମରିକ ଅଫିସର !’’

 

ସଙ୍ଗେ ସଙ୍ଗେ ଆଖି ଦିଟାକୁ ସଙ୍କୁଚିତ କରି ଦିଏ ମାର‍୍ୟୁତ୍‌କା । ଶାଣିତ କରି ଦିଏ ତାର ଦୃଷ୍ଟିକୁ, ଓଠ ଦିଟା ଉପରେ ଜିଭଟା ଟିକିଏ ବୁଲେଇ ଆଣେ । ତାପରେ ଧୀରେ ଧୀରେ ଅଚଞ୍ଚଳ ଛନ୍ଦରେ ବନ୍ଧୁକ ଉଠେଇ ସ୍ଥିର କରେ ତାର ଲକ୍ଷ୍ୟ । ଢୋଃ ! ....ଶୀକାର ତାର ଟଳି ପଡ଼େ । ଲକ୍ଷ୍ୟ କେବେ ବ୍ୟର୍ଥ ହୁଏ ନାହିଁ ମାର‍୍ୟୁତ୍‌କାର ।

 

ପ୍ରତ୍ୟେକଟି ଲକ୍ଷ୍ୟଭେଦ ପରେ ବନ୍ଧୁକଟାକୁ ତଳକୁ ନୁଆଇଁ ଆଣୁ ଆଣୁ ସେ କହେ, ‘‘ଅଣଚାଳିଶ ହେଲା ଏଥର, ମରଣ ହେଉନି ତାକୁ !’’ ‘‘ଚାଳିଶ ହେଲା ଏଥର, ମରଣ ହେଉନି ତାକୁ !’’

 

ଏଇ ‘‘ମରଣ ହେଉନି ତାକୁ’’ ହେଉଛି ତାର ଅତି ପ୍ରିୟ ଗାଳି । ଆଉ କୌଣସି ଅଶ୍ଳୀଳ ଗାଳି ପ୍ରୟୋଗ କରିବାକୁ ସେ ଘୃଣା କରେ । ଆଉ ଅନ୍ୟମାନେ ଯେତେବେଳେ ତା ଆଗରେ ଅଶ୍ଳୀଳ ଗାଳି ସବୁ ବ୍ୟବହାର କରନ୍ତି, ସେତେବେଳେ ମୁହଁରେ ତାର ରକ୍ତ ଚହଟି ଯାଏ । ମୁହଁଟାକୁ ଫଣ ଫଣ କରି ଗମ୍ଭୀର ହୋଇଯାଏ ସେ । କିନ୍ତୁ କିଛି କହେ ନାହିଁ କେବେ କାହାକୁ ।

 

ଗୁକ୍‌ସା ନାମକ ଜଣେ ମେଗ୍ୟାର ଜାତିର ସୈନିକ—ଯିଏ ଏଇ ଅଳ୍ପ ଦିନ ହେଲା ତାଙ୍କ ବାହିନୀରେ ଯୋଗ ଦେଇଥାଏ ଆଉ ଯିଏ ସବୁବେଳେ କଣେଇ କଣେଇ ଗୋପନ ଚାହାଣୀରେ ଅସ୍ତବ୍ୟସ୍ତ କରିଦିଏ ମାର‍୍ୟୁତ୍‌କାକୁ, ଦିନେ ରାତିରେ ଚୁପ ଚୁପ ଆସି ପହଞ୍ଚିଗଲା ସେ ଶୟନରତା ମାର‍୍ୟୁତ୍‌କା ପାଖରେ । କିନ୍ତୁ ଅତି ଶୋଚନୀୟ ପରିଣତି ହେଲା ତାର ଏଇ ଦୁଃସାହସିକ ଅଭିଯାନର । ପାଟିର ତିନିଟା ଭଙ୍ଗା ଦାନ୍ତକୁ ଛାଡ଼ି ଦେଇ ଆଉ କପାଳରେ ଗୋଟାଏ ବିରାଟ ଆବୁ ନେଇ ଗୁରୁଣ୍ଡି ଗୁରୁଣ୍ଡି ନିଜ ଆସ୍ଥାନକୁ ଫେରିଯିବାକୁ ପଡ଼ିଲା ଗୁକ୍‌ସାକୁ । ଏହି ଅନାମନ୍ତ୍ରିତ ଅତିଥିକୁ ମାର‍୍ୟୁତ୍‌କା ଚର୍ଚ୍ଚା କରିଥିଲା ତାର ରିଭଲ୍‌ଭରର ଗୋବାରେ ।

 

ବେଳେବେଳେ ପୁରୁଷ ସୈନିକମାନେ ମାର‍୍ୟୁତ୍‌କାକୁ ନେଇ ନିର୍ଦ୍ଦୋଷ ତଟ୍ଟା ତାମସା କରନ୍ତି । କିନ୍ତୁ ଯୁଦ୍ଧ ସମୟରେ ନିଜ ଅପେକ୍ଷା ତାର ଅଧିକ ଯତ୍ନ ନିଅନ୍ତି ସେମାନେ । ସେମାନଙ୍କର ଅନ୍ତରର କେଉଁ ଗୋପନ ଗହନ ଗଭୀରତା ଭିତରେ, ସେମାନଙ୍କର ବର୍ଣ୍ଣବହୁଳ ଚମଡ଼ା ପୋଷାକର କଠିନ ଆବରଣ ତଳେ ତଳେ ହୁଏତ ପ୍ରଚ୍ଛନ୍ନ ହୋଇ ରହିଥିଲା କେଉଁ ଏକ ଅନସ୍ୱୀକୃତ କୋମଳତା । ତେଣୁ ତାର ତାଡ଼ନାରେ ସେମାନେ ନିଜକୁ ରକ୍ଷା କରିବା ଅପେକ୍ଷା ତାକୁ ରକ୍ଷା କରିବା ପାଇଁ ଅଧିକ ପ୍ରୟାସ କରନ୍ତି ।

 

ଏଇ ଏମିତି ତାହେଲେ ହେଉଛନ୍ତି ସେଇ ଲୋହିତ ୟେଭ୍‌ଶୁକଭ, ସେଇ ମାର‍୍ୟୁତ୍‌କା ଆଉ ସେଇ ତେଇଶି ଜଣ ସୈନିକ, ଯେଉଁମାନେ ମୃତ୍ୟୁର କବଳରୁ ମୁକୁଳି ଯାଇ ପଳାଇ ଯାଇଥିଲେ ଅନ୍ତହୀନ ମରୁଭୂମିର ତୁଷାରବୃତ ସିକତା ପ୍ରାନ୍ତରକୁ ।

 

ବର୍ଷର ଏଇ ସମୟରେ ସାଧାରଣତଃ ସେଇ ମରୁଭୂମିର ବୁକୁ ଉପରେ ବିଳପି ଉଠେ ଶେଷ ପୌଷର ତୁଷାର ଝଡ଼ର ଝଙ୍କାର । ସିକତା ସ୍ତୂପର ଫାଙ୍କେ ଫାଙ୍କେ ବିଚ୍ଛୁରିତ ହୋଇଯାଏ ଘନୀଭୂତ ଲୋମଶ ତୁଷାର କଣାର ଶୁଭ୍ରଶ୍ୱେତ ଆସ୍ତରଣ । ଆଉ ତାରି ଉପରେ ଯେଉଁମାନେ ଠେଲିପେଲି ଆଗେଇଯାନ୍ତି ସେଇ ଝଡ଼ ଆଉ ଅନ୍ଧାର ଭିତରକୁ, ସେମାନଙ୍କ ମଥା ଉପରେ ଗର୍ଜିଉଠେ ତମସାମୟ ନିର୍ମମ ଆକାଶ, ଗର୍ଜିଉଠେ ବାଆ ଆଉ ବତାସର ବେଦନାରେ । ନତୁବା ସେଇ ବାତ୍ୟାର ବୁକୁ ବିଦୀର୍ଣ୍ଣ କରିଦେଇ ସେମାନଙ୍କ ମଥା ଉପରେ ଚିତ୍କାର କରି ଉଠେ ଶତ୍ରୁର ଅଗଣିତ ବୁଲେଟ୍‌ ।

 

ବଡ଼ ଦୁର୍ଗମ ଏ ପଥ ! ବଡ଼ ଦୁଃସାଧ୍ୟ ଏ ଯାତ୍ରା । ସେମାନଙ୍କର ଅନାବୃତ ଆଉ ଅର୍ଦ୍ଧାବୃତ ପାଦ ଗଳିଯାଏ ବାଲି ଆଉ ବରଫ ଭିତରକୁ । କ୍ଷୁଧିତ, ଜୀର୍ଣ୍ଣଶୀର୍ଣ୍ଣ ଓଟ ପଲ ଚିତ୍କାର କରି ଉଠନ୍ତି, ଗର୍ଜନ କରି ଉଠନ୍ତି, କ୍ଳାନ୍ତିର ନିଷ୍ଠୀବନରେ ଫେନାୟିତ ହୋଇ ଉଠେ ସେମାନଙ୍କର ମୁହ । ଦମ୍‌କାଏ ଦମ୍‌କାଏ ବାତ୍ୟାର ଆଘାତରେ ଢେଉ ପରେ ଢେଉ ହୋଇ ଉଠିଆସେ ସିକତାର ସ୍ତୂପ, ଝଲମଲ କରି ଉଠେ ସ୍ୱଚ୍ଛଶୁଭ୍ର ସ୍ଫଟିକର ପାହାଡ଼ ପରି । ଆଉ ଚତୁର୍ଦ୍ଦିଗରେ ଶହ ଶହ ମାଇଲ ଘେରି ଆକାଶ ଆଉ ମେଦିନୀକୁ ବିଚ୍ଛିନ୍ନ କରି ଦେଇ ଝଲସି ଉଠେ ଦିଗ୍‌ବଳୟର ସୁସ୍ପଷ୍ଟ ସୁନିର୍ଦ୍ଦିଷ୍ଟ ରେଖା, ସତେ ଯେମିତି ଛୁରୀ ଧାରରେ କିଏ କାଟି ଦେଇଛି ସେଇ ରେଖାଟି !

 

ସତ କଥା କହିବାକୁ ଗଲେ ମୋ କାହାଣୀରେ ଏହି ଅଧ୍ୟାୟଟିର ସ୍ଥାନ ଅତି ଗୌଣ, ଅତି ନଗଣ୍ୟ । ସିଧାସଳଖ କାହାଣୀର ମର୍ମ ଭିତରକୁ ପଶିଯାଇ ତାକୁ ଉଦ୍‌ଘାଟିତ କରିଦେବା ମୋ ପକ୍ଷରେ ହୁଏତ ଆହୁରି ସହଜ, ଆହୁରି ସରଳ ହୋଇ ପାରିଥାନ୍ତା । କିନ୍ତୁ ଆଉ ସବୁକଥା ଭିତରେ, ପାଠକମାନଙ୍କୁ ନିଶ୍ଚୟ ଜାଣି ରଖିବାକୁ ହେବ ଯେ, ଯେଉଁ ଗୁରିଏଭ ବାହିନୀର ଭଗ୍ନାବଶେଷ ହଠାତ୍‌ ଦିନେ ନିଜକୁ ଆବିଷ୍କାର କଲା କାରା-କୁଦୁକ ମରୁ କୂପଠାରୁ ପଚିଶ ମାଇଲ ଉତ୍ତର ପଶ୍ଚିମରେ, ସେଇ ବାହିନୀ ଆସିଲା କେଉଁଠି ସେଇଠିକି, ସେଇ ବାହିନୀରେ ଝିଅଟିଏ ବି ରହିଲା କେମିତି ଆଉ କମିଶାର୍‌ ୟେଭ୍‌ଶୁକଭ୍‌ ଲୋହିତାଭ ବି ହେଲେ କେମିତି ।

 

ସଂକ୍ଷେପରେ କହିବାକୁ ଗଲେ ଏହି ଅଧ୍ୟାୟଟି ଲେଖାଗଲା ତା’ ଲେଖିବାକୁ ପଡ଼ିଲା ବୋଲି ।

Image

 

ଦ୍ୱିତୀୟ ଅଧ୍ୟାୟ

 

ଯେଉଁଥିରେ ଦୂର ଦିଗ୍‌ବଳୟରେ ଉଁକିମାରି ଉଠିଛି ଗୋଟିଏ କୃଷ୍ଣାଭ ବିନ୍ଦୁ ଆଉ ତାପରେ ଧୀରେ ଧୀରେ ପାଖେଇ ଆସି ଉଭା ହୋଇ ଉଠିଛି ପ୍ରହରୀ ବାହିନୀର ସେନାପତି ଲେଫଟ୍‌ନାଣ୍ଟ ଗୋଭ୍‌ରୁଖାଓଟ୍ରୋକ୍‌ଙ୍କର ରୂପରେ ।

 

ମରୁଭୂମିର ଦଯାନ୍‌ ଜେଲ୍‌ଡ଼ି କୂପଠାରୁ ପଇଁଚାଳିଶ ମାଇଲ ଦୂରରେ ସୋଇ-କୁଦୁକ୍‌ କୂପ ଆଉ ସେଇଠୁ ଆହୁରି ଚାଳିଶ ମାଇଲ ଦୂରରେ ଉଶ୍‌କାନ୍‌ ଝରଣା ।

 

‘‘ହଲ୍‌ଟ୍‌ ! ତମ୍ୱୁ ପକାଅ !’’ ରାଇଫେଲ୍‍ ଗୋବରେ ସାମନାର ଶାଳବଣ ଆଡ଼କୁ ଦେଖାଇ ଦେଇ କେମିତି ଏକ ହିମ ଶୀତଳ ଜମାଟବନ୍ଧା କଣ୍ଠରେ ହୁକୁମ ଦେଲେ ୟେଭ୍‌ଶୁକୋଭ୍‌ ।

 

ଶାଳବୃକ୍ଷର ଶୁଷ୍କ ଡାଳପତ୍ର ସାଉଁଟି ଆଣି ସେମାନେ ଜାଳିଦେଲେ ଶିବିରାଗ୍ନି । ଧୀରେ ଧୀରେ ଧୂମାୟିତ ହୋଇଉଠିଲା ଈଷତ୍‌ ସୁରଭିତ ଏକ ଅଗ୍ନିଶିଖା । ତା’ପରେ କ୍ରମେ କ୍ରମେ ସେଇ ଅଗ୍ନିଶିଖାର ଚତୁର୍ଦ୍ଦିଗରେ ବାଲି ଉପରେ ଦେଖାଗଲା ଗୋଟିଏ ଓଦାଳିଆ କୃଷ୍ଣାଭ ବୃତ୍ତ ।

 

ସୈନିକମାନେ ଯିଏ ଯାହାର ପକେଟରୁ ବାହାର କଲେ କିଛି କିଛି ଚାଉଳ ଆଉ ଘିଅ । ଦେଖୁ ଦେଖୁ ନିଆଁ ଉପରେ ବସିଲା ଲୁହାର ଡେକିଚି । ପଲାଉ ରନ୍ଧା ଆରମ୍ଭ ହୋଇଗଲା । ଚାରିଆଡ଼ ମହକି ଉଠିଲା ମାଂସର ବାସନାରେ ।

 

ହିମ ଶୀତଳ ବାତ୍ୟାର ଶାଣିତ ସ୍ପର୍ଶକୁ ଦୂରେଇ ରଖିବା ଲାଗି ସୈନିକମାନେ ପାଖକୁପାଖ ଜାକିଜୁକି ହୋଇ ବସିଥାନ୍ତି ଶିବିରାଗ୍ନିର ଚତୁର୍ଦ୍ଦିଗରେ । ଦାନ୍ତରେ ଦାନ୍ତ ବାଜୁଥାଏ ଠକ୍‌ ଠକ୍‌ ହୋଇ । ନୀରବ, ନିସ୍ପନ୍ଦ ହୋଇ ବସିଥାନ୍ତି ସେମାନେ । ତଳିପା’ ଦିଟାକୁ ସେକି ଦେବାପାଇଁ ପାଦ ଦିଟାକୁ ପୂରେଇ ଦେଇଥାନ୍ତି ନିଆଁ ଭିତରକୁ । ତାର ପ୍ରଚଣ୍ଡ ଉତ୍ତାପରେ ସଁ ସଁ ହୋଇ କଟ୍‌ କଟ୍‌ ହୋଇ ଉଠୁଥାଏ ସେମାନଙ୍କ ବୁଟ୍‌ର ରୁକ୍ଷ କଠୋର ଚମଡ଼ା ।

 

ଆଉ ଦୂରରୁ ଶୁଭ୍ର ତୁଷାରର ଅସ୍ପଷ୍ଟ ଆସ୍ତରଣକୁ ଭେଦ କରି ମଝିରେ ମଝିରେ ଭାସି ଆସେ କ୍ଳାନ୍ତ ଉଷ୍ଟ୍ରପଲର ଘଣ୍ଟିଘାଗୁଡ଼ିର ବିଷଣ୍ଣ ଉଦାସ ଅନୁରଣନ ।

 

ଥରିଲା ଥରିଲା ଆଙ୍ଗୁଠିରେ ସିଗାରେଟ୍‌ ଖଣ୍ଡେ ବଳୁ ବଳୁ କହିଲେ ୟେଭଶୁକୋଭ, ‘‘କମ୍ରେଡଗଣ, ଏଇଠୁ କେଉଁଆଡ଼କୁ ଆମେ ଯିବା ତାହା ଆମକୁ ସ୍ଥିର କରିବାକୁ ପଡ଼ିବ ।’’ ତା’ପରେ ପାଟିରୁ ଧୂଆଁର କୁଣ୍ଡଳିଟିଏ ଛାଡ଼ିଦେଇ ଅପେକ୍ଷା କରି ରହିଲେ ସେମାନଙ୍କର ଉତ୍ତରକୁ ।

 

‘‘କେଉଁଠିକି ଯାଇ ପାରିବା ଆମେ !’’ ନିଆଁ ଆରପଟୁ ଭାସି ଆସିଲା ଏକ ନିର୍ଜୀବ କଣ୍ଠସ୍ୱରର ଉତ୍ତର, ‘‘ଯୁଆଡ଼େ ଯିବା ସବୁ ସମାନ । ସବୁ ପରିଷ୍କାର । ଆମେ ତ ଆଉ ଫେରିଯାଇ ପାରିବା ନାହିଁ ଗୁରିଏଭ୍‌କୁ ।

 

ସେଇଠି ରକ୍ତପାୟୀ କୋଜାକ୍‌ ବାହିନୀ ରହିଛି । ଆଉ ଗୁରିଏଭ୍‌କୁ ବାଦ୍‌ ଦେଲେ ଏମିତି ଆଉ କୌଣସି ସ୍ଥାନ ନାହିଁ ଯେଉଁଠିକି ଆମେ ଯାଇ ପାରିବା ।’’

 

‘‘ଖିଭା ଗଲେ କେମିତି ହୁଅନ୍ତା ?’’

 

‘‘ହୋଃ, ଖିଭା, ! ପୁଷମାସର ଏଇ ହାଡ଼ଭଙ୍ଗା ଜାଡ଼ରେ କାରାକୁମ୍‌ ମରୁଭୂମିରେ ଚାରିଶହ ମାଇଲ ପାର ହୋଇଯିବା ? ବାଟରେ ଖାଇବା କ’ଣ ?’’

 

ହୋ ହୋ ହୋଇ ହସିଉଠିଲେ ସମସ୍ତେ ।

 

‘‘ସବୁ ତ ଜଳ ଜଳ ହୋଇ ଦିଶିଯାଉଛି । ଆମର ଅନ୍ୟ ଗତି ନାହିଁ । ସରିଲା କଥା ଆମର ଏଇଠି ।’’ ପୁଣି ସେଇ ନିର୍ଜୀବ କଣ୍ଠସ୍ୱରର ଶେଷ ଉତ୍ତର ଶୁଣାଗଲା ।

 

ନିଜର ଲୋହିତ ସାଞ୍ଜୁ ତଳେ ତଳେ ସଙ୍କୁଚିତ ହୋଇଉଠିଲା ୟେଭ୍‌ଶୁକୋଭ୍‌ଙ୍କର ହୃଦୟ । କିନ୍ତୁ ସେ ତାର କୌଣସି ସୂଚନା ଦେଲେ ନାହିଁ ।

 

‘‘ନିର୍ବୋଧ ଭୀରୁ, କାପୁରୁଷ କେଉଁଠିକାର !’’ ଉନ୍ମତ୍ତ କ୍ରୋଧରେ ସେ ଗର୍ଜି ଉଠିଲେ, ‘‘ଆହୁରି ବହୁତ ସମୟ ବାକି ଅଛି କଥା ସରିବାପାଇଁ ! ବୋକା ଯିଏ, ସିଏ କେବଳ ମରିପାରେ !’’

 

‘‘ଆଲେକ୍‌ଜାଣ୍ଡ୍ରୋଭିସ୍କି ଦୁର୍ଗ ଆଡ଼କୁ ଗଲେ ତ ହୁଅନ୍ତା । ସେଇଠି ଆମର ନିଜ ଲୋକେ ଅଛନ୍ତି । ସେମାନେ ସବୁ ମାଛଧରାଳୀ ।’’

 

‘‘ସେଠିକି ଯାଇ କିଛି ଲାଭ ନାହିଁ,’’ କହିଲେ ୟେଭ୍‌ଶୁକୋଭ୍‌ । ‘‘ମୁଁ ଆଜି ଖବର ପାଇଛି ଡେନିକିନ୍‌ ତାର ସୈନ୍ୟସାମନ୍ତ ନେଇ ସେଇଠି ଆସି ପହଞ୍ଚିଛି । ପ୍ରତିବିପ୍ଳବୀ ବାହିନୀ ଆସି ଦଖଲ କରିଯାଇଛି ଆଲେକ୍‌ଜାଣ୍ଡ୍ରୋଭସ୍କି । ଆଉ କ୍ରାସ୍ନୋଭଦ୍‌ସ୍କଠାରେ ବି ସେମାନେ ଆସ୍ଥାନ ଜମାଇ ରହିଛନ୍ତି ।’’

 

ନିଦ ବାଉଳାରେ କୁନ୍ଥେଇ ହେଲା କିଏ ଜଣେ ।

 

ସଙ୍ଗେ ସଙ୍ଗେ ୟେଭ୍‌ଶୁକୋଭ୍‌ଙ୍କର କଠୋର ହାତର ଆଘାତ ଯାଇ ବସିଗଲା ତାର ଉତ୍ତପ୍ତ ଜାନୁ ଉପରେ ।

 

‘‘ଚୁପ କର’’, ଗର୍ଜିଉଠିଲେ ୟେଭ୍‌ଶୁକୋଭ୍‌, ‘‘ପଳାଇ ଯିବା ପାଇଁ ଗୋଟିଏ ମାତ୍ର ସ୍ଥାନ ରହିଛି—ସେ ସ୍ଥାନ ହେଉଛି ଆରଲ୍‌ ସାଗର । ଆମେ ଆଗେଇ ଯିବା ଆରଲ୍‌ ସାଗର ପାଖକୁ । ତା’ପରେ ଆରଲ୍‌ ସାଗର କୂଳେ କୂଳେ ବୁଲିଯାଇ ଚାଲିଯିବା କାଜାଲିନସ୍କକୁ । ସେଠାରେ ଆମର ଗୋଟାଏ ସାମରିକ ଦପ୍ତର ରହିଛି । କାଜାଲିନ୍‌ସ୍କକୁ ଯିବା ମାନେ ଘରକୁ ଗଲା ଭଳି !’’

 

ଚିତ୍କାର କରି ସାରି ସେ ଚୁପ ହୋଇଗଲେ । ସେ ନିଜେ ବି ବିଶ୍ୱାସ କରିପାରୁ ନଥିଲେ ଏହି ଦୁର୍ଗମ ପଥ ଅତିକ୍ରମ କରି ସେମାନେ ଯାଇ କେବେ ପହଞ୍ଚି ପାରିବେ କାଜାଲିନସ୍କରେ ।

 

ତାଙ୍କ ପାଖରେ ଶୋଇଥିବା ସୈନିକଟି ମୁଣ୍ଡ ଟେକି ଚାହିଁଲା ତାଙ୍କ ଆଡ଼କୁ । ପଚାରିଲା, ‘‘ବାଟରେ ଆମେ ଖାଇବା କ’ଣ ଯେ ?’’

 

‘‘କମର ଭିଡ଼ିବାକୁ ହେବ । ପେଟର ଭୋକମାରି ଚଳିବାକୁ ପଡ଼ିବ,’’ ଜବାବ୍‌ ଦେଲେ ୟେଭ୍‍ଶୁକୋଭ୍‍ । ‘‘ତୁମେ ତ ଆଉସବୁ ନବାବଙ୍କ ନାତି ହୋଇନାହଁ । ତୁମକୁ ମାଂସ ଭଲ ଲାଗେ, ମହୁ ଭଲ ଲାଗେ, ନୁହଁ ? କିନ୍ତୁ ସେ ସବୁ ଅଭ୍ୟାସ ଛାଡ଼ି ଦେବାକୁ ପଡ଼ିବ । ଆମ ପାଖରେ କିଛି ଚାଉଳ କିଛି ଅଟା ଅଛି । ସେତିକିରେ ଚଳେଇ ନେବାକୁ ହେବ ।’’

 

‘‘ତିନିଦିନରୁ ଆଉ ବେଶି ଯିବ ନାହିଁ ସେତକ ।’’

 

‘‘କାହିଁକି ନୁହଁ ? ନ ଗଲେ ନାହିଁ ! ସେଥିରେ କ’ଣ ଅଛି ? ଚେର୍‌ନିଶ୍‌ ଉପସାଗର ପାଖରେ ପହଞ୍ଚିବା ପାଇଁ ଆମକୁ ଦଶ ଦିନରୁ ବେଶି ଲାଗିବ ନାହିଁ । ଆମ ପାଖରେ ଛଅଟି ଓଟ ଅଛନ୍ତି । ପାଖରେ ଥିବା ଚାଉଳ ଆଉ ଅଟାତକ ସରିଗଲେ ଆମେ ଓଟଗୁଡ଼ାକୁ ମାରି ଖାଇଦେବା । ସେଗୁଡ଼ାକ ତ ଆମର ଆଉ କିଛି କାମରେ ଆସିବେ ନାହିଁ । ଗୋଟାଏ ମାରି ଦେଇ ତାର ମାଂସ ଅନ୍ୟମାନଙ୍କ ଉପରେ ଲଦି ନେଇ ଚାଲିବା । ଯେକୌଣସି ମତେ ଆମକୁ ପହଞ୍ଚିବାକୁ ପଡ଼ିବ ସେଇଠି ।’’

 

କେହି ଆଉ କିଛି କହିଲେ ନାହିଁ । ମାର‍୍ୟୁତ୍‌କା ଶୋଇ ରହିଥାଏ ସେଇଠି ନିଆଁ ପାଖରେ, ହାତ ଦି’ଟା ଉପରେ ମଥାଟାକୁ ଭରା ଦେଇ । ତାର ଶାଣିତ କଟାଶ ଆଖି ଦିଟା ସେମିତି ଅବଲକ ଦୃଷ୍ଟିରେ ନିବଦ୍ଧ ହୋଇ ରହିଥାଏ ପ୍ରଜ୍ଜ୍ୱଳିତ ବହ୍ନିଶିଖା ଉପରେ । ୟେଭ୍‌ଶୁକୋଭ୍‌ଙ୍କୁ ହଠାତ୍‌ କାହିଁକି ଭାରି ଅସ୍ୱସ୍ତି ବୋଧହେଲା । ସେ ଉଠି ଠିଆହେଲେ । ନିଜ ପୋଷାକ ଦେହରୁ ଝୁରୁ ଝୁରୁ ବରଫର ଗୁଣ୍ଡଗୁଡ଼ାକୁ ଝାଡ଼ିଝୁଡ଼ି ସଫା କରିଦେଲେ ।

 

‘‘ତାହେଲେ ସେଇୟା ରହିଲା,’’ କହିଲେ ସେ; ‘‘ଏଥର ହୁକୁମ ହେଉଛି ଭୋର ହେବା କ୍ଷଣି ଉଠି ବାହାରି ପଡ଼ିବାକୁ ହେବ ।’’ ତ୍ରସ୍ତ ଚକିତ ବିହଙ୍ଗ ପରି ହଠାତ୍‌ ତାଙ୍କର କଣ୍ଠଟା କାହିଁକି ଶିହରି ଉଠିଲା । ଆସ୍ତେ ଆସ୍ତେ କହିଲେ, ‘‘ହୁଏତ ଆମେ ସମସ୍ତେ ଯାଇ ପହଞ୍ଚି ପାରିବା ନାହିଁ ଆମର ଲକ୍ଷ୍ୟସ୍ଥଳରେ । ତଥାପି ଆମକୁ ଚେଷ୍ଟା କରିବାକୁ ପଡ଼ିବ । କାରଣ ୟେ ହେଉଛି ବିପ୍ଳବ, କମ୍ରେଡଗଣ ! ଦୁନିଆର ଶ୍ରମିକ ଶ୍ରେଣୀର ମୁକ୍ତି ପାଇଁ ଏ ବିପ୍ଳବ !’’

 

ଗୋଟି ଗୋଟି କରି ତେଇଶି ଜଣ ସୈନିକଙ୍କ ଆଖିକୁ ନିରିଖି ନିରିଖି ଅନେଇ ଗଲେ କମିଶାର୍‌ ୟେଭ୍‌ଶୁକୋଭ୍‌ । ସେମାନଙ୍କର ଆଖିରେ ଯେଉଁ ଆଲୋକ ଦେଖିବାର ଅଭ୍ୟସ୍ତ ହୋଇ ଆସିଥିଲେ ସେ, ସେଇ ଆଲୋକ ଆଉ ଦେଖିବାକୁ ପାଇଲେ ନାହିଁ । କୁଆଡ଼େ ନିଭିଯାଇଛି ସେ ଆଲୋକ ସେମାନଙ୍କ ଆଖିରୁ ! ଦୃଷ୍ଟି ସେମାନଙ୍କର ନତ, ନିଷ୍ପ୍ରଭ । ସଂକୁଚିତ ଭ୍ରୁଲତା ଭିତରେ ଚିକ୍‌ ଚିକ୍‌ କରୁଛି ସନ୍ଦେହ ଆଉ ହତାଶା ।

 

‘‘ପ୍ରଥମେ ଆମେ ଓଟମାନଙ୍କୁ ମାରି ଖାଇବା ତାପରେ ପରସ୍ପରକୁ !’’ କିଏ ଜଣେ ଗୁଣୁ ଗୁଣୁ ହୋଇ କହିଉଠିଲା ସେମାନଙ୍କ ଭିତରୁ ।

 

ନିସ୍ତବ୍‌ଧତା ।

 

ହଠାତ୍‌ ହିଂସ୍ର, ଉନ୍ମତ୍ତ ନାରୀ ପରି ଚିତ୍କାର କରି ଉଠିଲେ ୟେଭ୍‍ଶୁକୋଭ୍‍, ‘‘ଚୁପ୍‌ କର ! ଭୁଲିଗଲଣି କି ତୁମେ ବିପ୍ଳବୀର କର୍ତ୍ତବ୍ୟ କ’ଣ ? ଚୁପ୍‌ ରହ ! ଆଦେଶ ପାଳନ କରିବାକୁ ହେବ ! ଚୁପ୍‌ ନ ରହିଲେ ଗୁଳି କରି ମାରି ଦିଆଯିବ !’’

 

ଟିକିଏ ଖଣ୍ଡିକାଶ ଦେଇ ସେ ବସିପଡ଼ିଲେ ତଳେ । ଯେଉଁ ସୈନିକଟି ଚଟୁରେ ଭାତ ଘାଣ୍ଟୁଥିଲା ସେ ହସଖୁସିଭରା କଣ୍ଠରେ ଡାକ ପକାଇଲା, ଭସାଣିଆ ପବନ ଭିତର ଦେଇ, ‘‘ଆରେ-! ତୁମର ଝଗଡ଼ାଝାଟି ବନ୍ଦ କରି ଆସିଲ ସବୁ, ଖାଇବ ! ମୁଁ ଝାଳନାଳ ହୋଇ ଏଇଠି ଲାଗି ପଡ଼ିଛି କାହିଁକି ଯେ କୋଇଥିପାଇଁ ?’’

 

ଘିଅବୋଳା ଫୁଲିଲା ଫୁଲିଲା ପୁଳିଏ ପୁଳିଏ ଭାତ ସେମାନେ ଉଠାଇ ନେଲେ ଡଙ୍କାରେ । ଥଣ୍ଡା ହେବା ପୂର୍ବରୁ ସେମିତି ଗୁଣ୍ଡାକୁ ଗୁଣ୍ଡା ଗିଳି ଲାଗିଲେ, ତଣ୍ଟି ତେଣେ ପୋଡ଼ି ଯାଉଥାଏ ପଛେ । ତଥାପି ଏଇ ଜାଡ଼ରେ କାଲୁଆ ପାଗରେ ଜମାଟ ବାନ୍ଧି ଯାଉଥାଏ ମେଞ୍ଚାକୁ ମେଞ୍ଚା ଚର୍ବି ସେମାନଙ୍କର ଓଠ ଉପରେ, ଠିକ୍‌ ଅଧା ତରଳା ମହମ ପରି ।

 

ଧୀରେ ଧୀରେ ସ୍ତିମିତ ହୋଇଆସିଲା ଶିବିରାଗ୍ନିର ଶିଖା । ତମସାମୟ ରାତ୍ରିର ଘନକୃଷ୍ଣ ଯବନିକା ଉପରେ ବିଚ୍ଛୁରିତ ହୋଇଗଲା ବିନ୍ଦୁ ବିନ୍ଦୁ ନାରଙ୍ଗୀ ରଙ୍ଗର ସ୍ଫୁଲିଙ୍ଗ । ଆହୁରି ପାଖକୁ ପାଖ ଜାକିଜୁକି ହୋଇଗଲେ ସୈନିକମାନେ । କିଏ ଢୁଳେଇବାକୁ ଲାଗିଲା, କିଏ ଘୁଙ୍ଗୁଡ଼ି ମାରିଲା, କିଏ ବା ଶୋଇ ଶୋଇ କୁନ୍ଥେଇଲା ଖାଲି, ଆଉ ବା କିଏ ବିଳିବିଳେଇ ଗାଳିଗୁଲଜ ଆରମ୍ଭ କରିଦେଲା ନିଦରେ ।

 

ପ୍ରାୟ ଭୋର ହୋଇଆସିଲା ବେଳରୁ କିଏ ଜଣେ ଝୁଂକି ଉଠେଇ ଦେଲା ୟେଭ୍‍ଶୁକୋଭ୍‍ଙ୍କୁ । ଜାଡ଼ରେ ଜମାଟବନ୍ଧା ପକ୍ଷ୍ମଦି’ଟାକୁ ଟାଣି ଓଟାରି ଖୋଲୁ ଖୋଲୁ ସେ ଉଠି ବସି ପଡ଼ିଲେ । ଆଉ ସଙ୍ଗେ ସଙ୍ଗେ ଆପେ ଆପେ ହାତଟା ତାଙ୍କର ଚାଲିଗଲା ରାଇଫଲ୍‌ ପାଖକୁ ।

 

‘‘ସମ୍ଭାଳି, ସମ୍ଭାଳି !’’

 

ଆଖି ମଳି ମଳି ଚାହିଁଲେ ୟେଭ୍‌ଶୁକୋଭ୍‌ । ତାଙ୍କର ମଥା ଉପରକୁ ଇଷତ୍‌ ଝୁଂକି ଆସିଛି ମାର‍୍ୟୁତ୍‌କା । ତାର ସେଇ ସବୁଜ ଆଖି ଦି’ଟା ଚିକ୍‌ ଚିକ୍‌ କରି ଉଠୁଛି ତୁଷାର ଝଡ଼ର ଧୂସର-ପୀତାର ମ୍ଳାନ ତମସା ଭିତରେ ।

 

‘‘କଣ ହେଲା ?’’

 

‘‘ଉଠ, କମ୍ରେଡ କମିଶାର ! ତୁମେ ଶୋଇଥିଲା ବେଳେ ମୁଁ ଟିକିଏ ବୁଲି ଯାଇଥିଲି ଓଟରେ ଚଢ଼ି । ଦେଖିଲି, କିରଘିଜ ବଣିକଦଳ ଆସୁଛନ୍ତି ସେମାନଙ୍କର ଓଟ ପଲ ନେଇ, ସେଇ ଯାନ୍‌-ଗୋଲଡ଼ି ପଟୁ ।

 

କର ଲେଉଟାଇ ଉଠିଲେ ୟେଭ୍‍ଶୁକୋଭ୍‍ । —‘‘ଓଟ ପଲ ?’’ ଉତ୍ତେଜିତ କଣ୍ଠରେ ତାଙ୍କର ପ୍ରଶ୍ନ,—‘‘ତୁ ଆଉ ସ୍ୱପ୍ନ ଦେଖିନାହୁଁ ତ ।’’

 

‘‘ନାଁ, ନାଁ ! ସତ, ମରଣ ପରି ସତ, ଦେଖିଲି ଚାଳିଶଟା ଓଟ ସେମାନଙ୍କ ପାଖରେ ।

 

ମୁହୂର୍ତ୍ତେ ସୁଦ୍ଧା ବିଳମ୍ୱ ନ କରି ଉଠି ଠିଆ ହୋଇ ପଡ଼ିଲେ ୟେଭ୍‌ଶୁକୋଭ୍‌ । ଆଙ୍ଗୁଠି ଦିଟା ପାଟିରେ ପୂରେଇ ହୁଇସିଲ ମାରିବାକୁ ଲାଗିଲେ ।

 

ନିଜର ଆସାଢ଼ ଦେହଗୁଡ଼ାକୁ ଟଣାଓଟରା କରି ଉଠିବା ପାଇଁ ବଡ଼ କଷ୍ଟ ହେଲା ଏଇ ତେଇଶି ଜଣ ଲୋକଙ୍କ ପକ୍ଷରେ । କିନ୍ତୁ ଓଟପଲ କଥା ଶୁଣି ସଙ୍ଗେ ସଙ୍ଗେ ସଜୀବ ହୋଇ ଉଠିଲେ, ଚଞ୍ଚଳ ହୋଇ ଉଠିଲେ ସେମାନେ ।

 

ମାତ୍ର ବାଇଶି ଜଣ ଉଠି ଠିଆହେଲେ । ଆର ଜଣକ ଯେଉଁଠି ଶୋଇଥିଲା ସେଇଠି ସେମିତି ପଡ଼ି ରହିଲା । ଘୋଡ଼େଇ ହୋଇଥିବା ମୋଟା ମାଠଟା ଭିତରେ ଦେହଟା ତାର କମ୍ପୁଥାଏ ଖାଲି ।

 

‘‘ଆରେ, ୟାକୁ କଳାଜର ହେଲାଣି !’’ ଲୋକଟାର ବେକରେ ହାତ ମାରି କହିଲା ମାର‍୍ୟୁତ୍‌କା ।

 

‘‘ଧେତ୍‌, ଏତିକିବେଳକୁ ଥିଲା ୟା’କୁ ଜର ହେବାକୁ । କ’ଣ କରାଯିବ ଏଇନେ ଆଉ—ଦେ, ଆଉ ଗୋଟାଏ କମ୍ୱଳ ପକାଇଦେ ତା ଉପରେ । ସେ ସେଇଠି ଶୋଇଥାଉ ସେମିତି । ଆମେ ପୁଣି ଫେରି ଆସି ନେଇଯିବା ତାକୁ । କେଉଁଠି ସେଇ ବଣିକ ଦଳକୁ ଦେଖିଲୁ ତୁ, କହିଲୁ ?’’

 

ଆଙ୍ଗୁଳିରେ ପଶ୍ଚିମ ଦିଗକୁ ଦେଖାଇଦେଲା ମାର‍୍ୟୁତ୍‌କା । ‘‘ବେଶି ଦୂର ନୁହଁ । ଚାରି ମାଇଲ ଖଣ୍ଡେ ହେବ । ଏଇ ଭଳି ବଡ଼ ବଡ଼ ବୋଝ ସବୁ ନଦା ହୋଇଛି ସେଇ ଓଟମାନଙ୍କ ପିଠିରେ ।’’

 

‘‘ବେଶ୍‌, ଆହୁରି ଭଲ ! ଦେଖ ଭାଇମାନେ ! ସେମାନେ ଯେମିତି ଖସି ନଯାନ୍ତି । ଦେଖିବା କ୍ଷଣି ଚାରିପଟୁ ତାଙ୍କୁ ଘେରି ଯାଅ । ଡେରି ଆଉ କର ନାହିଁ । ଅଧେ ଯାଅ ବାଁ ପଟୁ । ଆଉ ଅଧେ ଯାଅ, ଡାହାଣ ପଟୁ । ଯାଅ ଏଥର !’’

 

ଜଣକ ପଛରେ ଜଣେ ଧାଡ଼ି ବାନ୍ଧି ସେମାନେ ଆଗେଇ ଗଲେ ଧୂସର ବାଲିବନ୍ତର ଭିତରେ । ନଇଁ ନଇଁ ଚାଲିଥାନ୍ତି ସେମାନେ । ଧୀରେ ଧୀରେ ଅଧୀର ଉତ୍ତେଜନାରେ ଉଦ୍ଦୀପିତ ହୋଇ ଉଠୁଥାଏ ପ୍ରାଣ ସେମାନଙ୍କର । ଦେହ ଉଷୁମ ହୋଇ ଉଠୁଥାଏ, କ୍ଷିପ୍ର, ଉଦ୍ଦାମ ପଦକ୍ଷେପରେ ।

 

ଗୋଟିଏ ଉତ୍ତୁଙ୍ଗ ବାଲିବନ୍ତର ଚୂଡ଼ା ଉପରୁ ଦେଖିଲେ, ଦୂରରେ ହାତର ପାପୁଲି ଭଳି ଟୁକୁରାଏ ସିକତାର ପ୍ରାନ୍ତର ଉପରେ କଳା କଳା ମୁଗୁନି ପଥରର ମାଳି ପରି ଧାଡ଼ି ଧାଡ଼ି ହୋଇ ଲମ୍ୱି ଯାଇଛନ୍ତି ଓଟ ପଲ । ପିଠିର ଦୁର୍ବହ ବୋଝର ଚାପରେ ଦୋଳାୟିତ ହୋଇ ଉଠିଛି ସେମାନଙ୍କର ଗତି ।

 

‘‘ଭଗବାନ ପଠାଇ ଦେଇଛନ୍ତି ସୋମନଙ୍କୁ ଆମ ପାଇଁ । ଆମ ଉପରେ ଭଗବାନଙ୍କର ଅଶେଷ ଦୟା’’ ! ଗୁଣୁ ଗୁଣୁ ହୋଇ କହିଲା ଗ୍ୱୋଜଦିୟଭ୍‌ ନାମକ ଜଣେ ବସନ୍ତମୁହାଁ ଯୁବକ ।

 

‘‘ଭଗବାନ ନାଁ ତୋ ମୁଣ୍ଡ !’’ ଗର୍ଜି ଉଠିଲେ ୟେଭଶୁକୋଭ । ‘‘କେତେ ଥର ତତେ ଆଉ ବୁଝେଇବାକୁ ହେବ ଯେ, ଭଗବାନ ବୋଲି କେହି ନାହାନ୍ତି ! ପ୍ରତ୍ୟେକଟି ବସ୍ତୁ ତାର ବସ୍ତୁବିଜ୍ଞାନ ଦ୍ୱାରା ପରିଚାଳିତ !’’

 

ବିତର୍କ ପାଇଁ ଆଉ ବେଳ ନାହିଁ ।

 

ସଙ୍ଗେ ସଙ୍ଗେ ହୁକୁମ ଦିଆଗଲା ପ୍ରତିଟି ବାଲିବନ୍ତର ଆଢ଼ୁଆଳରେ, ପ୍ରତିଟି କୁଟିଳ ବଣବୁଦାର ଆଢ଼ୁଆଳରେ, ଛପି ଛପି ଦୌଡ଼ି ଦୌଡ଼ି ଆଗେଇ ଯିବାକୁ ହେବ । ନିଜ ନିଜର ରାଇଫେଲ୍‍ ଉପରେ ଟାଣ ହୋଇ ଉଠିଲା ପ୍ରତିଟି ମଣିଷର ହାତର ଜାବ । ଟଣ୍‌ଟଣ୍‌ କରି ଉଠିଲା ଆଙ୍ଗୁଠିଗୁଡ଼ିକ । ସେମାନେ ଜାଣନ୍ତି ଓଟ ପଲକୁ ଛାଡ଼ି ଦେବା ଆଉ ଚଳିବ ନାହିଁ । ଓଟପଲ ଖସିଗଲେ ଖସିଯିବ ସେମାନଙ୍କର ଆଶା, ଖସିଯିବ ସେମାନଙ୍କର ମୁକ୍ତିର ସ୍ୱପ୍ନ, ଉଡ଼ିଯିବ ସେମାନଙ୍କର ପ୍ରାଣ ।

 

ଧୀର ମନ୍ଥର ଗତିରେ, ଅଚଞ୍ଚଳ ଛନ୍ଦରେ ହଲି ଦୋହଲି ଚାଲିଛନ୍ତି ଓଟପଲ । ସୈନିକମାନଙ୍କର ଆଖିରେ ପଡ଼ିଲାଣି ଓଟମାନଙ୍କର ପିଠିରେ ଲଦା ହୋଇଛି ବସ୍ତା ବସ୍ତା ବୋଝ । ଉଷାର ଲୋହିତ ଅରୁଣିମାରେ ଚିକ୍‌ ଚିକ୍‌ କରୁଛି ସେଇ ବସ୍ତାଗୁଡ଼ାକ । ଆଉ ଓଟ ପାଖେ ପାଖେ ଚାଲିଛନ୍ତି ବଣିକର ଦଳ । ଦେହରେ ସେମାନଙ୍କର ଗରମ ପୋଷାକ, ମଥାରେ ଚମଡ଼ାର ଟୋପି ।

 

ହଠାତ୍‌ ୟେଭ୍‌ଶୁକୋଭ୍‌ ଠିଆ ହୋଇପଡ଼ିଲେ ସେଇ ବାଲିବନ୍ତର ଚୂଡ଼ା ଉପରେ । ଦେହରେ ତାଙ୍କର ଲାଲ ପୋଷାକଟା ଦାଉ ଦାଉ ହୋଇ ଜଳି ଉଠିଲା । ରାଇଫେଲ୍‍ ଉଠାଇ ସେ ଡାକ ପକାଇଲେ ଜୋର ଗଳାରେ, ‘‘ଏ ବଣିକମାନେ ! ପାଖରେ ଯଦି ବନ୍ଧୁକ ଅଛି ଫୋପାଡ଼ି ଦିଅ-! ନହେଲେ ବେଶି ଚାଲାକି କଲେ, ଗୋଟି ଗୋଟି କରି ସମସ୍ତଙ୍କୁ ଗୁଳି କରି ମାରିଦେବୁ-!’’

 

ତାଙ୍କ ତୁଣ୍ଡରୁ କଥା ନ ସରୁଣୁ ଭୀତ ତ୍ରସ୍ତ ଓଟ ଚାଳକମାନେ ପଛକୁ ପାହୁଣ୍ଡେ ହଟି ଯାଇ ଗଡ଼ି ପଡ଼ିଲେ ବାଲି ଉପରକୁ ।

 

ଲାଲଫୌଜର ସୈନିକମାନେ ଅଣନିଃଶ୍ୱାସୀ ହୋଇ ଦୌଡ଼ିଲେ ଚାରିପଟୁ ।

 

‘‘ଓଟଗୁଡ଼ାକୁ ଆଗ ଜବତ କରି ନିଅ, ଭାଇମାନେ !’’ ଚିତ୍କାର କରି ଉଠିଲେ ୟେଭ୍‍ଶୁକୋଭ୍‍ ।

 

ତାଙ୍କର ଗର୍ଜନ ହଠାତ୍‌ ନିସ୍ତବ୍‌ଧ ହୋଇଗଲା ଦମ୍‌କାଏ ଗୁଳି ଚୋଟରେ । ବଣିକମାନଙ୍କ ପଟୁ ଆସିଲା ଗୁଳିର ଝଟିକା । କ୍ରୋଧୋନ୍ମତ୍ତ ବୁଲେଟ୍‌ଗୁଡ଼ାକ ପାଗଳା କୁକ୍‌କୁର ପରି ଲାଲଫୌଜର ସୈନିକମାନଙ୍କ ଚାରିପଟେ ଗର୍ଜି ଉଠିଲା । ଜଣେ କିଏ ତାର ଦୁଇ ବାହୁକୁ ପ୍ରସାରିତ କରି ଦେଇ ୟେଭ୍‍ଶୁକୋଭ୍‍ଙ୍କ ପାଖରେ ଲଥ୍‌କିନା ଲୋଟି ପଡ଼ିଲା ବାଲି ଉପରେ ।

 

‘‘ପେଟେଇ ପଡ଼, ଭାଇମାନେ ! ଦିଅ, ଚଳାଅ ଗୁଳି ସେଇ ଶଳା ସଇତାନ୍‌ମାନଙ୍କ ଆଡ଼କୁ !’’ ଚିତ୍କାର କରି ଉଠିଲେ ୟେଭ୍‌ଶୁକୋଭ୍‌, ଗୋଟାଏ ଛୋଟ ବାଲିବନ୍ତର ଉହାଡ଼ରେ ଛପିଯାଇ ।

 

ପୁଣି ଛୁଟି ଆସିଲା ଦମକାଏ ରାଇଫେଲ୍‍ ଗୁଳି ।

 

ଏଇ ଗୁଳିଚାଳନା—ବଡ଼ ନିର୍ଭୁଲ ଏଇ ଗୁଳିର ଲକ୍ଷ୍ୟ । କରିଘିଜ୍‌ମାନଙ୍କ ପକ୍ଷରେ କଦାପି ସମ୍ଭବ ନୁହେଁ ଏପରି ନିର୍ଭୁଲ ଲକ୍ଷ୍ୟ । ଆଣ୍ଠୁମାଡ଼ି ଲେପଟେଇ ପଡ଼ିଥିବା ଓଟମାନଙ୍କ ପଛରୁ ଆସୁଛି ଏଇ ଗୁଳି । ଲାଲଫୌଜର ଚତୁର୍ଦ୍ଦିଗରେ ବାଲି ଭିତରେ ସାଇଁ ସାଇଁ ହୋଇ ବିଚ୍ଛୁରିତ ହୋଇଗଲା ଗୁଳିଗୁଡ଼ାକ । ସେଗୁଡ଼ାକର ଗର୍ଜନରେ ମୁଖରିତ ହୋଇ ଉଠିଲା ମରୁଭୂମି । କିନ୍ତୁ କ୍ରମେ କ୍ରମେ ନିସ୍ତବ୍‌ଧ ହୋଇ ଆସିଲା ଏହି ଗୁଳିଚାଳନା ।

 

ଧୀରେ ଧୀରେ ଛପି ଛପି ଥୋଡ଼ାଏ ବାଟ ଆଗେଇ ଯିବାକୁ ଲାଗିଲେ ଲାଲ ଫୌଜର ସୈନିକମାନେ । ଓଟ ପଲ ପାଖରେ ପହଞ୍ଚିବା ପାଇଁ ଆଉ ମାତ୍ର ତିରିଶ ପାହୁଣ୍ଡ ବାକି ଅଛି, ୟେଭ୍‌ଶୁକୋଭ୍‌ ଦେଖିଲେ କାହାର ଗୋଟାଏ ମୁଣ୍ଡ । ମଥା ଉପରେ ପଶମର କକେଶୀୟ ଧଳା ଲମ୍ୱା ଟୋପି ଉଙ୍କି ମାରି ଉଠୁଛି ଗୋଟାଏ ଓଟର ପଛପଟୁ । ତାପରେ ସେ ଦେଖିଲେ ସେଇ ମଥାତଳେ ମଣିଷଟାର କାନ୍ଧ, ଆଉ ସେଇ କାନ୍ଧ ଉପରେ ଚିକ୍‌ ଚିକ୍‌ କରୁଛି ସୁନାର କାନ୍ଧପଟି ।

 

‘‘ମାର‍୍ୟୁତ୍‌କା ! ଦେଖିଲୁଣି, ଜଣେ ସାମରିକ ଅଫିସର !’’ ତାଙ୍କର ପଛେ ପଛେ ହାମୁଡ଼ି ହାମୁଡ଼ି ଆସୁଥିବା ମାର‍୍ୟୁତ୍‌କା ଆଡ଼କୁ ମୁହଁ ବୁଲାଇ କହିଲେ ୟେଭ୍‌ଶୁକୋଭ୍‌ ।

 

‘‘ହଁ, ମୁଁ ଦେଖିଛି ତାକୁ ।’’

 

ଧୀରେ ସୁସ୍ଥେ ରାଇଫେଲ୍‍ ଉଠାଇ ଲକ୍ଷ୍ୟ ଠିକ୍‌ କଲା ମାର‍୍ୟୁତ୍‌କା । ଟକ୍‌.......ରାଇଫେଲ୍‍ ଫୁଟିଲା ନାହିଁ ।

 

ହୁଏତ ତାର ଆଙ୍ଗୁଠିଗୁଡ଼ାକ ଜାଡ଼ରେ କୋଲ ମାରିଯାଇଥିଲା, ହୁଏତ ଦୌଡ଼ି ଦୌଡ଼ି ଆସିବାର ଅସ୍ଥିରତାରେ କିମ୍ୱା ଉତ୍ତେଜନାରେ ଥରି ଉଠୁଥିଲା ତାର ଆଙ୍ଗୁଠିଗୁଡ଼ାକ । କାରଣ ଯାହା ହେଉନା କାହିଁକି ଗୁଳି ତାର ଫୁଟିଲା ନାହିଁ ପ୍ରଥମ ଥର । ତେଣୁ ସେ ପୁଣି ଥରେ ଲକ୍ଷ୍ୟ ସ୍ଥିର କଲା । ‘‘ୟେ ମୋର ଏକଚାଳିଶ ନମ୍ୱର । ଏଥର ମରଣ ହେଉ ତାର ।’’ କିନ୍ତୁ ଏଇ କେତୋଟି ପଦ କଥା ତା ତୁଣ୍ଡରୁ ସରିଛି କି ନାହିଁ, ସାମନାର ଓଟ ପଛ ପଟୁ ନୀଳ କୋଟ ଆଉ ଧଳା ଟୋପି ପିନ୍ଧିଥିବା ଲୋକଟା ଉଠି ଠିଆ ହୋଇ ତାର ରାଇଫେଲ୍‍ଟାକୁ ମୁଣ୍ଡ ଉପରେ ହଲାଇବାକୁ ଲାଗିଲା-। ରାଇଫେଲ୍‍ର ସଙ୍ଗୀନ ମୁନରେ ଫର୍‌ ଫର୍‌ ହୋଇ ଉଡ଼ୁଥିଲା ଧଳା ରୁମାଲଟିଏ ।

 

ରାଗିମାଗି ମାର‍୍ୟୁତ୍‌କା ଫୋପାଡ଼ିଦେଲା ତାର ବନ୍ଧୁକଟା ବାଲି ଉପରକୁ ଆଉ କଇଁ କଇଁ ହୋଇ କାନ୍ଦି ଉଠିଲା । ଧାର ଧାର ହୋଇ ଆଖିରୁ ତା’ର ବୋହିଗଲା ଲୁହ, ତା’ର ସେଇ ଧୂଳିଧୂସରିତ, ସେଇ ତୁଷାର ପୀଡ଼ିତ ମୁହଁଉପର ଦେଇ ।

 

ୟେଭ୍‌ଶୁକୋଭ୍‌ ଦୌଡ଼ି ଗଲେ ସେଇ ସାମରିକ ଅଫିସର ଆଡ଼କୁ । କିନ୍ତୁ ସେ ଯାଇ ପହଞ୍ଚିବା ପୂର୍ବରୁ ଲାଲ ଫୌଜର ଆଉ ଜଣେ ସୈନିକ ତାକୁ ଅତିକ୍ରମ କରି ଧାଇଁ ଗଲା ସେଇ ଆଡ଼େ । ସୈନିକ ହାତରେ ଉଦ୍ୟତ ସଂଗୀନ—ଅଫିସର ବୁକୁ ଉପରକୁ ଲକ୍ଷ୍ୟ କରାହୋଇ ରହିଛି-

 

‘‘ଏ, ଛୁଅଁନା ତାକୁ ! ଜୀଅନ୍ତା ଜବତ କରିନିଅ ତାକୁ !’’ କର୍କଶ କଣ୍ଠରେ ଚିତ୍କାର କରି ଉଠିଲେ ୟେଭ୍‌ଶୁକୋଭ୍‌ ।

 

ନୀଳ କୋଟ୍‌ ପିନ୍ଧିଥିବା ଲୋକଟାକୁ ମାଡ଼ି ବସି ତଳେ ପକାଇ ଦିଆଗଲା ।

 

ତା’ ସାଙ୍ଗରେ ଆସିଥିବା ପାଞ୍ଚଜଣ ମଣିଷ ମରି ପଡ଼ିଥାନ୍ତି ଓଟଗୁଡ଼ାକ ପଛପଟେ ।

 

ଲାଲ ଫୌଜର ସୈନିକମାନେ ହସି ହସି, ଗାଳି ଦେଇ ଦେଇ ଓଟ ଗୁଡ଼ାକର ନାକରେ ଗଳା ହୋଇଥିବା ଦଉଡ଼ିକୁ ଟାଣି ଉଠାଇଦେଲେ ସେମାନଙ୍କୁ । ପୁଞ୍ଜା ପୁଞ୍ଜା କରି ବାନ୍ଧି ଲାଗିଲେ ଏକାଠି ।

 

କିରଘିଜ୍‌ ଓଟ ଚାଳକମାନେ ଆଉ କିଛି ଉପାୟ ନଦେଖି ବୁଲା କୁତ୍ତିପରି ୟେଭ୍‌ଶୁକୋଭ୍‌ଙ୍କ ପଛେ ପଛେ ଖାଲି ଏଣେ ତେଣେ ଦଉଡ଼ି ମଝିରେ ମଝିରେ ଟାଣିବାରେ ଲାଗିଲେ ତାଙ୍କର ଜାମାକୁ । ୟେଭ୍‌ଶୁକୋଭ୍‌ କିନ୍ତୁ ସେମାନଙ୍କୁ ଛିଞ୍ଚାଡ଼ି ଦେଇ ଦୌଡ଼ି ପଳାଉଥାନ୍ତି ଆଗକୁ, ଗର୍ଜି ଉଠୁଥାନ୍ତି ସେମାନଙ୍କ ଉପରକୁ । ଆଉ କେତେବେଳେ ବା ଧମକ ଦେଉଥାନ୍ତି ସେମାନଙ୍କର ଚଉଡ଼ା ଚଉଡ଼ା ମୁହଁ ଉପରକୁ ରିଭଲଭର ଉଠାଇ । ସେମାନଙ୍କ ପ୍ରତି ମନରେ ତାଙ୍କର କରୁଣା ଯେ ଉଦ୍ରେକ ହେଉ ନଥାଏ ତା ନୁହେଁ ।

 

‘‘ଆରେ ଭାଇ, ଛାଡ଼ ମତେ ! ମୋ ସାଙ୍ଗରେ କାହିଁକି ଲାଗୁଛ ! ହୁକୁମ ପାଳନ କରିବାକୁ ହେବ ।’’

 

ବେଶ୍‌ ସୁନ୍ଦର ଓ ଦାମିକିଆ ପୋଷାକ ପିନ୍ଧିଥିବା ଧଳା ଦାଢ଼ିବାଲା ଜଣେ ଲୋକ ହଠାତ୍‌ ତାଙ୍କର ବେଲ୍‌ଟଟାକୁ ଧରି ପକାଇଲା । ଭାରି ଅନୁନୟ ବିନୟ କରି କହିଲା, ‘‘ଓ, ହଜୁର ! ହଜୁର ! ଆମ ଓଟ ନେଇଯିବାର-ବଡ଼ ବୁରା ବାତ୍‌ ଏ । ଓଟ କିରଘିଜ୍‌ର ଜାନ୍‌ ହଜୁର ! ଓଟ ନାହିଁ ତ—କିରଘିଜ୍‌ ମରଯାଏଗା ! ଓଟ ନାଇଁ ନେବାର ହଜୁର—ହଜର ରୁପିଆ ଚାହି ? ହେଇଟି ଲିଅ ରୁପିଆ । ୟେ ଚାନ୍ଦିକା ରୁପିଆ ହଜର । ଆଉର ୟେ ଜାର୍‌କା ରୁପିଆ । ୟେ ଲୋଟ—କେରେନସ୍କି ଲୋଟ । କେତେ ନବୁ ହଜର ! ଓଟ ନେ ନା ହଜର !’’

 

‘‘ଆରେ ବୋକା, ଟଙ୍କା ଆମର କଣ ହେବ ? ଆଖି ତୋର ଫୁଟି ଯାଇଛି,—ଦିଶୁନି ତତେ, ଓଟ ନ ନେଲେ ଭେଳା ବୁଡ଼ିଯିବ ଆମର ! ଚୋରି କରି ନେଇ ଯାଉନୁ, ବୁଝିଲୁ ! ନେଉଛୁ ବିପ୍ଳବ ପାଇଁ । ହୁକୁମ ତାମିଲ କରିବାକୁ ପଡ଼ିବ ସମସ୍ତଙ୍କୁ । ଆମେ ତ ନେଉଛୁ ଏଇ ଅଳ୍ପ ଦିନ ପାଇଁ । ତୁମେ ସବୁ ଚାଲି ଚାଲି ଫେରି ଯାଇ ପାରିବ ଏଇଠୁ । କିନ୍ତୁ ଆମ ପକ୍ଷରେ ଚାଲି ଚାଲି ଯିବା ଅର୍ଥ ଯେ ମୃତ୍ୟୁ, ସୁନିଶ୍ଚିତ ମୃତ୍ୟୁ !’’

 

‘‘ଆଃ, ହଜୁର ! ବଡ଼ ଖରାପ ! ଓଟ ନେ ନା ହଜୁର ! ରୁପିଆ ନେ, ଲୋଟ୍‌ ନେ !’’ ସେମିତି ବିକଳ କଣ୍ଠରେ ପୁଣି ଥରେ ଅନୁନୟ କରିବାକୁ ଲାଗିଲା ସେଇ କିରଘିଜ୍‌ ଲୋକଟା ।

 

ଗୋଟାଏ ପୁରୁଣା ସମ୍ୱାଦପତ୍ରରୁ କାଗଜ ଟିକେ ଚିରି ସେଥିରେ ଗୋଟିଏ ଅଲିଭା ପେନ୍‌ସିଲରେ ରସିଦଟିଏ ଲେଖି ଦେଇ ୟେଭଶୁକୋଭ ବଢ଼େଇଦେଲେ ସେଇ ଲୋକଟା ହାତକୁ ।

 

ଲୋକଟା କାଗଜ ଖଣ୍ଡକ ନେଇ ଫୋପାଡ଼ି ଦେଲା । ତାର ସଙ୍ଗୀମାନେ ନିର୍ବାକ ହୋଇ ଠିଆ ହୋଇ ରହିଲେ । ସେମାନଙ୍କର କଳା କଳା ଆଖିର ଆନତ ପକ୍ଷ୍ମର ଧାରେ ଧାରେ ଟଳମଳ ହୋଇ ଉଠିଲା ନୀରବ ଅଶ୍ରୁବିନ୍ଦୁ ।

 

ୟେଭ୍‍ଶୁକୋଭ୍‍ ମୁହଁ ବୁଲେଇ ନେଲେ ଅନ୍ୟ ପଟକୁ, ଆଉ ସଙ୍ଗେ ସଙ୍ଗେ ତାଙ୍କ ଦୃଷ୍ଟିରେ ପଡ଼ିଗଲା ସେଇ ବନ୍ଦୀ ସାମରିକ ଅଫିସର ଜଣକ । ଲୋକଟା ଅତି ଉଦ୍ଧତ ଭାବେ ଠିଆ ହୋଇଛି ଲାଲଫୌଜର ଦୁଇଜଣ ସୈନିକଙ୍କ ମଝିରେ । ଓଠରେ ତାର ଲାଖି ରହିଛି ଖଣ୍ଡେ ସିଗାରେଟ୍‌ । ତାର ଆଖିର ଘୃଣାବ୍ୟଞ୍ଜକ ଦୃଷ୍ଟି ଘୂରି ବୁଲୁଛି କମିଶାରଙ୍କ ପଛେ ପଛେ ।

 

‘‘କିଏ ତୁମେ ?’’ ପଚାରିଲେ ୟେଭ୍‍ଶୁକୋଭ୍‍ ।

 

‘‘ଲେଫଟ୍‌ନାଣ୍ଟ ଅଫ ଦି ଗାର୍ଡ଼ସ୍‌ ଗୋଭରୁଖା-ଓତ୍ରୋକ୍‌ ! ଆଉ ତୁମେ କିଏ ଶୁଣେ ?’’ ପାଟି ଭିତରୁ ମେଞ୍ଚାଏ ଧୂଆଁର ମେଘ ଉଡ଼େଇ ନେଇ ଓଲଟା ପ୍ରଶ୍ନ କଲା ଲୋକଟା ।

 

ତାପରେ ସେ ମଥାଟେକି ଚାହିଁଲା ଯେତେବେଳେ ୟେଭ୍‍ଶୁକୋଭ୍‍ ଆଉ ତାଙ୍କ ବାହିନୀର ସୈନିକମାନେ ବିସ୍ମିତ ହୋଇଗଲେ ତା ଆଖିର ସେଇ ଜାଜ୍ଜ୍ୱଲ୍ୟମାନ ନୀଳିମା ଦେଖି—ସତେ ଯେମିତି ତୁଷାର ଶୁଭ ଜଳରାଶି ଭିତରେ ଭାସମାନ ଦୁଇଟି ନୀଳାଭ ଗୋଲକ !

Image

 

ତୃତୀୟ ଅଧ୍ୟାୟ

 

ଯେଉଁଥିରେ ବର୍ଣ୍ଣିତ ହୋଇଛି କେନ୍ଦ୍ର ଏସିଆର ମରୁଭୂମିରେ ବିନା ଓଟରେ ଯାତ୍ରା କରିବାର ଭୟାବହ କାହାଣୀ ଆଉ କଲମ୍ୱସଙ୍କ ନାବିକମାନଙ୍କ ଅଦ୍‌ଭୂତ ଅନୁଭୂତିର ରୋମାଞ୍ଚକର ସ୍ମୃତି....

 

ସୈନିକ ମାର‍୍ୟୁତ୍‌କାର ଏକଚାଳିଶ ନମ୍ୱର ଶୀକାର ହେବାର କଥା ଲେଫଟ୍‌ନାଣ୍ଟ ଗୋଭରୁଖା—ଓତ୍ରୋକ । କିନ୍ତୁ କେତେକ କାରଣ ଯୋଗୁଁ, ହୁଏତ ମାର‍୍ୟୁତ୍‌କାର ହାତ କୋଲ ମାରି ଯାଇଥିବା ଯୋଗୁଁ, ହୁଏତ ଅଧୀର ଉତ୍ତେଜନା ଯୋଗୁଁ ଲକ୍ଷ୍ୟ ତାର ବ୍ୟର୍ଥ ହୋଇଗଲା ।

 

ତେଣୁ ବଞ୍ଚିଗଲେ ଲେଫଟ୍‌ନାଣ୍ଟ—ରହିଗଲେ ଜୀବିତ ମଣିଷର ତାଲିକାରେ ଆହୁରି

ଗୋଟାଏ ଅତିରିକ୍ତ ସଂଖ୍ୟା ହୋଇ ।

 

ୟେଭ୍‍ଶୁକୋଭ୍‍ ହୁକୁମ ଦେଲେ ଲେଫଟ୍‌ନାଣ୍ଟଙ୍କୁ ଖାନତଲାସ କରିବା ପାଇଁ । ଖାନତଲାସରୁ ଦେଖାଗଲା, ତାଙ୍କର ସେଇ ସୁନ୍ଦର ଗରମ କୋଟ ଭିତରେ ସିଲେଇ ହୋଇଛି ଆଉ ଗୋଟାଏ ଗୁପ୍ତ ପକେଟ୍‌ ।

 

ବନ୍ୟ ଅଶ୍ୱ ଯେମିତି ତଟସ୍ଥ ହୋଇ ଆଗ ଗୋଡ଼ ଦିଟା ଟେକି ଦେଇ ଠିଆ ହୋଇଯାଏ, ଠିକ୍‌ ସେମିତି ଚିହିଁକି ଉଠିଲେ ଲେଫଟ୍‌ନାଣ୍ଟ, ଯେତେବେଳେ ସେଇ ଗୁପ୍ତ ପକେଟ ଭିତରେ ଚଞ୍ଚଳ ହୋଇ ଉଠିଲା ଲାଲଫୌଜର ଜଣେ ସେ ନିକର ଅଙ୍ଗୁଳି । କିନ୍ତୁ ହଲଚଲ ହେବା ପାଇଁ ତାଙ୍କୁ ଆଉ ଅବକାଶ ମିଳିଲା ନାହିଁ । ଆବଦ୍ଧ ହୋଇ ରହିଲେ ସେ ଲାଲ ସୈନିକମାନଙ୍କର ସୁଦୃଢ଼ କବଳ ଭିତରେ । ତାଙ୍କ ଓଠର ଇଷତ୍‌ ଶିହରଣରେ, ମୁଖମଣ୍ଡଳର ପାଂଶୁଳତାରେ କେବଳ ଫୁଟି ଉଠିଲା ଅନ୍ତରର ଅସୀମ ଆଲୋଡ଼ନ ।

 

ଧୀରେ ଧୀରେ ଖୁବ ଯତ୍ନସହ ୟେଭ୍‍ଶୁକୋଭ୍‍ ଉନ୍ମୋଚନ କଲେ ସେଇ ଗୁପ୍ତ ପକେଟ ଭିତରୁ ଆବିଷ୍କୃତ ପୁଟୁଳିଟିର କନାର ଆସ୍ତରଣଗୁଡ଼ିକୁ । ସେଥିରୁ ଯେଉଁ ଦଲିଲଟି ବାହାରି ଆସିଲା, ମନେ ହେଲା, ତାକୁ ଯେମିତି ତାଙ୍କର ଦୁଇ ଆଖି ପୁରେଇ ପିଇ ଗଲେ ସେ, ଆଉ ପଢ଼ି ସାରିଲା ପରେ ଦଲିଲକୁ, ମଥା ଇଷତ ହଲେଇ ଦେଇ ଚିନ୍ତାମଗ୍ନ ହୋଇ ପଡ଼ିଲେ ଗଭୀର ଭାବରେ ।

 

ଉକ୍ତ ଦଲିଲରେ ଲେଖା ହୋଇଥିଲା—ପତ୍ରରବାହକ ଲେଫଟ୍‌ନାଣ୍ଟ ଗୋଭରୂଖା-ଓତ୍ରୋକ୍‌ ଓରଫ୍‌ ଭ୍ୟାଦିମ ନିକୋଲାଇଭିଚ୍‌ ଟ୍ରାନ୍‌ସ କାସ୍‌ପିଆନ ରାଜ୍ୟର କର୍ତ୍ତା ଜେନେରାଲ ଡେନିକିନ୍‌ଙ୍କ ସମ୍ମୁଖରେ ହାଜର ହୋଇ ରୁଷିଆର ସର୍ବୋଚ୍ଚ କର୍ତ୍ତା ଆଡମିରାଲ କୋଲଚାକ୍‌ଙ୍କର ପ୍ରତିନିଧିତ୍ୱ କରିବେ । ସେଥିପାଇଁ ଆଡମିରାଲ କୋଲଚାକ୍‌ଙ୍କ ପକ୍ଷରୁ ତାଙ୍କୁ ଆବଶ୍ୟକୀୟ କ୍ଷମତା ଅର୍ପଣ କରାଯାଇଛି । ସେହି ଦଲିଲ ସହିତ ସଂଲଗ୍ନ ଆଉ ଏକ କ୍ଷୁଦ୍ର ପତ୍ରରେ ଥିଲା,—ପତ୍ରରବାହକଙ୍କ ଦ୍ୱାରା କେତେକ ଅତି ଗୋପନ ତଥ୍ୟ ପ୍ରେରଣ କରାଯାଇଛି । ଏହାକୁ ସେ ମୌଖିକ ଭାବେ ଜେନେରାଲ ଦ୍ରାତ୍‌ଶେଙ୍କୋଙ୍କୁ ଜଣାଇବେ ।

 

କାଗଜଟିକୁ ପୁଣି ଭଙ୍ଗାଭଙ୍ଗି କରି ନିଜ କୋଟର ଗୋଟିଏ ଗୋପନ ପକେଟ ଭିତରେ ନିରାପଦରେ ଗୁଞ୍ଜିଦେଲେ ୟେଭ୍‍ଶୁକୋଭ୍‍ ।

 

‘‘ଏଇ ଗୋପନ ତଥ୍ୟଟି କଣ, ମିଷ୍ଟର ଅଫିସର ? କିଛି ଗୋପନ ନ ରଖି ସବୁ ସତ କଥା କହି ଦିଅ, ତୁମର ମଙ୍ଗଳ ହେବ । କାରଣ ତୁମେ ତ ଜାଣ, ତୁମେ ବର୍ତ୍ତମାନ ଲାଲଫୌଜର ସୈନିକମାନଙ୍କ ହାତରେ ବନ୍ଦୀ, ଆଉ ଏଇ ସୈନିକମାନଙ୍କର ସେନାପତି ହେଉଛି ମୁଁ, କମିଶାର ଆର୍‌ ଶେନ୍ତି ୟେଭ୍‍ଶୁକୋଭ୍‍ ।’’

 

ଲେଫ୍ଟନାଣ୍ଟ ତାଙ୍କର ସେଇ ନୀଳାଭ ଆଖିଡ଼ୋଳା ଦିଟା ଘୂରେଇ ଆଣିଲେ ୟେଭ୍‍ଶୁକୋଭ୍‍ଙ୍କ ଉପରେ, ଆଉ ସାମରିକ କାଇଦାରେ ଠକ୍‌କିନି ପାଦକୁ ପାଦ ଯୋଡ଼ି ଦେଇ, ଟିକିଏ ମୁରୁକିହସା ଦେଇ କହିଲେ, ‘‘ଆଃ, ମିଷ୍ଟର ୟେଭ୍‍ଶୁକୋଭ୍‍ ! ମୁଗ୍‌ଧ ହେଲି । କିନ୍ତୁ ଦୁର୍ଭାଗ୍ୟବଶତଃ ଏତେ ବଡ଼ ଉଚ୍ଚ ପଦବୀର କୌଣସି ଅଧିକାରୀ ସହିତ କୂଟନୈତିକ ଆଲୋଚନା ଚଳାଇବା ପାଇଁ ମୋ ସରକାରଙ୍କ ପକ୍ଷରୁ ମୁଁ କ୍ଷମତାପ୍ରାପ୍ତ ହୋଇ ନାହିଁ ।’’

 

ୟେଭଶୁକୋଭଙ୍କ ପରି ଲୋକର ସେଇ ଲୋହିତ ମୁଖମଣ୍ଡଳ ବି ଏକଥା ଶୁଣି ମ୍ଳାନ ପାଂଶୁଳ ହୋଇଗଲା । ଆରେ, ଲୋକଟା ଯେ ବିଦ୍ରୂପ କରୁଛି ତାଙ୍କୁ, ତାଙ୍କର ସମଗ୍ର ସୈନ୍ୟବାହିନୀ ସମ୍ମୁଖରେ ! କି ଔଦ୍ଧତ୍ୟ !

 

ଚକ୍ଷୁର ପଲକରେ କମିଶାର୍‌ଙ୍କ ହାତରେ ଉଦ୍ୟତ ହୋଇଉଠିଲା ରିଭଲଭର୍‌ଟା ।

 

‘‘ଏଇ ଶୁଣ୍‌, ପ୍ରତିବିପ୍ଳବୀ ବାହିନୀର ଜାରଜ ସନ୍ତାନ । ତୋର ଏଇ ଔଦ୍ଧତ୍ୟ ଆଉ ବରଦାସ୍ତ କରାଯିବ ନାହିଁ ! ତୋର ସେଇ ଗୋପନ ତଥ୍ୟ ତତେ ପ୍ରକାଶ କରିଦେବାକୁ ପଡ଼ିବ, ନଚେତ୍‌ ବରଣ କରିନେବାକୁ ପଡ଼ିବ ଏଇ ରିଭଲଭର୍‌ର ଗୁଳି ।

 

କାନ୍ଧ ଦିଟାକୁ ଉପରକୁ ଟେକି କୁଞ୍ଚିତ କଲେ ଲେଫ୍‌ଟ୍‌ନାଣ୍ଟ !

 

‘‘ମତେ ଯଦି ମାରି ପକାଅ, ମୁଁ ଆଉ କହିବି କଣ ?’’

 

ଅଭିଶାପ ଦେଇ ଦେଇ କମିଶାର ନୁଆଁଇ ଆଣିଲେ ତାଙ୍କର ରିଭଲଭରଟାକୁ । କହିଲେ, ‘‘ରହିଥା, ଏଇନେ ତୋ ତୁଣ୍ଡରୁ କେମିତି ଭିନ୍ନ ସ୍ୱର ବାହାରିବ, ଦେଖିବୁ ତୁ !’’

 

ତାଚ୍ଛଲ୍ୟର କ୍ଷୀଣ ହସଟିକେ ଦେଖାଦେଲା ଲେପ୍‌ଟ୍‌ନାଣ୍ଟଙ୍କ ଅଧରପ୍ରାନ୍ତରେ ।

 

ଛେପମେଞ୍ଚାଏ ପକାଏ ଦେଇ ୟେଭ୍‍ଶୁକୋଭ୍‍ ଚାଲିଗଲେ ସେଠାରୁ ।

 

‘‘ଏଇଟାକୁ ଗୋଟାଏ ଦିଟା ଗୁଳି ଦାଗି ଦେଲେ କେମିତି ହୁଅନ୍ତା, କମ୍ରେଡ କମିଶାର ?’’ ପ୍ରଶ୍ନକଲା ଲାଲ ଫୌଜର ଜଣେ ସୈନିକ ।

 

ନାକ ଅଗଟାକୁ ନଖରେ କୁଣ୍ଡେଇ କୁଣ୍ଡେଇ ଉତ୍ତର ଦେଲେ କମିଶାର, ‘‘ନାଁ, ତା ଚଳିବ ନାହିଁ । ଲୋକଟା ଗୋଟାଏ ମାଲ୍‌ ପରି ମନେ ହେଉଛି । ତାକୁ କାଜାଲିନ୍‌ସ୍କରେ ନେଇ ହାଜର କରାଇ ଦେବାକୁ ପଡ଼ିବ ଆମକୁ । ସେଇଠି ସେମାନେ ତାଠୁ ସବୁ କଥା ଆଦାୟ କରି ପାରିବେ ଠିକ୍‌ ଭାବେ ।’’

 

‘‘ତା’ମାନେ ଆପଣ କହୁଛନ୍ତି ଲୋକଟାକୁ ଆମେ ସାଙ୍ଗରେ ଘୋଷାରି ଘୋଷାରି ନେଇ କରି ଯିବା ? ଆମେ ନିଜେ ଆଗେ ଯାଇ ପାରୁଛେ କି ନାହିଁ; ସେକଥା ଦେଖନ୍ତୁ ।’’

 

‘‘ତାହେଲେ ଲାଲ ଫୌଜ ପାଇଁ ଆମେ ଏଥର ପ୍ରତିବିପ୍ଳବୀ ସେନାପତିଗୁଡ଼ାଏ ସଂଗ୍ରହ କରିବା, ନୁହଁ !’’

 

ଥପ୍‌କିନା ସଳଖ ହୋଇ ଠିଆ ହୋଇଗଲେ ୟେଭ୍‍ଶୁକୋଭ୍‍ ।

 

‘‘ନିଜ କଥା ନିଜେ ଦେଖ !’’ ଚିତ୍‌କାର କରି ଉଠିଲେ ସେ । ‘‘ମୁଁ ତାକୁ ସାଙ୍ଗରେ ନେଉଛି । ସେଥିପାଇଁ ଦାୟୀ ହେବି ମୁଁ । ଚପ୍‌ କର ତୁମେ !’’

 

ମୁହଁ ଫେରାଇ ନେଲା ବେଳକୁ ମାର‍୍ୟୁତ୍‌କା ଉପରେ ପଡ଼ିଗଲା ତାଙ୍କର ଦୃଷ୍ଟି ।

 

‘‘ଶୁଣ୍‌ ମାର‍୍ୟୁତ୍‌କା ! ତୋ ଜିମ୍ମା ରହିଲେ ଏଇ ମାନ୍ୟବର ମହାଶୟ ! କଡ଼ା ନଜର ରଖିଥିବୁ ଏହା ଉପରେ । ଖସିଯାଏ ଯଦି ଦେଖିବୁ, ଜୀଅନ୍ତା ଚମଡ଼ା ଉତାରି ଦେବି ତୋ ଦେହରୁ ।’’

 

ବିନା ବାକ୍ୟବ୍ୟୟରେ କାନ୍ଧ ଉପରେ ରାଇଫଲ୍‍ଟା ଝୁଲେଇ ଦେଇ ମାର‍୍ୟୁତ୍‌କା ଆଗେଇଗଲା ବନ୍ଦୀ ପାଖକୁ ।

 

‘‘ଆସ, ଦିବ୍ୟସୁନ୍ଦର, ଆସ !’’ କହିଲା ସେ । ‘‘ଏଥର ମୋ ଜିମ୍ମା ତୁମେ ! କିନ୍ତୁ, ଭାବନାହିଁ, ଅବଳା ବୋଲି ମୁଁ, ମୋ କବଳରୁ ଖସି ଚାଲି ଯାଇପାରିବ ଅନାୟାସରେ । ତମେ ତିନି ଶହ ପାହୁଣ୍ଡ ଦୌଡ଼ିଗଲେ ବି ଦୂରରୁ ଗୁଳି କରି ନିଶ୍ଚିହ୍ନ କରିଦେବି ତୁମକୁ । ଥରେ ସିନା ମୋ ଲକ୍ଷ୍ୟ ବ୍ୟର୍ଥ ହୋଇଗଲା—ମରଣ ହେଉନି ୟାକୁ—କିନ୍ତୁ ଭାବ ନାହିଁ ପୁଣି ସେମିତି ଘଟିବ ବୋଲି ।’’

 

ଆଖି କୋଣେ କୋଣେ ଗୋଟିଏ ସୂକ୍ଷ୍ମ କଟାକ୍ଷ ହାଣିଦେଇ ସସଂଭ୍ରମେ ଲେଫଟ୍‌ନାଣ୍ଟ ମଥାଟା ନୁଆଁଇଦେଲେ ମାର‍୍ୟୁତ୍‌କା ଆଡ଼କୁ । ଅଦମ୍ୟ ହସରେ ଦୋହଲି ଉଠୁଥାଏ କାନ୍ଧ ଦିଟା ତାଙ୍କର । କହିଲେ ସେ—‘‘ଏମିତି ଜଣେ ସୁନ୍ଦରୀ ସୈନିକା ହାତରେ ବନ୍ଦୀ ହୋଇ ରହିବା....ଏ ତ ଗୋଟାଏ ଗୌରବ ମୋ ପକ୍ଷରେ ।’’

 

‘‘କ’ଣ ଗୁଡ଼ାଏ ବକର ବକର ହେଉଛୁ ତୁ !’’ ଉତ୍‌କ୍ଷିପ୍ତ ଚାହାଣୀ ହାଣି କହିଲା ମାର‍୍ୟୁତ୍‌କା । ‘‘ଗୋଟାଏ ବୁର୍ଜୁଆ ତୁ ! ମ୍ୟାଜୁରୁକା ନାଚ ନାଚିବା ଛଡ଼ା ଆଉ କିଛି ଜାଣି ନ ଥିବୁ ପଛେ ! ଦେଖ୍‌, ମୁହଁ ବନ୍ଦ କରି, ଚାଲ୍‌ !’’

 

ସେଇ ରାତିଟି ସେମାନେ ବିତେଇଲେ ଗୋଟିଏ ଛୋଟ ହ୍ରଦ ତୀରରେ—ବରଫାବୃତ ଲବଣାକ୍ତ ରୁଦ୍ଧ ଜଳରାଶି ଭିତରୁ ଉଠି ଆସୁଥାଏ କେମିତି ଏକ ଔଷଧିଆ ପଚମାନ ଗନ୍ଧ ।

 

କିର୍‌ଘିଜମାନଙ୍କ ଓଟ ପଲର ପିଠିରୁ ଉତରା ହୋଇଥିବା ଦରି ଆଉ କମ୍ୱଳଗୁଡ଼ାକ ଘୋଡ଼େଇ ହୋଇ ଶୋଇପଡ଼ିଲେ ସେମାନେ ମୁର୍ଦ୍ଦାର ପରି ।

 

ସେଇ ରାତିକ ପାଇଁ ଗୋଟାଏ ଓଟବନ୍ଧା ଦଉଡ଼ି ଆଣି ମାର‍୍ୟୁତ୍‌କା ବାନ୍ଧିଦେଲା ଲେଫଟ୍‌ନାଣ୍ଟଙ୍କର ହାତ ଆଉ ଗୋଡ଼ ଦିଟାକୁ ଖୁବ୍‌ ଶକ୍ତ କରି । ତାପରେ ଦଉଡ଼ିର ଆର ମୁଣ୍ଡଟାକୁ ନିଜ ଅଣ୍ଟାରେ ଗୁଡ଼େଇ ଦେଇ ହାତରେ ଜାବୋଡ଼ି ଧରିଲା ଦୃଢ଼ ଭାବରେ ।

 

ଏକଥା ଦେଖି ହୋ ହୋ ହୋଇ ହସି ଉଠିଲେ ସୈନିକସବୁ ।

 

‘‘ଆରେ, ହେ ! ଦେଖିଲଣି ହୋ !’’ ଡାକ ପକାଇଲା ଢିମାଆଖିଆ ସେମିୟାନ୍ନି, ‘‘ମାର‍୍ୟୁତ୍‌କା କେମିତି ମନ୍ତ୍ର ଜାଲରେ ବାନ୍ଧି ଦେଇଛି ତାର ପ୍ରକୃତ ପ୍ରେମିକକୁ ! ଦେଖ, କେମିତି ମୋହିନୀ ଔଷଧ ଦେଇଛି ପୁଣି !’’

 

ହସି ହସି ଗଡ଼ି ଯାଉଥିବା ଲୋକଗୁଡ଼ାକ ଉପରକୁ ଘୃଣାଭରା ଚାହାଣୀ ହାଣିଦେଇ କହି ଉଠିଲା ମାର‍୍ୟୁତ୍‌କା, ‘‘ମରଣ ହେଉନି ରେ ତମକୁ ସବୁ । ଥଟ୍ଟା ଲାଗିଛି ନା ! କଣ ହେବ ଯେ ତେବେ ଲୋକଟା ଖସି ପଳାଏ ଯଦି !’’

 

‘‘ଦୂର୍‌ ବୋକି ! ଏଇ ମରୁଭୂମି ଭିତରେ କୁଆଡ଼େ ଦୌଡ଼ି ପଳେଇବ ସେ ?’’

 

‘‘ମରୁଭୂମି ହେଉ ବା ମରୁଭୂମି ନ ହେଉ ଏମିତି ବାନ୍ଧି ରଖିବା ନିରାପଦ ।’’ ତାପରେ ବନ୍ଦୀ ଆଡ଼କୁ ମୁହଁ ବୁଲାଇ କହିଲା ମାର‍୍ୟୁତ୍‌କା, ‘‘ଏଥର ଶୋଇବ ଯାଅ, ଦିବ୍ୟସୁନ୍ଦର !’’

 

ଶୃଙ୍ଖଳିତ ଲେଫଟ୍‌ନାଣ୍ଟଙ୍କୁ ଦରି ଭିତରକୁ ଠେଲି ଦେଇ ମାର‍୍ୟୁତ୍‌କା ନିଜେ ଚାଲିଗଲା ଶୋଇବା ପାଇଁ ।

 

ଏଇ ଅପନ୍ତରା ମରୁଭୂମିରେ ଗୋଟାଏ ଲୋମଶ କମ୍ୱଳ ଭିତରେ କିମ୍ୱା ପଶମର ଗୋଟାଏ ଦରି ଭିତରେ ଶୋଇବାର ସୁଯୋଗ ପାଇବା ସ୍ୱର୍ଗ ସୁଖଠାରୁ ବଳି । ଏଇ ଲୋମଶ ଆବରଣ ତଳେ-ଶ୍ରାବଣର ତୃଣ ପ୍ରାନ୍ତରର, ଅରଣ୍ୟର ତରୁ ଲତାର ତିକ୍ତ ଗନ୍ଧ ଆଉ ଅନ୍ତହୀନ ଅପନ୍ତରାର ବାଲୁକାମୟ ସୁରଭି । ତାରି ଭିତରେ ପଶିଗଲେ ନରମ ଆଉ ଉଷୁମ ହୋଇଯାଏ ଦେହ, ଧୀରେ ଧୀରେ ହଜିଯାଏ ଏକ କଲ୍ୟାଣମୟ ସୁଷୁପ୍ତି ଭିତରେ ।

 

ଦରି ଭିତରେ ଶୋଇ ଘୁଂଘୁଡ଼ି ମାରୁଛନ୍ତି ୟେଭ୍‍ଶୁକୋଭ୍‍ । ମାର‍୍ୟୁତ୍‌କା ଶୋଇଛି ଓଠରେ ତାର ଗୋଟାଏ ସ୍ୱପ୍ନିଳ ସ୍ମିତହାସ୍ୟ ଫୁଟେଇ ଦେଇ ଆଉ ଲେଫଟ୍‌ନାଣ୍ଟ ଅଫ୍‌ ଦି ଗାର୍ଡସ୍‌ ଗୋଭ୍‌ରୁଖା ଓତ୍ରୋକ ଶୋଇଛନ୍ତି କାଠ ପରି ଚିତ୍‌ ହୋଇ—ତାଙ୍କର ସେଇ ସୁନ୍ଦର ଅଧରଟି ଲମ୍ୱି ରହିଚି ସୂକ୍ଷ୍ମ ରେଖାଟିଏ ପରି ।

 

କେବଳ ବିନିଦ୍ର ରହିଛି ଲାଲ ଫୌଜର ପ୍ରହରୀ । ଆଣ୍ଠୁ ଉପରେ ରାଇଫଲ୍‌ଟା ଥୋଇ ବସିଛି ସେ ଦରି ପାଖରେ—ତାର ସେଇ ରାଇଫଲ୍‌ଟା ପ୍ରେୟସୀଠାରୁ ଆହୁରି ପ୍ରିୟ, ଜୀବନଠାରୁ ଆହୁରି ପ୍ରିୟ ।

 

ଅପଲକ ଆଖିରେ ଅନେଇ ରହିଛି ସେଇ ତୁଷାରର ଅସ୍ପଷ୍ଟ ଆସ୍ତରଣ ଆଡ଼କୁ, ଯେଉଁଠୁ ମଝିରେ ମଝିରେ ଭାସି ଆସୁଛି ଓଟ ପଲର ଘଣ୍ଟି ଆଉ ଘାଗୁଡ଼ିର ମୃଦୁ ଅନୁରଣନ । ଏଇନେ ସେମାନଙ୍କ ହାତରେ ଚଉରାଳିଶଟି ଓଟ । ପଥ ସେମାନଙ୍କର ଉନ୍ମୁକ୍ତ । ଯାତ୍ରା ଯେତେ କଷ୍ଟସାଧ୍ୟ ହେଲେ ବି ସେମାନେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ଏଥର । ଆଉ ଭୟ କରିବାର କିଛି ନାହିଁ, ସଂଶୟ କରିବାର କିଛି ନାହିଁ ।

 

ସାଇଁ ସାଇଁ ହୋଇ ବହିଯାଉଛି ପବନ, କାନ ପାଖେ ପାଖେ ଚିତ୍କାର କରି କରି; ପ୍ରହରୀର ପୋଷାକ ଭିତରେ ପଶି ମଞ୍ଜ ତାର ଥରେଇ ଦେଉଛି । କାନ୍ଧ ଦିଟାକୁ ଆହୁରି ଜାକିଜୁକି ଦେଇ ପ୍ରହରୀ ଠୁଙ୍ଗାହୋଇ ବସିପଡ଼ୁଛି, ପିଠି ଉପରକୁ ତାର ଟାଣି ଆଣୁଛି ପାଖର ସେଇ ଦରିଟା । ଶୀତଳ ହାୱାର ଶାଣିତ ଛୁରିକାଘାତ ଆଉ ସ୍ପର୍ଶ କରି ପାରୁନାହିଁ ତାର ଦେହକୁ; ତାର ଜଡ଼, ଅସାଢ଼ ଶରୀରର ଭିତରେ ଭିତରେ ସଞ୍ଚରି ଯାଉଛି ଏକ ଉଷୁମ ଆବେଗ ।

 

ତୁଷାର, ଅନ୍ଧାର ଆଉ ବାଲୁକା ।

 

ଅଦ୍‍ଭୁତ ଏଇ, ଏସିଆର ଦେଶଟି.....

 

‘‘ଓଟଗୁଡ଼ାକ କୁଆଡ଼େ ଗଲେ ? କାହାନ୍ତି ସବୁ ଓଟ ? ମରଣ ହେଉନି ତତେ ! ଶୋଇଛୁ ! ଶୋଇଛୁ ତୁ ! ୟେ କ’ଣ କଲୁ ତୁ ବଦ୍‌ମାସ ! ଦେହରୁ ତୋର ଛାଲ ଉତାରି ଦେଉଛି ରହ !’’

 

ପଦାଘାତରେ ଚହଲି ଉଠିଲା ପ୍ରହରୀର ମସ୍ତିଷ୍କ ଭିତରଟା । ମୋହାଚ୍ଛନ୍ନ ଭାବେ ବଲ ବଲ କରି ସେ ଖାଲି ଅନାଇବାକୁ ଲାଗିଲା ଚାରିଆଡ଼େ ।

 

ତୁଷାର ଆଉ ଅନ୍ଧାର ।

 

କୁହେଳିଘେରା ଅନ୍ଧାର, ଆସନ୍ନ ଉଷାର ଅନ୍ଧାର । ଆଉ ବାଲି, ଖାଲି ବାଲି !

 

ଓଟସବୁ ଚାଲିଗଲେଣି କୁଆଡ଼େ ।

 

ଓଟସବୁ ଯେଉଁଠି ବନ୍ଧା ହୋଇଥିଲେ ସେ ସ୍ଥାନ ଶୂନ୍ୟ । ସେଇ ବାଲି ଉପରେ ପଡ଼ିଛି ଖାଲି ଓଟପଲର ଖୁରାଚିହ୍ନ, ଆଉ ପଡ଼ିଛି ମଣିଷର ପାଦଚିହ୍ନ; କିର୍‌ଘିଜ ମଣିଷମାନଙ୍କର ଲମ୍ୱା ଲମ୍ୱା ପାଦ ।

 

ସେଇ ତିନିଜଣ କିରିଘିଜ୍‌ ଲୋକ ସାରା ରାତି ଧରି ଲାଲବାହିନୀକୁ ଅନୁସରଣ କରି କରି ଆସିଥିଲେ ନିଶ୍ଚୟ । ପ୍ରହରୀ ଯେତେବେଳେ ଘୁମେଇ ପଡ଼ିଛି, ସେତେବେଳେ ଓଟପଲକୁ ଫିଟେଇ ନେଇ ପଳାଇ ଯାଇଛନ୍ତି ସେମାନେ ।

 

ଅବାକ୍‌ ହୋଇ ଠିଆ ହୋଇଛନ୍ତି ଲାଲବାହିନୀର ସୈନିକଗଣ, ଦଳ ଦଳ ହୋଇ । ଗୋଟିଏ ହେଲେ ଓଟ ନାହିଁ । କେଉଁଠିକି ଯାଇ ଆଉ ଖୋଜିବେ ସେମାନେ ସେଇ ଓଟଗୁଡ଼ାକୁ ! ସେମାନଙ୍କର ପିଛା ଧରି ଆଉ କିଛି ଲାଭ ନାହିଁ, ଏଇ ଅନ୍ତହୀନ ମରୁଭୂମି ଭିତରେ ସେମାନଙ୍କର ସନ୍ଧାନ ପାଇବା ଆଉ ସମ୍ଭବ ନୁହେଁ ।

 

‘‘ତତେ ଗୁଳି କରି ମାରିଦେଲେ ବି ତୋ ଅପରାଧର ଯଥେଷ୍ଟ ଶାସ୍ତି ହେବ ନାହିଁ, ସୁଅରକା ବଚ୍ଚା କାହିଁକା !’’ ପ୍ରହରୀ ଉପରେ ଗର୍ଜି ଉଠିଲେ ୟେଭ୍‍ଶୁକୋଭ୍‍ ।

 

ପ୍ରହରୀ ଠିଆ ହୋଇଛି ନୀରବ ନିର୍ବାକ ହୋଇ । ତାର ଆଖିର ପତା ତଳେ ତଳେ ଜମାଟ ବାନ୍ଧି ସ୍ୱଚ୍ଛ ସ୍ଫଟିକ ପାଲଟିଯାଇଛି ଅଶ୍ରୁ ।

 

ଦରି ଭିତରୁ ଖୁଜୁରୁ ବୁଜୁରୁ ହୋଇ ମୁଣ୍ଡ ଉଠେଇ ଚାହିଁଲେ ଲେଫଟ୍‌ନାଣ୍ଟ । ଚାରିଆଡ଼କୁ ଅନେଇ ଦେଇ ପାଟିରେ ଛୋଟ ସିଟି ମାରି ଦେଇ କହିଲେ, ‘‘ଏଇ ତୁମର ବିପ୍ଳବୀ ଶୃଙ୍ଖଳା ? ନାଇଁ-?’’ ବିଦ୍ରୂପର ହସ ଫୁଟି ଉଠିଲା ଓଠ ଉପରେ ତାଙ୍କର ।

 

‘‘ଚୁପକର !’’ ଅଦମ୍ୟ କ୍ରୋଧରେ ଗର୍ଜି ଉଠିଲେ ୟେଭଶୁକେଭ । କଣ୍ଠସ୍ୱର ତାଙ୍କର କର୍କଶ ହୋଇଗଲା ଆହୁରି; ବାରି ହେଲା ନାହିଁ ତାଙ୍କର କଣ୍ଠସ୍ୱର ବୋଲି । ସେଇ ଘାଗଡ଼ା ବସିଲା ବସିଲା କଣ୍ଠରେ ତାପରେ କହିଲେ ସେ ତୁନି ତୁନି କରି, ‘‘ଆରେ, ଠିଆ ହୋଇ ରହିଛି ତୁମେ ସବୁ ଏଇଠି କାହିଁକି ? ଦିଅ, ଚାଲ ଏଥର ।’’

 

ଏଥର ମାତ୍ର ଏଗାର ଜଣ ମଣିଷ ସେମାନେ । ଦେହରେ ପୋଷାକପତ୍ର ସେମାନଙ୍କର ଜୀର୍ଣ୍ଣ ଆଉ ମଳିନ । ମାଟି ଉପରେ ଥୟ ହୋଇ ପଡ଼ୁନି ପାଦଗୁଡ଼ାକ, ଶରୀର ଟଳମଳ । ସେଇ ଅଥୟ ଶରୀରଗୁଡ଼ାକ ଘୋଷାରି ଘୋଷାରି ଚାଲିଲେ ସେମାନେ ଜଣକ ପଛରେ ଜଣେ ଧାଡ଼ି ବାନ୍ଧି, ବାଲିବନ୍ତ ପାର ହୋଇ ପତନ ଉତ୍‍ଥାନର ବନ୍ଧୁର ପଥରେ । ଏଇ ନିର୍ମମ, ନୃଶଂସ ପଥରେ ଚିର ନିଦ୍ରାରେ ନିମଗ୍ନ ହୋଇ ପଛରେ ପଡ଼ି ରହିଲେ ସେମାନଙ୍କର ଦଶଜଣ ସାଥୀ । ପ୍ରାୟ ପ୍ରତିଦିନ ସକାଳେ ସେମାନଙ୍କ ଭିତରୁ କେହିହେଲେ କେହି ଶେଷଥର ପାଇଁ ତାର ଅବଶ, ଅବସନ୍ନ, ନିର୍ଜୀବ କାଚ ପରି ଆଖିଡ଼ୋଳା ଦି’ଟାକୁ ଗୋଟାଏ ମୁହୂର୍ତ୍ତ ପାଇଁ ମେଲେଇ ଦେଇ, ତା ଫୁଲିଲା କାଠ ପରି ଅସାଢ଼ ଗୋଡ଼ ଦି’ଟାକୁ ଟାଙ୍କି ଦେଇ ହିକ୍‌କା ମାରିବାକୁ ଆରମ୍ଭ କରିଦିଏ ।

 

ତା’ପରେ, ସେଇ ଭ୍ରୂଲୁଣ୍ଠିତ ଲୋକଟି ପାଖକୁ ଆଗେଇଯାନ୍ତି ଲୋହିତ ୟେଭ୍‍ଶୁକୋଭ୍‍, (କମିଶାରଙ୍କର ସେଇ ମୁହଁଟା ତାଙ୍କର ପୋଷାକ ପରି ଆଉ ସେମିତି ଲୋହିତାଭ ହୋଇ ରହି ନାହିଁ; ସେ ମୁହଁଟି କେମିତି ଧୂସର ଆଉ କୁଞ୍ଚିତ ହୋଇ ଆସିଲାଣି; ମୁହଁର ସେଇ ଲାଲ ଲାଲ ତିଳ ଚିହ୍ନଗୁଡ଼ାକ ଦେଖା ଯାଉଛି ପୁରୁଣା ତମ୍ୱା ପଇସାପରି) କେତୋଟି ମୁହୂର୍ତ୍ତ ପାଇଁ ଅନେଇ ରହନ୍ତି ତାର ମୁହଁକୁ ଆଉ ଅସହାୟ ଭାବେ ମଥାଟା ହଲାଇ ଜଣାଇ ଦିଅନ୍ତି, ନାଃ ନାହିଁ, ଆଶା ନାହିଁ ଆଉ-। ଧୀରେ ଧୀରେ ତାଙ୍କର ସେଇ ରିଭଲ୍‌ଭର୍‌ର ହିମଶୀତଳ ନଳିଟା ଆଗେଇ ଆସେ ମୁମୂର୍ଷୁ ମଣିଷଟାର ଶୀର୍ଣ୍ଣ, ସଙ୍କୁଚିତ କପାଳ ପାଖକୁ । ପର ମୁହୂର୍ତ୍ତରେ ଗୋଟାଏ କୃଷ୍ଣାଭ, ପ୍ରାୟ ନିରକ୍ତ କ୍ଷତର ଗୋଲାକାର ଗର୍ତ୍ତଟିଏ ଫୁଟି ଉଠେ ସେଇ କପାଳ ଉପରେ ।

 

ସେଇ ଦେହଟା ଉପରେ ମରୁଭୂମିର ବାଲି କିଛି ବିଛେଇ ଦେଇ ସୈନିକମାନେ ପୁଣି ଆଗେଇଯାନ୍ତି ନିଜର ଗନ୍ତବ୍ୟ ପଥରେ ।

 

ସୈନିକମାନଙ୍କର ଜାମା ଆଉ ପ୍ୟାଣ୍ଟ ଧୋତରା ହୋଇ ଛିଣ୍ଡି ଗଲାଣି, ବୁଟ୍‌ ତଳୁ ଝଡ଼ି ପଡ଼ୁଛି ଖଣ୍ଡ ଖଣ୍ଡ ଚମଡ଼ା । ଦରିରୁ ଖଣ୍ଡେ ଖଣ୍ଡେ କାଟିନେଇ ପାଦରେ ବାନ୍ଧି ଦେଉଛନ୍ତି ସେମାନେ, ଛିଣ୍ଡା କନା ନେଇ ଗୁଡ଼େଇ ଦେଉଛନ୍ତି ତୁଷାରାହତ ଅଙ୍ଗୁଳି ଗୁଡ଼ାକରେ ।

 

ମରୁଭୂମିର ବୁକୁ ଉପରେ ଚାଲିଛନ୍ତି ସେମାନେ । ଏଇନେ ଦଶଜଣ ମାତ୍ର ସେମାନେ; ଝୁଣ୍ଟିପଡ଼ି ଉଠି, ପବନରେ ଟଳମଳ ହୋଇ ଚାଲିଛନ୍ତି; ବାଲି ଠେଲି ଠେଲି ଆଗକୁ, ଆହୁରି ଆଗକୁ-

 

ତାଙ୍କରି ଭିତରୁ ଜଣେ ଚାଲିଛି ଶାନ୍ତଭାବେ, ରୁଜ ହୋଇ, ଉନ୍ନତ ଲଲାଟରେ—ସେ ହେଉଛି ଲେଫଟ୍‌ନାଣ୍ଟ ଅଫ୍‌ ଦି ଗାର୍ଡସ୍‌ ଗୋଭରରୁଖାଓତ୍ରୋକ୍‌ ।

 

ମଝିରେ ମଝିରେ ଅନେକ ସମୟରେ ଲାଲ ବାହିନୀର ସୈନିକମାନେ ଆସି ଆପତ୍ତି କରୁଛନ୍ତି ୟେଭ୍‌ଶୁକୋଭ୍‌ଙ୍କ ପାଖରେ । କହୁଛନ୍ତି, ‘‘କେତେଦିନ ଆଉ ଏଇ ଲୋକଟାକୁ ସାଙ୍ଗରେ ଆମର ଟାଣି ଟାଣି ନେବା କମ୍ରେଡ କମିଶାର ? ନିଜ ପେଟରୁ କାଟି କାହିଁକି ତାକୁ ଆମେ ଦେବା ଖାଇବାକୁ ? ତାଛଡ଼ା ଦେହରେ ତାର ଗୁଡ଼ାଏ ଜାମା ଅଛି—ସୁନ୍ଦର ପୋଷାକ । ଆମ ଭିତରେ ସେତକ ବାଣ୍ଟିନେଲେ ହୁଅନ୍ତା ନାହିଁ ?’’

 

କିନ୍ତୁ ଲୋକଟା ଦେହରେ ଟିପ ଛୁଆଁଇବା ପାଇଁ ବାରଣ କରିଦେଲେ ୟେଭ୍‌ଶୁକୋଭ୍‌ ସେମାନଙ୍କୁ ।

 

‘‘ମୃତ୍ୟୁର ସମ୍ମୁଖୀନ ହେବାକୁ ପଡ଼ିଲେ ବି ଯଥାସ୍ଥାନରେ ନେଇ ଲୋକଟାକୁ ପହଞ୍ଚାଇ ଦେବାକୁ ପଡ଼ିବ ମତେ,’’ କହିଲେ ସେ । ‘‘ଅନେକ ଖବର ତାଠୁ ମିଳିପାରିବ ଆମକୁ । ଏମିତିକା ଲୋକଟାକୁ ଏଇନେ ମାରିଦେଇ ପାରିବା ନାହିଁ ଆମେ । ତାର ଉପଯୁକ୍ତ ଶାସ୍ତି ସେ ନିଶ୍ଚୟ ପାଇବ, ସେ ବିଷୟରେ ତୁମେ ସବୁ ନିଶ୍ଚିନ୍ତ ରହିପାର ।’’

 

ଓଟବନ୍ଧା ଦଉଡ଼ିଟିଏ ଆଣି ଲେଫଟ୍‌ନାଣ୍ଟଙ୍କର ଦୁଇ ବାହୁକୁ ବାନ୍ଧି ଦିଆଗଲା କହୁଣୀ ପାଖରେ; ଦଉଡ଼ିର ଆର ଅଗଟା ବନ୍ଧାଗଲା ମାର‍୍ୟୁତ୍‌କାର ବେଲ୍‌ଟରେ । ତାର ଅବସ୍ଥା ଶୋଚନୀୟ ହୋଇ ଆସିଲାଣି ସେତେବେଳକୁ । ଗୋଟାଏ ପାଦ ପରେ ଆଉ ଗୋଟାଏ ପାଦ ଉଠେଇ ପାହୁଣ୍ଡେ ଆଗକୁ ଯିବା ଅସମ୍ଭବ ହୋଇ ଉଠିଲାଣି ତା ପକ୍ଷରେ । ତାର ସେଇ ଚିଲା ଚିଲା ଆଖି ଦିଟାର ପୀତାଭ ଦୀପ୍ତି ଆହୁରି ଶାଣିତ, ଆହୁରି ସୁସ୍ପଷ୍ଟ ହୋଇ ଉଠିଲାଣି ନିରକ୍ତ ମୁହଁ ଉପରେ । କିନ୍ତୁ ଠିକ୍‌ ଅଛନ୍ତି ଲେଫଟ୍‌ନାଣ୍ଟ । ତାଙ୍କର ସେଇ ମୁହଁଟା ଟିକିଏ ପାଂଶୁଳ ହୋଇଯାଇଛି ଯାହା ।

 

ଦିନେ ୟେଭ୍‍ଶୁକୋଭ୍‍ ଆଗେଇ ଆସିଲେ ଲେଫଟ୍‌ନାଣ୍ଟଙ୍କ ପାଖକୁ, ଅପଲକ ଆଖିରେ ଅନେଇ ରହିଲେ ତାଙ୍କର ସେଇ ଉଜ୍ଜ୍ୱଳ ନୀଳାଭ ଆଖି ଦିଟା ଭିତରକୁ ।

 

‘‘ଡ୍ୟାମ୍‌ ୟୁ !’’ ରୁକ୍ଷ, କର୍କଶ କଣ୍ଠରେ ଗର୍ଜି ଉଠିଲେ । ‘‘କେଉଁ ସୟତାନ୍‌ର ନାରକୀୟ ଲୀଳା ଚାଲିଛି ତୋର ଏଇ ଦେହଟା ଭିତରେ ! ମେଞ୍ଚାଏ ବୋଲି ମାଂସ ନାହିଁ ଦେହରେ, ଦି’ ଦିଟା ମଣିଷର ଶକ୍ତି ଯେ କିନ୍ତୁ ଏଥିରେ !’’

 

ଲେଫଟ୍‌ନାଣ୍ଟଙ୍କର ସରୁ ସରୁ ଓଠ ଦିଟା ଇଷତ୍‌ ବିସ୍ଫାରିତ ହୋଇଗଲା ତାଙ୍କର ସ୍ୱଭାବ ସୁଲଭ ବିଦ୍ରୂପର ହସରେ ।

 

ଯୁଆଡ଼େ ଆଖି ବୁଲେଇଲେ ସିଆଡ଼େ ଖାଲି ଆକାଶଛୁଆଁ ବାଲିର ପାହାଡ଼—ପାହାଡ଼ ପରେ ପାହାଡ଼ ! ନରମ, ଝରୁ ଝରୁ, ତରଙ୍ଗିତ ସିକତାର ସ୍ତୁପ । ତାର ଚୂଡ଼ାରେ ଚୂଡ଼ାରେ ସାପ କରି ସଁ ସଁ ହୋଇ ବଙ୍କେଇ ବଙ୍କେଇ ଛୁଟିଯାଉଛି ବାଲୁକାର କଣା ହାୱାରେ ହାୱାରେ । ସତେ ଯେମିତି ଅନ୍ତ ନାହିଁ ୟାର ଆଉ !

 

ମଝିରେ ମଝିରେ ଜଣେ ଜଣେ ସୈନିକ ଟଳି ପଡ଼ିଛନ୍ତି ବାଲି ଉପରେ । ଅବସନ୍ନ ଆଖିରେ ସେମାନଙ୍କର ଅସହାୟ ଆଶାହୀନ ଦୃଷ୍ଟି । ଦାନ୍ତ ଚିପି, କୁନ୍ଥେଇ କୁନ୍ଥେଇ କହୁଛନ୍ତି, ‘‘ମୁଁ ଆଉ ଯାଇ ପାରିବି ନାହିଁ । ମତେ ଏଇଠି ଟିକିଏ ଶାନ୍ତିରେ ମରିବାକୁ ଛାଡ଼ି ଦିଅ !’’

 

ୟେଭ୍‍ଶୁକୋଭ୍‍ ଗାଳି ଦେଉଛନ୍ତି, ଅଭିଶାପ ଦଉଛନ୍ତି ସେମାନଙ୍କୁ, ଚାବୁକ୍‌ ଉଞ୍ଚେଇ ଉଠିବାକୁ ହୁକୁମ ଦେଉଛନ୍ତି ବହୁତ । କହୁଛନ୍ତି, ‘‘ବିପ୍ଳବ ପ୍ରତି ବିଶ୍ୱାସଘାତକତା କରୁଛ ତୁମେ, ଉଠ-!’’ ତାପରେ ସୈନିକ ଜଣକ ଟଳଟଳ ହୋଇ ଉଠି ଠିଆ ହେଉଛି । ପୁଣି ଝୁଣ୍ଟି ପଡ଼ି, ହାମୁଡ଼େଇ ଆଗେଇ ଯାଉଚି ଆଗକୁ ।

 

ଦିନେ ସେମାନଙ୍କ ଭିତରୁ ଜଣେ ଗୁରୁଣ୍ଡି ଗୁରୁଣ୍ଡି ଆଣ୍ଠେଇ ଆଣ୍ଠେଇ ଯାଇ ପହଞ୍ଚିଲା ଗୋଟାଏ ବାଲି ପାହାଡ଼ର ଚୂଡ଼ା ଉପରେ । ସେଇଠି ଅଟକି ଯାଇ ତାର ସେଇ ଅସ୍ଥିସାର ମୁହଁଟାକୁ ପଛକୁ ବୁଲେଇ ଚିତ୍‌କାର କରି ଉଠିଲା, ‘‘ଆରେ ହେଇ, ହୋ ! ଭାଇମାନେ ! ହେଇ, ହୋ ! ଏଇ, ଆଗରେ ଆରଲ୍‌ ସାଗର !’’

 

ତାପରେ ମୁହଁ ମାଡ଼ି ସେ କଚାଡ଼ି ହୋଇ ପଡ଼ିଗଲା ତଳେ । ଶରୀରର ଶେଷ ଶକ୍ତିତକ ସଞ୍ଚୟ କରି ୟେଭଶୁକୋଭ ଉଠିଲେ ସେଇ ବାଲିର ପାହାଡ଼ ଉପରକୁ । ପାହାଡ଼ର ଚୂଡ଼ାରେ ସେ ଯାଇ ପହଞ୍ଚିଛନ୍ତି କି ନାହିଁ, ତାଙ୍କର ସେଇ ଫୁଲିଲା ଫୁଲିଲା ଆଖି ଦିଟାକୁ ଅନ୍ଧ କରିଦେଇ ଆଗରେ ଝଲମଲ ହୋଇ ଉଠିଲା ଏକ ଉଜ୍ଜ୍ୱଳ ନୀଳିମାର ଅଖଣ୍ଡ ବ୍ୟାପ୍ତି । ଆଉ ଅନେଇ ପାରିଲେ ନାହିଁ ସେ । ଆଖି ଦିଟାକୁ ବନ୍ଦ କରି ଦେଇ ଆଁକୁଶି ପରି ଅଙ୍ଗୁଳିଗୁଡ଼ାକରେ ଖାଲି ବିଦାରିବାକୁ ଲାଗିଲେ ସେଇ ବାଲୁକାର ସ୍ଥୂପକୁ ।

 

କମିଶାର କେବେ ଶୁଣି ନଥିଲେ କଲମ୍ୱସ୍‌ଙ୍କ ନାମ, ଜାଣି ନ ଥିଲେ କଲମ୍ୱସ୍‌ଙ୍କର ସ୍ପେନୀୟ ନାବିକମାନେ ଏମିତି ଦିନେ, ସେମାନଙ୍କର ଜାହାଜର ଡେକ୍‌ଟାକୁ ଆମ୍ପୁଡ଼ି ବିଦାରି ପକେଇଥିଲେ—‘‘ସ୍ଥଳ’’ ‘‘ସ୍ଥଳ’’ ଶବ୍‌ଦଟା ବାଜିଲାକ୍ଷଣି କାନରେ !

Image

 

ଚତୁର୍ଥ ଅଧ୍ୟାୟ

 

ଯେଉଁଥିରେ ବନ୍ଦୀ ଲେଫଟ୍‌ନାଣ୍ଟଙ୍କ ସହିତ ପ୍ରଥମ ଆଳାପ ହେଲା ମାର‍୍ୟୁତ୍‌କାର, ଆଉ ଯେଉଁଥିରେ କମିଶାର ବାହାରିଲେ ସାଗରୀୟ ଅଭିଯାନରେ......

 

ତା ପରଦିନ ସେମାନେ ଯାଇ ପହଞ୍ଚିଲେ ସାଗରତୀରବର୍ତ୍ତୀ ଏକ କ୍ଷଦ କିରଘିଜ ବସତିରେ । ଗ୍ରାମଟିର ପ୍ରଥମ ଆଭାସ ସେମାନେ ପାଇଲେ ଯେତେବେଳେ ବାଲିବନ୍ତର ଆରପାରିରୁ ଭାସି ଆସିଲା ଘସିନିଆର ତୀବ୍ର ଉତ୍କଟ ଗନ୍ଧ, ଆଉ ସେଇ ଗନ୍ଧରେ ଆଉଣ୍ଡି ହୋଇଗଲା ଖାଲି-ପେଟଗୁଡ଼ାକ ସେମାନଙ୍କର । ତା’ ପରେ ପରେ ସେମାନଙ୍କର ଦୃଷ୍ଟିପଥରେ ପଡ଼ିଲା କିରଘିଜ୍‌ କୁଟୀରଗୁଡ଼ିକର ନୁଆଁଣିଆ ଛାତ । ଶେଷରେ ଗ୍ରାମର ଉପକଣ୍ଠରୁ ଛୁଟି ଆସିଲେ ଲୋମଶ ଶ୍ୱାସ ପଲ ସେମାନଙ୍କୁ ଭେଟିବା ଲାଗି !

 

ନିଜ ନିଜର କୁଟୀର ଆଗରେ ରୁଣ୍ଡହୋଇ କିର୍‌ଘିଜ ଅଧିବାସୀମାନେ ଅନେଇ ରହିଥାନ୍ତି ଏହି ଅଦ୍‍ଭୁତ ଦୃଶ୍ୟକୁ—ଲୋକଗୁଡ଼ିକର ବେଦନାମୟ ଶେଷାବଶେଷକୁ—ଯେଉଁମାନେ ଦିନେ ମଣିଷ ଥିଲେ ସେମାନେ ଆଜି ପାଲଟି ଯାଇଛନ୍ତି ମଣିଷର ସ୍ମାରକୀ ମାତ୍ର । କିରଘିଜ୍‌ ନରନାରୀଙ୍କ ଆଖିରେ ଅସୀମ କରୁଣା, ଅସୀମ ବିସ୍ମୟ !

 

ସେମାନଙ୍କ ଭିତରୁ ଆଗେଇ ଆସିଲେ ଜଣେ ବୃଦ୍ଧ । ତାର ଲମ୍ୱା, ଧାରୁଆ ନାକଟା ଦବି ଯାଇଥାଏ ମଝିରେ । ଓଠ ତଳେ ତଳେ ସରୁ ସରୁ ଅଳ୍ପ କେତୋଟି ଦାଢ଼ି । ସେଇ ଦାଢ଼ିକୁ ସାଉଁଳି ସାଉଁଳି, ଛାତିରେ ହାତ ବୁଲେଇ ଆଣିଲା, ଘଷିହେଲା ଟିକିଏ !

 

‘‘ସଲାମ !’’ କହିଲା ସେ, ‘‘କହାଁ ଯା ରହେଁ ହୈ, ତୁମ୍‌ ଲୋକ୍‌ ?’’

 

ବୃଦ୍ଧର ପ୍ରସାରିତ ଋକ୍ଷ ପାପୁଲିଟିକୁ ଚାପି ଧରିଲେ ୟେଭ୍‍ଶୁକୋଭ୍‍ ନିଜର କ୍ଷୀଣ, ଦୁର୍ବଳ ହାତରେ । କହିଲେ, ‘‘ଆମେ ଲାଲ ଫୌଜର ଲୋକ । ଯାଉଛୁ କାଜାଲିନ୍‌ସ୍କ । ଆମକୁ ଟିକଏ ଆଶ୍ରୟ ଦିଅ ଏଇଠି ଭାଇ, ଆଉ ଖାଇବାକୁ ଦିଅ କିଛି ! ତୁମକୁ ଉଚିତ ପୁରସ୍କାର ମିଳିବ ସ୍ଥାନୀୟ ସୋଭିଏଟ୍‌ ପକ୍ଷରୁ ।’’

 

ବୃଦ୍ଧ କିର୍‌ଘିଜ୍‌ ଶୀର୍ଣ୍ଣ ଶ୍ମଶ୍ରୁକୁ ନିଜର ହଲେଇ ଦେଇ ଓଠକୁ ଚକ୍‌ କରି ଚାଟିନେଲା ଟିକିଏ ।

 

‘‘ଉଃ, ବାବୁ ! ଲାଲ ସିପାହୀ ? ବଲ୍‌ଶେଭିକ୍‌ ! ମସ୍କୋ ସେ ଆ’ ରହେ ହୋ ?’’

 

‘‘ନାଇଁ ଭାଇ, ମସ୍କୋରୁ ନୁହଁ, ଗୁରିଏଭ୍‌ରୁ ।’’

 

‘‘ଗୁରିଏଭ୍‌ ! ଉଃ, ବାବୁ ! ଉଃ, ବାବୁ ! କାରାକୁମସେ !’’

 

ଝଲ୍‌ସି ଉଠି ବୁଜି ହୋଇଆସିଲା ବୃଦ୍ଧର ସରୁ ସରୁ ଆଖିଟା ଅସୀମ ଆଶଙ୍କାରେ ଆଉ ଅସୀମ ଶ୍ରଦ୍ଧାରେ ମଧ୍ୟ–ଏଇ ଧୂଳି ଧୂସରିତ ଜୀର୍ଣ୍ଣ ମଳିନ ଲାଲ୍‌ପୋଷାକ ପିନ୍ଧା ସୈନିକଟି ପାଇଁ–ଏଇ ଯିଏ ବରଫାବୃତ ମାଘ ମାସର ବାଆବତାସକୁ ବି ଭ୍ରୁକ୍ଷେପ ନ କରି, ପାରହୋଇ ଆସିଛି ଗୁରିଏଭ୍‌ଠାରୁ ଆରଲ୍‌ ସାଗର ଯାଏଁ ଭୟାବହ କାରାକୁମ୍‌ ମରୁଭୂମିକୁ ।

 

ବୃଦ୍ଧ ତାଳି ଦି’ଟା ମାରି ଡାକ ପକାଇବା କ୍ଷଣି କୁଟୀର ଭିତରୁ ଦୌଡ଼ି ଆସିଲେ କେତୋଟି ରମଣୀ । ସେମାନଙ୍କୁ ସେ କଣ ହୁକୁମ ଦେଲା ତାର ସେଇ ଘାଗଡ଼ା କଣ୍ଠରେ ।

 

ତାପରେ କମିଶାରଙ୍କ ହାତ ଧରି ଆଗେଇ ନେଲା । କହିଲା, ‘‘ଆ, ବାବୁ, ଆ ! ଆମ ଘରକୁ । ଖାଇବୁ ଟିକିଏ । ଶୋଇବୁ ତା’ପରେ ।’’

 

ଗୋଟିଏ ଗୋଟିଏ ନିର୍ଜୀବ ବୋକଚା ପରି ସୈନିକମାନେ ନିଘୋଡ଼ ନିଦରେ ଗଡ଼ିପଡ଼ିଲେ ଉଷୁମ ଉଷୁମ କୁଡ଼ିଆ ଭିତରେ ରାତି ପର୍ଯ୍ୟନ୍ତ । ନାଃ ଟିକିଏ ହଲ୍‌ ଚଲ୍‌ ବି ହେଲେ ନାହିଁ ସେମାନେ । ନିଦରୁ ଉଠିଲା ବେଳକୁ କିର୍‌ଘିଜ୍‌ କୁଡ଼ିଆ ଭିତରୁ ପଲାଉ ଆସି ବଢ଼ା ହୋଇ ଯାଇଥାଏ ସେମାନଙ୍କ ଆଗରେ । କିରଘିଜ୍‌ ଲୋକେ ପାଖରେ ବସି ସେମାନଙ୍କର ହାଡ଼ୁଆ ହାଡ଼ୁଆ କାନ୍ଧ ଉପରେ ସହାନୁଭୂତିର ହାତ ବୁଲେଇ ଦେଇ କହିଲେ, ‘‘ଖାଇଦେ, ବାବୁ ଖାଇ ଦେ । ବଡ଼ା ଦୁବ୍‌ଲା ହୋଗୟା ତୁମ୍‌ । ଖାଇ ଦେ, ତାକତ୍‌ ହୋଗା !’’

 

ଲୋଭାତୁର ହାତରେ ତତଲା ଗୁଣ୍ଡା ଗିଳି ଗଲେ ସେମାନେ । ଫୁଲି ଫୁଲି ଉଠିଲା ପେଟଗୁଡ଼ିକ ସେମାନଙ୍କର । ଖାଲି-ପେଟରେ ଏତେଗୁଡ଼ାଏ ଖାଇଦେଇ କେତେଜଣଙ୍କର ପେଟ ବି ବିଗିଡ଼ିଗଲା ନିହାତି ! କିନ୍ତୁ ବାହାରକୁ ଦୌଡ଼ିଯାଇ ସେମାନେ, ବାଲିରେ ବହେ ବାନ୍ତି କରିଦେଇ ପୁଣି ଆସି ଖାଇ ବସୁଥାନ୍ତି । ଶେଷରେ ଖିଆପିଆ ପରେ ତୃପ୍ତ ଆଉ ଉଷୁମ ହୋଇ ସେମାନେ ଚାଲିଗଲେ ଆରାମରେ ପୁଣି ଶୋଇପଡ଼ିବା ପାଇଁ ।

 

କିନ୍ତୁ ନିଦ ଆସିଲା ନାହିଁ ମାର‍୍ୟୁତ୍‌କା ଓ ଲେଫ୍‌ଟନାଣ୍ଟଙ୍କ ଆଖିକୁ ।

 

ମାର‍୍ୟୁତ୍‌କା ଯାଇ ବସି ପଡ଼ିଲା ରଡ଼ନିଆଁ ଭରପୂର ଉହ୍ମେଇ ପାଖରେ । ବାଟଚଲାର ସମସ୍ତ ଯନ୍ତ୍ରଣା, ସମସ୍ତ କ୍ଳାନ୍ତି ତାର ଉଭେଇଗଲା କୁଆଡ଼େ । ମୁଣ୍ଡି ପେନ୍‌ସିଲଟିଏ ସେ ବାହାର କରି ଆଣିଲା ବୁଜୁଳି ଭିତରୁ । ଗୋଟିଏ ସଚିତ୍ର ମାସିକ ପତ୍ରିକାର ଛିନ୍ନପୃଷ୍ଠାଟିଏ ଟାଣି ଆଣି ତାରି ଉପରେ ଗାରେଇବାକୁ ଲାଗିଲା ।

 

କିର୍‌ଘିଜ୍‌ ରମଣୀମାନଙ୍କ ଭିତରୁ ଜଣେ ତାକୁ ଦେଇଥିଲେ ସେଇ ପତ୍ରିକାଟି । ତା ଛିନ୍ନ ପୃଷ୍ଠାଟି ଉପରେ ଥାଏ ଅର୍ଥମନ୍ତ୍ରୀ କାଉଣ୍ଟ, କୋକୋଭତ୍‌ସେଭ୍‌ଙ୍କର ଛବି—ମନ୍ତ୍ରୀ ମହାଶୟଙ୍କର ସେଇ ପ୍ରଶସ୍ତ ଲଲାଟ ଆଉ ସୁଦୀର୍ଘ ଶ୍ମଶ୍ରୁ ଉପରେ ସେ ଲେଖିବାକୁ ଆରମ୍ଭ କରିଦେଲା ତାର ସେଇ ବଙ୍କାଢ଼ଙ୍କା ହସ୍ତାକ୍ଷର କେତୋଟି ।

 

କଟିର ଚାରିପଟେ ଓଟବନ୍ଧା ଦଉଡ଼ିଟା ଗୁଡ଼ା ହୋଇ ରହିଥାଏ ସେମିତି । ଦଉଡ଼ିର ଆର ଅଗଟା ବନ୍ଧା ହୋଇଥାଏ ଲେଫ୍‌ଟନାଣ୍ଟଙ୍କର ପିଠିଆଡ଼େ ଛନ୍ଦା ହୋଇଥିବା ହାତ ଦି’ଟାରେ । କେବଳ ଘଣ୍ଟାଟିଏ ପାଇଁ ମାର‍୍ୟୁତ୍‌କା ଖୋଲି ଦେଇଥିଲା ତାଙ୍କର ସେଇ ହାତ ଦି’ଟା, ଲେଫ୍‌ଟନାଣ୍ଟ ଯେମିତି ପେଟ ପୂରେଇ ଗଣ୍ଡେ ଖାଇପାରିବେ ସେଇ ପଲାଉରୁ । ଖିଆ ଶେଷ ହେବା ପରେ ପୁଣି ସେ ବାନ୍ଧି ଦେଇଥାଏ ସେଇ ହାତ ଦି’ଟାକୁ ।

 

କୁର୍‌ କୁର୍‌ ହୋଇ ହସିଉଠିଲେ ଲାଲବାହିନୀର ସୈନିକଗଣ, ‘‘ଦେଖ ରେ ! କୁକୁରକୁ ଶିକୁଳିରେ ବାନ୍ଧିଲା ପରି ମାର‍୍ୟୁତ୍‌କା କେମିତି ବାନ୍ଧି ରଖିଛି ତାକୁ !’’

 

‘‘ଭାରି ମାୟା ହେଉଛି କି ତୋର ଲୋକଟା ଉପରେ ? ହେଉଛି ମାର‍୍ୟୁତ୍‌କା ? ଦେ, ତେବେ ଏଥର ବାନ୍ଧି ଦେ ତାକୁ ତୋ ଦେହରେ, ଜୋରରେ ବାନ୍ଧି ଦେ ! ନ ହେଲେ ଦେଖିବୁଟି, ପରୀ ରାଇଜର ସୁନ୍ଦରୀ ରାଜକୁମାରୀ ଆସି କୁହୁକ ଗାଲିଚାରେ ବସେଇ ତାକୁ ଉଡ଼େଇ ନେଇଯିବ କୁଆଡ଼େ !’’

 

କିନ୍ତୁ ଏ ପରିହାସର ଉତ୍ତର ଦେବା ଉଚିତ ମନେ କଲା ନାହିଁ ମାର‍୍ୟୁତ୍‌କା ।

 

ଲେଫ୍‌ଟନାଣ୍ଟ ବସିଥାନ୍ତି କୁଡ଼ିଆର ଗୋଟିଏ ଖୁଣ୍ଟକୁ ଆଉଜି । ତାଙ୍କର ନୀଳାଭ ଆଖି ଦି’ଟା ନିବଦ୍ଧ ହୋଇ ରହିଥାଏ ମାର‍୍ୟୁତ୍‌କାର ସେଇ ପେନ୍‌ସିଲଟିର ଉଠିପଡ଼ି ଦୋହଲି ଦୋହଲି ଚାଲିବାର ପ୍ରଯତ୍ନ ଉପରେ ।

 

‘‘କ’ଣ ଲେଖିଛ ତୁମେ ?’’ ଆଗକୁ ଟିକିଏ ଝୁଙ୍କିପଡ଼ି ପଚାରିଲେ ସେ ।

 

ଲଲାଟ ଉପରେ ଝୁଲି ପଡ଼ିଥିବା କେରିଏ ଆଲୁଳାୟିତ ସୁନେଲି କୁନ୍ତଳ ଭିତର ଦେଇ ଚାହିଁଲା ମାର‍୍ୟୁତ୍‌କା ତାଙ୍କ ଆଡ଼କୁ ।

 

‘‘ତମର କଣ ଯାଏ ଆସେ ସେଥିରେ !’’

 

‘‘କାହା ପାଖକୁ ବୋଧହୁଏ ଚିଠି ଲେଖିବାକୁ ଚାହୁଁଛ ? ମତେ ଡାକିଦିଅ, ତୁମ ପାଇଁ ଲେଖିଦେବି ।’’

 

କ୍ଷୀଣ ହସଟିଏ ହସିଦେଲା ମାର‍୍ୟତ୍‌କା ।

 

‘‘ମନେ ମନେ ଭାରି ଚାଲାକ ତମେ, ନୁହଁ ? ହାତଟା ଟିକିଏ ଖୋଲି ଦେଲେ, ମୋ ଆଖିରେ ଧୂଳି ଦେଇ ତମେ ପଳେଇବ ଭାବିଛ ? କ’ଣ ବୋଲି ପାଇଲ କି ମତେ, ଆହା ଆହାରେ ଦିବ୍ୟସୁନ୍ଦର....ନାଁ, ତମର କୌଣସି ସାହାଯ୍ୟ ଚାହେଁନା ମୁଁ । ଚିଠି ଲେଖୁନାହିଁ କାହା ପାଖକୁ । ଲେଖୁଛି କବିତା ମୁଁ ।’’

 

ବିସ୍ମୟରେ ମିଟ୍‌ ମିଟ୍‌ ହୋଇଉଠିଲା ଲେଫଟ୍‌ନାଣ୍ଟଙ୍କର ଆଖି ପତା ଦିଟା । ଖୁଣ୍ଟ ପାଖରୁ ଘୁଞ୍ଚି ଟିକିଏ ଉଠି ବସିବା ଲାଗି ସେ ଟାଣି ଓଟାରି ହେଲେ, ଲେଫଟ୍‌ନାଣ୍ଟ !

 

‘‘କବିତା ? କବିତା ଲେଖ ତୁମେ ?’’

 

ଆରକ୍ତ ହୋଇଉଠିଲା ମାର‍୍ୟୁତ୍‌କାର ମୁଖମଣ୍ଡଳ । ବାଧା ପାଇଲା ତା’ର ପେନ୍‌ସିଲର କମ୍ପନ ।

 

‘‘ଆଖିରେ ତମର ଏମିତି ବିସ୍ମୟଭରା ଚାହାଣୀ କାହିଁକି ? ତମେ କ’ଣ ଭାବିଛ ତମେ ଖାଲି ଏକୁଟିଆ ନାଚି ଜାଣ, ମାଜୁର୍‌ କା ନାଚ, ଆଉ ମୁଁ ଗୋଟାଏ ବୋକି ଝିଅ, ନାଁ ?’’

 

କହୁଣୀରେ ଭରା ଦେଇ ଭିଡ଼ି ଓଟାରି ହେଲେ ଲେଫଟ୍‌ନାଣ୍ଟ । କିନ୍ତୁ ଶିଥିଳ ହେଲା ନାହିଁ, ସୁଦୃଢ଼ ଶୃଙ୍ଖଳଟା ।

 

‘‘ନା, ସେମିତି କିଛି ଆଦୌ ଭାବୁନାହିଁ ମୁଁ । ଏମିତି ଟିକିଏ ଆଶ୍ଚର୍ଯ୍ୟ ଲାଗିଲା । ତୁମେ କଣ ମନେକରୁଛ, ‘‘କବିତା ଲେଖିବା ପାଇଁ ସମୟଟା ବେଶ୍‌ ଉପଯୋଗୀ ଏବେ ?’’

 

ମାର‍୍ୟୁତ୍‌କା ଥୋଇଦେଲା ତାର ପେନ୍‌ସିଲଟା । ମଥାଟା ଟିକିଏ ଝାଙ୍କିଦେଲା ପଛକୁ । କେରି କେରି ସୁନେଲି କୁନ୍ତଳର ଝରଣା ତାର ଲୋଟିଗଲା କାନ୍ଧ ଦୁଇଟି ଉପରେ ।

 

‘‘ଭାରି ମଜାର ମଣିଷ ତ ତମେ, ଦେଖୁଛି !’’ କହିଲା ମାର‍୍ୟୁତ୍‌କା, ‘‘କବିତା ଲେଖବା ପାଇଁ କ’ଣ ମଣିଷକୁ ଯାଇ ଶୋଇବାକୁ ପଡ଼ିବ ତୁଳିତଳ୍ପ ଶଯ୍ୟାରେ ? ଅନ୍ତରଟା ଯଦି ଉଦବେଳିତ ହୋଇଉଠୁଥାଏ ପ୍ରବଳ ଆବେଗରେ—ତେବେ ? ଦିନ ନାହିଁ, ରାତି ନାହିଁ, ମୁଁ ଯଦି କେବଳ ସ୍ୱପ୍ନ ଦେଖେ, ଏଇ ଉଦବେଳନକୁ ଭାଷା ଦେବା ପାଇଁ—ଏଇ ତୁଷାରାବୃତ ମରୁଭୂମିକୁ ଆମେ କେମିତି ପାର ହେଲୁ, ଏହାକୁ ହିଁ, ଏଇ ଅନୁଭୂତିକୁ ହିଁ କବିତାର ଭାଷାରେ ଫୁଟେଇବା ପାଇଁ ? ତେବେ ଆଃ, ପ୍ରତିଟି ମଣିଷର ଅନ୍ତର ଭିତରେ ଭରି ଦେଇ ପାରନ୍ତି କି ଏଇ ଅଦ୍‌ଭୂତ ଆଲୋଡ଼ନକୁ ! ଜାଣ, ଲେଖେଁ ରକ୍ତରେ ଲେଖେଁ ମୁଁ । କିନ୍ତୁ କେହି ତାକୁ ଚାହାଁନ୍ତି ନାହିଁ ଛପେଇବାକୁ । କହନ୍ତି ସବୁ ଆଗ ପାଠ ପଢ଼ିବାକୁ ପଡ଼ିବ ମତେ । ପାଠ ପଢ଼ିବି ? ଆଜିର ଏଇ ଭୟାବହ ଦୁର୍ଦ୍ଦିନରେ ସମୟ କାଇଁ ପାଠ ପଢ଼ିବା ପାଇଁ ? ତେଣୁ କବିତାର ସ୍ରୋତ ମୋର ଛୁଟି ଆସେ ସିଧା ସଳଖ ମୋର ହୃଦୟ ଭିତରୁ, ମୋର ପ୍ରାଣର ସରଳତା ଭିତରୁ ।’’

 

ମୃଦୁ ସ୍ମିତହାସ୍ୟଟିଏ ଖେଳିଗଲା ଲେଫଟ୍‌ନାଣ୍ଟଙ୍କର ଓଠ ଉପରେ ।

 

‘‘ତୁମର କବିତାଟିଏ ପଢ଼ି ଶୁଣେଇଲ ମତେ ଟିକିଏ,’’ କହିଲେ ସେ । ‘‘ମୋର ଶୁଣିବାକୁ ଭାରି ଇଚ୍ଛା ହେଉଛି ତୁମର କବିତା । ମୁଁ କିଛି କିଛି ବୁଝିପାରେ କବିତାରୁ ।’’

 

‘‘ଏ କବିତା ତମେ ବୁଝି ପାରିବ ନାହିଁ । ତମର ଶିରାରେ ଶିରାରେ ଧନିକ ଶ୍ରେଣୀର ରକ୍ତ । ସେ ତ ରକ୍ତ ନୁହଁ, ସେ ପାଣି । ତମେ ଖାଲି ଚାହଁ ଲେଖିବାକୁ ପୁଷ୍ପ ଆଉ ପ୍ରେମର କଥା । କିନ୍ତୁ ମୁଁ ଚାହେଁ ଭାଷା ଦେବାକୁ ନିଃସ୍ୱ ମଣିଷର ପ୍ରାଣର ଭାବକୁ । ମୁଁ ଚାହେଁ ଲେଖିବାକୁ ବିପ୍ଳବର ବାଣୀ ।’’ ବିଷର୍ଣ୍ଣ କଣ୍ଠରେ ମାର‍୍ୟୁତ୍‌କା ଶେଷକଲା ତାର ବକ୍ତବ୍ୟ ।

 

‘‘ମୁଁ ବୁଝି ପାରିବି ନାହିଁ କାହିଁକି ?’’ ଜବାବଦେଲେ ଲେଫଟ୍‌ନାଣ୍ଟ । ‘‘ଏସବୁ ବିଷୟରେ ହୁଏତ ମୁଁ କେବେ କିଛି ଲେଖିବି ନାହିଁ । ତଥାପି ଜଣେ ମଣିଷର କଥା ଅନ୍ୟ ଜଣେ ଯେ କାହିଁକି ବୁଝି ପାରିବ ନାହିଁ ତାର କୌଣସି କାରଣ ନାହିଁ ।’’

 

ଟିକିଏ ଦ୍ୱିଧାନ୍ୱିତ ହୋଇ ମାର‍୍ୟୁତ୍‌କା ଓଲଟାଇ ଦେଲା କାଉଣ୍ଟ କୋକୋଉତ୍‌ସେଭ୍‌ଙ୍କୁ ।

 

‘‘ଧେତ୍‌ ! ହଉ ଛାଡ଼, ଶୁଣ ତେବେ । କିନ୍ତୁ ହସିବ ଯଦି ଦେଖିବ ପୁଣି । ତମକୁ କୋଡ଼ିଏ ବର୍ଷ ବୟସ ହେବା ପର୍ଯ୍ୟନ୍ତ ତମ ବାପା ତମପାଇଁ ଜଣେ ପାଳିକା ନିଶ୍ଚୟ ଖଞ୍ଜି ଦେଇଥିଲେ, ନୁହଁ ? କିନ୍ତୁ ମୁଁ ନିଜେ ନିଜେ ମଣିଷ ହୋଇଛି, ନିଜ ପାଦରେ ନିଜେ ଠିଆ ହେବାକୁ ଶିଖିଛି !’’

 

‘‘ନାଇଁ, ସତ କହୁଛି ମୁଁ ଆଦୌ ହସିବି ନାହିଁ ।’’

 

‘‘ଆଚ୍ଛା ! ମୁଁ ସବୁ ଲେଖି ଦେଇଛି ଏଇ କାଗଜରେ—କେମିତି ଆମର ଲଢ଼େଇ ହେଲା ସେଇ କୋଜାକ୍‌ ବାହିନୀ ସହିତ ଆଉ କେମିତି ଆମେ ଖସି ପଳାଇ ଆସିଲୁ ସେମାନଙ୍କ କବଳରୁ ଏଇ ମରୁଭୂମି ଭିତରକୁ ।’’

 

ମାର‍୍ୟୁତ୍‌କା ସଫା କରିଦେଲା ତାର କଣ୍ଠଟାକୁ । ତାପରେ ଧୀରେ ଆରମ୍ଭ କଲା ଆବୃତ୍ତି କରିବାକୁ, ତାର କବିତା । ଘୂର୍ଣ୍ଣିତ ହୋଇ ଉଠିଲା ତା’ର ଡୋଳା ଦିଟା ଭୀଷଣ ବେଗରେ, ରହି ରହି, ପ୍ରତିଟି ଶବ୍ଦକୁ ସ୍ପଷ୍ଟ ଭାବେ ଉଚ୍ଚାରଣ କରି କରି ସେ ପଢ଼ିଲା ।

 

‘‘ତା’ ପରେ ସେ ରକ୍ତପାୟୀ କୋଜାକ୍‌ବାହିନୀ

ଜାର୍‌ସାହି ଶାସନର ଘାତକର ଦଳ

ଝାମ୍ପ ଦେଇ ଆକ୍ରମିଲା ସୈନିକେ ଆମରି

ଗୁଳି ପରେ ଗୁଳି ଚାଲି ତୀବ୍ର ପ୍ରତିରୋଧେ

ତଥାପି ତ ଅଗ୍ରସର ହେବା ଆଉ ହେଲା ନି ସମ୍ଭବ ।

ଅଗଣିତ, ଅଗଣିତ ସେମାନଙ୍କ ସଂଖ୍ୟା

ଆମେ ତେଣୁ ବାଦ୍ୟ ହୋଇ ଦେଲୁ ପଛଘୁଞ୍ଚା,

କିନ୍ତୁ ଆମ ୟେଭ୍‌ଶୁକୋଭ୍‌ ବୀର ସେନାପତି

ଶତ୍ରୁପଥ ରୋଧିବାକୁ ଦେଲେକ ଆଦେଶ,

ହାତେ ଆମ ଗରଜି ଉଠିଲା ପୁଣି ମେସିନ୍‌ରଗାନ୍‌

ଉନ୍ମତ୍ତ ପାଗଳ ପରି ଟୁଝିଥିଲୁ ଆମେ ସେହିଦିନ

ଶତ୍ରୁ ଆମ ଲଭିଥିଲା ନରକ ଆସ୍ୱାଦ

ତଥାପି, ତଥାପି, ସାଥି ହାରିଗଲା ଆମର ବାହିନୀ

ଗୋଟି ଗୋଟି ହୋଇ ସବୁ ଲୋଟିଗଲେ ଆମର ସୈନିକ

ଆମେ ମାତ୍ର କୋଡ଼ିଏ ସୈନିକ ବର୍ତ୍ତିଗଲୁ ଏ ହିଂସ୍ର ସମରୁ....’’

 

‘‘ଧେତ୍‌ ! ଚୁଲିକୁ ଯାଉ ଏ ଗୀତ, ମୋ ଦେଇ ୟେ ଆଉ ଶେଷ ହୋଇ ପାରିବ ନାହିଁ ଜୀବନରେ । ସେଇ ଓଟପଲ କଥା କେମିତି ଏଇ କବିତାରେ ପୂରେଇବି ଯେ ବୁଝି ପାରୁନାହିଁ,’’ ବ୍ୟସ୍ତ ବିବ୍ରତ କଣ୍ଠରେ କହିଲା ମାର‍୍ୟୁତ୍‌କା ।

 

ଲେଫଟ୍‌ନାଣ୍ଟଙ୍କ ଆଖିର ସେଇ ଗଭୀର ଡୋଳା ଦି’ଟା କେତେବେଳେ ଅସ୍ପଷ୍ଟ ହୋଇ ଆସିଥିଲା । ଛାୟାବୃତ ହୋଇଯାଇଥିଲା ତାର ନୀଳିମା । କିନ୍ତୁ ଆଖିର ଧଳା ଅଂଶଟାରେ ଫୁଟି ଉଠୁଥିଲା ଚୁଲି ମୁଣ୍ଡର ସେଇ ହସିଲା ହସିଲା କୁନି କୁନି ସ୍ଫୁଲିଙ୍ଗର ଲୋହିତ ରଶ୍ମିର, ପ୍ରତିଫଳନ ।

 

‘‘ବେଶ୍‌ ଭଲ ହୋଇଛି, ତ !’’ କେତୋଟି ମୁହୂର୍ତ୍ତର ନୀରବତା ଭଙ୍ଗ କରି ସେ କହିଲେ । ‘‘ତୁମର ଏଇ କବିତାରେ ଯଥେଷ୍ଟ ଭାବ ଅଛି, ଆବେଗ ଅଛି । ଯେ କେହି ଶୁଣିଲେ ବୁଝିପାରିବ ହୃଦୟ ଭିତରୁ ତୁମର ସିଧାସଳଖ ବାହାରି ଆସିଛି ଏଇ ଧାଡ଼ିଗୁଡ଼ିକ ।’’ ଏତକ କହି ସାରିବା ପରେ ଦେହଟା ତାଙ୍କର ଦୋହଲି ଗଲା ଟିକିଏ, ଗଳା ଭିତରୁ ବାହାରି ଆସିଲା ଛୋଟ ନିଃଶବ୍ଦ ଖଣ୍ଡିକାଶଟିଏ । କିନ୍ତୁ ତାକୁ ସଙ୍ଗେ ସଙ୍ଗେ ଚପେଇ ଦେଇ ସେ ତରତର ହୋଇ କହିଉଠିଲେ, ‘‘ଶୁଣ, ତୁମେ କିଛି ମନେ କରିବ ନାହିଁ, କବିତା ଦୃଷ୍ଟିରୁ ବିଚାର କଲେ ଏହା କିନ୍ତୁ ଭଲ କବିତା ନୁହଁ-। ଏଥିରେ ଶୈଳୀ ନାହିଁ, ଲାଳିତ୍ୟ ନାହିଁ ।’’

 

ଅତି ଉଦାସ ଭାବେ କାଗଜ ଖଣ୍ଡକ ପକାଇ ଦେଲା ମାର‍୍ୟୁତ୍‌କା ନିଜର କୋଳ ଉପରେ-। ନୀରବରେ ଅନେଇ ରହିଲା କୁଡ଼ିଆର ଛାତ ଆଡ଼କୁ କେତୋଟି ମୁହୂର୍ତ୍ତ ପାଇଁ । ତାପରେ କାନ୍ଧ ଦିଟାକୁ ଟିକିଏ ଦୋହଲାଇ ଦେଇ କହିଲା, ‘‘ହଁ ଆପଣଙ୍କୁ ତ ମୁଁ କହିଛି ଲେଖା ପଛରେ ମୋର ଗଭୀର ଆବେଗ ରହିଛି । ଯାହାସବୁ ଘଟିଯାଇଛି, ତା ବର୍ଣ୍ଣନା କରିଗଲା ବେଳେ ସମଗ୍ର ସତ୍ତା ଯେ ମୋର ବିଳାପ କରିଉଠେ । ଆଉ ମୋ ଲେଖାର ଶୈଳୀ ନାହିଁ ବୋଲି ଆପଣ ଯାହା କହିଲେ ତାହା ଠିକ୍‌—ସମସ୍ତେ ତ ମତେ ସେୟା କହୁଛନ୍ତି । ଶୈଳୀ ନାହିଁ, ଲାଳିତ୍ୟ ନାହିଁ, ୟାକୁ ଆମେ ଛାପି ପାରିବୁ ନାହିଁ । କିନ୍ତୁ ଲାଳିତ୍ୟ ଆସିବ କେମିତି ? କଣ ତାର ରହସ୍ୟ ? ଆପଣ ତ ଅନେକ ବହିପତ୍ର ପଢ଼ିଛନ୍ତି, ଅନେକ କଥା ଜାଣିଛନ୍ତି, ଆପଣ ମତେ କହି ପାରିବେ ନାହିଁ କେମିତି ଏହା କରି ହେବ ? ନିଜ ମନର ଅସ୍ଥିର ଉତ୍ତେଜନାରେ ମାର‍୍ୟୁତ୍‌କା ଯେ କେତେବେଳୁ ତାଙ୍କୁ ଆପଣ ବୋଲି ସମ୍ୱୋଧନ କରି ସାରିଥିଲା ସେକଥା ଜାଣି ନ ଥିଲା ସେ ।

 

ସଙ୍ଗେ ସଙ୍ଗେ ଏ ପ୍ରଶ୍ନର ଉତ୍ତର କିନ୍ତୁ ଦେଇ ପାରିଲେ ନାହିଁ ଲେଫଟ୍‌ନାଣ୍ଟ ।

 

‘‘ହଁ, ବଡ଼ କଠିନ ତୁମର ଏ ପ୍ରଶ୍ନର ଉତ୍ତର ଦେବା । ଶୁଣ, କବିତା ଲେଖିବା ଗୋଟାଏ ଆର୍ଟ, ଗୋଟାଏ କଳା ! ପ୍ରତ୍ୟେକ ଆର୍ଟକୁ ଆୟତ୍ତ କରିବା ଲାଗି ଯେମିତି କବିତା ଲେଖିବା ପାଇଁ ମଧ୍ୟ ସେମିତି ସାଧନା ପ୍ରୟୋଜନ । ଏଇ ଦେଖ, ଜଣେ ଇଞ୍ଜିନିଅର ଯଦି ଜାଣେନା ପୋଲ ନିର୍ମାଣ କରିବାର ନିୟମ ସବୁ କଣ, ତାହେଲେ ଜୀବନରେ ସେ କେବେ ନିର୍ମାଣ କରି ପାରିବ ନାହିଁ ପୋଲଟିଏ । ପୋଲଟିଏ ନିର୍ମାଣ କଲେ ବି ତାହା ଖରାପ ହୋଇଯିବ, ବ୍ୟବହାର କରି ହେବ ନାହିଁ-।’’

 

‘‘କିନ୍ତୁ ସେ ତ ପୋଲ କଥା । ପୋଲ ତିଆରି କରିବା ପାଇଁ ତାକୁ ଗଣିତ ବିଦ୍ୟା ଜାଣିବାକୁ ପଡ଼ିବ, ଆହୁରି ଅନେକ ବିଦ୍ୟା ଶିଖିବାକୁ ହେବ । କିନ୍ତୁ କବିତା, ସେତ ମୋର ରକ୍ତେ ରକ୍ତେ ରହିଛି, ମୁଁ ଜନ୍ମ ହେବା ଦିନୁ । ହୁଏତ ସେଇଟା ମୋର ଏକ ଜନ୍ମଗତ ପ୍ରତିଭା ହୋଇଥାଇ ପାରେ ?’’

 

‘‘ହୋଇଥାଇପାରେ । ତଥାପି ପ୍ରତିଭାର ତ ପୁଣି ଉନ୍ମେଷ ପ୍ରୟୋଜନ । ଜଣେ ଇଞ୍ଜିନିଅର, ସେ ଡାକ୍ତର ନ ହୋଇ ଯେ ଜଣେ ଇଞ୍ଜିନିଅର ହୋଇଛି, କାରଣ ଜନ୍ମଦିନୁ ତାର ପ୍ରବୃତ୍ତି ରହିଛି ନିର୍ମାଣ କରିବା ଦିଗରେ । କିନ୍ତୁ ସେ ଯଦି ଅଧ୍ୟୟନ ନକରେ, ସାଧନ ନ କରେ, ତାହେଲେ ତାର ସେ ନିର୍ମାଣ ପ୍ରବୃତ୍ତି ନିଷ୍ଫଳ ହୋଇଯିବ ନିଶ୍ଚୟ ।’’

 

‘‘ମୋର ବି ତ ସେମିତି ହୋଇ ଯାଇପାରେ ଏଇନେ ? ଭାବିଲ ଦେଖି । ହଉ ଛାଡ଼ ସେକଥା । ଆମର ଏ ଲଢ଼େଇ ସରିବା ସଙ୍ଗେ ସଙ୍ଗେ ମୁଁ ଯାଇ ନାଁ ଲେଖେଇବି ସ୍କୁଲରେ, ଯେଉଁଠି ସେମାନେ ଶିଖାନ୍ତି କବିତା ଲେଖିବାକୁ ହୁଏ କେମିତି । ସେମିତି ତ ଅନେକ ସ୍କୁଲ ନିଶ୍ଚୟ ଥିବ । କ’ଣ କହୁଛ ?’’

 

‘‘ହଁ, ନିଶ୍ଚୟ ଥିବ ।’’ ବେଶ୍‌ ଭାବମଗ୍ନ କଣ୍ଠରେ ଉତ୍ତର ଦେଲେ ଲେଫଟ୍‌ନାଣ୍ଟ ।

 

‘‘ବୁଝିଲ, ମୁଁ ସେମିତି ଗୋଟିଏ ସ୍କୁଲକୁ ଯିବି । ଏଇ କବିତା ମତେ ଖାଇ ସାରିଲାଣି । ମୁଁ ତାକୁ ମୋର ଛାତି ଭିତରୁ ବାହାର କରି ଗୋଟିଏ ବହି ଆକାରରେ ଛପେଇ ଦେଇ ପାରନ୍ତି କି ! ଆଉ ପ୍ରତିଟି କବିତା ତଳେ ରହିଥାନ୍ତା କି ମୋ ନାଆଁ—ମେରିଆ ବାସୋଭା !’’

 

ଧୀରେ ଧୀରେ ନିଭି ଆସିଲା ଚୁଲି ମୁଣ୍ଡର ନିଆଁ । ଶୀତାର୍ତ୍ତ ଅନ୍ଧକାର ଭିତରେ ଆହୁରି ସୁସ୍ପଷ୍ଟ ହୋଇ ଉଠିଲା କୁଟୀରର ଛଣ ଭିତରେ ଭିତରେ ପବନର ମର୍ମରଣ ।

 

‘‘ଆରେ !’’ ହଠାତ୍‌ କହି ଉଠିଲା ମାର‍୍ୟୁତ୍‌କା, ‘‘ଏଇ ଦଉଡ଼ିଟା ତ ଭାରି କାଟୁଥିବ ତମ ହାତକୁ ।’’

 

‘‘ବିଶେଷ ନୁହେଁ । ହାତଟା ଖାଲି ଟିକିଏ ମଝିରେ ମଝିରେ ଝିମି ଝିମି ହୋଇଯାଉଛି ଯାହା ।’’

 

‘‘ତମେ ଯଦି ପ୍ରତିଜ୍ଞା କରିବ ପଳେଇ ଯିବ ନାହିଁ ବୋଲି, ତାହେଲେ ହାତରୁ ତମର ସେଇ ଦଉଡ଼ିଟା ମୁଁ ଖୋଲି ଦେଇପାରେ ।’’

 

‘‘ପଳେଇ ଯିବି କୁଆଡ଼େ ? ବାହାରେ ତ ହେଟାପଲ ଖାଇଯିବେ ମତେ । ମୁଁ ଏଡ଼େ ବୋକା ନୁହେଁ ଏଇଠୁ ପଳାଇ ହେଟାର ଶୀକାର ହେବି ।’’

 

‘‘ହଉ, ସେ ଯାହା ହେଉ ପଛେ, ତମେ ପ୍ରତିଜ୍ଞା କର । ମୁଁ ଯାହା କହୁଛି, ତା କହ–‘ଯେଉଁ ସର୍ବହରା ଶ୍ରେଣୀ ତାର ଅଧିକାର ଲାଗି ସଂଗ୍ରାମ କରୁଛି, ତାରି ନାମରେ ଆଉ ଲାଲବାହିନୀର ସୈନିକା ମେରିଆ ବାସୋଭା ନାମରେ ମୁଁ ଶପଥ କରୁଛି ମୁଁ ଏଇଠୁ ଖସି ପଳାଇ ଯିବି ନାହିଁ । ପଳାଇ ଯିବାକୁ ଚେଷ୍ଟା କରିବି ନାହିଁ ଆଦୌ ।’’

 

ପ୍ରତିଟି ପଦର ପୁନରାବୃତ୍ତି କରି ଶପଥ ପାଠ କଲେ ଲେଫଟ୍‌ନାଣ୍ଟ ।

 

ଧୀରେ ଧୀରେ ଶିଥିଳ ହୋଇଗଲା ରଜ୍ଜୁର ଶୃଙ୍ଖଳ ଆଉ ତାର ଭିତରୁ ମୁକ୍ତ ହୋଇଗଲା ଲେଫଟ୍‍ନାଣ୍ଟଙ୍କର ଫୁଲିଲା ଫୁଲିଲା ଦୁଇଟି କଚଟି । ଦିବ୍ୟ ଆନନ୍ଦରେ ଜଡ଼ ଆଙ୍ଗୁଳିଗୁଡ଼ିକୁ ସଂଚାଳନ କରିବାକୁ ଲାଗିଲେ ସେ ।

 

‘‘ଏଥର ଯାଅ ଶୋଇବ, ହାଇ ମାରି ମାରି କହିଲା ମାର‍୍ୟୁତ୍‌କା । ‘‘ଯଦି ଖସି ପଳେଇବ ତମେ ହେବ ସମସ୍ତଙ୍କଠୁ ବଳି ବେଇମାନ୍‌ । ଏଇ ନିଅ ଦରିଟା ନିଅ, ଘୋଡ଼େଇ ହୋଇପଡ଼ ।’’

 

‘‘ଧନ୍ୟବାଦ ! ଥାଉ ମୁଁ ମୋର ଏଇ କୋଟ୍‌ଟା ଘୋଡ଼େଇ ହୋଇ ପଡ଼ିବି ଯେ ! ହଉ, ଗୁଡ଼୍‌ନାଇଟ୍, ମେରିଆ ।’’

 

‘‘ମେରିଆ ନୁହଁ, ମେରିଆ ଫିଲାତୋଭନା,’’ ମୁଣ୍ଡ ଉପରକୁ କମ୍ୱଳଟା ଟାଣି ନେଉ ନେଉ ବେଶ୍‌ ସମ୍ମାନର ସହିତ ଲେଫଟ୍‌ନାଣ୍ଟଙ୍କୁ ସଂଶୋଧନ କରି ଦେଇ କହିଲା ମାର‍୍ୟୁତ୍‌କା ।

 

ୟେଭ୍‌ଶୁକୋଭ୍‌ ଭାରି ବ୍ୟାକୁଳ ହୋଇ ଉଠିଥିଲେ ତାଙ୍କର ଖୋଜ ଖବର କେମିତି ସେ ଜଣାଇଦେବେ ସାମରିକ ଦପ୍ତରରେ । କିନ୍ତୁ ତା ପୂର୍ବରୁ ତାଙ୍କର ସୈନିକମାନଙ୍କୁ ଟିକିଏ ସୁଯୋଗ ଦେବା ଦରକାର ଏଇ କିରଗିଜ୍‌ ଗ୍ରାମରେ ଖାଇ ପିଇ ଭଲ ଭାବରେ ବିଶ୍ରାମ ନେବା ପାଇଁ । ଗୋଟିଏ ସପ୍ତାହ ତେଣୁ ବିତିଗଲା ସେଇ ଗ୍ରାମରେ । ତାପରେ ସେ ଠିକ୍‌ କଲେ ଆରଲ ସାଗରର କୂଳେ କୂଳେ ଯିବେ ଆରାଲାସ୍କ ସହର ପର୍ଯ୍ୟନ୍ତ । ସେଇଠୁ ସିଧା ସଳଖ ଚାଲିଯିବେ କାଜଲିନ୍‌ସ୍କକୁ-

 

ଦ୍ୱିତୀୟ ସପ୍ତାହ ଆରମ୍ଭ ବେଳକୁ ସେଇ ଗ୍ରାମ ବାଟେ ଯାଉଥିବା ଦଳେ ମାଛଧରାଳୀ ୟେଭ୍‌ଶୁକୋଭ୍‌ଙ୍କୁ ଖବରଦେଲେ ଯେ, ଗତ କାର୍ତ୍ତିକ ମାସର ଝଡ଼ରେ ଗୋଟିଏ ମାଛଧରା ଡଙ୍ଗା ସମୁଦ୍ରରେ ଭାସି ଆସି କୂଳରେ ଲାଗିଯାଇଛି । ଏଇ ଗାଁଠୁ ପ୍ରାୟ ଦିକୋଶ ଦୂରରେ ହେବ । ଡଙ୍ଗାଟି ଭଲ ଅଛି । ମୋଟେ ଭାଙ୍ଗି ନାହିଁ । ଡଙ୍ଗାଟିକୁ ନିଜର ବୋଲି କେହି ଦାବୀ କରୁ ନାହାନ୍ତି । ମାଛଧରାଳୀମାନେ ହୁଏତ ସବୁ ସମୁଦ୍ରରେ ବୁଡ଼ି ଯାଇଛନ୍ତି ।

 

କମିଶାର ସଙ୍ଗେ ସଙ୍ଗେ ବାହାରିଲେ ଡଙ୍ଗା ଦେଖି ଆସିବା ପାଇଁ ।

 

ଦେଖିଲେ ଡଙ୍ଗାଟି ବେଶ୍‌ ଟାଣୁଆ ଓକ୍‌ କାଠର ଡଙ୍ଗା । ଏକଦମ୍‌ ନୂଆ କହିଲେ ଚଳେ-। ଝଡ଼ରେ ଡଙ୍ଗାର ବିଶେଷ କିଛି କ୍ଷତି ହୋଇ ନାହିଁ । କେବଳ ପାଲଗୁଡ଼ିକ ଛିଣ୍ଡିଯାଇଛି ଆଉ ମଙ୍ଗଟା ଟିକିଏ ଭାଙ୍ଗି ଯାଇଛି ।

 

ନିଜ ସୈନିକମାନଙ୍କ ସହିତ ପରାମର୍ଶ କରି ସାରିବା ପରେ ୟେଭ୍‌ଶୁକୋଭ୍‌ ସ୍ଥିର କଲେ ଦଳେ ସୈନିକଙ୍କୁ ସେଇ ଡଙ୍ଗାରେ ପଠାଇଦେବେ ସିର୍‌ଦରିଆ ନଦୀର ମୁହାଁଣ ପର୍ଯ୍ୟନ୍ତ । ଡଙ୍ଗାରେ ପ୍ରୟୋଜନୀୟ ଖାଦ୍ୟପେୟ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଚାରିଜଣଙ୍କ ପାଇଁ ଅନାୟାସରେ ସ୍ଥାନ ହୋଇପାରିବ ।

 

‘ହଁ, ବେଶ୍‌ ଉତ୍ତମ ହେବ,’’ କହିଲେ କମିଶାର । ‘‘ଆଗ ଏଇ ବନ୍ଦୀକୁ ନେଇ ସମର୍ପି ଦେବାକୁ ପଡ଼ିବ କର୍ତ୍ତାମାନଙ୍କ ହାତରେ । କାରଣ କିଏ ଜାଣେ ଆମ ଦଶା କଣ ହେବ ଏଇ ଯାତ୍ରା ପଥରେ ! ତା ଛଡ଼ା ଯେ କୌଣସିମତେ ତାକୁ ନେଇ ଠିକ୍‌ ଜାଗାରେ ପହଞ୍ଚାଇ ଦେବାକୁ ପଡ଼ିବ ଆମକୁ । ଦ୍ୱିତୀୟତଃ, ତାକୁ ନେଇ ପହଞ୍ଚାଇ ଦେଲେ, ସେମାନେ ଜାଣିପାରିବେ ଆମେ କେଉଁଠି ଅଛୁ । କେତେକ ଅଶ୍ୱାରୋହୀଙ୍କ ହାତରେ ତ ସେମାନେ ଆମ ପାଇଁ ଲୁଗାପଟା ଓ ଅନ୍ୟାନ୍ୟ ଜିନିଷ ପଠାଇ ଦେଇପାରିବେ । ଭଲ ପବନ ଟିକିଏ ହେଲେ ତୁମେ ସବୁ ତିନି ଚାରି ଦିନ ଭିତରେ ଆରାଲ ସାଗର ପାର ହୋଇଯିବ ଆଉ ପଞ୍ଚମ ଦିନରେ ପହଞ୍ଚିଯିବ କାଜାଲିନ୍‌ସ୍କରେ ।’’

 

ଏଥିଭିତରେ ଯାହା ଯାହା ସବୁ ଘଟି ଯାଇଛି, ତାହାର ଏକ ସଂକ୍ଷିପ୍ତ ବିବରଣୀ ଲେଖିଲେ ୟେଭ୍‌ଶୁକୋଭ୍‌ । ତାପରେ ସେଇ କାଗଜଟିକୁ ଆଉ ଲେଫଟ୍‌ନାଣ୍ଟଙ୍କର ଦଲିଲ ପତ୍ରକୁ ଏକାଠି କରି ତାକୁ ସିଲେଇ କରିଦେଲେ ଗୋଟିଏ କନାମୁଣି ଭିତରେ । ଲେଫଟ୍‌ନାଣ୍ଟଙ୍କର ସବୁ କାଗଜପତ୍ର ୟେଭ୍‌ଶୁକୋଭ୍‌ ଏପର୍ଯ୍ୟନ୍ତ ନିଜ ପୋଷାକର ସେଇ ଚୋରା ପକେଟ ଭିତରେ ସାଇତି ରଖିଥିଲେ ।

 

କିରଘିଜ୍‌ ରମଣୀମାନେ ଡଙ୍ଗାର ଛିଣ୍ଡା ପାଲଟିକୁ ଯୋଡ଼ି ଯୋଡ଼ି ପୁଣି ସିଲେଇ କରିଦେଲେ ଆଉ କମିଶାର ନିଜେ କେତୋଟି କାଠପଟା ଆଣି ଡଙ୍ଗାର ମଙ୍ଗ ତିଆର କରିନେଲେ ।

 

ତାପରେ ଶେଷ ମାଘର ଗୋଟିଏ ଶୀତାର୍ତ୍ତ ସକାଳରେ ଦଳେ ଓଟ ଆସି ସେଇ ଡଙ୍ଗାଟିକୁ ଟାଣିଲେ ବରଫାବୃତ ଏକ ଆବର୍ତ୍ତ ଭିତରୁ ସାଗର ଉପକୂଳକୁ । ସେତେବେଳକୁ ଆରାଲ ସାଗରର ନୀଳ ସବୁଜ ବୁକୁର ବିପୁଳ ବ୍ୟାପ୍ତି ଉପରେ ଦୂର ଦଗ୍‌ବଳୟର ଧାରେ ଧାରେ ଝଲମଲ କରି ଉଠୁଥାଏ ଆଦ୍ୟ ଉଦୀୟମାନ ସୂର୍ଯ୍ୟ । ଦିଶୁଥାଏ, ଯେମିତି ଆକାଶ ତଟରୁ ତଳକୁ ଝୁଲି ପଡ଼ିଛି ଗୋଟିଏ ଉଜ୍ଜ୍ୱଳ ତାମ୍ରାଭ ଫଳକ ।

 

ଗୋଟି ଗୋଟି ହୋଇ ସବୁ ଯାତ୍ରୀ ଯାଇ ଉଠିଲେ ସେଇ ଡଙ୍ଗା ଉପରେ । ସାଗରର ଉନ୍ମୁକ୍ତ କୁବୁ ଉପରେ ଆରମ୍ଭ ହେଲା ସେମାନଙ୍କର ଯାତ୍ରା ।

 

ୟେଭ୍‌ଶୁକୋଭ୍‌ କହିଲେ ମାର‍୍ୟୁତ୍‌କାକୁ, ‘‘ରହିଲୁ ତୁ, ଏଇ ବନ୍ଦୀର ଦାୟିତ୍ୱରେ । ତା’ର ସବୁ ବିଷୟ ଲାଗିଲା ତତେ । ତା’ର କିଛି ହେଲେ ତତେ ହିଁ ଦାୟୀ କରାଯିବ, ସେଥିପାଇଁ ଆଖି ରଖିଥା ସେଇ ଅଫିସର ଉପରେ । ତାକୁ ଯଦି ଛାଡ଼ି ଦେଉ ପଳେଇବା ପାଇଁ, ଦେଖ୍‌, ଭାରି ଅନୁତାପ କରିବାକୁ ପଡ଼ିବ ତତେ, ନିଜ ଭାଗ୍ୟକୁ ନିନ୍ଦିବାକୁ ହେବ ତତେ । ଦେହ ଧରି ଜନ୍ମିଛୁ ବୋଲି ଯେ କୌଣସିମତେ ସେଇଠି ନେଇ ପହଞ୍ଚାଇ ଦେବାକୁ ପଡ଼ିବ ତାକୁ, ସେ ବଞ୍ଚିଥାଉ ବା ମରିଥାଉ । ଆଉ ଦେଖ୍‌ ପ୍ରତିବିପ୍ଳବୀ ସୈନ୍ୟମାନଙ୍କ ହାବୁଡ଼ରେ ଯଦି ପଡ଼ୁ, ତା’ହେଲେ ତାକୁ କଦାପି ଜୀଅନ୍ତା ଛାଡ଼ି ଦେବୁ ନାହିଁ । ବେଶ୍‌, ଏଥର ଯାଅ ତୁମେ ।’’

Image

 

Unknown

ପଞ୍ଚମ ଅଧ୍ୟାୟ

 

ଯାହା ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ଡେନିଏଲ ଡିଫୋଙ୍କ ବହିରୁ ଚୋରି, କେବଳ ରବିନ୍‌ସନଙ୍କୁ ତାଙ୍କର ଫ୍ରାଇଡେ ପାଇଁ ଆଉ ବେଶି କାଳ ଅପେକ୍ଷା କରିବାକୁ ପଡ଼ିନାହିଁ ଏତିକି ତଫାତ୍‌ ।

 

ଆରଲ ସାଗର ଏକ ହସର ସାଗର ନୁହଁ ।

 

ସାଗରର ସମତଳ ବେଳାଭୂମି ତଟେ ତଟେ ଛୋଟ ଛୋଟ ଝାଉଁର ଅରଣ୍ୟ । ବାଲୁକାର ବ୍ୟାପ୍ତି । ଛୋଟ ଛୋଟ ପାହାଡ଼ ।

 

ଆରଲ ସାଗରର ଦ୍ୱୀପଗୁଡ଼ିକ ତାୱା ଭିତରେ ଚେପଟା ହୋଇ ମିଶି ଯାଇଥିବା ଅଣ୍ଡାପିଠା ପରି । ତେଣୁ ସେଗୁଡ଼ିକ ସହଜରେ ଆଖିରେ ପଡ଼େ ନାହିଁ ।

 

ବିହଙ୍ଗହୀନ । ତରୁଲତାହୀନ । ଜନମାନବହୀନ ।

 

ଆରଲ ସାଗରର ବୃହତ୍ତମ ଦ୍ୱୀପର ନାମ ହେଉଛି ବର୍ସାକେଲ୍‌ମେସ୍‌ ।

 

ଏ ନାମର ଅର୍ଥ କ’ଣ କେହି ଜାଣେନା । କିନ୍ତୁ କିରଘିଜ୍‌ମାନେ କହନ୍ତି ବାର୍ସା-କେଲ୍‌ମେସ୍‌ ଅର୍ଥ ‘‘ମୃତ୍ୟୁର ଦୀପ’’ ।

 

ଚୈତ୍ର ଆଉ ବୈଶାଖରେ ମାଛଧରୀଳୀମାନେ ଆରାଲସ୍କ ସହରର ବାର୍ସା-କେଲମେସ୍‌କୁ ଯାନ୍ତି ମାଛ ଧରିବା ପାଇଁ । ପ୍ରଚୁର ମାଛ ଧରନ୍ତି ସେଇଠି । ଅଗଣିତ ମାଛରେ ଉତ୍‌ଥଳ ହେଉଥାଏ ସମୁଦ୍ର । ଆଉ ଯେତେବେଳେ କାର୍ତ୍ତିକର ଝଡ଼ ଉଠେ ଆକାଶରେ, ଉଦବେଳିତ ହୋଇ ଉଠେ ସମୁଦ୍ରର ଫେନାୟିତ ବୁକୁ ସେତେବେଳେ ମାଛଧରାଳୀମାନେ ଫେରି ଆସି ଆଶ୍ରୟ ନିଅନ୍ତି ଆରାଲାସ୍କର ସ୍ଥିର, ଶାନ୍ତ ଉପସାଗରରେ । ପୁଣି ଚୈତ୍ର ଆସିଲେ ଯାଇ ସେମାନେ ବାହରନ୍ତି ମାଛ ଧରିବାକୁ ।

 

ଝଡ଼ ଯଦି ଆଗରୁ ଆସିଯାଏ ସେମାନେ ମାଛତକ ଭୂଖଣ୍ଡକୁ ଆଣିବା ପୂର୍ବରୁ—ତା’ହଲେ ସମୁଦ୍ରର ସେଇ ଦ୍ୱୀପଗୁଡ଼ିକରେ ଛୋଟ ଛୋଟ କାଠ-ଚାଳିଆ ମାନ କରି, ମାଛତକ ଛାଡ଼ି ଦେଇ ଆସନ୍ତି ସେମାନେ, ତାହା ସବୁ ଶୁଖି ଶୁଖି ଶୁଖୁଆ ହେବା ପାଇଁ ।

 

ନିଦାରଣ ଶୀତ ଦିନରେ, ଯେତେବେଳେ ଚେରନିଶୋଭ୍‌ ଉପସାଗରଠାରୁ ବାର୍ସା-କେଲ୍‌ମେସ୍‌ ଦ୍ୱୀପ ପର୍ଯ୍ୟନ୍ତ ସାଗର ବୁକୁ ଉପରେ ଜମାଟ ବାନ୍ଧିଯାଏ ଜଳସ୍ରୋତ ଆଉ ଘନୀଭୂତ ହୋଇଉଠେ ବରଫର ଆସ୍ତରଣ ସେତେବେଳେ ଶୃଗାଳ ଦଳର ପାଳି ପଡ଼ିଯାଏ ଉତ୍ସବ କରିବାର । ବରଫ ଉପରେ ଦୌଡ଼ି ଦୌଡ଼ି ସେମାନେ ଯାଇ ପହଞ୍ଚି ଯାନ୍ତି ସେଇ ଛୋଟ ଦ୍ୱୀପ ଉପରେ । ସେଇଠି ସାଇତା ହୋଇଥିବା ଶୁଖୁଆ ମାଛରେ ଭୋଜି ଆରମ୍ଭ ହୋଇଯାଏ ସେମାନଙ୍କର । ଖାଇ ଖାଇ ପେଟ ଫାଟିଯାଏ ପ୍ରାୟ । ତାପରେ ବସନ୍ତର ସ୍ପର୍ଶରେ ଯେତେବେଳେ ବିଗଳିତ ହୋଇଯାଏ ବରଫର ଶଯ୍ୟା, ଯେତେବେଳେ ବନ୍ୟା ଉଦବେଳିତ ସିରଦାରିଆର ଲୋହିତ ଜଳସ୍ରୋତ ସାଗର ବୁକୁକୁ ଛୁଟି ଆସେ, ଚୂର୍‌ମାର୍‌ କରିଦିଏ ବରଫର ସ୍ତୂପକୁ, ସେତେବେଳେ ମାଛଧରାଳୀମାନେ ଫେରି ଆସନ୍ତି ପୁଣି ମାଛ ଧରିବା ପାଇଁ । କିନ୍ତୁ ଦେଖନ୍ତି ଆସି ଦ୍ୱୀପଗୁଡ଼ିକରେ ସେମାନଙ୍କର ସାଇତା ଶୁଖୁଆର ସ୍ତୁପ ସବୁ ନିଃଶେଷ ହୋଇ ଯାଇଥାଏ କେଉଁ ଦିନରୁ !

 

ଶେଷ କାର୍ତ୍ତିକ ଠାରୁ ଆଦ୍ୟ ଫାଲ୍‌ଗୁନ ପର୍ଯ୍ୟନ୍ତ ସାଗରର ଏ ପ୍ରାନ୍ତରୁ ସେପ୍ରାନ୍ତ ଯାଏ ତୋଫାନ ଉଠେ । ଗର୍ଜି ଉଠେ ଉଦ୍ଦାମ ଝଡ଼ବତାସ । ଅନ୍ୟ ସବୁ ଦିନରେ ମଝିରେ ମଝିରେ ଅସରାଏ ବର୍ଷା ଲାଗି ରହିଥାଏ । ବୈଶାଖର ସ୍ପର୍ଶ ଲାଗିଲେ ଶାନ୍ତ, ସ୍ତବ୍‌ଧ ହୋଇଯାଏ ଆରଲ ସାଗର, ମସୃଣ ହୋଇଯାଏ ବୁକୁ ତାର ଦର୍ପଣ ପରି ।

 

ବଡ଼ ନୀରସ ଏ ଆରଲ ସାଗର ।

 

ଏକମାତ୍ର ସୁଷମା ତାର ଜଳରାଶିର ଅଦ୍‍ଭୁତ ନୀଳିମା ।

 

ବଡ଼ ନିବିଡ଼ ଏ ନୀଳିମା, ଏ ମଖମଲ ନୀଳିମା, ସେଥିରେ ଥାଏ ଇନ୍ଦ୍ରନୀଳମଣିର ଦ୍ୟୁତି-

 

ଯେ କୌଣସି ଭୂଗୋଳ ବହିରୁ ଏକଥା ଜାଣି ପାରିବେ, ଆପଣ ।

 

ମାର‍୍ୟୁତ୍‌କା ଆଉ ଲେଫଟ୍‌ନାଣ୍ଟଙ୍କୁ ପଠେଇବାକୁ ଯାଇ କମିଶାର ନିଶ୍ଚିନ୍ତ ହେଲେ—ଅନ୍ତତଃ ପକ୍ଷେ, ସପ୍ତାହକ ପର୍ଯ୍ୟନ୍ତ ପାଗ ନିଶ୍ଚୟ ଭଲ ରହିବ । ଗାଆଁର ବୁଢ଼ା ବୁଢ଼ା ଲୋକେ ବି କହିଲେ ପାଗ ଭଲ ରହିବାର ସବୁ ସୂଚନା ମିଳୁଛି ।

 

ତେଣୁ ଛୋଟ ଡଙ୍ଗାଟିରେ ବାହାରିଲେ ମାର‍୍ୟୁତ୍‌କା, ଲେଫଟ୍‌ନାଣ୍ଟ ଆଉ ଲାଲବାହିନୀର ଦୁଇ ଜଣ ସୈନିକ—ସେମିୟାନି ଓ ଭ୍ୟାଖିର—କାଜାଲିନ୍‌ସ୍କ ଅଭିମୁଖେ । ଏଇ ଦୁଇଜଣ ସୈନିକଙ୍କୁ ସଙ୍ଗରେ ଯିବା ପାଇଁ ପଠାଗଲା, କାରଣ ସାଗରଯାତ୍ରା ସଂପର୍କରେ ସେମାନଙ୍କର କିଛି କିଛି ଅଭିଜ୍ଞତା ଥିଲା । କ୍ରମେ କ୍ରମେ ଏକ ଅବିଚ୍ଛିନ୍ନ ମୃଦୁ ସମୀରଣରେ ଫୁଲି ଫୁଲି ଉଠିଲା ପାଲ, ଛଳ ଛଳ ହୋଇଉଠିଲା ସାଗର ବୁକୁର ଉତ୍‌ଫୁଲ୍ଲ ଉର୍ମିଳ ଜଳରାଶି । ଶାନ୍ତ, ଘମନ୍ତ ଭାବେ କେଁ କେଁ ହୋଇଉଠିଲା ଡଙ୍ଗାର ମଙ୍ଗ ଆଉ ମଙ୍ଗ ତଳୁ ତଳୁ ମେଞ୍ଚା ମେଞ୍ଚା ଧଳା ଧଳା ଫେଣର କୁଣ୍ଡଳୀ ଭାସି ଭାସି ଚାଲିଗଲା ସମୁଦ୍ର ଭିତରକୁ ।

 

ମାର‍୍ୟୁତ୍‌କା ଖୋଲିଦେଲା ଲେଫଟ୍‌ନାଣ୍ଟଙ୍କର ହାତ ଦିଟା । ଏଇ ସାଗର ବୁକୁରେ ଡଙ୍ଗା ଭିତରୁ ଡେଇଁପଡ଼ି ଦୌଡ଼ି ଦୌଡ଼ି ପଳେଇବ କିଏ ବା କୁଆଡ଼େ ! ଆଉ ଲେଫଟ୍‌ନାଣ୍ଟ ଗୋଭରୁଖା ଓତ୍ରୋକ ବନ୍ଧନରୁ ମୁକୁଳି ଯାଇ ସେମିୟାନି ଓ ଭ୍ୟାଖିରଙ୍କ ପାଖରେ ବସି ମଝିରେ ମଝିରେ ପାଳିକରି ଆହୁଲା ମାରିବାକୁ ଲାଗିଲେ ।

 

ଡଙ୍ଗା ବାହି ବାହି ନିଜକୁ ନିଜେ ଆଗେଇ ନେଲେ ବନ୍ଧନ ଭିତରକୁ ।

 

ଆହୁଲା ମାରିବା ପାଇଁ ଯେତେବେଳେ ତାଙ୍କର ପାଳି ପଡ଼ୁ ନ ଥାଏ, ସେତେବେଳେ ସେ ଡଙ୍ଗା ଭିତରେ କମ୍ୱଳଟିଏ ପାରି ଦେଇ ଲମ୍ୱ ହୋଇ ଶୋଇ ପଡ଼ି ଥାନ୍ତି । ମନକୁ ମନ ମୁରୁକି ମୁରୁକି ହସି ଉଠୁଥାନ୍ତି ନିଜର ଭାବନାରେ—ବଡ଼ ଗହନ ଗୋପନ ସେ ଭାବନା ତାଙ୍କର, ସାମରିକ ଅଫିସର ଭାବନା, ତାଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ପକ୍ଷରେ ଅତି ଅବୋଧ୍ୟ ସେ ଭାବନା ।

 

ତାଙ୍କର ହସ ଦେଖି ଭାରି ଚିଡ଼ିମାଡ଼ିଲା ମାର‍୍ୟୁତ୍‌କାକୁ ।

 

‘‘କାହିଁକି ଏ ହସ ଖଣ୍ଡକ ଲାଖି ରହିଛି ତାଙ୍କ ମୁହଁରେ ସବୁବେଳେ ? ସେତେ ଯେମିତି ସେ ବଣଭୋଜିକୁ ବାହାରିଛନ୍ତି । କିନ୍ତୁ ଲୋକଟାର ଦଶା ଯେ କ’ଣ ହେବ ତା’ ଅତି ସ୍ପଷ୍ଟ.....ଆଗ ଜେରା ହେବ ଆଉ ତାପରେ....ବାସ୍‌....ଖତମ ! ବୋଧହୁଏ ଲୋକଟା ଟିକିଏ ପାଗଳ ନାଁ କ’ଣ !’’ ଭାବିଲା ମାର‍୍ୟୁତ୍‌କା ।

 

କିନ୍ତୁ ଲେଫଟ୍‌ନାଣ୍ଟ ସେମିତି ମୁରକି ମୁରକି ହସୁଥାନ୍ତି—ମାର‍୍ୟୁତ୍‌କାର ମତାମତରେ ତାଙ୍କର ଯାଏ ଆସେ କେତେ !

 

ମାର‍୍ୟୁତ୍‌କା ଆଉ ସମ୍ଭାଳି ପାରିଲା ନାହିଁ, ଚପେଇ ରଖିପାରିଲା ନାହିଁ । ତାର ଅଦମ୍ୟ କୁତୂହଳକୁ । ଶେଷରେ ପଚାରି ବସିଲା, ‘‘ଏଇ ଡଙ୍ଗା ଚଳେଇବା କାମ ତୁମେ କେଉଁଠୁ ଶିଖିଲ ?’’

 

ଗୋଟାଏ ମୁହୂର୍ତ୍ତ ପାଇଁ ଲେଫଟ୍‌ନାଣ୍ଟ ଭାବମଗ୍ନ ହୋଇଗଲେ ।

 

‘‘ହଁ, ପିଟରସ୍‌ବର୍ଗରେ ଶିଖିଥିଲି,’’ କହିଲେ ସେ, ‘‘ମୋର ନିଜର ଗୋଟିଏ କେଳିପୋତ ଥିଲା । ବେଶ୍‌ ବଡ଼ଟିଏ । ସେଇଥିରେ ମୁଁ ସମୁଦ୍ର ଭିତରକୁ ଯାଏ ।’’

 

‘‘କେଳି ପୋତ ?’’

 

‘‘ହଁ, ସାଗରୀୟ ପୋତ ଗୋଟାଏ ।’’

 

ମୁଁ ସେକଥା ଜାଣେ, ତମଠୁ ଭଲ ଭାବେ ଜାଣେ । ଅନେକ କେଳିପୋତ ମୁଁ ଦେଖିଛି ଆଷ୍ଟ୍ରାଖାନରେ । ବୁର୍ଜଆମାନଙ୍କ ପାଖରେ ଯେତେ ଇଚ୍ଛା ସେତେ ଥାଏ । ପୂରାପୂରି ଧଳା ସେଗୁଡ଼ାକ । ବେଶ୍‌ ଲମ୍ୱା ଆଉ ସୁନ୍ଦର....ଦେଖିବାକୁ ଠିକ୍‌ ରାଜହଂସ ପରି କିନ୍ତୁ ମୁଁ ସେକଥା ପଚାରୁନାହିଁ । ତମର ସେଇଟାର ନାଁ କ’ଣ ?’’

 

‘‘ନେଲ୍ଲି ।’’

 

‘‘ଅଦ୍‍ଭୁତ ନାଁ ତ ?’’

 

‘‘ମୋ ଭଉଣୀର ନା ସେଇଟା । ମୋ ଭଉଣୀ ନାଁରେ ସେଇ କେଳିପୋତଟାର ନାଁ ମୁଁ ଦେଇଥିଲି ।’’

 

‘‘ଭଲ ଖ୍ରୀଷ୍ଟିଆନ୍‌ମାନଙ୍କର ତ ଏମିତି ନାଁ ନଥାଏ ।’’

 

‘‘ମୋ ଭଉଣୀ ନାଁ ହେଉଛି ୟେଲେନା । କିନ୍ତୁ ଇଂରେଜୀ ଫେଶନରେ ଆମେ ଡାକୁଥିଲୁ ନେଲ୍ଲି ବୋଲି ।’’

 

ମାର‍୍ୟୁତ୍‌କା ନୀରବରେ ଅନେଇ ରହିଲା ଶେଷ ଅପରାହ୍ନର ମ୍ଳାନ ସ୍ତିମିତ ସୂର୍ଯ୍ୟ ଆଡ଼କୁ-। ମନେ ହେଲା ଅସ୍ତଗାମୀ ସବିତା ଯେମିତି ତା’ର ଶୁଭ୍ର ଆଲୋକର ମଧୁକୁ ଅଜାଡ଼ି ଦେଇଯାଉଛି ପୃଥିବୀର ପ୍ରତିଟି ପ୍ରାଣ ଉପରେ । ସୂର୍ଯ୍ୟ ଖସି ଆସୁଛି ତଳକୁ, ଆହୁରି ତଳକୁ, ସାଗରର ନୀଳିମାକୁ ଭେଟିବା ପାଇଁ ।

 

‘‘ଏଇ ସାଗରର ଜଳ ! ନୀଳ ପରି ନୀଳ ଏ ଜଳ !’’ କହି ଉଠିଲା ସେ ଶେଷରେ । ‘‘କାସ୍‌ପିଆନ୍‌ ସାଗର ହେଉଛି ସବୁଜ ! କିନ୍ତୁ ତମେ ଦେଖିଛ ଭଲା କେବେ ଏମିତି ନୀଳ ଜଳ କେଉଁଠି ?’’

 

‘‘ଫୋରେଲ୍‌ଙ୍କ ମତରେ ଏହାର ସ୍ଥାନ ତୃତୀୟରେ,’’ ଗୁଣୁ ଗୁଣୁ ହୋଇ ଉତ୍ତର ଦେଲେ ଲେଫଟ୍‌ନାଣ୍ଟ, ସତେ ଯେମିତି ମନକୁ ମନ କହିଲେ ସେ ।

 

‘‘କ’ଣ କହିଲ ?’’ ଚକିତ ଦୃଷ୍ଟିରେ ତାଙ୍କ ଆଡ଼କୁ ଅନେଇ ଦେଇ ପଚାରିଲା ମାର‍୍ୟୁତ୍‌କା-

 

‘‘ନାଁ, ମୁଁ ମନକୁ ମନ କହୁଥିଲି, ଏଇ ସାଗରର ଜଳ କଥା । ଗୋଟାଏ ଜଳବିଜ୍ଞାନ ବହିରେ ପଢ଼ିଥିଲି ମୁଁ, ଏଇ ସାଗରର ଜଳ ହେଉଛି ଅତି ଉଜ୍ଜ୍ୱଳ ନୀଳ ରଙ୍ଗର । ଫୋରେଲ୍‌ ନାମରେ ଜଣେ ବୈଜ୍ଞାନିକ ବିଭିନ୍ନ ସାଗରର ଜଳ ଆଣି ତା’ର ରଙ୍ଗ ପରୀକ୍ଷା କରିଥିଲେ । ତାଙ୍କ ମତରେ ସବୁଠାରୁ ଗାଢ଼ ନୀଳ ଜଳ ହେଉଛି ପ୍ରଶାନ୍ତ ମହାସାଗରର । ଆଉ ଏହି ଆରଲ ସାଗରର ହେଉଛି ତାଙ୍କର କଳନା ଅନୁଯାୟୀ ତୃତୀୟ !’’

 

ଅଧା ଅଧା ବୁଜି ହୋଇ ଆସିଲା ମାର‍୍ୟୁତ୍‌କାର ଆଖିପତା ଦି’ଟା । ସତେ ଯେମିତି ସେ ଚେଷ୍ଟା କଲା କଳ୍ପନା କରି ନେବା ପାଇଁ ବିଭିନ୍ନ ପ୍ରକାର ନୀଳିମାର ନିବିଡ଼ତା ।

 

‘‘କିନ୍ତୁ ଏହାଠାରେ ଯେ ଅଧିକ କିଛି ନୀଳ ହୋଇପାରେ ସେକଥା କଳ୍ପନା କରିବା ଅସମ୍ଭବ । ଏ ନୀଳ......ଏ.....ଠିକ୍‌’’.....ହଠାତ୍‌ ତାର ସେଇ ଚିଲା ଚିଲା ଆଖିର ଘୂରନ୍ତ ଦୃଷ୍ଟିଟା ଆସି ଅଟକିଗଲା ଲେଫ୍‌ଟନାଣ୍ଟଙ୍କର ନୀଳାଭ ଆଖି ଡୋଳା ଦି’ଟା ଉପରେ । ଚମକି ପଡ଼ି ସେ ଝୁଙ୍କି ଆସିଲା ଟିକିଏ ଆଗକୁ, ଶିରାରେ ଶିରାରେ ତାର ଖେଳିଗଲା ଏକ ଶିହରଣ, ସତେ ଯେମିତି ସେ ଗୋଟାଏ ଅଦ୍‍ଭୁତ କିଛି ଆବିଷ୍କାର କରି ବସିଛି । ଅସୀମ ବିସ୍ମୟରେ ବିସ୍ଫାରିତ ହୋଇଗଲା ତାର ଓଠ ଦି’ଟା । ଗୁଣୁ ଗୁଣୁ ହୋଇ କ୍ଷୀଣକଣ୍ଠରେ କହିଲା, ‘‘ତମର ଆଖି ଦି’ଟା ବି ସେମିତି....ଠିକ୍‌-! ସେମିତି....ସେମିତି ନୀଳ ! ମନେହେଲା ଏ ସମୁଦ୍ରରୁ କିଛି—ଏ ନୀଳିମା ଯେମିତି ଅଛି ଏଥିରେ–

 

କିଛି କହିଲେ ନାହିଁ ଲେଫଟ୍‌ନାଣ୍ଟ ।

 

ନାରଙ୍ଗୀ ରଙ୍ଗର ରକ୍ତ ଚହଟିଗଲା ଦୂର ଦିଗ୍‌ବଳୟରେ । ଦୂରରେ ବହୁ ଦୂରରେ, ଆହୁରି ନୀଳାଭ ହୋଇଉଠିଲା ସାଗରର ଜଳରାଶି, ତାରି ଭିତରେ ଭିତରେ ଠାଏ ଠାଏ ନାଚି ଉଠିଲା କୃଷ୍ଣନୀଳ ଛାଇ । ସାଗରର ବୁକୁ ଛୁଇଁ ଭାସି ଆସିଲା ଦମ୍‌କାଏ ହିମଶୀତଳ ହାୱା ।

 

‘‘ପୂର୍ବେଇ ଉଠିଲା ଏ,’’ ଛିଣ୍ଡା ପୋଷାକଟାକୁ ଭଲ ରୂପେ ଦେହ ଉପରକୁ ଟାଣି ନେଇ କହିଲା ସେମିୟାନ୍ନି ।

 

‘‘ଜଣାପଡ଼ୁଛି, ତୋଫାନ ଉଠିବ’’, କହିଲା ଭ୍ୟାଖିର ।

 

‘‘ଆସୁ ତୋଫାନ । ଆଉ ଦି’ଘଣ୍ଟା ଭିତରେ ତ ଆମେ ଯାଇ ପହଞ୍ଚିବା ବାର୍ସା ପାଖରେ । ତୋଫାନ ଉଠିଲେ, ରାତିଟାପାଇଁ ରହିଯିବା ସେଇଠି ।’’

 

ନିସ୍ତବ୍‌ଧତା ଧୀରେ ଧୀରେ ତରଙ୍ଗର କୃଷ୍ଣାଭ ଚୂଡ଼ାରେ ଦୋଦୁଲ୍ୟମାନ ହୋଇ ଉଠିଲା ତରୀ । କୃଷ୍ଣଧୂସର ଆକାଶର ବୁକୁ ଉପର ଦେଇ ଭାସି ଆସିଲା ଟୁକୁରାଏ ଟୁକୁରାଏ ମେଘ ।

 

‘‘ୟେ ନିଶ୍ଚୟ....ତୋଫାନ.....ତୋଫାନ ଛଡ଼ା ଆଉ କିଛି ନୁହଁ !’’

 

‘‘ଏଇତ, ଆଉ ଅଳ୍ପ ସମୟ ପରେ ବାର୍ସା ପାଖରେ ଯାଇ ପହଞ୍ଚିଯିବା ଆମେ । ବଡ଼ କଦର୍ଯ୍ୟ ଜାଗା ଏଇ ବାର୍ସା, ଠିକ୍‌ ଗୋଟାଏ ନରକ ଯେମିତି ! ଚାରିଆଡ଼େ ଖାଲି ଉଞ୍ଚା ଉଞ୍ଚା ବାଲିବନ୍ତ । ଆଉ ଦମକା ଦମକା ହାୱା । ଆରେ, ଧେତ୍‌, ପାଲଟା ଟାଣି ଦେ’ ମ ! ଟାଣିଦେ, ଟାଣିଦେ ତଳକୁ । ଆରେ ଇଏ ସେନାପତିଙ୍କର ସସ୍‌ପେଣ୍ଡାର ହୋଇ ନାହିଁ ବା !’’

 

କିନ୍ତୁ ଲେଫଟ୍‌ନାଣ୍ଟ ଯାଇ ପାଲ ଫିଟାଇଲା ବେଳକୁ ଯଥେଷ୍ଟ ବିଳମ୍ୱ ହୋଇଗଲାଣି । ବିରାଟ ଗୋଟାଏ ଲହଡ଼ି ଆସି ପିଟି ହୋଇଗଲା ଡଙ୍ଗା ଦେହରେ, ମେଞ୍ଚା ମେଞ୍ଚା ଫେଣରେ ଭିଜିଗଲା ଯାତ୍ରୀଗୁଡ଼ିଙ୍କର ମୁହଁ ।

 

‘‘ଆରେ, ମୋ ଉପରେ ପାଟିଟା କାହିଁକି କରୁଛ ? ମେରିଆ ଫିଲାତୋଭ୍‌ନା ତ ଖସେଇ ଦେଲେ ମଙ୍ଗଧରା କାଠଟା ।’’

 

‘‘ମୁଁ ଖସେଇ ଦେଲି ? ଜଗିରଖି କଥା କହ, ବଦ୍‍ମାସ ! ପାଞ୍ଚବର୍ଷ ବୟସ ବେଳୁ ମୁଁ ମଙ୍ଗ ଧରି ଆସୁଛି ପଛେ !’’

 

ଡଙ୍ଗା ପଛେ ପଛେ ଗୋଡ଼େଇ ଆସିଲେ ପାହାଡ଼ ଉଞ୍ଚ କଳା କଳା ଢେଉ ପରେ ଢେଉ; ଅତିକାୟ ଦୈତ୍ୟ ପରି ପାଟି ଆଁ କରି, ଦାନ୍ତ ଦେଖେଇ ମାଡ଼ି ପଡ଼ିଲେ ଡଙ୍ଗା ଉପରେ ।

 

‘‘ହେ, ଭଗବାନ ! ସେଇ ବାର୍ସା ବନ୍ଦରଟା କୁଆଡ଼େ ଗଲା କେଜାଣି । ଚାରିଆଡ଼େ ତ ଖାଲି କଳା କିଟି କିଟି ଅନ୍ଧାର । ନରକ ପରି ଅନ୍ଧାର !’’

 

ବାଁ ପଟକୁ ଅନେଇ ଦେଲା ଭ୍ୟାଖିର । ‘‘ହେଇ ରେ ! ହେଇଟି ବାର୍ସା !’’ ଆନନ୍ଦରେ ସେ ଚିତ୍କାର କରି ଉଠିଲା ।

 

ମେଞ୍ଚା ମେଞ୍ଚା ଫେଣ ଆଉ ଅନ୍ଧାର ଭିତର ଦେଇ ଦୂରରେ ଚିକ୍‌ ଚିକ୍‌ କରି ଉଠିଲା ଗୋଟିଏ ଶ୍ୱେତ, କ୍ଷୀଣ ଆଲୋକର ରେଖା ।

 

‘‘ଆରେ, ବାଁ ପଟକୁ ମୋଡ଼ ଡଙ୍ଗା ।’’ ପାଟି କରି ଉଠିଲା ସେମିୟାନ୍ନି । ‘‘ଭଗବାନଙ୍କର ଦୟା ହେଲେ ଆମେ ଯାଇ ପହଞ୍ଚିଯାଇ ପାରିବା ସେଇଠି ।’’

 

ଫାଟିଗଲା ପରି କଟ କଟ ଶବ୍ଦ ହେଲା ଡଙ୍ଗା ମଙ୍ଗରେ । ପଟାଗୁଡ଼ାକ ଚଡ଼ ଚଡ଼ ହୋଇ ଉଠିଲା । ଗୋଟାଏ ବିରାଟ ଢେଉ ଆସି ଭାଙ୍ଗି ପଡ଼ିଲା ଡଙ୍ଗା ଉପରେ । ଡଙ୍ଗା ଭିତରେ ଭର୍ତ୍ତି ହୋଇଗଲା ଆଣ୍ଠୁଏ ପାଣି ।

 

‘‘ଆରେ, ଡଙ୍ଗା ଭିତରୁ ପାଣି ବାହାର କର, ବାହାର କର !’’ ଠିଆ ହୋଇପଡ଼ି ଚିତ୍କାର କଲା ମାର‍୍ୟୁତ୍‌କା ।

 

‘‘ପାଣି ବାହାର କରିବୁ କେଉଁଥିରେ ? ଏଠି ତ କିଛି ବୋଇଲେ କିଛି ନାହିଁ ।’’

 

‘‘ନିଜ ନିଜର ଟୋପିରେ ବାହାର କର ।’’

 

ସେମିୟାନ୍ନି ଆଉ ଭ୍ୟାଖିର ନିଜ ନିଜର ମୁଣ୍ଡରୁ ଟୋପି ଦି’ଟା ଟାଣିଆଣି ପାଗଳ ପରି ପାଣି ବୁହାଇବାକୁ ଲାଗିଲେ ଡଙ୍ଗା ଭିତରୁ । କେତୋଟି ମୁହୂର୍ତ୍ତ ଇତସ୍ତତଃ ହୋଇ ଲେଫଟ୍‌ନାଣ୍ଟ ମଧ୍ୟ ନିଜର ସେଇ ସୁନ୍ଦର ପଶମର ଟୋପିଟା କାଢ଼ି ସେମାନଙ୍କ ସହିତ ଲାଗିପଡ଼ିଲେ ପାଣି ବୁହାଇବାରେ ।

 

ଦୂରରୁ ଚିକ୍‌ ଚିକ୍‌ ହୋଇ ଯେଉଁ ଶ୍ୱେତାଭ କ୍ଷୀଣ ଆଲୋକର ରେଖାଟି ଦେଖାଯାଉଥିଲା, ସେଇ ରେଖାଟି ଉଡ଼ି ଆସିଲା ଡଙ୍ଗା ଆଡ଼କୁ । ପାଖେଇ ଆସିବା ପରେ ଦେଖାଗଲା ସେଇଟା ଆଲୋକର ରେଖା ନୁହେଁ, ସେଇଟା ବରଫାବୃତ ବେଳାଭୂମିର ଗୋଟାଏ ସମତଳ ଅଂଶ ମାତ୍ର । ଉଦବେଳିତ ଫେନପୁଞ୍ଜର ଆସ୍ତରଣରେ ଆହୁରି ଶ୍ୱେତାଭ ହୋଇ ଉଠିଛି ।

 

ସାଇଁ ସାଇଁ ହୋଇ, ହାଉ ହାଉ ହୋଇ ଗର୍ଜି ଉଠିଲା ଉଦ୍ଦାମ ବତାସ, ପ୍ରଳୟଙ୍କରୀ ଢେଉଗୁଡ଼ାକୁ ଉଠେଇ ନେଲା ଉପରକୁ, ଆହୁରି ଉପରକୁ, ଆହୁରି ଉଚ୍ଚକୁ । ଗୋଟାଏ ଉନ୍ମତ୍ତ ହିଂସ୍ର ହୁଙ୍କାରରେ ଝାମ୍ପ ଦେଇ ପଡ଼ିଲା ସେ ଝଡ଼, ତରଣୀର ପୋଲ ଉପରେ, ଫାମ୍ପିଲା ପେଟ ପରି ଫୁଲେଇ ଦେଲା ପାଲଟାକୁ ।

 

ତାପରେ ହଠାତ୍‌ ତୋପ ଫୁଟିଲା ପରି ଢୋ କରି ଫାଟିଗଲା ସେଇ ଜୀର୍ଣ୍ଣଶୀର୍ଣ୍ଣ ପାଲଟା-

 

ସେମିୟାନ୍ନି ଓ ଭ୍ୟାଖିର ଦୌଡ଼ିଗଲେ ମାସ୍ତୁଲ ପାଖକୁ ।

 

‘‘ଡଙ୍ଗା ସମ୍ଭାଳ ! ସମ୍ଭାଳ !’’ ପାଟିକରି ଉଠିଲା ମାର‍୍ୟୁତ୍‌କା । ମଙ୍ଗଧରା କାଠଟାକୁ ଜେବୋଡ଼ି ଧରି ସେ ପେଟେଇ ପଡ଼ିଥିଲା ଡଙ୍ଗା ମଙ୍ଗ ପାଖରେ ।

 

ପଛରୁ ପୁଣି ଗର୍ଜନ କରି ମାଡ଼ି ଆସିଲା ଆଉ ଗୋଟାଏ ଢେଉ, ପାହାଡ଼ ପରି ଢେଉ । ତାରି ଆଘାତରେ ଅଧା ଓଲଟିଗଲା ଡଙ୍ଗାଟା । ଗୋଟାଏ କାଚ ପରି ହିମଶୀତଳ ଜଳସ୍ରୋତ ପଶିଗଲା ଡଙ୍ଗା ଭିତରେ ।

 

ଡଙ୍ଗାଟି ସିଧା ହୋଇଗଲା ପରେ ଦେଖାଗଲା ଡଙ୍ଗାର ଉପର ମଙ୍ଗ ପର୍ଯ୍ୟନ୍ତ ଜଳପ୍ଳାବିତ ହୋଇଯାଇଛି । ଦେଖାଯାଉ ନାହାନ୍ତି ସେମିୟାନ୍ମି ଓ ଭ୍ୟାଖିର । ପାଲର ଭିଣ୍‌ଭିଣା ଛିଣ୍ଡା କନାଗୁଡ଼ାକ ଓଦା ସର ସର ହୋଇ ଫରଫର ହୋଇ ଉଡ଼ୁଛି ପବନରେ ।

 

ଅଣ୍ଟାଯାଏ ପାଣିରେ ବୁଡ଼ି ରହି ବସିଛନ୍ତି ଲେଫଟନାଣ୍ଟ । ତ୍ରସ୍ତ, ଚଞ୍ଚଳ ହୋଇ ଖାଲି କ୍ରୁସ୍‌ ଚିହ୍ନ ଆଙ୍କିବାରେ ଲାଗିଛନ୍ତି ନିଜର ଛାତି ଉପରେ ।

 

‘‘ମରଣ ହେଉନି ତତେ ! ଦେ ଜଲଦି ବୁହା ପାଣି ଡଙ୍ଗା ଭିତରୁ !’’ ଗର୍ଜି ଉଠିଲା ମାର‍୍ୟୁତ୍‌କା ।

 

ଓଦା ସର ସର କୁକୁର ଛୁଆଟେ ପରି ଡେଇଁ ଠିଆ ହୋଇପଡ଼ିଲେ ଲେଫଟ୍‌ନାଣ୍ଟ, ଆଉ ସଙ୍ଗେ ସଙ୍ଗେ ଲାଗିଗଲେ ପାଣି ବୁହାଇବା କାମରେ ।

 

‘‘ସେମି....ୟା....ନ୍ନି ! ଭ୍ୟା....ୟା....ଖି....ର !’’ ସେଇ ଅନ୍ଧକାରମୟ ରାତି ଭିତରକୁ, ସେଇ ଉଦ୍ଦାମ ହାୱା ଭିତରକୁ, ସେଇ ଉନ୍ମତ୍ତ କୋଳାହଳ ଭିତରକୁ ଡାକ ପକାଇଲା ମାର‍୍ୟୁତ୍‌କା ।

 

କିନ୍ତୁ କୌଣସି ଉତ୍ତର ମିଳିଲା ନାହିଁ ।

 

‘‘ଆରେ, ବିଚରା ହତଭାଗା ଦି’ଟା ବୁଡ଼ିଗଲେ ବୋଧହୁଏ !’’

 

ଡୁବନ୍ତ ଡଙ୍ଗାଟାକୁ ତୋଫାନ ଉଡ଼େଇ ନେଲା ବେଳାଭୂମି ଆଡ଼କୁ । ମଥିତ ହୋଇ ଉଠିଲା ସାଗରର ଜଳରାଶି । ଡଙ୍ଗାର ତଳ ଯାଇ ଲାଗିଲା ବାଲି ଦେହରେ ।

 

‘‘ବାହାରି ଆସ !’’ ପାଣି ଭିତରକୁ ଡେଇଁପଡ଼ି ପାଟି କରି ଉଠିଲା ମାର‍୍ୟୁତ୍‌କା । ଲେଫଟ୍‌ନାଣ୍ଟ ବି ତା ପଛେ ପଛେ ଡଙ୍ଗା ଭିତରୁ ଡେଇଁ ପଡ଼ିଲେ ତଳକୁ ।

 

‘‘ଟାଣିଆଣ ତାକୁ କୂଳକୁ ।’’

 

ଉଦବେଳିତ ତରଙ୍ଗର ଆଘାତରେ ଅନ୍ଧ ହୋଇ ସେମାନେ ଜାବୋଡ଼ି ଧରିଥାନ୍ତି ଡଙ୍ଗାଟାକୁ । ଟାଣି ଟାଣି ତାକୁ ନେଇ ପହଞ୍ଚାଇ ଦେଲେ ବାଲି ଉପରେ । ସଙ୍ଗେ ସଙ୍ଗେ ରାଇଫଲ୍‌ତକ ଉଠେଇ ନେଲା ମାର‍୍ୟୁତ୍‌କା ଡଙ୍ଗା ଭିତରୁ ।

 

‘‘ଡଙ୍ଗା ଭିତରୁ ବାହାରି କରି ଆଣ ଖାଦ୍ୟ ବସ୍ତାଗୁଡ଼ାକ !’’

 

ଅତି ବିନୀତଭାବେ ତାର ଆଜ୍ଞା ପାଳନ କଲେ ଲେଫଟ୍‌ନାଣ୍ଟ । କୂଳରେ ଗୋଟିଏ ଶୁଖିଲା ଜାଗାକୁ ଉଠିଯାଇ ମାର‍୍ୟୁତ୍‌କା ପକାଇଦେଲା ରାଇଫେଲ୍‍ଗୁଡ଼ାକୁ ବାଲି ଉପରେ । ଲେଫଟ୍‌ନାଣ୍ଟ ମଧ୍ୟ ବସ୍ତାତକ ନେଇ ଥୋଇଲେ ସେଇଠି ।

 

ପୁଣି ଥରେ ସେଇ ଅନ୍ଧକାର ଭିତରକୁ ଡାକ ପକାଇଲା ମାର‍୍ୟୁତ୍‌କା, ‘‘ସେ....ମି....ୟା....ନ୍ନି ! ଭ୍ୟା.....ୟା....ଖି....ର୍‌ !’’

 

କୌଣସି ଉତ୍ତର ମିଳିଲା ନାହିଁ କେଉଁଠୁ ।

 

ବସ୍ତାଗୁଡ଼ାକ ଉପରେ ବସିପଡ଼ି କଇଁ କଇଁ ହୋଇ କାନ୍ଦି ଉଠିଲା ମାର‍୍ୟୁତ୍‌କା, କାନ୍ଦି ଉଠିଲା ନାରୀଟିଏ ସେ—ନାରୀଟିଏ ପରି ।

 

ଲେଫଟ୍‌ନାଣ୍ଟ ଠିଆ ହୋଇ ରହିଥାନ୍ତି ତା ପଛ ପଟରେ, ଶୀତରେ ଥୁ ରୁ ଥୁ ରୁ ହେଉଥାନ୍ତି ସେ, ଦାନ୍ତରେ ଦାନ୍ତ ବାଜୁଥାଏ ଠକ୍‌ ଠକ୍‌ ହୋଇ । ସେହି ଦୁର୍ବିପାକ ଭିତରେ ବି କାନ୍ଧଟାକୁ ଟିକିଏ ଦୋହଲାଇ ଦେଇ କହି ଉଠିଲେ ଉଦ୍ଦାମ ହାୱାକୁ,—‘‘ରବିନ୍‌ସନ୍‌ କ୍ରୁସୋ ଆଉ ତାର ବନ୍ଧୁ ଫ୍ରାଇଡେ !’’

Image

 

ଷଷ୍ଠ ଅଧ୍ୟାୟ

 

ଯେଉଁଥିରେ ଲିପିବଦ୍ଧ ହୋଇଛି ସେମାନଙ୍କର ଦ୍ୱିତୀୟ କଥୋପକଥନର ବିବରଣୀ ଆଉ ହିମାଙ୍କଠାରୁ ଦୁଇ ଡିଗ୍ରୀ ଅଧିକ ଥଣ୍ଡାରେ ସାଗର–ସ୍ନାନ-ପ୍ରାଦୁର୍ଭାବର ବର୍ଣ୍ଣନା......

 

ମାର‍୍ୟୁତ୍‌କାର କାନ୍ଧଟାକୁ ଆସ୍ତେ ଛୁଇଁଦେଲେ ଲେଫଟ୍‌ନାଣ୍ଟ । ଚେଷ୍ଟାକଲେ ପଦେ କିଛି କହିବାକୁ; କିନ୍ତୁ ପାରିଲେ ନାହିଁ । ଦାନ୍ତଗୁଡ଼ାକ ଆହୁରି ଜୋରରେ ଠକ୍‌ ଠକ୍‌ ହୋଇ ବାଜି ଉଠିଲା । ହାତଟାକୁ ମୁଠାକରି ସେ ପାଟି ଭିତରେ ପୂରେଇ ଦେଲେ ପାଟିର କମ୍ପନ ବନ୍ଦ କରିବା ପାଇଁ ।

 

‘‘କାନ୍ଦିଲେ କିଛି ହେବନାହିଁ ଆଉ’’, ବହୁ କଷ୍ଟରେ କହି ପକାଇଲେ ଏତକ, ‘‘ଆମକୁ ଟିକିଏ ଚାଲବୁଲ କରିବାକୁ ହେବ । ନ ହେଲେ ଏଇଠି ବସି ରହିଲେ ବରଫ ପାଲଟିଯିବା ଯେ !’’

 

ମୁଣ୍ଡ ଟେକିଲା ମାର‍୍ୟୁତ୍‌କା ।

 

‘‘କେଉଁଠିକି ଆଉ ଯିବା ?’’ ଅତି ହତାଶ କଣ୍ଠରେ ପଚାରିଲା—‘‘ଏଇଟା ତ ଗୋଟାଏ ଦ୍ୱୀପ । ଚାରିପଟେ ପାଣି ଛଡ଼ା ଆଉ କିଛି ନାହିଁ ।’’

 

‘‘ତଥାପି ଆମକୁ ଏଇଠୁ ଉଠିବାକୁ ହେବ । କେଉଁଠି ଚାଳିଆ ଖଣ୍ଡେ ହୁଏତ ମିଳିଯାଇପାରେ !’’

 

‘‘ତମେ କେମିତି ଜାଣିଲ ? ତମେ କ’ଣ ଏଇଠିକି ଆଗରୁ ଆସିଥିଲ କେବେ ?’’

 

‘‘ନାଁ । କିନ୍ତୁ ମୁଁ ସ୍କୁଲରେ ପଢ଼ିଲାବେଳେ ବହିରୁ ପଢ଼ିଥିଲି ଯେ ମାଛଧରାଳିମାନେ ଏହି ଦ୍ୱୀପରେ ଚାଳିଆ ଖଣ୍ଡେ ଖଣ୍ଡେ ତୋଳିଥାନ୍ତି ସେମାନଙ୍କର ମାଛ ସାଇତି ରଖିବା ପାଇଁ । ଆମକୁ ଖୋଜି ବାହାର କରିବାକୁ ପଡ଼ିବ ସେଇ ଚାଳିଆରୁ ଖଣ୍ଡେ ।’’

 

‘‘ଖୋଜି ପାଇଲେ, ସେଇଠୁ, କ’ଣଟା ହୋଇଯିବ ?’’

 

‘‘ସେ କଥା ସକାଳେ ବିଚାର କରାଯିବ । ଏଥର ଉଠ, ଫ୍ରାଇଡେ !’’

 

ଭୟଭୀତ ହୋଇ ମାର‍୍ୟୁତ୍‌କା ଚାହିଁଲା ତାଙ୍କ ଆଡ଼େ ।

 

‘‘ହେ ଭଗବାନ ! ଲୋକଟା ତ ଭାରି ବୋକା ଦେଖୁଛି, କଣ କରିବି ମୁଁ ୟାକୁ ନେଇ-।’’ ଆଃ, ଆଜି ଶୁକ୍ରବାର [ଫ୍ରାଇଡେ] ନୁହଁରେ ତ୍ରିଦିବସୁନ୍ଦର !

 

‘‘ବୁଧବାର ଆଜି ।’’

 

‘‘ହଉ ହେଲା, ମୋ କଥା ଆଉ ଧର ନାହିଁ ମନରେ । ସେ ବିଷୟ ପରେ ଆଲୋଚନା କରିବା ପଛେ ! ଉଠ ଏଥର !’’

 

ସୁନା ପିଲାଟି ପରି କଥା ମାନି ଉଠିଲା ମାର‍୍ୟୁତ୍‌କା । ରାଇଫେଲ୍‍ଗୁଡ଼ାକ ଉଠାଇନେବା ପାଇଁ ନଇଁପଡ଼ିଲେ ଲେଫଟ୍‌ନାଣ୍ଟ୍‌ । କିନ୍ତୁ ମାର‍୍ୟୁତ୍‌କା ଠେଲି ଦେଲା ତାଙ୍କର ହାତଟାକୁ ।

 

‘‘ସେ ଚାଲାକି ଆଉ ଚଳିବ ନାହିଁ ! ତମେ ମତେ କଥା ଦେଇଛ, ଖସି ପଳାଇବା ପାଇଁ ଚେଷ୍ଟା କରିବ ନାହିଁ !’’

 

ହାତଟାକୁ ହଟେଇ ନେଇ ହୋ ହୋ ହୋଇ ହସି ଉଠିଲେ ଲେଫଟ୍‌ନାଣ୍ଟ । ବଡ଼ କର୍କଶ, ଉନ୍ମତ୍ତ ସେ ହସ !

 

‘‘ଯାହା ଜଣାପଡ଼ୁଛି ତୁମେଇ ଅସଲ ବୋକୀ, ମୁଁ ନୁହଁ । ଟିକିଏ ବୁଦ୍ଧି ଖଟାଅ ବୋକୀମଣି ! ଏଠୁ ଖସି ପଳାଇ ଯିବି କୁଆଡ଼େ ମୁଁ ? ମୁଁ ଖାଲି ଚାହୁଁ ଥିଲି ତୁମକୁ ସାହାଯ୍ୟ କରିବା ପାଇଁ । ରାଇଫେଲ୍‍ଗୁଡ଼ାକ ଭାରି ଓଜନ ।’’

 

ଆଶ୍ୱସ୍ତ ହେଲା ମାର‍୍ୟୁତ୍‌କା ।

 

‘‘ବହୁତ ଧନ୍ୟବାଦ ତମର ସାହାଯ୍ୟ ପାଇଁ ।’’ ବେଶ୍‌ କୋମଳ ଅଥଚ ଗମ୍ଭୀର କଣ୍ଠରେ କହିଲା ସେ, ‘‘କିନ୍ତୁ ମତେ ହୁକୁମ ହୋଇଛି, ତମକୁ ନେଇ ଆମର ପ୍ରଧାନ ଦପ୍ତରରେ ପହଞ୍ଚାଇ ଦେବା ପାଇଁ । ତେଣୁ ତମ ହାତରେ ବନ୍ଧୁକ ଛାଡ଼ି ଦେଇ ପାରିବି ନାହିଁ ମୁଁ ।’’

 

କାନ୍ଧ ଦି’ଟାକୁ ଟିକିଏ ଝାଙ୍କି ଦେଇ ଲେଫଟ୍‌ନାଣ୍ଟ ଉଠାଇଲେ ବସ୍ତାଗୁଡ଼ାକ ଆଗେ ଆଗେ ଚାଲିଲେ ମାର‍୍ୟୁତ୍‌କାର ।

 

ବରଫାବୃତ ବାଲିଗୁଡ଼ାକ ମସ୍‌ ମସ୍‌ ହୋଇ ଉଠିଲା ସେମାନଙ୍କର ପାଦ ତଳେ । ପାଦ ତଳୁ ପଥ ଆଉ ସରୁ ନଥାଏ, ମନେ ହେଉଥାଏ, ଯେମିତି ଏଇ କଦର୍ଯ୍ୟ ସମତଳ ବେଳାଭୂମିର ଆଉ ଅନ୍ତ ନାହିଁ । ଦୂରରେ ସେମାନଙ୍କର ଦୃଷ୍ଟିପଥରେ ଚହଲିଗଲା ତୁଷାର-ଘେରା ଗୋଟାଏ ଧୂସର ବସ୍ତୁ-

 

ତିନିଟା ଓଜନିଆ ରାଇଫେଲ୍‍ର ଭାର ତଳେ ଟଳଟଳ ହୋଇଗଲା ମାର‍୍ୟୁତ୍‌କା ।

 

‘‘ସମ୍ଭାଳି ! ସମ୍ଭାଳି ! ମେରିଆ ଫିଲାତୋଭ୍‌ନା ! ଏଥର ଟିକିଏ ଚେଙ୍ଗା ହୋଇ ଉଠ ! ଆମେ ତ ଆସି ପ୍ରାୟ ପହଞ୍ଚିଗଲେଣି ସେଇଠି, ସେଇ ଯାହା ଦେଖାଯାଉଛି ସେଇଟା ଗୋଟାଏ ଚାଳିଆ ହୋଇଥିବ ନିଶ୍ଚୟ !’’

 

‘‘ହୁଅନ୍ତା କି ! ଆଉ ପାରିବି ନାହିଁ । ବରଫ ପାଲଟି ଗଲିଣି ମୁଁ !’’

 

ମୁଣ୍ଡ ନୁଆଁଇ ସେମାନେ ଯାଇ ପଶିଗଲେ ସେଇ ଚାଳିଆ ଭିତରେ । ଭିତରଟା ପିଚୁ ପରି କିଟି କିଟି ଅନ୍ଧାର । ଶୁଖୁଆ ଆଉ ସନ୍ତସନ୍ତିଆ ଗନ୍ଧରେ ଭରି ରହିଛି ଚାଳିଆ ଭିତରଟା ।

 

ଭିତରେ ଅଣ୍ଡାଳି ଅଣ୍ଡାଳି ବାଟ ଖୋଜୁ ଖୋଜୁ ଗଦାଏ ଶୁଖୁଆ ବାଜିଲା ତାଙ୍କ ହାତରେ-

 

‘‘ଆରେ ମାଛ ! ଏଠି ଅନ୍ତତଃ ଖାଇବାକୁ ନ ପାଇ ମରି ଯିବାନି ଆମେ !’’

 

‘‘ଆଲୁଅଟିଏ ଥା’ନ୍ତା କି ପାଖରେ ! ଆଲୁଅରେ ଟିକିଏ ଦେଖି ପାରିଲେ କେଉଁଠି କୋଣଟିଏ ଖୋଜି ଆଶ୍ରୟ ନେଇ ପାରନ୍ତେ । ଏଇ ତୋଫାନୀ ପବନରୁ ବଞ୍ଚିଯାନ୍ତା ମଣିଷ !’’ କୁନ୍ଥେଇ କୁନ୍ଥେଇ କହିଲା ମାର‍୍ୟୁତ୍‌କା । ଏମିତି ଜାଗାରେ ତ ଆଉ ବିଜୁଳି ଆଲୁଅ କେହି ଖଞ୍ଜି ଦେଇନି ତୁମ ପାଇଁ-!’’

 

‘‘ଆମେ ମାଛଗୁଡ଼ାକୁ ଜାଳନ୍ତେ-ଦେଖୁନେ କେମିତି ଚର୍ବି ଖୁନ୍ଦି ହୋଇ ଚିକଣିଆ ହୋଇଛନ୍ତି ଏଇ ମାଛଗୁଡ଼ାକ ।’’

 

ହସି ଉଠିଲେ ପୁଣି ଲେଫଟ୍‌ନାଣ୍ଟ ।

 

‘‘ମାଛଗୁଡ଼ାକୁ ଜାଳିବ ? ଯାହା କହ ସତକୁ ସତ ତୁମେ ଗୋଟାଏ ନିପଟ ବୋକୀ ?’’

 

‘‘କାହିଁକି ?’’ ଟିକିଏ ଚିଡ଼ିଯାଇ କହିଲା ମାର‍୍ୟୁତ୍‌କା । ‘‘ମୁଁ ଯେଉଁ ଭଲ୍‌ଗା ତୀରରୁ ଆସିଛି, ସେଠି ମନଇଚ୍ଛା ମାଛ ଆମେ ଜାଳୁ । କାଠ ଅପେକ୍ଷା ମାଛ ଭଲ ଜଳେ ।’’

 

‘‘ଏଇ ପ୍ରଥମ କରି ଶୁଣୁଛି ମୁଁ ଏକଥା । କିନ୍ତୁ କହିଲ ନିଆଁ ଲଗେଇବା କେମିତି ? ମୋ ପାଖରେ ଝକମକି ପଥର ଅଛି, କିନ୍ତୁ ଶୁଖିଲା କାଠି କୁଟା ପାଇବା କେଉଁଠୁ.....’’

 

‘‘ଓଃ, କେଡ଼େ ବୋକା ମ ତମେ ! ଯେ କେହି ତମକୁ ଦେଖିଲେ କହିବ ତମେ ମାଆର ପଣତ ଉହାଡ଼ରେ ବଢ଼ି ବଢ଼ି ମଣିଷ ହୋଇଛ । ଏଇ ନିଅ ଏଇ କାର୍ଟ୍ରିଜଗୁଡ଼ାକ । ୟାକୁ ସବୁ ଚିରି ଫିଟେଇ ଦିଅ । ମୁଁ ଯାଏ, କାଠିକୁଟା କିଛି ଟାଣି ଆଣେ ଚାଳରୁ ।’’

 

ଲେଫଟ୍‌ନାଣ୍ଟଙ୍କର ଆଙ୍ଗୁଠିଗୁଡ଼ାକ ଏତେ କୋଲମାରି ଯାଇଥିଲା ଯେ ତିନିଟା କାର୍ଟ୍ରିଜ୍‌କୁ ଛିଣ୍ଡେଇ ଫିଟେଇବା ପାଇଁ ସେ ବେଦମ୍‌ ହୋଇ ପଡ଼ିଲେ । କାଠିକୁଟା କେଇଖଣ୍ଡ ଗୋଟେଇ ଫେରି ଆସୁ ଆସୁ କୁଡ଼ିଆର ସେଇ ଅନ୍ଧକାର ଭିତରେ ମାର‍୍ୟୁତ୍‌କା ପ୍ରାୟ ତାଙ୍କ ଉପରେ ଝୁଣ୍ଟି ଓଲଟି ପଡ଼ି ଯାଇଥାନ୍ତା । ପଡ଼ୁ ପଡ଼ୁ ରହିଗଲା ସେ ।

 

‘‘ନିଅ, ବାରୁଦଗୁଡ଼ାକ ଏଇଠି ଝାଡ଼ି ଦିଅ । ଗୋଟାଏ ଛୋଟ ଗଦା କରିଦିଅ । ଆଉ ଆଣ ତମର ସେଇ ଝକମକି ପଥରଟା ।’’

 

ଛିଣ୍ଡା କନା ନେଇ ସେମାନେ ସଳିତାଟିଏ ତିଆରି କଲେ । ଅନ୍ଧକାର ଭିତରେ ଛୋଟ ନାରଙ୍ଗୀ ରଙ୍ଗର ଆଭାଟିଏ ପରି ଚିକ୍‌ଚିକ୍‌ ହୋଇ ଜଳି ଉଠିଲା ସଳିତାଟି । ମାର‍୍ୟୁତ୍‌କା ସଳିତାଟି ନେଇ ପୂରେଇ ଦେଲା ବାରୁଦ ମେଞ୍ଚା ଭିତରେ । ସାଇଁ ସାଇଁ ହୋଇ ଜଳି ଉଠିଲା ବାରୁଦର ସ୍ତୁପ । ଧୀରେ ଧୀରେ ଶିହରି ଉଠିଲା ତାର ପୀତାଭ ଅଗ୍ନିଶିଖା । ତାପରେ କ୍ରମେ କ୍ରମେ ସେଇ ଲେଲିହାନ ଶିଖା ଚାଟି ନେଇଗଲା ଶୁଖିଲା କାଠିକୁଟାଗୁଡ଼ାକୁ ।

 

‘‘ଜଳିଲା, ଜଳିଲା !’’ ଆନନ୍ଦରେ ପାଟିକରି ଉଠିଲା ମାର‍୍ୟୁତ୍‌କା । ‘‘ଦିଅ, ଆଣ ଏଥର କେତୁଟା ମାଛ—ସେଇ ଭେକିଟି ମାଛଗୁଡ଼ାକ ନେଇ ଆସ-ସେଇଗୁଡ଼ାକ ସବୁଠୁ ମୋଟା ।’’

 

ଜଳନ୍ତା ନିଆଁ ଉପରେ ମାଛଗୁଡ଼ାକୁ ଥାକ ଥାକ କରି ସୁନ୍ଦର ଭାବେ ସଜେଇ ଥୋଇ ଦେଲେ ସେମାନେ । ପ୍ରଥମେ ପ୍ରଥମେ ଟିକିଏ ଚଡ଼ଚଡ଼ ହୋଇ ତାପରେ ହଠାତ୍‌ ଦାଉ ଦାଉ ହୋଇ ଜଳି ଉଠିଲେ ମାଛଗୁଡ଼ାକ, ଗୋଟାଏ ଉଜ୍ଜ୍ୱଳ ଉତ୍ତପ୍ତ ଶିଖା ମେଲିଦେଇ ।

 

‘‘ଏଥର ଖାଲି ବସି ବସି ମାଛ ମୁହାଁଇଲେ ହେଲା । ତା ଛଡ଼ା ଆଉ କିଛି କରିବାର ନାହିଁ ଆମର । ଯଥେଷ୍ଟ ମାଛ ଅଛି ଏଇଠି, ଛ’ମାସ ଚାଲିଯିବ ଏଥିରେ ।’’

 

ଆଖି ବୁଲେଇ ଚାରିଆଡ଼କୁ ଟିକିଏ ଚାହିଁଲା ମାର‍୍ୟୁତ୍‌କା । ବିରାଟ ଥାକମରା ମାଛ ଗଦାଗୁଡ଼ାକ ଉପରେ ଥରି ଥରି ନାଚି ଉଠୁଛି ଲେଲିହାନ ଅଗ୍ନିଶିଖାର ଛାଇ । ତାର ଆଲୋକରେ ଆଲୋକିତ ହୋଇ ଉଠିଛି କୁଡ଼ିଆଟି । ଦିଶିଯାଉଛି କୁଡ଼ିଆର ସେଇ କାଠ ପଟାର କାନ୍ଥଗୁଡ଼ାକ ଦେହରେ ଅଗଣିତ ଫାଟ ଆଉ କଣା ।

 

ମାର‍୍ୟୁତ୍‌କା ଉଠି ଚାଲିଗଲା ବୁଲି ବୁଲି କୁଡ଼ିଆଟି ଦେଖିବାପାଇଁ ।

 

‘‘ଆରେ, ଏଇଠି ତ ଭଲ ଜାଗାଟିଏ ଅଛି । କାନ୍ଥରେ କଣାଫଣା କିଛି ନାହିଁ,’’ ହଠାତ୍‌ ସେ ପାଟିକରି ଡାକ ପକାଇଲା କୁଡ଼ିଆର ଗୋଟାଏ କୋଣରୁ । ‘‘ନିଆଁ ଉପରେ ଆହୁରି ଥାକ ଥାକ କରି ମାଛ ତମେ ଥୋଇଦିଅ । ନିଆଁକୁ ନିଭିବାକୁ ଦିଅ ନାହିଁ ମୁହୂର୍ତ୍ତକ ପାଇଁ ସୁଦ୍ଧା । ମୁଁ ଆଗ ସଫା କରିଦିଏ ଏଇ ଜାଗାଟା । ମୁଣ୍ଡ ଟିକିଏ ଗୁଞ୍ଜିବା ପାଇଁ ବେଶ୍‌ ସୁନ୍ଦର ସ୍ଥାନ ହୋଇଯିବ ଏଇଠି ।’’

 

ଜାକିଜୁକି ହୋଇ ଲେଫଟ୍‌ନାଣ୍ଟ ବସି ରହିଲେ ନିଆଁ ପାଖରେ । ଧୀରେ ଧୀରେ ତାଙ୍କ ଦେହରେ ଦେହରେ ସଞ୍ଚରିଗଲା ଅଗ୍ନିର ଉତ୍ତାପ । ଥପ୍‌ ଥପ୍‌ ! ଖସ୍‌ ଖାସ ! କୁଡ଼ିଆର ସେଇ କୋଣରେ ଏପଟୁ ସେପଟୁ ମାଛଗୁଡ଼ାକୁ ଫୋପାଡ଼ିବାରେ ଲାଗିଲା ମାର‍୍ୟୁତ୍‌କା ।

 

‘‘ସବୁ ଠିକ୍‌ଠାକ୍‌ ହୋଇଗଲା’’, ଶେଷରେ ଡାକ ପକାଇଲା ସେ ସେଇଠୁ । ‘‘ଦିଅ, ଆଲୁଅ ଟିକିଏ ଆଣ ଏଇଠିକି ।’’

 

ଗୋଟାଏ ଜଳନ୍ତା ମାଛକୁ ଲାଞ୍ଜଟାରୁ ଟେକି ଧରି ଲେଫଟ୍‌ନାଣ୍ଟ ଗଲେ ସେଇଠିକି ଦେଖିବା ପାଇଁ । ତିନି ପଟୁ ଥାକ ଥାକ କରି ମାଛର କାନ୍ଥ ଉଠେଇ ଦେଇଥାଏ ମାର‍୍ୟୁତ୍‌କା । ଆଉ ମଝିରେ ବେଶ ଖୋଲା, ଟିକିଏ ସ୍ଥାନ, ପ୍ରାୟ ଛ’ଫୁଟର ଚତୁଷ୍କୋଣଟିଏ ହେବ ।

 

‘‘ଭିତରକୁ ଉଠି ଆସ, ଏଥର ଆଉ ଗୋଟାଏ ନିଆଁ ଗଦା କର ଏଇଠି । ମଝିରେ ମୁଁ କିଛି ମାଛ ଗଦେଇ ଦେଇଛି ନିଆଁ ଲଗାଇବା ପାଇଁ । ଯାଏଁ, ଆମର ଜିନିଷପତ୍ର ସବୁ ନେଇ ଆସେ-।’’

 

ସେଇ ଜଳନ୍ତା ମାଛଟାକୁ ନେଇ ମଝି ମାଛଗଦା ତଳେ ଥୋଇଦେଲେ ଲେଫଟ୍‌ନାଣ୍ଟ । ଧୀରେ ଧୀରେ କେମିତି ଟିକିଏ କୁଣ୍ଠିତ ଭାବେ ନିଆଁ ଧରିଲା ସେଇ ମାଛଗଦାରେ । ମାର‍୍ୟୁତ୍‌କା ଫେରି ଆସିଲା କିଛି ସମୟ ପରେ । ରାଇଫଲ୍‌ଗୁଡ଼ାକୁ ରଖିଦେଲା କାନ୍ଥକୁ ଆଉଜେଇ ଦେଇ ଆଉ ସେଇ ବସ୍ତାଗୁଡ଼ାକୁ ପକାଇଦେଲା ତଳେ ।

 

‘‘ଧେତ୍‌ !’’ ଟିକିଏ କେମିତି ବିରକ୍ତ ହୋଇ ମନକୁ ମନ କହିଲା ମାର‍୍ୟୁତ୍‌କା, ‘‘ସେଇ ଦିଟା ଲୋକ ଯେ କାହିଁକି ଯାଇ ବୁଡ଼ିମଲେ ସେଇଠି କେଜାଣି !’’

 

‘‘ଆମର ଓଦା ଲୁଗାଗୁଡ଼ାକ ଏଇ ନିଆଁରେ ଟିକିଏ ଖୁଶେଇ ଦେଲେ ହୁଅନ୍ତା ! ନ ହେଲେ ସନ୍ନିପାତ ଘୋଟିଯିବ ଆମକୁ ।’’ କହିଲେ ଲେଫଟ୍‌ନାଣ୍ଟ ।

 

‘‘ଶୁଖାଉନ ? ମନାକଲା କିଏ ତମକୁ ? ନିଆଁ ତ ଖୁବ୍‌ ଜୋରରେ ଜଳୁଛି । ଦେହରୁ ଲୁଗାପଟା ବାହାର କରିଦେଇ ଶୁଖେଇଲେ ହେବ ।’’

 

ଲେଫଟ୍‌ନାଣ୍ଟ ଟିକିଏ ଇତସ୍ତତଃ ହେଲେ, କହିଲେ, ‘‘ତୁମେ ଆଗ ତୁମର ଲୁଗାପଟା ଶୁଖେଇ ନିଅ ମେରିଆ ଫିଲାତୋଭ୍‌ନା । ମୁଁ ବାହାରେ ଯାଇ ଅପେକ୍ଷା କରୁଛି । ତୁମ କାମ ସରିଗଲେ ମୁଁ ଆସି ମୋ ଲୁଗା ଶୁଖେଇବି ।’’

 

କରୁଣାଭରା ଆଖିରେ ମାର‍୍ୟୁତ୍‌କା ଚାହିଁଲା ତାଙ୍କର ସେଇ କମ୍ପିତ ମୁହଁଟାକୁ ।

 

‘‘ତମଠୁ ବଳି ବୋକା ଆଉ କିଏ ନାହିଁ ଏ ଜଗତରେ । ଗୋଟାଏ ଖାଣ୍ଟି ବୁର୍ଜୁଆ ତମେ । ଏମିତି ଛାନିଆ ହୋଇ ଯାଉଛ କାହିଁକି ? ଲଙ୍ଗଳା ମାଇକିନିଆ କଣ ତମେ ଦେଖିନା କେବେ ଜୀବନରେ ?’’

 

‘‘ନାଁ, ନାଁ, ତା ନୁହଁ ଯେ; ମୁଁ ଭାବୁଥିଲି ତୁମେ କାଳେ କ’ଣ ଭାବିବ....’’

 

‘‘ଧେତ୍‌ ! ଆରେ, ଆମେ ସମସ୍ତେ ତ ଏଇ ରକ୍ତ ମାଂସରେ ଗଢ଼ା । ଦିଅ, ତମର ଜାମାପଟା ଖୋଲିଦିଅ ବୋକା କୋଉଠିକାର !’’ ଗର୍ଜନ କରି ଉଠିଲା ମାର‍୍ୟୁତ୍‌କା । ‘‘ତମ ଦାନ୍ତ ପାଟି ତ କୋଲ ମାରି ଯାଉଛି; ଠକ୍‌ ଠକ୍‌ ହେଉଛି ମେସିନ୍‌ଗନ୍‌ ପରି । ତମ ପରି ଗୋଟାଏ ମଣିଷକୁ ନେଇ କଣ ଯେ କରିବି, କିଛି ବୁଝିପାରୁ ନାହିଁ ।’’

 

ରାଇଫଲ୍‌ଗୁଡ଼ାକ ଉପରେ ଟଙ୍ଗା ହୋଇଥିବା ଲୁଗାପଟାରୁ ଧୀରେ ଧୀରେ ବାମ୍ଫ ଉଠିବାକୁ ଲାଗିଲା । ଗୋଟାଏ ଚମଡ଼ା ଜ୍ୟାକେଟ୍‌ ନେଇ ମାର‍୍ୟୁତ୍‌କା ପକାଇ ଦେଲା ନିଜର କାନ୍ଧ ଉପରେ ।

 

‘‘ଏଥର ଟିକିଏ ଘୁମେଇ ପଡ଼ିଲେ ହେବ । ସକାଳକୁ ହୁଏତ ଝଡ଼ ଥମି ଯାଇପାରେ । ଭାଗ୍ୟ ଭଲ ଆମର, ଡଙ୍ଗାଟା କେମିତି ବୁଡ଼ି ଯାଇନି ସମୁଦ୍ର ଭିତରେ । କାଲି ଝଡ଼ ଟିକିଏ ଥମିଗଲେ ଆଉ ସମୁଦ୍ର ଶାନ୍ତ ହୋଇଗଲେ ଆମେ ସିର୍‌ଦାରିଆ ପର୍ଯ୍ୟନ୍ତ ହୁଏତ ଚାଲିଯାଇ ପାରିବା । ସେଇଠି ବୋଧହୁଏ ମାଛଧରାଳୀ ଥିବେ । ହଉ, ଏଥର ଶୋଇପଡ଼ । ମୁଁ ଜଗିଛି ଏଇ ନିଆଁଟାକୁ । ମତେ ନିଦ ମାଡ଼ିଲେ ତମକୁ ଉଠେଇ ଦେବି । ପାଳି କରି ଜଗିବା ଆମେ ।’’

 

ତଳେ ଜାମାପଟା ବିଛେଇ ଦେଇ ତା’ ଉପରେ ଶୋଇପଡ଼ିଲେ ଲେପଟ୍‌ନାଣ୍ଟ । ଦେହଟାକୁ ଢାଙ୍କି ଦେଲେ ନିଜର ବଡ଼ କୋଟ୍‌ଟାରେ । ନିଦ୍ରିତ ଅବସ୍ଥାରେ ସେ ଖାଲି ଛଟପଟ ହେଲେ, ମଝିରେ ମଝିରେ କୁନ୍ଥାଉଥାନ୍ତି । ନିସ୍ପନ୍ଦ ଭାବେ ସେଇଠି ବସି ବସି ମାର‍୍ୟୁତ୍‌କା ଲକ୍ଷ୍ୟ କରୁଥାଏ ତାଙ୍କୁ । ତାପରେ ହଠାତ୍‌ କାହିଁକି ନିଜର କାନ୍ଧ ଦିଟାକୁ ଟିକିଏ ଦୋହଲାଇ ଦେଇ କହି ଉଠିଲା, ‘‘ଧେତ୍‌ ! ଭଲ ମଣିଷଟେ ଜୁଟିଛି ମୋ କପାଳକୁ ! ଲୋକଟା ଭାରି ରୋଗିଣା ବୋଧହୁଏ-। ଥଣ୍ଡା ଧରିଲାଣି ନା କ’ଣ ତାକୁ ! ଘରେ ବୋଧହୁଏ ଖାଲି ମଖମଲରେ ଘୋଡ଼େଇ ହୋଇ ଗେଲବସରରେ ବଢ଼ିଥିଲା ! ହେ ଭଗବାନ୍‌, କି ବିଚିତ୍ର ଏ ଜୀବନ ! ମରଣ ହେଉନି ତାକୁ-!’’

 

ସକାଳ ହେଲା । ଛାତର ଫାଙ୍କ ଭିତର ଦେଇ ଝରି ପଡ଼ିଲା ସରୁ ସରୁ ଦିନର ଆଲୋକ-। ମାର‍୍ୟୁତ୍‌କା ଉଠେଇ ଦେଲା ଲେଫଟ୍‌ନାଣ୍ଟଙ୍କୁ ନିଦରୁ ।

 

‘‘ଏ, ଶୁଭୁଛି, ଏଇ ନିଆଁଟାକୁ ଟିକିଏ ଜଗି ରହିଥା । ମୁଁ ଯାଉଛି ସମୁଦ୍ର କୂଳକୁ, ଟିକିଏ ଦେଖି ଆସିବି । ହୁଏତ ଆମ ଲୋକ କେହି ପହଁରି ପହଁରି କୂଳରେ ଆସି ଲାଗିଥିବ !’’

 

ବହୁ କଷ୍ଟରେ ଉଠିଲେ ଲେଫଟ୍‌ନାଣ୍ଟ ।

 

‘‘ମୁଣ୍ଡଟା ଭାରି ବିନ୍ଧୁଛି’’, ମୁଣ୍ଡଟାକୁ ଦୁଇ ହାତରେ ଚାପି ଧରି ଅତି ନୀରସ କଣ୍ଠରେ କହିଲେ ସେ ।

 

‘‘ସେମିତି ଟିକିଏ ହୁଏ—ଏଇ ଯେଉଁ ଧୂଆଁ ଆଉ ଏଇ ଯେଉଁ ପରିଶ୍ରମ; ଏଥିରେ ମୁଣ୍ଡ ବିନ୍ଧିବା ସ୍ୱାଭାବିକ । କିନ୍ତୁ ତା’ କଣ ଭଲ ହୋଇ ଯିବନି ? ନିଅ, ସେଇ ଅଖାଭିତରୁ କିଛି ବିସ୍କୁଟ ନେଇଯାଅ, ଆଉ ମାଛ କେଇଖଣ୍ଡ ଭାଜି ଖାଇଦିଅ । ମୁଣ୍ଡ ବିନ୍ଧା କମିଯିବ ।’’’

 

ରାଇଫଲ୍‌ଟା ଉଠାଇ ଚମଡ଼ା ଜାକେଟଟାକୁ ଟିକିଏ ପୋଛି ଦେଇ ବାହାରକୁ ଚାଲିଗଲା ମାର‍୍ୟୁତ୍‌କା ।

 

ଘୁଷୁରି ଘୁଷୁରି ନିଆଁ ପାଖକୁ ଗଲେ ଲେଫଟ୍‌ନାଣ୍ଟ । ଅଖା ଭିତରୁ ବାହାର କଲେ କେତୋଟି ଦରଭଜା ବିସ୍କୁଟ । ତାପରେ ଧୀରେ ଧୀରେ ନିର୍ଜୀବ ଭାବେ ଚୋବାଇବାକୁ ଲାଗିଲେ ସେତକ । କିନ୍ତୁ କ’ଣ ଟିକିଏ ଖାଇଛନ୍ତି କି ନାହିଁ ବିସ୍କୁଟ ଖଣ୍ଡକ ଖସି ପଡ଼ିଲା ତାଙ୍କ ହାତରୁ ଆଉ ସେ ଟଳି ପଡ଼ିଲେ ତଳେ ସେଇ ନିଆଁ ପାଖରେ ।

 

କାନ୍ଧ ଦିଟାକୁ ହାତରେ ଧରି ଲେଫଟ୍‌ନାଣ୍ଟଙ୍କୁ ପରସ୍ତେ ଝାଙ୍କି ଦେଲା ମାର‍୍ୟୁତ୍‌କା ।

 

‘‘ଉଠ, ଉଠ ! ଧେତ୍‌, ଉଠ ମ ! ସବୁ ସରିଗଲା ଆମର ।’’

 

ଆଖି ଦିଟା ବିସ୍ଫାରିତ ହୋଇଗଲା, ଓଠ ଦିଟା ହାଁ କରି ମେଲା ହୋଇଗଲା ଲେଫଟ୍‌ନାଣ୍ଟଙ୍କର ।

 

‘ଆରେ, ଉଠ ମ କହୁଛି ! ଭେଳା ଆମର ବୁଡ଼ିଗଲା ! ଡଙ୍ଗାଟା କୁଆଡ଼େ ଭାସିଯାଇଛି ସମୁଦ୍ରରେ, କୂଳରେ ଆଉ ନାହିଁ । ଆମ ଦଶ ସରିଗଲା ଏଇଠି !’’

 

ନିର୍ବାକ ହୋଇ ତାରି ଆଡ଼କୁ ବଲବଲ କରି ଅନେଇ ରହିଲେ ଲେଫଟ୍‌ନାଣ୍ଟ ।

 

ମାର‍୍ୟୁତ୍‌କା ମଧ୍ୟ ସେମିତି ଅପଲକ ଆଖିରେ ଅନେଇ ରହିଲା ତାଙ୍କୁ । ତାପରେ ହଠାତ୍‌ ଗୋଟାଏ ହତାଶାମୟ ଦୀର୍ଘଶ୍ୱାସ ବାହାରିଗଲା ତା ଛାତି ଭିତରୁ ।

 

ଲେଫଟ୍‌ନାଣ୍ଟଙ୍କର ସେଇ ଘନନୀଳ ଆଖି ଦିଟା ଉପରେ, ମନେ ହେଲା, କେମିତି ଗୋଟାଏ ପତଳା ପରଦା ମାଡ଼ି ଯାଇଛି । ଅତି ଶୂନ୍ୟ, ଅତି ଅର୍ଥହୀନ ତାଙ୍କର ସେ ଦୃଷ୍ଟି । ମୁହଁଟା ତାଙ୍କର ଝୁଲି ପଡ଼ିଲା ମାର‍୍ୟୁତ୍‌କାର ହାତ ଉପରେ । ମାର‍୍ୟୁତ୍‌କା ଅନୁଭବ କଲା କପାଳରେ ତାଙ୍କର ଖଇଫଟା ତାତି ।

 

‘‘ଶେଷକୁ ଏଇ ଥଣ୍ଡା, ଏଇ ଜର ନେଇ ଆସିଲ ତମେ, ବୋକା କୋଉଠିକାର ! କ’ଣ କରିବିଟି ମୁଁ ତମକୁ ନେଇ ଏଇଠି ?’’

 

ଇଷତ୍‌ ସ୍ଫରିତ ହୋଇ ଉଠିଲା ଲେଫଟ୍‌ନାଣ୍ଟଙ୍କର ଅଧର ଦୁଇଟି । କିନ୍ତୁ କୌଣସି ଶବ୍‌ଦ ନିର୍ଗତ ହେଲା ନାହିଁ ସେଥିରୁ ।

 

ମାର‍୍ୟୁତ୍‌କା ନଇଁ ଆସିଲା ଆହୁରି ଟିକିଏ ତାଙ୍କ ପାଖକୁ ।

 

‘‘ମିଖାଇଲ ଇଭାନୋଭିଚ୍‌....ମତେ ଆଜି ଖରାପ ନମ୍ୱର ଦିଅନ୍ତୁ ନାହିଁ....ମୁଁ ଆଜି ପାଠ ପଢ଼ି ପାରିନାହିଁ....କାଲି ସବୁ ଠିକ୍‌ ଭାବେ ଲେଖି ଦେବି......’’

 

‘‘କ’ଣ ସବୁ ଏମିତି ବାଜେ ବକୁଛ ତମେ ?’’ ଚମକି ପଡ଼ି କହିଲା ମାର‍୍ୟୁତ୍‌କା ।

 

‘‘ଦେଖ୍‌, ଚୋର କୋଉଠିକାର ! .....ବଦ୍‌ମାସ୍‌.....’’ ହଠାତ୍‌ ଟିକିଏ ଉଠିପଡ଼ି ଚିତ୍କାର କରି ଉଠିଲେ ଲେଫଟ୍‌ନାଣ୍ଟ ।

 

ଭୟରେ ଦୁଇ ପାହୁଣ୍ଡ ପଛକୁ ହଟିଗଲା ମାର‍୍ୟୁତ୍‌କା । ମୁହଁଟାକୁ ନିଜର ଢାଙ୍କିଦେଲା ହାତର ଦୁଇ ପାପୁଲିରେ ।

 

ପୁଣି ଥରେ ଟଳି ପଡ଼ିଲେ ଲେଫଟ୍‌ନାଣ୍ଟ ତଳକୁ । ଆଙ୍ଗୁଠିରେ ବାଲିକୁ ବିଦାରି ବିଦାରି ପ୍ରଳାପ କରିବାକୁ ଲାଗିଲେ ରହି ରହି ।

 

ଗୋଟାଏ ହତାଶାମୟ ଅସହାୟ ଦୃଷ୍ଟିରେ ତାଙ୍କୁ ଅନେଇ ଦେଇ ମାର‍୍ୟୁତ୍‌କା ନିଜ ଦେହରୁ କୋଟ୍‌ଟା ବାହାର କରି ବିଛେଇ ଦେଲା ତଳେ । ତାପରେ ବହୁ କଷ୍ଟରେ ଲେଫଟ୍‌ନାଣ୍ଟଙ୍କର ଅସାଢ଼ ଅଚେତ ଦେହଟାକୁ ଟାଣି ନେଇ ଶୁଆଇ ଦେଲା ତା ଉପରେ ଆଉ ତାଙ୍କରି ସେଇ ବଡ଼ କୋଟ୍‌ଟାରେ ଘୋଡ଼େଇ ଦେଲା ତାଙ୍କୁ । ଆଉ ପାରିଲା ନାହିଁ ସେ, ଗୋଟାଏ ମାଂସ ପିଣ୍ଡଳା ପରି ଅତି ଉଦାସ ଭାବେ ନଥ୍‌ କରି ବସି ପଡ଼ିଲା ତାଙ୍କ ପାଖରେ । ଧୀରେ ଧୀରେ ଧାର ଧାର ହୋଇ ଲୁହ ବୋହିଗଲା ତାର କପୋଳ ଉପରେ ।

 

ଲେଫଟ୍‌ନାଣ୍ଟ କିନ୍ତୁ ନିଶ୍ଚଳ ହୋଇ ଶୋଇ ପାରିଲେ ନାହିଁ । ଦେହ ଉପରୁ କୋଟ୍‌ଟାକୁ ଫୋପାଡ଼ି ଦେଇ ଖାଲି ଏପଟ ସେପଟ ହୋଇ ଛଟପଟ ହେଲେ । ମାର‍୍ୟୁତ୍‌କା ପୁଣି ଥରେ କୋଟ୍‌ଟା ନେଇ ଜବରଦସ୍ତ ଘୋଡ଼େଇ ଦେଲା ତାଙ୍କ ଉପରେ, ଆଉ ତାଙ୍କର ଗଳା ଚାରି ପଟେ ଗେଞ୍ଜି ଦେଲା କୋଟ୍‌ଟାକୁ । ମଝିରେ ମଝିରେ ତାଙ୍କର ମୁଣ୍ଡଟି ତଳକୁ ଖସି ଆସିଲେ ତାକୁ ଟେକି ଦେଇ ରଖି ଦେଉଥାଏ କୋଟ୍‌ ଉପରେ ।

 

ଆଖି ଉପରକୁ ଉଠେଇ ଡୋଳା ଗଡ଼େଇ ଗଡ଼େଇ ଶୂନ୍ୟକୁ, ଈଶ୍ୱରଙ୍କୁ ଯେମିତି ଡାକିଲା ସେ—‘‘ସତେ କ’ଣ ସିଏ ମରିଯିବେ ? କ’ଣ କହିବି ମୁଁ ୟେଭ୍‍ଶୁକୋଭ୍‍ଙ୍କୁ ତାହେଲେ ? ହେ ଭଗବାନ୍‌, କ’ଣ କରିବିଟି ମୁଁ ?’’

 

ତାଙ୍କର ଉତ୍ତପ୍ତ ଦେହ ଉପରକୁ ସେ ଝୁଙ୍କି ଆସିଲା ଆହୁରି ଟିକିଏ, ଅନେଇଲା ତାଙ୍କର ସେଇ ଝାପ୍‌ସା ଝାପ୍‌ସା ନୀଳାଭ ଆଖି ଦିଟା ଭିତରକୁ ।

 

କରୁଣାରେ ବିଦ୍ଧ ହୋଇଗଲା ତାର ହୃଦୟ । ଧୀରେ ଧୀରେ ହାତଟା ବଢ଼େଇ ସେ ଆଉଁସିଲା ତାଙ୍କର ମୁଣ୍ଡକୁ—କେରି କେରି କୁଞ୍ଚିତ କେଶ ଉପରେ ଘୂରି ବୁଲିଲା ତାର ପାପୁଲିଟା । ତାପରେ ଆସ୍ତେ ଆସ୍ତେ ଆଞ୍ଜୁଳା କରି ହାତକୁ, ଟେକି ନେଲା ତାଙ୍କର ମଥାଟି । ମମତାପ୍ଳୁତ ହୋଇଉଠିଲା ତାର କଣ୍ଠ, ମର୍ମରି ଉଠିଲା ସୁକୁମାର ସ୍ୱରରେ—‘‘ଆଃ, କୁନିଟି ମୋର, ନୀଳ ଆଖିଆ କୁନିଟି ମୋର !’’

Image

 

ସପ୍ତମ ଅଧ୍ୟାୟ

 

ଯାହା ପ୍ରଥମେ ପ୍ରଥମେ ଅବୋଧ୍ୟ ମନେ ହେବ କିନ୍ତୁ ପରିଷ୍କାର ହୋଇଯିବ ଶେଷରେ.......

 

ରୂପାର ତୂରୀ ଆଉ ତୂରୀରେ ଲାଗିଛି ଛୋଟ ଛୋଟ ଘଣ୍ଟି ଘାଗୁଡ଼ି ।

 

ତୂରୀ ବାଜୁଛି, ଧୀରେ ଧୀରେ କୋମଳ ଧ୍ୱନିରେ ଅନୁରଣିତ ହୋଇ ଉଠୁଛି ଘାଗୁଡ଼ିମାଳ, କାଚ ଗିଲାସ ଭିତରେ କୁନି କୁନି ବରଫର ଟୁକୁରା ପରି—

 

‘‘ରୁଣୁ ଝୁଣୁ.......ଟୁଣୁ ଟୁଣୁ’’

‘‘ଟୁଣୁ ଟୁଣୁ.....ରୁଣୁ ଝୁଣୁ !

‘‘ତୁ....ତୁତ୍‌.....ତୁତ୍‌....ତୁ....ତୁ.....’’

 

ବାଜି ଉଠୁଛି ତୂରୀ ।

 

ସାମରିକ ବାହିନୀର ପରେଡ୍‍ ଚାଲିଛି । ହଁ, ପରେଡ୍‍ । ସନ୍ଦେହ କରିବାର କିଛି ନାହିଁ । ଏଇ ତ ସାମରିକ ବାଦ୍ୟ ବାଜୁଛି । ପରେଡ୍‍ ସମୟରେ ଏଇ ବାଜା ତ ବାଜେ ସବୁବେଳେ ।

 

ଏଇ ତ ସେଇ ଛକ । ସେମିତି ସୂର୍ଯ୍ୟାଲୋକ ଝରିପଡ଼ୁଛି ଦେବଦାରୁ ଗଛର ରେଶ୍‌ମୀ ସବୁଜିମା ଭିତର ଦେଇ । ଛକର ମାଟି ଉପରେ ସୂର୍ଯ୍ୟାଲୋକର ଚିତା ପଡ଼ିଛି ଯେମିତି ।

 

ବାଦ୍ୟବୃନ୍ଦର ପରିଚାଳକ ନିର୍ଦ୍ଦେଶ ଦେଉଛନ୍ତି ବାଦ୍ୟକାରମାନଙ୍କୁ । ସେ ପିଠି କରି ଠିଆ ହୋଇଛନ୍ତି ବାଦ୍ୟକାରମାନଙ୍କ ଆଡ଼କୁ । ତାଙ୍କର ସେଇ ଲମ୍ୱା କୋଟ୍‌ର ଗୋଟାଏ ଛିଦ୍ର ଭିତର ଦେଇ ପଦାକୁ ବାହାରି ଆସିଛି ଲାଞ୍ଜଟାଏ, ଠିକ୍‌ ଗୋଟାଏ ବଡ଼ ଲାଲ ଶୃଗାଳର ଲାଞ୍ଜ ପରି । ଆଉ ସେଇ ଲାଞ୍ଜ ଆଗରେ ଗୁନ୍ଥା ହୋଇଛି ସୁନାର ଛୋଟ ପେଣ୍ଡୁଟିଏ । ପେଣ୍ଡୁ ଦେହରେ ଲାଗିଛି ଗୋଟିଏ ଟ୍ୟୁନିଂ ଫର୍କ (ସୁର୍‌ ସୃଜନୀ କଣ୍ଟାଟି) ।

 

ଲାଞ୍ଜଟି ହଲୁଛି ଏପଟରୁ ସେପଟ । ତା ସଙ୍ଗେ ସଙ୍ଗେ ଶବ୍ଦାୟମାନ ହୋଇ ଉଠୁଚି ଟ୍ୟୁନିଂ ଫର୍କ । ଶବ୍‌ଦର ସଙ୍କେତରୁ ବାଦ୍ୟକାରମାନେ ବୁଝିଛନ୍ତି କେତେବେଳେ ତୂରୀ ବଜାଇବାକୁ ହେବ, କେତେବେଳେ ବଜାଇବାକୁ ହେବ ଶିଙ୍ଗା । କୌଣସି ବାଦ୍ୟକାର ହାଇମାରିଲେ ଲାଞ୍ଜର ପ୍ରହାର ଯାଇ ବସି ଯାଉଛି ତାର ଲଲାଟ ଉପରେ ।

 

ବାଦ୍ୟକାରମାନେ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି ବାଜାଗୁଡ଼ିକୁ ଠିକ୍‌ ଭାବେ ବଜାଇବା ପାଇଁ । ବଡ଼ ମଜାର ଏଇ ବାଦ୍ୟକାରଗଣ । ଅତି ସାଧାରଣ ସୈନିକ ସେମାନେ, ପ୍ରହରୀ—ବାହିନୀର ସୈନ୍ୟ, ବିଭିନ୍ନ ରେଜିମେଣ୍ଟର ସୈନ୍ୟ । କେବଳ ସୈନ୍ୟମାନଙ୍କୁ ନେଇ ଏଇ ପରେଡ୍‍ ବାଜା ଚାଲିଛି ।

 

କିନ୍ତୁ ବାଦ୍ୟକାରମାନଙ୍କର ପାଟି ବୋଲି କିଛି ନାହିଁ । ନାକ ତଳୁ ଚିବୁକ ପର୍ଯ୍ୟନ୍ତ ଏକଦମ୍‌ ସିଲପଟ୍‌, ଫାଟ କି ଓଠ ବୋଲି କିଛି ନାହିଁ । ତୂରୀଗୁଡ଼ାକୁ ଗେଞ୍ଜି ଦିଆହୋଇଛି ସେମାନଙ୍କ ନାକର ବାଁ ପୁଡ଼ା ଭିତରେ ।

 

ନାକର ଡାହାଣ ପୁଡ଼ା ଦେଇ ସେମାନେ ନିଃଶ୍ୱାସ ନେଉଛନ୍ତି ଆଉ ବାଁ ପୁଡ଼ା ଦେଇ ତୂରୀ ଫୁଙ୍କୁଛନ୍ତି । ତେଣୁ ଏକ ବିଚିତ୍ର ସ୍ୱର ବାହାରୁଛି ତୂରୀଗୁଡ଼ାକରୁ—ବଡ଼ ମଜାର ସେଇ ସ୍ୱର, ଅଦ୍‍ଭୁତ ତାର ଅନୁରଣନ ।

 

‘‘ସା....ଆ.....ବ୍‌ ଧାନ୍‌ ! ବାଜା ଆରମ୍ଭ କର ।’’

 

‘‘କାନ୍ଧେ ଶସ୍ତ୍ର’’

 

‘‘ରେଜିମେଣ୍ଟ !’’

 

‘‘ବ୍ୟାଟ୍ଟାଲିଅନ୍‌ !’’

 

‘‘କମ୍ପାନୀ !’’

 

‘‘ଏକ ନମ୍ୱର ବ୍ୟାଟ୍ଟାଲିଅନ୍‌, ତେଜ୍ ଚଲୋ !’’ ବାଜୁଛି ତୂରୀ ‘‘ତୁ ତୁତ୍‌ ତୁ ତୁତ୍‌’’, ଅନୁରଣିତ ହୋଇ ଉଠୁଛି ଘଣ୍ଟି ଆଉ ଘାଗୁଡ଼ି ‘‘ରୁଣୁ ଝୁଣୁ....ଟୁଣୁ ଟଣୁ !’’

 

ଆଗେ ଆଗେ ଚାଲିଛନ୍ତି କ୍ୟାପଟେନ୍‌ ଶ୍ୱେତଶୋଭ୍‌ ତାଙ୍କର ସେଇ ଚିକ୍‌କଣ କସରା ଘୋଡ଼ାଟା ଉପରେ ବସି । ନାଚି ନାଚି ଚାଲିଛି ତାଙ୍କର ଘୋଡ଼ା । କ୍ୟାପଟେନ୍‌ଙ୍କର ପଛପଟଟା ଚିକ୍‌କଣ ହୋଇ ଚିପି ହୋଇ ରହିଛି କଟା ଘୁଷୁରିର ଫଡ଼ିଆ ପରି । ଟପ୍‌.....ଟପ୍‌....ଟପ୍‌ । ଚାଲିଛି ଘୋଡ଼ା......

 

‘‘ସାବାସ୍‌, ସୈନିକ ସବୁ !’’

 

‘‘ଟୁଂ ଟାଂ....ଟାଂ ଟୁଂ’’—ବେହେଲାର ସ୍ୱନଟା !

 

‘‘ଲେଫଟ୍‌ନାଣ୍ଟ !’’

 

‘‘ଲେଫଟ୍‌ନାଣ୍ଟ ! ସେନାପତି ଡାକୁଛନ୍ତି, ଲେଫଟ୍‌ନାଣ୍ଟଙ୍କୁ ।’’

 

‘‘କେଉଁ ଲେଫଟ୍‌ନାଣ୍ଟ ?’’

 

‘‘ତିନି ନମ୍ୱର କମ୍ପାନୀର ଲେଫଟ୍‌ନାଣ୍ଟ ! ସେନାପତି ଡାକୁଛନ୍ତି ଲେଫଟ୍‌ନାଣ୍ଟ ଗୋଭ୍‌ରୁଖା ଓତ୍ରକ୍‌ଙ୍କୁ !’’

 

ଛକ ମଝିରେ ସେନାପତି, ବସିଛନ୍ତି ଘୋଡ଼ା ପିଠିରେ । ମୁହଁଟା ଲାଲ ତାଙ୍କର, ନିଶ ହଳକ ଧଳା ଧଳା ।

 

‘‘ୟେ କି ନିର୍ବୋଧତା ଲେଫଟ୍‌ନାଣ୍ଟ ?’’

 

‘‘ହାଃ, ହଃ ! ହୋ, ହୋ ! ହିଃ, ହିଃ !’’

 

‘‘ତୁମେ ପାଗଳ ନାଁ କଣ ? ହସୁଛ ପୁଣି ? ଓଃ, କି ଔଦ୍ଧତ୍ୟ ! ରହ.....ମୁଁ....ଦେଉଛି....ତୁମକୁ....ଠିକ୍‌ କରି ! ଜାଣ ତୁମେ କାହା ସଙ୍ଗରେ କଥାବାର୍ତ୍ତା କରୁଛ ?’’

 

‘‘ହାଃ, ହାଃ ! ହିଃ, ହିଃ ! ଆପଣ ସେନାପତି ନୁହନ୍ତି । ଆପଣ ଗୋଟାଏ ବିଲେଇ, ହଜୁର !’’

 

ଛକ ମଝିରେ ସେନାପତି ବସିଛନ୍ତି ଘୋଡ଼ା ପିଠିରେ । ମୁଣ୍ଡରୁ ଅଣ୍ଟା ପର୍ଯ୍ୟନ୍ତ ଦେଖା ଯାଉଛନ୍ତି ସେନାପତି ପରି । ଅବଶିଷ୍ଟ ଅଂଶ କିନ୍ତୁ ଠିକ୍‌ ବିଲେଇ ପରି । ପୁଣି ଜାତିଆ ବିଲେଇ ନୁହଁ-। ଏଇ ଅତି ସାଧାରଣ ବୁଲା ବିଲେଇ ପରି । ଧୂସର କଳା ରୋଗିଣା ବିଲେଇ ଯେମିତି, ଯେ କୌଣସି ଘରର ବାରିପଟେ ଦେଖାଯାନ୍ତି ସବୁ ।

 

ପାଦରେ ଜିନ୍‌ର ରେକାବ୍‌ଟାକୁ ଚାପି ଧରିଲେ ସେନାପତି ।

 

‘‘ସାମରିକ ଅଦାଲତରେ ତୁମର ବିଚାର ହେବ ଲେଫଟ୍‌ନାଣ୍ଟ । ଛିଃ, ଛିଃ ! ଏମିତି ଶୁଣାଗୁଣା ନାହିଁ କେଉଁଠି । ପ୍ରହରୀବାହିନୀର ଅଫିସର ତୁମେ ! ପରେଡ୍‍ ସମୟରେ ଅନ୍ତନାଡ଼ୀଗୁଡ଼ାକ ଦେଖାଯାଉଛି ପୁଣି ପଦାକୁ !’’

 

ତଳକୁ ଚାହିଁଲେ ଲେଫ୍‌ଟ୍‌ନାଣ୍ଟ । ଆଖି ଦିଟା ଖୋସି ହୋଇଗଲା ତାଙ୍କର, ଚେତା ବୁଡ଼ିଗଲା ଯେମିତି ! ସତକୁ ସତ, ତାଙ୍କର ସ୍କାର୍ଫ ତଳୁ ଅନ୍ତନାଡ଼ୀଗୁଡ଼ାକ ବାହାରି ପଡ଼ିଛି ଯେ ପଦାକୁ । ସରୁ ସରୁ ଶାଗୁଆ ରଙ୍ଗର ନାଡ଼ୀ, ବନ୍ଧା ହୋଇଛି ପୁଣି ତାଙ୍କର ପେଟ ବୋତାମରେ । ବୋତାମଟା ଘିର୍‌ ଘିର୍‌ ହୋଇ ଘୂରୁଛି କେଡ଼େ ବେଗରେ ପାଗଳ ପରି ! ଜାବୁଡ଼ି ଧରିଲେ ସେ ତାଙ୍କର ଅନ୍ତନାଡ଼ୀଗୁଡ଼ିକୁ । କିନ୍ତୁ ଆଙ୍ଗୁଠି ଭିତର ଦେଇ ସେଗୁଡ଼ାକ ଖସିଗଲା ଯେ !

 

‘‘ବନ୍ଦୀ କର ତାଙ୍କୁ ! ଶପଥ ଭଙ୍ଗ କରିଛନ୍ତି ସେ !’’

 

ରେକାବ୍‌ ଭିତରୁ ବିଲେଇ ଥାବାଟାକୁ ନିଜର ବାହାର କରି ଆଣିଲେ ସେନାପତି ! ତାପରେ ପଞ୍ଝା ମେଲି ଚିହିଁକି ଗଲେ ଲେଫଟ୍‌ନାଣ୍ଟଙ୍କ ଆଡ଼କୁ । ତାଙ୍କ ବିଲେଇ ପାଦ ଗୋଇଠିରେ ରୂପାର କଣ୍ଟାଟାଏ, ଆଉ ସେଇ କଣ୍ଟା ଦେହରେ ଖଞ୍ଜା ହୋଇଛି ଗୋଟିଏ ଆଖି ।

 

ଅତି ସାଧାରଣିଆ ସେ ଆଖି । ଗୋଲ ଆଉ ହଳଦିଆ । ଦିଶୁଚି, ସତେ ଯେମିତି ସେ ଅନେଇ ରହିଛି ଲେଫଟ୍‌ନାଣ୍ଟଙ୍କର ହୃଦୟ ଭିତରକୁ—ହୃଦୟର ଗଭୀରତମ ପ୍ରଦେଶକୁ ।

 

ତାଙ୍କ ଆଡ଼କୁ ଅନେଇ ଈଷତ୍‌ ସ୍ଫୁରିତ ହୋଇ ଉଠିଲା ସେ ଆଖି । ସେ ପକ୍ଷ୍ମର ସ୍ଫୁରଣରେ କି ମମତା ! କଥା କହିବାକୁ ଆରମ୍ଭ କରିଦେଲା ପୁଣି । ଅଦ୍‍ଭୁତ ! ଆଖିଟିଏ ପୁଣି କଥା କହିବ କେମିତି ? ତଥାପି କଥା କହିଲା ସେଇ ଆଖି—

 

ଭୟ କର ନା ତମେ !’’ ଭୟ କରନା ! ଭଲ ହୋଇ ଆସିଲଣି ତମେ ।’’

 

ତାପରେ ହାତଟିଏ ଆସି ଟେକିଲା ଲେଫଟ୍‌ନାଣ୍ଟଙ୍କ ମୁଣ୍ଡଟିକୁ । ଆଖି ଖୋଲିଲେ ଲେଫଟ୍‌ନାଣ୍ଟ । ଦେଖିଲେ ଛୋଟ ମୁହଁଟିଏ, ସରୁ ମୁହଁଟିଏ ନଇଁ ଆସିଛି ତାଙ୍କ ଆଡ଼କୁ । ସେ ମୁହଁର ଆଖି ଉପରେ ଝୁଲି ପଡ଼ିଛି କେରିଏ ବୋଲି ସୁନେଲୀ ବାଳ । ଅତି ମମତାମୟ ସେ ଆଖିର ଦୃଷ୍ଟି, ଠିକ୍‌ ସେଇ କଣ୍ଟାର ଆଖି ପରି ।

 

‘‘ଓଃ କି ଛାନିଆ କରି ଦେଲ ତମେ ମତେ ! ଆଜିକି ସାତଦିନ ହୋଇଗଲା, ଏମିତି ମୁଁ ଜଗି ବସିଛି ତମକୁ । ପାଖରେ ଆଉ କେହି ବୋଇଲେ କେହି ନାହିଁ । ଔଷଧ ଟିକିଏ ନାହିଁ । ସାହାଯ୍ୟ କରିବାକୁ କିଏବା ଅଛି କେଉଁଠି । ଖାଲି ସିଝା ପାଣି ପିଆଇ ଭଲ କଲି ତମକୁ ମୁଁ । ପ୍ରଥମେ ତମେ ଟୋପାଏ ବି ଛୁଉଁ ନଥିଲ । ଥୁ ଥୁ କରି ଫୋପାଡ଼ି ଦେଉଥିଲ । ଓଃ, କି କଦର୍ଯ୍ୟ ସେ ପାଣି । ଖାଲି ଲୁଣିଆ । ପେଟରେ ପଡ଼ିଲେ ରହୁ ନଥିଲା, ତୁମର ।’’

 

ବହୁ କଷ୍ଟରେ ଲେଫଟ୍‌ନାଣ୍ଟ ବୁଝି ପାରିଲେ ଏହି କେତୋଟି କୋମଳ ଆକୁଳ ଶବ୍‌ଦର ଅର୍ଥ ।

 

ଧୀରେ ଧୀରେ ସେ ମୁଣ୍ଡ ଉଠେଇ ଚାହିଁଲେ ଚାରି ଆଡ଼କୁ; ଚାହିଁଲେ ଫାଙ୍କା, ଅବୁଝ ଦୃଷ୍ଟିରେ ତାଙ୍କର ।

 

ଖାଲି ମାଛ ଆଉ ମାଛ । ଗଦା ଗଦା ମାଛ ଚାରିଆଡ଼େ । ପାଖରେ ଛୋଟ ଚୁଲିଟିଏ, ଜଳୁଛି । ତା ଉପରେ ବସିଛି କେଟ୍‌ଲିଟିଏ । ପାଣି ଫୁଟୁଛି ।

 

‘‘କ’ଣ ୟେ ? କେଉଁଠି ମୁଁ ?’’

 

‘‘ମନେ ପଡ଼ୁନି ତମର ? ଚିହ୍ନି ପାରୁନା ମତେ ? ମୁଁ ମାର‍୍ୟୁତ୍‌କା ପରା !’’

 

ସ୍ୱଚ୍ଛ ଶୁଭ ପାପୁଲିରେ ନିଜର କପାଳକୁ ଟିକିଏ ଘଷିଦେଲେ ଲେଫଟ୍‌ନାଣ୍ଟ । ଆସ୍ତେ ଆସ୍ତେ ଫେରି ଆସିଲା ତାଙ୍କର ସ୍ମରଣ ଶକ୍ତି । ଓଠ ଉପରେ ଉକୁଟି ଉଠିଲା କ୍ଷୀଣ ସ୍ମିତହାସ୍ୟ ।

 

‘‘ଆଃ, ହଁ ! ରବିନ୍‌ସନ୍‌ ଆଉ ଫ୍ରାଇଡେ !’’

 

‘‘ମ, କି କଥା ମ ! ପୁଣି ସେହି ପାଗଳାମି ! ସେଇ ଶୁକ୍ରବାର ଏପର୍ଯ୍ୟନ୍ତ ତମ ମୁଣ୍ଡଭିତରୁ ଯାଇନି ? ଆଜି ପ୍ରକୃତରେ କି ବାର କେଜାଣି, ଦିନ ବାରର ହିସାବ କଣ ଆଉ ଅଛି, ଗଲାଣି ସବୁ ।’’

 

ପୁଣି ଥରେ ମୁରୁକିହସା ଦେଲେ ଲେଫଟ୍‌ନାଣ୍ଟ ।

 

‘‘ମୁଁ ବାର କଥା କହୁ ନାହିଁ । ଫ୍ରାଇଡେଟା ଶୁକ୍ରବାର ନୁହଁ । ଫ୍ରାଇଡେ ଜଣଙ୍କର ନାମ—ସେ ଗୋଟାଏ କାହାଣୀ—ଜାହାଜ ଡୁବି ପରେ ଜଣେ ଲୋକ କେମିତି ଗୋଟିଏ ମରୁଦ୍ୱୀପରେ ଯାଇ ଆଶ୍ରୟ ନେଇଥିଲା— ତା ସାଙ୍ଗରେ ଆଉ ଜଣେ ଲୋକ ଥିଲା, ତା ନା ଫ୍ରାଇଡେ । ତୁମେ କେବେ ପଢ଼ିନା ସେଇ ବହିଟା ?’’ ଏତକ କହିଦେଇ ଜ୍ୟାକେଟ ଉପରେ ଢଳି ପଡ଼ିଲେ ଲେଫଟ୍‌ନାଣ୍ଟ୍‌; କାଶ ଉଠିଲା ପୁଣି ।

 

‘‘ନାଁ ! ଅନେକ ଗପ ପଢ଼ିଛି । କିନ୍ତୁ ସେ ଗପଟା ପଢ଼ି ନାହିଁ ତ । ଛାଡ଼ ସେକଥା । ଶୋଇପଡ଼, ଚୁପ୍‌ଚାପ୍‌ ହୋଇ ଶୋଇପଡ଼ । ହଲ୍‌ଚଲ ହୁଅନା । ହେଲେ କାଶ ଉଠିବ ଯେ ! ରୋଗ ଓଲଟିବ ଯେ ପୁଣି । ଯାଏଁ, ମାଛ ଦିଟା ସିଝେଇ ଦିଏ । ଖାଇବା ଆରମ୍ଭ କରିଦେଲେ ଦେହରେ ପୁଣି ବଳ ଆସିଯିବ । ସାତଦିନ କାଳ ପାଟିରେ ତ କିଛି ପଡ଼ିନାହିଁ । ଖାଲି ଟୋପାଏ ଟୋପାଏ ପାଣି । ଦେହର ପଞ୍ଜରା ହାଡ଼ ଗଣି ହୋଇଯାଉଛି । ଦିଅ ଏଥର ଶୋଇପଡ଼ିଲ ଟିକିଏ !’’

 

କ୍ଳାନ୍ତ ଅବସନ୍ନ ଭାବେ ଲେଫଟ୍‌ନାଣ୍ଟ ମୁଦିଦେଲେ ତାଙ୍କର ଆଖି ପତା ଦୁଇଟି । ତାଙ୍କ ମୁଣ୍ଡ ଭିତରେ ଏପର୍ଯ୍ୟନ୍ତ ବି ଅନୁରଣିତ ହୋଇ ଉଠୁଥାଏ ସେଇ ଘଣ୍ଟିଘାଗୁଡ଼ିର ଧ୍ୱନି । ସଙ୍ଗେ ସଙ୍ଗେ ତାଙ୍କର ମନେ ପଡ଼ିଗଲା ସେଇ ତୂରୀନାଦ ଆଉ ସେଇ ଘଣ୍ଟିଘାଗୁଡ଼ିର କଥା । ନୀରବ ହସଟିଏ ଫୁଟି ଉଠିଲା ତାଙ୍କର ଓଠ ଉପରେ ।

 

‘‘ହସୁଛ କାହିଁକି ?’’ ପଚାରିଲା ମାର‍୍ୟୁତ୍‌କା ।

 

‘‘ନାଇଁ ସେମିତି କିଛି ନୁହେଁ । ମୋର ମନେ ପଡ଼ିଗଲା ଗୋଟାଏ ଭାରି ମଜାର ସ୍ୱପ୍ନ ମୁଁ ଦେଖିଥିଲି ଜର ସମୟରେ ।’’

 

‘‘ଜର ବେଳେତ ଭାରି ପ୍ରଳାପ କରୁଥିଲ । ମଝିରେ ମଝିରେ ଚିତ୍କାର କରି ଉଠୁଥିଲ । ହୁମୁକ ଦେଉଥିଲ, ଗାଳିଗୁଲଜ କରୁଥିଲ କାହାକୁ । ଓଃ, ମୁଁ ଯାହା ହଇରାଣ ହୋଇଛି ତମ ପାଇଁ; କି ସମୟ ଯାଇଛି ମୋର !

 

ବାହାରେ ରାଉ ରାଉ ଗର୍ଜୁଥାଏ ପବନ, କେହି କୁଆଡ଼େ ନାହିଁ । ଏକୁଟିଆଟି ମୁଁ—ତୁମକୁ ନେଇ, ଏଇଠି, ଏଇ ଦ୍ୱୀପରେ । ଆଉ ତା ସାଙ୍ଗକୁ ତମର ପ୍ରବଳ ଜର ଓ ପ୍ରଳାପ । ଓଃ, ଯେଉଁ ଛାନିଆ ହୋଇଛି ମୁଁ !’’ କହୁ କହୁ ଶିହରି ଉଠିଲା ମାର‍୍ୟୁତ୍‌କା, ‘‘ମୁଁ କିଛି ବୁଝି ପାରିଲି ନାହିଁ କ’ଣ କରିବି !’’

 

‘‘କେମିତି କ’ଣ କଲ ଯେ ?’’

 

‘‘ମୁଁ ନିଜେ ବି ଜାଣେନା କ’ଣ କଲି ! ସବୁଠୁଁ ବେଶି ମୋର ଭାରି ଭୟ ହେଉଥାଏ ନ ଖାଇ ନ ପିଇ ମରିଯିବ ତମେ । ପାଣିଛଡ଼ା ପାଖରେ ତ ଆଉ କିଛି ନଥାଏ ତମକୁ ଦେବା ପାଇଁ । ଯାହା କିଛି ବିସ୍କୁଟ ବଳିଥିଲା, ତାହାକୁ ଗୁଣ୍ଡ କରି ପାଣିରେ ଗୋଳି ତମକୁ ଦେଉଥାଏ । ବିସ୍କୁଟ ସରିଗଲା ପରେ ଆଉ କିଛି ନାହିଁ । ଖାଲି ମାଛ । କିନ୍ତୁ ରୋଗୀକୁ କଣ କିଏ ଲୁଣିମାଛ କେବେ ଦିଏ-? ଯାହାହେଉ ଭାଗ୍ୟକୁ ତମେ ଟିକିଏ ଭଲ ହୋଇ ଆସିଲ ।’’

 

ଧୀରେ ଧୀରେ ଲମ୍ୱା ଲମ୍ୱା ଆଙ୍ଗୁଳି ଗୁଡ଼ିକୁ ଲମ୍ୱେଇ ଦେଇ ମାର‍୍ୟୁତ୍‌କାର ବାହୁ ଉପରେ ପାପୁଲିଟି ରଖିଲେ ଲେଫଟ୍‌ନାଣ୍ଟ । ଉପରେ ମଳି ବସି ଯାଇଥିଲେ ବି ଭାରି ସୁନ୍ଦର ଦେଖାଯାଉଥାଏ ସେଇ ଶୀର୍ଣ୍ଣ ଆଙ୍ଗୁଳିଗୁଡ଼ିକ ।

 

ଆସ୍ତେ ଆସ୍ତେ ମାର‍୍ୟୁତ୍‌କାର ବାହୁକୁ ଥାପୁଡ଼େଇ ଥାପୁଡ଼େଇ କହିଲେ ସେ, ‘‘ଅଶେଷ ଧନ୍ୟବାଦ ମାର‍୍ୟୁତ୍‌କା !’’

 

ଲାଜରା ହୋଇଗଲା ମାର‍୍ୟୁତ୍‌କା । ବାହୁ ଉପରୁ ଲେଫଟ୍‌ନାଣ୍ଟଙ୍କର ପାପୁଲିଟିକୁ ଠେଲି ଦେଇ କହିଲା, ‘‘ଏଥିରେ ଧନ୍ୟବାଦ ଦେବାର କ’ଣ ଅଛି, ୟେତ ଅତି ସ୍ୱାଭାବିକ କଥା । ମୁଁ କଣ ଆଉ ପଶୁଟାଏ ହୋଇଛି କି ଜଣେ ମଣିଷକୁ ଆଖି ଆଗରେ ମରିବା ପାଇଁ ଛାଡ଼ି ଦେଇଥାନ୍ତି ?’’

 

‘‘ଯେତେ ଯାହା ହେଲେ ବି ମୁଁ ତ ଜଣେ ସାମରିକ ଅଫିସର....ଆଉ, ତୁମର ଶତ୍ରୁ । ମତେ ବଞ୍ଚାଇବା ପାଇଁ କାହିଁକି ବା ତୁମେ ଏତେ କଷ୍ଟ ସ୍ୱୀକାର କରିଥାନ୍ତ ? ତୁମେ ନିଜେ ତ ଦରମରା ହୋଇ ଗଲଣି ମୋ ସେବା କରି କରି ।’’

 

ଗୋଟାଏ ପଲକର ବିଭ୍ରାନ୍ତମୟ ନୀରବତା ! ଉଭୟେ ନିର୍ବାକ ହୋଇ ରହିଲେ ମୁହୂର୍ତ୍ତଟିଏ ।

 

କିନ୍ତୁ ସଙ୍ଗେ ସଙ୍ଗେ ହାତଟା ହଲେଇ ଦେଇ, ଛୋଟ ହସଟିଏ ହସିଦେଇ ମାର‍୍ୟୁତ୍‌କା ଉଡ଼େଇଦେଲା ତାର ସମସ୍ୟାକୁ ।

 

‘‘ଶତ୍ରୁ.....ତମେ ? କାହିଁକି, ନିଜ ଆଙ୍ଗୁଠି ଉଠେଇବା ପାଇଁ ବି ତମ ଦେହରେ ଟିକିଏ ଜୋର ନାହିଁ । ତମେ ପୁଣି ମୋର ଶତ୍ରୁ ! ବେଶ୍‌ ଶତ୍ରୁ ତମେ ! ୟେ ମୋ ଭାଗ୍ୟ ବୋଧହୁଏ । ସିଧା ସଳଖ ତମକୁ ଗୁଳି କରି ଦେଇଥିଲେ ଯାଇଥାନ୍ତା । କପାଳ ମୋର, ଲକ୍ଷ୍ୟ ବ୍ୟର୍ଥ ନ ହୁଏ ନା ଏଇ ପ୍ରଥମ ଥର ପାଇଁ ମୋ ଜୀବନରେ, ତମ ସାଙ୍ଗରେ ମତେ ଆଜି ଏମିତି ଘାଣ୍ଟି ହେବାକୁ ନ ପଡ଼େ, ବୁଝିଲ । ମୋର ଏଇ ଦଶାର ଶେଷ ନାହିଁ ବୋଧହୁଏ । ଛାଡ଼, ଏଥିରୁ ଟିକିଏ ଖାଇ ଦେଲ ।’’

 

ପାତ୍ରଟିଏ ବଢ଼େଇଦେଲା ମାର‍୍ୟୁତ୍‌କା ତାଙ୍କ ଆଡ଼କୁ । ପାତ୍ର ଭିତରେ ଇଷ୍‌ତ ହଳଦିଆ ରଙ୍ଗର ସିଝାମାଛ ଭାସୁଥାଏ ଝୋଳ ଉପରେ । କୋମଳ ମାଛଖଣ୍ଡିକରୁ ଉଠି ଆସୁଥାଏ ଏକ ମଧୁରିଆ ମୃଦୁ, ଲୋଭନୀୟ ସୁସ୍ୱାଦୁର ବାସନା !

 

ଝୋଳ ଭିତରୁ ମାଛଟି ଉଠେଇ ନେଇ ବେଶ୍‌ ତୃପ୍ତିରେ ଖାଇଲେ ଲେଫଟ୍‌ନାଣ୍ଟ ।

 

‘‘ଭାରି ଲୁଣିଆ ଏ ମାଛ । ତଣ୍ଟି ପୋଡ଼ି ଯାଉଛି ।’’

 

‘‘ଉପାୟ କଣ କହ । ଭଲ ମଧୁର ପାଣି ଟିକିଏ ଥିଲେ ମାଛଟାକୁ ଭିଜେଇ ଦେଇ ଲୁଣ ତକ ବାହାର କରି ଦେଇଥାନ୍ତି ବା । କିନ୍ତୁ ମଧୁର ପାଣି ମିଳିବ ବା କେଉଁଠି ? ଏଇଠି ଲୁଣି ପାଣି, ଲୁଣିମାଛ—ମରଣ ହେଉନି ଏଗୁଡ଼ାକୁ ।’’

 

ଲେଫଟ୍‌ନାଣ୍ଟ ଆଡ଼େଇ ଦେଲେ ପାତ୍ରଟିକୁ ।

 

‘‘କ’ଣ ହେଲା ପୁଣି ? ପେଟ ପୂରିଲା ଏତିକିରେ ?’’

 

‘‘ଯଥେଷ୍ଟ ହେଲା । ଧନ୍ୟବାଦ । ତୁମେ ଟିକିଏ ଖାଅ ।’’

 

‘‘ମୁଁ ? ସାତ ଦିନ ହେଲା କିଛି ଖାଇ ନାହିଁ ତ; ମୁଁ । କ’ଣ ଆଉ କିଛି ଗଳିବ ମୋ ତଣ୍ଟିରେ !’’

 

କହୁଣୀରେ ଭରା ଦେଇ ଆଉଜି ପଡ଼ିଲେ ଲେଫଟ୍‌ନାଣ୍ଟ ।

 

‘‘ଆଃ ସିଗାରେଟ ଖଣ୍ଡେ ଥାନ୍ତା କି ପାଖରେ ?’’ ଗୋଟାଏ ଦୀର୍ଘଶ୍ୱାସ ପକାଇ ସେ କହିଲେ ।

 

‘‘ସିଗାରେଟ ? ମତେ ତମେ ଆଗରୁ କାହିଁକି କହିଲ ନାହିଁ ? ସେମିୟାନ୍ନିର ମୁଣିରୁ ମୁଁ କିଛି ତମାଖୁ ପାଇଥିଲି । ଟିକିଏ ଭିଜି ଯାଇଥିଲା ପାଣିରେ । ମୁଁ ତାକୁ ଶୁଖେଇ ଦେଇଛି । ଜାଣେ, ତମେ ନିଶ୍ଚୟ ଧୂଆଁ ଟିକିଏ ଟାଣିବାକୁ ଚାହିଁବ । ଜର ପରେ, ପାଟି ଖରାପ ଲାଗିଲେ ଧୂଆଁ ଟାଣିବାକୁ ତ ବେଶି ଇଚ୍ଛା ହୁଏ, ଧୂଆଁଖିଆ ଲୋକର । ହୋଇ ନିଅ ସେତକ— ।’’

 

ଲେଫଟ୍‌ନାଣ୍ଟଙ୍କର ଆଖି ଦୁଇଟି ଛଳ ଛଳ ହୋଇ ଆସିଲା । ଥରିଲା ଥରିଲା ଆଙ୍ଗୁଠିରେ ତମାଖୁର ମୁଣିଟି ସେ ନେଲା ମାର‍୍ୟୁତ୍‌କା ହାତରୁ ।

 

‘‘ହୀରା ଖଣ୍ଡେ ତୁମେ ମାର‍୍ୟୁତ୍‌କା ! କୌଣସି ତାଲିମପ୍ରାପ୍ତ ସେବିକା ତୁମକୁ ପାରିବ ନାହିଁ ।’’

 

‘‘ତୁମ ପରି ବୋକାମାନେ ବୋଧହୁଏ ସେବିକା ବିନା ବଞ୍ଚି ପାରନ୍ତି ନାହିଁ ।’’ ନୀରସ କଣ୍ଠରେ ଜବାବ ଦେଲା ମାର‍୍ୟୁତ୍‌କା । ପର ମୁହୂର୍ତ୍ତରେ କିନ୍ତୁ ଅରକ୍ତ ହୋଇ ଉଠିଲା ତାର କପୋଳ ଦୁଇଟି ।

 

‘‘ସିଗାରେଟ୍‌ ବଳିବି କେମିତି ? କାଗଜ ଖଣ୍ଡେ ତ ପାଖରେ ନାହିଁ । ତମର ସେଇ ଲାଲ ଲୋକଟା ସବୁ କାଗଜ ଛଡ଼େଇ ନେଇଗଲା ମୋଠୁ । ଆଉ ମୋ ପାଇପଟାକୁ ମୁଁ ହଜେଇ ଦେଇଛି କେଉଁଠି ଏଥି ଭିତରେ ।’’

 

‘‘କାଗଜ ?’’ ପ୍ରଶ୍ନକଲା ମାର‍୍ୟୁତ୍‌କା । ଗୋଟାଏ ମୁହୂର୍ତ୍ତ ପାଇଁ ଚିନ୍ତାଚ୍ଛନ୍ନ ହୋଇଗଲା ତା ମୁହଁଟା ।

 

ସଙ୍ଗେ ସଙ୍ଗେ କିନ୍ତୁ ବିଦ୍ୟୁତ୍‌ ଗତିରେ ହାତଟା ବଢ଼େଇ ଦେଇ ଲେଫଟ୍‌ନାଣ୍ଟଙ୍କ ଆଣ୍ଠୁ ଉପରେ ପଡ଼ିଥିବା ଜ୍ୟାକେଟ୍‌ଟାକୁ ସେ ଓଲଟେଇ ଦେଲା । ତାପରେ ପକେଟ ଭିତରେ ହାତ ପୂରେଇ ଟାଣି ଆଣିଲା ମେଞ୍ଚାଏ କାଗଜ । ସେଥିରୁ ଡୋରଟି ଖୋଲି ଦେଇ କେତେଖଣ୍ଡ କାଗଜ ସେ ବଢ଼େଇ ଦେଲା, ‘‘ଏଇ ନିଅ ।’’

 

ଲେଫଟ୍‌ନାଣ୍ଟ କାଗଜତକ ନେଇ ଆଖି ବୁଲାଇ ଆଣିଲେ ତା ଉପରେ । ଚାହିଁଲେ ମାର‍୍ୟୁତ୍‌କାକୁ । ତାଙ୍କର ସେଇ ନୀଳ ଆଖି ଦି’ଟା ଆହୁରି ନୀଳ ହୋଇଗଲା ବିସ୍ମୟରେ ।

 

‘‘କିନ୍ତୁ ୟେ ତ ତୁମର କବିତା ! ତୁମେ ପାଗଳ ନାଁ କ’ଣ ? ନାଁ ନାଁ, ଏଇ କାଗଜ ନେବି ନାହିଁ ମୁଁ ।’’

 

‘‘ଧେତ୍‌ ସିଗାରେଟ୍‌ ବଳି ନିଅ ଜଲଦି । ମୋ ହୃଦୟଟାକୁ ଆଉ ଛିନ୍ନଭିନ୍ନ କରି ଖାଅନାହିଁ-। ମରଣ ହେଉନି ତମକୁ !’’ ପାଟି କରି ଉଠିଲା ମାର‍୍ୟୁତ୍‌କା ।

 

ଅପଲକ ଆଖିରେ ମାର‍୍ୟୁତ୍‌କାଙ୍କୁ ଅନେଇ ରହିଲେ ଲେଫଟ୍‌ନାଣ୍ଟ ।

 

‘‘ଅଶେଷ ଧନ୍ୟବାଦ ମାର‍୍ୟୁତ୍‌କା ! ଜୀବନରେ କେବେ ଭୁଲି ପାରିବି ନାହିଁ ଏକଥା ।’’

 

କାଗଜ ଅଗରୁ ସରୁ ସରୁ ଟୁକୁରାଏ ଚିରି ନେଇ ସିଗାରେଟ୍‌ ଖଣ୍ଡେ ବଳିଲେ, ତାପରେ ସିଗାରେଟରେ ନିଆଁ ଲଗେଇ ସେଇ ନୀଳାଭ ଧୂଆଁର ଲତାୟିତ କୁଣ୍ଡଳୀ ଭିତରେ ଦେଇ ଚାହିଁ ରହିଲେ ଅସୀମ ଶୂନ୍ୟତା ଭିତରକୁ ।

 

ମାର‍୍ୟୁତ୍‌କାର ଶାଣିତ ଦୃଷ୍ଟି ନିବଦ୍ଧ ହୋଇ ରହିଥାଏ ତାଙ୍କ ଉପରେ । ହଠାତ୍‌ ଏଇ ନୀରବତାକୁ ଛିନ୍ନ କରି କହିଲା ମାର‍୍ୟୁତ୍‌କା, ‘‘ଗୋଟାଏ କଥା ମୁଁ ଆଦୌ ବୁଝିପାରୁନାହିଁ । ତମ ଆଖି ଦିଟା ଏତେ ନୀଳ କେମିତି ହେଲା ? ଏମିତି ଆଖି ମୁଁ କେବେ ଦେଖିନାହିଁ ଜୀବନରେ । ତମ ଆଖିର ସେଇ ନୀଳିମା ଏତେ ଗଭୀର ଯେ ସେଥିରେ ମଣିଷ ବୁଡ଼ି ଯିବ ସହଜରେ !’’

 

‘‘ମୁଁ କେମିତି ଜାଣିବି,’’ ଉତ୍ତରଦେଲେ ଲେଫଟ୍‌ନାଣ୍ଟ । ‘‘ଜନ୍ମ ବେଳୁ ମୋ ଆଖି ସେମିତି ନୀଳ । ଅନେକ ଲୋକଙ୍କ ମୁହଁରୁ ଶୁଣିଛି ମୋ ଆଖିର ରଙ୍ଗ କୁଆଡ଼େ ଭାରି ଅଦ୍‍ଭୁତ ।’’

 

‘‘ହଁ, ଭାରି ଅଦ୍‍ଭୁତ । ତମକୁ ଆମେ ବନ୍ଦୀ କରି ନେବା ପରେ ଭାବିଲି ଏଇ ଲୋକଟାର ଆଖି ଦି’ଟା ଏମିତି ନୀଳ କାହିଁକି ? ଅତି ଭୟାନକ, ଅତି ବିପଜ୍ଜନକ ଏ ଆଖି ।’’

 

‘‘କାହା ପାଇଁ ବିପଜ୍ଜନକ ?’’

 

‘‘ନାରୀ ପାଇଁ । ମଣିଷ ଜାଣିବା ପୂର୍ବରୁ ଏ ଆଖି ଭେଦିଯାଏ ତାର ସତ୍ତା ଭିତରକୁ । ଭେଦି ଯାଇ ଆଲୋଡ଼ିତ କରିଦିଏ ତାକୁ !’’

 

‘‘ତୁମକୁ ଭଲା ଆଲୋଡ଼ିତ କରେ ?’’

 

ଚିଡ଼ି ଉଠିଲା ମାର‍୍ୟୁତ୍‌କା ।

 

‘‘ଏତେ କଥା ଜାଣିବା ପାଇଁ ଆଉ ଏମିତି ଶୁଂଘୁ ଶୁଂଘୁ ହୁଅନା, ତମ ପ୍ରଶ୍ନକୁ ରଖିଥା ତମ ମନ ଭିତରେ । ଶୋଇପଡ଼ ଏଥର । ଯାଏଁ ପାଣି ଆଣେ ମୁଁ ।’’

 

ବେପରୁଆ ଭାବେ ପାତ୍ରଟି ଉଠାଇ ନେଇ ଠିଆ ହେଲା ମାର‍୍ୟୁତ୍‌କା । ଧୀର ଧୀରେ ପାଦ ପକେଇଲା ଆଗକୁ । କିନ୍ତୁ ସେ ମାଛଗଦା ଆରପଟକୁ ଯାଇଥାଏ କି ନାହିଁ ପୁଣି ଥରେ ଫେରି ଅନେଇଲା ପଛକୁ । ଆଖି ଦି’ଟା ହସ ହସ ହୋଇ ଉଠିଲା ତା’ର । ସେମିତି କଣ୍ଠରେ ସେ ପୁଣି ଥରେ କହିଲା, ‘‘ନୀଳ ଆଖିଆ ଫାଜିଲି କୋଉଠିକାର !’’

Image

 

ଅଷ୍ଟମ ଅଧ୍ୟାୟ

 

ଯାହାର କୌଣସି ବ୍ୟାଖ୍ୟା ନିଷ୍ପ୍ରୟୋଜନ.....

 

ଚୈତ୍ରର ସୂର୍ଯ୍ୟ । ପବନରେ ପବନରେ ବସନ୍ତର ସ୍ପର୍ଶ ।

 

ଚୈତ୍ରର ସୂର୍ଯ୍ୟ ଆରଲ ସାଗର ଉପରେ, ନୀଳ ନୀଳ ମଖମଲର ବ୍ୟାପ୍ତି ଉପରେ । ଦେହରେ ଆଣେ ସୁକୋମଳ ଆଶ୍ଳେଷ । ଦଂଶନ କରେ କୁନି କୁନି ଉଷୁମ ଉଷୁମ ଦାନ୍ତରେ ସେ; ଉର୍ମି ଉଠାଏ ରକ୍ତେ ରକ୍ତରେ ।

 

ଆଜିକି ତିନିଦିନ ହେଲା ଲେଫଟ୍‌ନାଣ୍ଟ ଟିକିଏ ବାହାରେ ବୁଲଚାଲ କରୁଛନ୍ତି । ହାୱା ଖାଉଛନ୍ତି ।

 

କୁଡ଼ିଆ ବାହାରେ ସେ ଯାଇ ବସୁଛନ୍ତି । କଅଁଳ ସୂର୍ଯ୍ୟ ତଳେ ବସି ବସି ଉଷୁମ ଟାଣୁଛନ୍ତି । ଆଉ ଅନେଇ ରହୁଛନ୍ତି ଚାରିଆଡ଼କୁ ତାଙ୍କର ସେଇ ଗଭୀର ନୀଳ ସାଗର ପରି ନୀଳ ନୀଳ ଆଖି ଦିଟାରେ, ଜୀବନ୍ତ ଉଲ୍ଲାସଭରା ଆଖି ଦି’ଟାରେ ।

 

ମାର‍୍ୟୁତ୍‌କା ବ୍ୟସ୍ତ, ଏହି ଦ୍ୱୀପଟିକୁ ସଂପୂର୍ଣ୍ଣ ରୂପେ ଆବିଷ୍କାର କରିବାରେ !

 

ଧୀରେ ଧୀରେ ପଶ୍ଚିମ ଦିଗନ୍ତରେ ନିଭିଗଲେ ସୂର୍ଯ୍ୟ ।

 

ଏଇ ମାତ୍ର ମାର‍୍ୟୁତ୍‌କା ଫେରି ଆସିଛି ତାର ଶେଷ ଅଭିଯାନରୁ । ଆନନ୍ଦରେ ନାଚି ଉଠୁଛି ତାର ଆଖି ଦି’ଟା ।

‘‘କାଲି ଆମେ ଏଇଠୁ ଉଠିବା,’ କହିଲା ସେ ।

‘‘କେଉଁଠିକି ?’’

‘‘ଏଇ ଟିକିଏ ଆଗକୁ—ଏଇଠୁ ପ୍ରାୟ ଛ’ମାଇଲ ଖଣ୍ଡେ ହେବ ।’’

‘‘କ’ଣ ଅଛି ସେଇଠି ?’’

‘‘ମାଛ ଧରାଳୀମାନଙ୍କର ଘର ଅଛି ସେଇଠି । ରାଜପ୍ରାସାଦ ପରି ଘର । ବେଶ୍‌ ଭଲ, ଭଙ୍ଗାରୁଜା ନୁହେଁ, ଶୁଖିଲା । ଝରକାର କାଚଗୁଡ଼ାକ ବି ଅକ୍ଷତ ହୋଇରହିଛି । ଘର ଭିତରେ ଗୋଟାଏ ବଡ଼ ଚୁଲି ଅଛି ଆଉ ଅଛି ଭଙ୍ଗା ଚୀନାପାତ୍ର । ବେଶ୍‌ କାମରେ ଆସିବ ସେସବୁ । ଖାଲି ସେତିକି ନୁହଁ; ଘର ଭିତରେ ଶୋଇବା ପାଇଁ ପିଣ୍ଡି ମଧ୍ୟ ରହିଛି । ସେଇଠି ଆଉ ତଳେ ଶୋଇବାକୁ ପଡ଼ିବ ନାହିଁ । ଆଃ, ସେଇଠିକି ଆଗରୁ ଚାଲିଯାଇଥିଲେ କେଡ଼େ ସୁବିଧା ହୋଇଥାନ୍ତା !’’

‘‘କିନ୍ତୁ କିଏ ଜାଣିଥିଲା ସେଇଠି ଏମିତି ଗୋଟାଏ ଘର ଅଛି ବୋଲି ।’’

‘‘ହଁ, ଜାଣିଥିଲା କିଏ ! ଜାଣିଛ, ମୁଁ ଆହୁରି ଗୋଟାଏ କଥା ବି ଆବିଷ୍କାର କରିଛି । ଅଦ୍‍ଭୁତ ଆବିଷ୍କାର !’’

‘‘କ’ଣ ?

‘‘ସେଇ ଚୁଲି ପଛପଟେ କିଛି ଖାଦ୍ୟ ମଧ୍ୟ ରହିଛି । ମାଛଧରାଳୀମାନେ ବୋଧହୁଏ ସେମାନଙ୍କର ଖାଦ୍ୟପେୟ ସବୁ ସେଇଠି ଲୁଚେଇ ରଖନ୍ତି । ଯାହା ବଳିଲା, ସେଇଠି ଛାଡ଼ି ଦେଇ ଚାଲିଯାଇଛନ୍ତି । କିଛି ଚାଉଳ ଆଉ ଅଟା ଅଧ ମହଣେ ଖଣ୍ଡେ ହେବ । ଟିକିଏ ଟିକିଏ ଫିମ୍ପି ମାରିଯାଇଛି ଅବଶ୍ୟ । କିନ୍ତୁ ଖାଇହେବ । କାର୍ତ୍ତିକ ମାସରେ ଯେତେବେଳେ ତୋଫାନ ଉଠିଲା, ସେତେବେଳେ ସେମାନେ ଆଗରୁ କେମିତି ଜାଣିପାରି ପଳାଇଛନ୍ତି । ଆଉ ଏସବୁ ଜିନିଷ ସାଙ୍ଗରେ ନେଇ ହଇରାଣ ହେବାକୁ ଚାହିଁନାହାନ୍ତି । ଏଥର ବେଶ୍‌ ଆରାମରେ ଆମେ ଚଳିଯିବା ।’’

ତା’ପରଦିନ ସକାଳେ ସେମାନେ ବାହାରିଲେ ସେମାନଙ୍କର ନୂତନ ଆବାସକୁ । ମାର‍୍ୟୁତ୍‌କା ଆଗେ ଆଗେ ଚାଲିଥାଏ ଓଟ ପରି ସବୁତକ ଜିନିଷପତ୍ର ବୋଝେଇ କରି । ଗୋଟିଏ ହେଲେ ଜିନିଷ ବୋହିବା ପାଇଁ ସେ ଲେଫଟ୍‌ନାଣ୍ଟଙ୍କୁ ଛାଡ଼ି ଦେଲା ନାହିଁ ।

‘‘ତମେ କିଛି ବୁହାବୋହି କରନାହିଁ । କଲେ ପୁଣି ଥରେ ବେରାମ ପଡ଼ିବ । ଅଯଥା ହଇରାଣ । ବ୍ୟସ୍ତ ହୁଅ ନାହିଁ । ମୁଁ ସବୁ ଏକୁଟିଆ ତୁଲେଇ ନେବି । ଜାଣ, ମୁଁ ଧଡ଼ିଆ ହେଲା କ’ଣ ହେଲା ଭାରି ଟାଣୁଆ ।’’

ମଧ୍ୟାହ୍ନ ବେଳକୁ ଯାଇ ସେମାନେ ସେଠି ପହଞ୍ଚିଗଲେ । ଘର ଦ୍ୱାରମୁହଁରୁ ବରଫ ତାଡ଼ି ସଫା କରିଦେଲେ । ଭଙ୍ଗା କବ୍‌ଜାଟାରେ କବାଟକୁ ବାନ୍ଧି ଠିକ କରିଦେଲେ । ଚୁଲିରେ ଶୁଖିଲା ମାଛ ଭର୍ତ୍ତି କରି ତାକୁ ଜାଳିଲେ । ଧୀରେ ଧୀରେ ଉଷୁମ ହୋଇ ଉଠିଲା ସେମାନଙ୍କର ହେମାଳ ଦେହ । ଓଠ ଉପରେ ଫୁଟିଉଠିଲା ତୃପ୍ତିର ସ୍ମିତହାସ୍ୟ ।

‘‘ଆଃ, ବେଶ୍‌ ଆରାମ ଏଇଠି, ନୁହଁ ! ୟାକୁଇ କହନ୍ତି ଜୀବନ !’’

 

‘‘ତୁମେ ଗୋଟାଏ ବିସ୍ମୟ, ମାର‍୍ୟୁତ୍‌କା ! ସାରା ଜୀବନ ତୁମ ପ୍ରତି ମୁଁ କୃତଜ୍ଞ ହୋଇ ରହିବି । ତୁମେ ନ ଥିଲେ ମୁଁ କେଉଁ କାଳୁ ମରି ସାରନ୍ତିଣି ।

 

‘‘ତା ସତ ! ତମେ ଯେମିତି ଗେଲବସର ହୋଇ ବଢ଼ିଛ ନା, ସେଥିରେ ତମେ କଣ ଆଉ ବଞ୍ଚି ରହି ପାରିଥାନ୍ତ !’’

 

ଚୁଲି ଆଡ଼କୁ ହାତ ଦିଟା ବଢ଼େଇ ଦେଇ ସେକି ଦେଲା ମାର‍୍ୟୁତ୍‌କା ।

 

‘‘ବେଶ୍‌ ଉଷୁମ । ଉଷୁମ ପରି ଉଷୁମ । ଆଚ୍ଛା ଏଥର ଆମେ କରିବା କଣ ?’’

 

‘‘ଅପେକ୍ଷା କରିବା । ତା ଛଡ଼ା ଆଉ କ’ଣ ?’’

 

‘‘କେଉଁଥି ପାଇଁ ଅପେକ୍ଷା କରିବା ।’’

 

‘‘ଫାଲ୍‌ଗୁନ ପାଇଁ—ବସନ୍ତ ପାଇଁ । ଆଉ ବେଶି ଦିନ ନାହିଁ । ଏଇତ ମାଘ ଆସି ଅଧା ହେଲାଣି । ଆଉ ସପ୍ତାହେ ଦୁଇ ସପ୍ତାହ ପରେ ମାଛଧରାଳୀମାନେ ଆସିବେ ଏଇଠିକି ସେମାନଙ୍କ ମାଛ ନେବାକୁ ଆଉ ସେମାନେ ଆମକୁ ନିଶ୍ଚୟ ଉଦ୍ଧାର କରିବେ ।’’

 

‘‘ତମ କଥା ସତ ହୁଅନ୍ତା କି ? ଏଇ ଶୁଖିଲା ମାଛ ଆଉ ଫିମ୍ପିମରା ଅଟାରେ ବେଶି ଦିନ ତିଷ୍ଠିରହିବା ଆମ ପକ୍ଷରେ ଆଉ ସମ୍ଭବ ନୁହଁ । ଏମିତି ଆଉ ପନ୍ଦର ଦିନ ଏଇଠି ରହିଗଲେ ମରଣ ସୁନିଶ୍ଚିତ ।’’

 

‘‘ମରଣ ହେଉନି, ମରଣ ହେଉନି, ଏମିତି ତୁମେ ସବୁବେଳେ କହୁଛ କ’ଣ ? କେଉଁଠୁ ଶିଖିଲ ତୁମେ ଏକଥା ?’’

 

‘‘ଆଷ୍ଟ୍ରାଖାନରେ । ସେଇଠି ଆମର ସବୁ ମାଛଧରାଳୀ ଏମିତି କହନ୍ତି । ସେମାନେ ଆଉ ଅସଭ୍ୟ କଥା କହନ୍ତି ନାହିଁ । ଅସଭ୍ୟ ଗାଳି ଗୁଲଜ ମତେ ଭଲ ଲାଗେ ନାହିଁ । କିନ୍ତୁ ମୁଣ୍ଡକୁ ରାଗ ଚହଟି ଗଲେ କିଛି ନା କିଛି ଗୋଟାଏ ତ କହିବାକୁ ପଡ଼ିବ । ତେଣୁ ଏମିତି କହି ମନଟାକୁ ହାଲୁକା ଦିରିଦିଏ ।’’

 

ଡଙ୍କିଟାରେ ସେ ମାଛଗୁଡ଼ାକୁ ଉଖାରି ଦେଲା ଚୁଲି ଭିତରେ ।

 

ତାପରେ କହିଲା, ‘‘ତମେ ଥରେ କହୁଥିଲ ମରୁଦ୍ୱୀପର ଗୋଟାଏ କ’ଣ କାହାଣୀ ଜାଣ-। ମନେ ପଡ଼ୁଛି ତମର ? ସେଇ ଫ୍ରାଇଡେ କଥା ! କହୁନା ମତେ ସେଇ କାହାଣୀଟି । ଏଇଠି ଖାଲିଟାରେ ବସି ବସି ସମୟ ଆଉ କେମିତି କଟିବ ! ଓଃ, ମତେ କାହାଣୀ ଶୁଣିବା ପାଇଁ ଯେ କେଡ଼େ ଭଲ ଲାଗେ ତମେ ବୁଝି ପାରିବ ନାହିଁ । ଆମ ଗାଁର ମାଇପେ ସବୁ ଆସନ୍ତି ମୋ ମାଉସୀ ଘରକୁ ଆଉ ସାଙ୍ଗରେ ନେଇ ଆସିଥାନ୍ତି ବୁଢ଼ୀ ଗୁଗ୍‌ନିଖାକୁ କାହାଣୀ କହିବା ପାଇଁ । ବୁଢ଼ୀର ବୟସ ଶହେ କି ତାଠୁ ଆହୁରି ବେଶି ହେବ । ଅନେକ କଥା ସେ ଦେଖିଛି, ଅନେକ କିଛି ମନେ ରଖିଛି । ନେପୋଲିଅନ୍‌ଙ୍କ କଥା ବି । ଘରେ ମୁଁ ଗୋଟାଏ କୋଣରେ ଜାକିଜୁକି ହୋଇ ବସି ବୁଢ଼ୀର କାହାଣୀ ଶୁଣେ । କାଳେ ମୋ କାନରୁ ଗୋଟାଏ ଶବ୍ଦ ବାଦ୍‌ ପଡ଼ିଯିବ ସେଇଥିପାଇଁ ଜୋରରେ ନିଶ୍ୱାସ ମାରିବାକୁ ବି ମୋର ଭୟ ହୁଏ ।’’

 

‘‘ଶୁଣିବାକୁ ଚାହୁଁଛ ରବିନ୍‌ସନ୍‌ କ୍ରୁସୋ କଥା ? କିନ୍ତୁ ସେ କାହାଣୀର ତ ଅଧାଅଧି ମୁଁ ଭୁଲି ଗଲିଣି । କେଉଁ ଛୁଆବେଳେ ଯାଇ ତାକୁ ପଢ଼ିଥିଲି ।’’

 

‘‘ଚେଷ୍ଟା ଟିକିଏ କର ମନେ ପକାଇବା ପାଇଁ । ନହେଲେ ଯାହା କିଛି ମନେ ପଡ଼ୁଛି କହ-।’’

 

‘‘ହଉ ।’’

 

ଲେଫଟ୍‌ନାଣ୍ଟଙ୍କର ଆଖିପତା ଦିଟା ଅଧା ଅଧା ବୁଜି ହୋଇ ଆସିଲା । ମନ ଖୋଜି ବୁଲିଲା ସ୍ମୃତିର ଗନ୍ତାଘରେ କାହାଣୀର ଖିଅ ପାଇଁ । ଚୁଲି ପାଖ କୋଣରେ ଗୋଟାଏ ପିଣ୍ଡିଉପରେ ମାର‍୍ୟୁତ୍‌କା ବିଛେଇ ଦେଲା ତାର ଚମଡ଼ା ଜ୍ୟାକେଟ୍‌କୁ । ତା ଉପରେ ବସି ପଡ଼ିଲା ଜାକିଜୁକି ହୋଇ ।

 

‘‘ଆସୁନା ଏଇଠି ବସିବ । ଏଇଠି ଥଣ୍ଡା ନାହିଁ, ବେଶ୍‌ ଉଷୁମ ଲାଗୁଛି’’, କହିଲା ସେ ।

 

ଲେଫଟ୍‌ନାଣ୍ଟ ଯାଇ ବସିଲେ ତା ପାଖରେ । ଚୁଲି ମୁଣ୍ଡରୁ ଉଠି ଆସୁଥାଏ କୋମଳ, ଆରାମଦାୟକ ଉତ୍ତାପ ।

 

‘‘ଆରେ, ଆରମ୍ଭ କରୁନା କାହିଁକି ତମେ ? ମୁଁ ଆଉ ଅପେକ୍ଷା କରି ପାରିବି ନାହିଁ । କାହାଣୀ ଶୁଣିବାଠୁ ବଳି ଭଲ ଜିନିଷ ଆଉ କିଛି ନାହିଁ ମୋ ପାଇଁ ।’’

 

ହାତର ପାପୁଲି ଉପରେ ଚିବୁକ ଭରା ଦେଇ ଆରମ୍ଭ କଲେ ଲେଫଟ୍‌ନାଣ୍ଟ—

 

‘ବହୁ ବର୍ଷ ତଳେ ଲିଭରପୁଲ୍‌ ସହରରେ ଜଣେ ଧନୀ ଲୋକଥିଲା । ତା ନାଁ ହେଉଛି ରବିନ୍‌ସନ୍‌ କ୍ରୁସୋ ।

 

‘‘କେଉଁଠି ସେଇ ସହରଟା ?’’

 

‘‘ଇଂଲଣ୍ଡରେ । ହଁ, କ’ଣ କହୁଥିଲି, ଜଣେ ଧନୀ ଲୋକ ଥିଲା ।’’

 

‘‘ରହ, ରହ ଟିକିଏ । ତମେ କହୁଛ ସିଏ ଧନୀ ଲୋକ, ନୁହଁ ? ଆଚ୍ଛା କହିଲ, ଏଇସବୁ ଧନୀ ଲୋକଙ୍କୁ ନେଇ, ଏଇ ରାଜ କୁମାର ଓ ରାଜକୁମାରୀମାନଙ୍କୁ ନେଇ, ଏସବୁ କାହାଣୀ କାହିଁକି ଗଢ଼ା ହୋଇଛି ? ଗରିବ ଲୋକଙ୍କୁ ନେଇ ତ କାଇଁ କିଛି କାହାଣୀ ନାହିଁ ?’’

 

‘‘କେଜାଣି, କହି ପାରିବି ନାହିଁ’’ ଉତ୍ତର ଦେଲେ ଲେଫଟ୍‌ନାଣ୍ଟ । ‘‘ସେକଥା ମୁଁ କେବେ ଚିନ୍ତା କରି ନାହିଁ ।’’

 

‘‘ବୋଧହୁଏ ଏଇ ଧନୀ ଲୋକମାନେ ହିଁ ନିଜେ ଏସବୁ କାହାଣୀ ନିଜ ମନରୁ ଫାନ୍ଦିଛନ୍ତି-। ଏଇ ମୋ ଭଳି । ମୁଁ ଚାହେଁ କବିତା ଲେଖିବାକୁ କିନ୍ତୁ ସେଥିପାଇଁ ଆବଶ୍ୟକୀୟ ଶିକ୍ଷା ଓ ସାଧନା ମୋର ନାହିଁ । ଥିଲେ ଗରିବ ଲୋକଙ୍କୁ ନେଇ ମୁଁ କବିତା ଲେଖୁଥାନ୍ତି । ଛାଡ଼, ଦିନେ ନା ଦିନେ ମୁଁ ନିଶ୍ଚୟ ଶିଖିବି ଆଉ ତା’ପରେ ଲେଖିବି କବିତା ।’’

 

‘‘ହଁ, ତାପରେ ଏଇ ରବିନସନ୍‌ କ୍ରୁସୋର ଦିନେ ଇଚ୍ଛାହେଲା, ସେ ଯିବ ସମୁଦ୍ର ଯାତ୍ରାରେ, ପୃଥିବୀ ଚାରିପଟେ ଥରେ ଘୂରି ଆସିବ । ଦେଖିବ, ଅନ୍ୟ ଦେଶର ଲୋକେସବୁ କେମିତି ବଞ୍ଚନ୍ତି । ତେଣୁ ଗୋଟାଏ ଜାହାଜ ସଜିଲ କରି ସେ ବାହାରିଲା.....’’

 

ଚଡ଼୍‌ଚଡ଼୍‌ ହୋଇ ହସି ହସି ଜଳି ଉଠିଲା ଚୁଲି ଆଉ କଥାର ସୁଅ ମଧ୍ୟ ଛୁଟି ଚାଲିଲା ଲେଫଟ୍‌ନାଣ୍ଟଙ୍କର ।

 

କ୍ରମେ କ୍ରମେ ଗୋଟି ଗୋଟି ହୋଇ କାହାଣୀର ସବୁ ଦରଭୁଲା ଘଟଣା ମନେ ପଡ଼ିଗଲା ଲେଫଟ୍‌ନାଣ୍ଟଙ୍କର ।

 

ହଁ କରି ଅନେଇ ରହି କାହାଣୀ ଶୁଣୁଥାଏ ମାର‍୍ୟୁତ୍‌କା । ମଝିରେ ମଝିରେ ଖୁବ୍‌ ବିସ୍ମୟକର ଓ ରୋମାଞ୍ଚକର ଘଟଣାର ବର୍ଣ୍ଣନା ପଡ଼ିଗଲେ ଦୀର୍ଘଶ୍ୱାସଟିଏ ବାହରି ଆସେ ତା ଛାତି ଭିତରୁ ।

 

ଆଉ ଲେଫଟ୍‌ନାଣ୍ଟ ଯେତେବେଳେ ସମୁଦ୍ର ଗର୍ଭରେ ଜାହାଜ ଡୁବିର ବର୍ଣ୍ଣନା ଆରମ୍ଭ କଲେ ସେତେବେଳେ ମାର‍୍ୟୁତ୍‌କା ହଠାତ୍‌ କାହିଁକି କଥାଟାକୁ ବିଶ୍ୱାସ କରି ପାରିଲା ନାହିଁ ।

 

କାନ୍ଧ ଦିଟାକୁ ଟିକିଏ ନଚେଇ ଦେଇ ସେ ପଚାରିଲା, ‘‘ଆଉ ସମସ୍ତେ କ’ଣ ବୁଡ଼ିଗଲେ କେବଳ ତା ଛଡ଼ା ?’’

 

‘‘ହଁ ସମସ୍ତେ ।’’

 

‘‘ଜାହାଜର କପ୍ତାନ ନିଶ୍ଚୟ ଗୋଟାଏ ବଡ଼ ବୋକା ଲୋକ ହୋଇଥିବ । ନହେଲେ ଜାହାଜ ଡୁବି ବେଳକୁ ମଦ ଖାଇ ଚୁର୍‌ହୋଇ ପଡ଼ିଥିବ । ଭଲ କପ୍ତାନ କେବେ ତା ଜାହାଜର ନାବିକମାନଙ୍କୁ ବୁଡ଼ିଯିବା ପାଇଁ ଛାଡ଼ି ଦେବନାହିଁ । ଆମର ଏଇ କାସ୍‌ପିଅନ୍‌ ସାଗରରେ ବହୁବାର ଜାହାଜ ବୁଡ଼ି ଯାଇଛି । କିନ୍ତୁ ଦୁଇ ତିନି ଜଣରୁ ବେଶି ଲୋକ କେବେ ବୁଡ଼ି ମରି ନାହାନ୍ତି । ଅନ୍ୟମାନେ ସବୁବେଳେ ଉଦ୍ଧାର ପାଇ ଯାଇଛନ୍ତି ।’’

 

‘‘କିନ୍ତୁ ଆମର ସେମିୟାନ୍ନ ଓ ଭ୍ୟାଖିର ତ ବୁଡ଼ିଗଲେ, ନୁହଁ ? ତା ଅର୍ଥ କ’ଣ ତୁମେ ଜଣେ ଖରାପ କପ୍ତାନ ? ନାଁ ତୁମେ ମଦ ଖାଇ ଚୂର୍‌ ହୋଇଥିଲ ?’’

 

ଦୀର୍ଘଶ୍ୱାସଟିଏ ପକାଇଲା ମାର‍୍ୟୁତ୍‌କା ।

 

‘‘ମନେ ମନେ ଭାରି ଚାଲାକ ତମେ, ନୁହଁ । ମରଣ ହେଉନି ତମକୁ ! ଦିଅ ଦିଅ ତମ ଗପ କହ !’’

 

ଲେଫଟ୍‌ନାଣ୍ଟ ପୁଣି ଥରେ କହି ଚାଲିଲେ । କହୁକହୁ ଫ୍ରାଇଡେ କଥା ଯେତେବେଳେ ପଡ଼ିଲା ପୁଣିଥରେ ବାଧା ଦେଲା ମାର‍୍ୟୁତ୍‌କା ।

 

ପଚାରିଲା, ‘‘ସେଇଥିପାଇଁ ତମେ ମତେ ଫ୍ରାଇଡେ ବୋଲି ଡାକୁଛ ନୁହଁ ? ଆଉ ତମେ ମନେ ମନେ ଜଣେ ରବିନସନ୍‌ କ୍ରୁସୋ, ହୁଁ ! ଆଚ୍ଛା ସେଇ ଫ୍ରାଇଡେ ଜଣେ କଳା ଲୋକ ନାଁ ? ଜଣେ ନିଗ୍ରୋ ? ହଁ, ମୁଁ ଥରେ ଜଣେ ନିଗ୍ରୋକୁ ଦେଖିଥିଲି—ସର୍କସରେ....ଆଷ୍ଟ୍ରାଖାନରେ ।’’

 

ଲେଫଟ୍‌ନାଣ୍ଟ ଯେତେବେଳେ ଜଳଦସ୍ୟୁମାନଙ୍କର ଆକ୍ରମଣ କଥା ବର୍ଣ୍ଣନା କଲେ ମାର‍୍ୟୁତ୍‌କାର ଆଖି ଦିଟା ଦାଉ ଦାଉ ହୋଇ ଜଳିଉଠିଲା ।

 

‘‘ଜଣକ ବିରୁଦ୍ଧରେ ଦଶଜଣ ? ଇସ୍‌, କି ଅନ୍ୟାୟ, କି ଜଘନ୍ୟ କାମ, ନୁହେଁ ?’’

 

କାହାଣୀ ଶେଷ ହେଲା ।

 

ଲେଫଟ୍‌ନାଣ୍ଟଙ୍କର କାନ୍ଧକୁ ନେସି ହୋଇ କେତୋଟି ମୁହୂର୍ତ୍ତ ପାଇଁ ନିର୍ବାକ ହୋଇ ବସିଗଲା ମାର‍୍ୟୁତ୍‌କା ।

 

‘‘ବେଶ୍‌ ସୁନ୍ଦର ଗପଟିଏ,’’ ମନକୁ ମନ ଗୁଣୁ ଗୁଣୁ ହେଲା ପରି କହିଲା ସେ । ‘‘ତମେ ନିଶ୍ଚୟ ବହୁତ କାହାଣୀ ଜାଣ, ନୁହଁ ? ପ୍ରତିଦିନ ଗୋଟିଏ ଗୋଟିଏ ଗପ ତମେ ମତେ କହିବ ଏମିତି’ ।’’

 

‘‘ସତ କହିଲ, ତୁମକୁ କ’ଣ ଭଲ ଲାଗିଲା ଏଇ କାହାଣୀ ?’’

 

‘‘ଖୁବ୍‌ ଭଲ ଲାଗିଲା । ଖୁବ୍‌ ଭଲ । ତମର ଏ କାହାଣୀ ଶୁଣିଲାବେଳେ ଦେହ ମୋର ଖାଲି ଶୀତେଇ ଉଠୁଥାଏ । ଏଥର ପ୍ରତିଦିନ ସଂଧ୍ୟାରେ ଗୋଟିଏ ଗୋଟିଏ ଗପ ମତେ କହିବ କ’ଣ କହୁଛ ? ତାହେଲେ ସୟମ କଟିଯିବ ଜଲଦି ।’’

 

ହାଇମାରିଲେ ଲେଫଟ୍‌ନାଣ୍ଟ ।

 

‘‘ନିଦ ମାଡ଼ୁଛି ?’’

 

‘‘ନାଁ, ଦେହର ଦୁର୍ବଳତା ଏପର୍ଯ୍ୟନ୍ତ ଆହୁରି ପୂରାପୂରି ଭାଙ୍ଗି ନାହିଁ ।’’

 

‘‘ଆଃ, ବିଚାରା !’’

 

ପୁଣି ଥରେ ଧୀରେ ଧୀରେ ହାତ ବଢ଼େଇଲା ମାର‍୍ୟୁତ୍‌କା । ଆସ୍ତେ ଆସ୍ତେ ସାଉଁଳି ଦେଲା ତାଙ୍କର ସେଇ ଶୁଖିଲା କୁଞ୍ଚୁକୁଞ୍ଚୁ ବାଳ କେରାକୁ । ମୁହଁ ବୁଲେଇ ଲେଫଟ୍‌ନାଣ୍ଟ ଚାହିଁଲେ ତାକୁ । ତାଙ୍କର ସେ ଆଖି ଭିତରେ ଫୁଟି ଉଠିଲା ନୀଳ ବିସ୍ମୟ ଆଉ ସେ ଗଭୀର ନୀଳାଭ ବିସ୍ମୟ ଭିତରେ ଜଳି ଉଠିଲା ମମତାର ସ୍ଫୁଲିଙ୍ଗଟିଏ । ମାର‍୍ୟୁତ୍‌କାର ଅନ୍ତର ଭିତରେ ପଡ଼ିଲା ସେ ସ୍ଫୁଲିଙ୍ଗର ଛାଇ । ତନ୍ମୟ ହୋଇ ସେ ଝଙ୍କି ଆସିଲା ତାଙ୍କ ଆଡ଼କୁ ଆଉ ତାର ସେଇ ଶୁଖିଲା ଶୁଖିଲା ଓଠ ଦିଟାକୁ ଚାପି ଦେଲା ତାଙ୍କର ସେଇ ରୂଢ଼ଭରା ଶୀର୍ଣ୍ଣ କପୋଳ ଉପରେ ।

Image

 

ନବମ ଅଧ୍ୟାୟ

 

ଯେଉଁଥିରେ ପ୍ରମାଣିତ ହେଲା, ମଣିଷର ହୃଦୟ କୌଣସି ନିୟମ କାନୁନରେ ବଶବର୍ତ୍ତୀ ନହେଲେ ବି ମଣିଷର ସତ୍ତା ହିଁ ହେଉଛି ତାର ଚେତନାର ନିୟନ୍ତା.....

 

ପ୍ରହରୀ ବାହିନୀର ଲେଫଟ୍‌ନାଣ୍ଟ ଗୋଭ୍‌ରୁଖା ଓତ୍ରୋକ ।

 

ମାର‍୍ୟୁତ୍‌କାର ମୃତ୍ୟୁ ତାଲିକାରେ ଏକଚାଳିଶ ନମ୍ୱର ବ୍ୟକ୍ତି ହୋଇଥାନ୍ତେ ସେ.....

 

କିନ୍ତୁ ସେ ହେଲେ ତାର ଜୀବନର ପ୍ରଥମ ପୁଲକ ।

 

ତାଙ୍କର ସେଇ ସରୁ ସରୁ ହାତ ଦିଟା ପାଇଁ, ସେଇ କୋମଳ କଣ୍ଠ ପାଇଁ ଆଉ ସେଇ ଅଦ୍‍ଭୁତ ନୀଳ ନୀଳ ଆଖି ଦିଟା ପାଇଁ ତା ପ୍ରାଣରେ ଧୀରେ ଧୀରେ ଫୁଟି ଉଠିଲା ଏକ କୋମଳ କାମନାର କଳିକା ।

 

ଏହି ନୀଳିମାରେ ଉଦ୍ଦୀପିତ ହୋଇ ଉଠିଲା, ନୀଳ ହୋଇ ଉଠିଲା ତାର ସଂସାର । ତାର ଚେତନାରୁ ନିଭିଗଲା ଏଇ ଆରଲ୍‌ ସାଗରର ବିଷର୍ଣ୍ଣତା, ଲୁଣିମାଛ ଆଉ ଫିମ୍ପିମରା ଅଟ୍ଟାର ବିରକ୍ତିକର ଆସ୍ୱାଦ । କଳାଭଅଁର ପାଣିର ବିପୁଳ ବ୍ୟାପ୍ତିର ଆର ପାରିରେ ଯେଉଁ ଉଦ୍ଦାମ ଉଦବେଳିତ ଜୀବନର ଆବର୍ତ୍ତ ତାରି ଭିତରେ ନିଜକୁ ହଜେଇ ଦେବାର ଆକୁଳତା ବି ତାର ଧୀରେ ଧୀରେ ଉଭେଇଗଲା କୁଆଡ଼େ । ଦିନ ସାରା ତା କାମ ସେ କରିଯାଏ, ବ୍ୟସ୍ତ ରହେ ସେଥିରେ—ଅଟା ଦଳି ରୁଟି ତିଆର କରେ, ସେଇ ସଢ଼ା ମାଛଗୁଡ଼ାକ ସିଝେଇ ସୁପ୍‌ କରେ (ଦୁର୍ଗନ୍ଧ ମାଛ ଖାଇ ଖାଇ ଦାନ୍ତମାଢ଼ିରେ ସେମାନଙ୍କର ସବୁ ଫୋଟକା ହୋଇଗଲାଣି) । ଆଉ ବେଳେ ବେଳେ ସେ ଯାଏ ବେଳାଭୂମିକୁ ଦେଖିବା ପାଇଁ ସେଇ ଦୀର୍ଘ ପ୍ରତୀକ୍ଷିତ ତରୀଟି ଆସୁଛି କି ନାହିଁ ଢେଉ ଉପରେ ନାଚି ନାଚି ଭାସି ଭାସି ତାଙ୍କରି ଆଡ଼କୁ ।

 

ତାପରେ ଆସେ ସଂଧ୍ୟା । ବସନ୍ତର ଲୋହିତ ଆକାଶରୁ ଟଳି ଟଳି ନିଷ୍କ୍ରାନ୍ତ ହୋଇଯାଏ ଲୁବ୍‌ଧସୂର୍ଯ୍ୟ । ମାର‍୍ୟୁତ୍‌କା ଆସି ବସେ କୋଣର ପିଣ୍ଡିଟି ଉପରେ ଆଉ ମନଖୁସିରେ ଲେଫଟ୍‌ନାଣ୍ଟଙ୍କର କାନ୍ଧକୁ ନେସି ହୋଇ ବସି ବସି କାହାଣୀ ଶୁଣେ ।

 

ଅନେକ କାହାଣୀ ଶୁଣେ । ଅନେକ କାହାଣୀ ତାକୁ କହନ୍ତି ଲେଫଟ୍‌ନାଣ୍ଟ । ବେଶ୍‌ ସୁନ୍ଦର ଭାବେ କହି ଜାଣନ୍ତି ସେ ।

 

ଦିନ ପରେ ଦିନ ଗଡ଼ିଯାଏ । ଭାରି ମନ୍ଥର ଗତିରେ ଗଡ଼ିଯାଏ ଏଇ ସାଗରର ଢେଉଗୁଡ଼ିକ ପରି ।

 

ଦିନେ କୁଡ଼ିଆ ବାହାରେ ବାଲି ଉପରେ ବସି ବସି ଲେଫଟ୍‌ନାଣ୍ଟ ଖରା ପୁହାଉଥାନ୍ତି ଆଉ ଦେଖୁଥାନ୍ତି ମାର‍୍ୟୁତ୍‌କା ବସି ବସି କାତି ଛଡ଼ାଉଥାଏ ମାଛରୁ ତାର ସେଇ ସ୍ୱଭାବସୁଲଭ ନିପୁଣ ଛନ୍ଦରେ । ଦେଖୁ ଦେଖୁ ହଠାତ୍‌ ସଙ୍କୁଚିତ ହୋଇ ଆସିଲା ଲେଫଟ୍‌ନାଣ୍ଟଙ୍କର ନୀଳ ଆଖି ଦିଟା, ଆଉ କାନ୍ଧଟା ନାଚି ଉଠିଲା ଆସ୍ତେ ଆସ୍ତେ ।

 

କାନ୍ତିକର ନୀରବତାଟିକୁ ଭଙ୍ଗ କରି କହିଲେ ସେ, ‘‘ଧେତ୍‌ ! କି କୁତ୍ସିତ ! କି କୁତ୍ସିତ ଏସବୁ ।’’

 

‘‘କ’ଣ କହୁଛ ? କ’ଣ ହେଲା ତମର ?’’

 

‘‘କୁତ୍ସିତ, କୁତ୍ସିତ ସବୁ । କୁତ୍ସିତ ଏ ଜୀବନ ! ଅତି କୁତ୍ସିତ ! ପ୍ରବୃତ୍ତିଗତ ଜ୍ଞାନ, ରୁଚି ସମ୍ପନ୍ନ ଜ୍ଞାନ ପ୍ରଜ୍ଞା.....ଧେତ୍‌ କି ବାଜେ କଥା ଏସବୁ ! ପରମ୍ପରାଗତ ଗୋଟାଏ ଗୋଟାଏ ପ୍ରତୀକ ଏସବୁ, ଭୂଗୋଳରେ ମାନଚିତ୍ରର ସଙ୍କେତ ପରି ! ଲେଫଟ୍‌ନାଣ୍ଟ ଅଫ୍‌ ଦି ଗାର୍ଡସ ? ଜାହାନ୍ମାମ୍‌କୁ ଯାଆନ୍ତୁ ଏସବୁ ଲେଫଟ୍‌ନାଣ୍ଟ ଅଫ ଦି ଗାର୍ଡସ, ବଞ୍ଚି ରହିବାକୁ ଚାହେଁ ମୁଁ । ସତେଇଶ ବର୍ଷ ହେଲା ବଞ୍ଚି ଆସିଲିଣି ତଥାପି ବଞ୍ଚି ରହିଲା ପରି ମନେ ହେଉନାହିଁ । ଏ ଜୀବନ ନୁହେଁ ! ବଞ୍ଚିରହିବା ମୋର ଆହୁରି ଆରମ୍ଭ ହୋଇନାହିଁ । ଗଦା ଗଦା ଟଙ୍କା ମୁଁ ଉଡ଼େଇ ଦେଇଛି ଏ ହାତରେ । ଦେଶ ପରେ ଦେଶ ମୁଁ ଘୂରି ଘୂରି ବୁଲୁଛି ଗୋଟାଏ ଆଦର୍ଶର ଅନ୍ୱେଷଣରେ । ତଥାପି ମୁଁ କିଛି ଅନୁଭବ କରି ନାହିଁ, ଜଡ଼ ନିସ୍ପନ୍ଦ ହୋଇ ରହିଯାଇଛି ମୋର ଏ ଚେତନା । ଗୋଟାଏ ବିରାଟ ଶୂନ୍ୟତା ଶୋଷି ଶୋଷି ନିଃଶେଷ କରି ଦେଇଛି ମୋର ସତ୍ତାକୁ । ମତେ ଯଦି ସେତେବେଳେ ଟିକିଏ କହିଥାନ୍ତା ଯେ ମୋର ଜୀବନର ସବୁଠାରୁ ଅର୍ଥପୂର୍ଣ୍ଣ ଦିନଗୁଡ଼ାକ ଅତିବାହିତ ହେବ ଏଇଠି, ଏଇ ନିର୍ବୋଧ ସାଗର ବୁକୁର ଏଇ ନିର୍ବୋଧ ଚେପ୍‌ଟା ଦ୍ୱୀପ ଭିତରେ, ତାହେଲେ ମୁଁ ତା କଥା ସେତେବେଳେ କଦାପି ବିଶ୍ୱାସ କରି ନଥାନ୍ତି ।

 

‘‘କ’ଣ କହୁଛ ତମେ ? କେମିତି ଦିନଗୁଡ଼ାକ— ?’’

 

‘‘ସବୁଠାରୁ ଅର୍ଥପୂର୍ଣ୍ଣ ଦିନଗୁଡ଼ାକ ! ବୁଝି ପାରୁଛ ତୁମେ, ମାର‍୍ୟୁତ୍‌କା ? କେମିତି ଆଉ କହିଲେ ବୁଝି ପାରିବ ଯେ ? ହଁ, ସବୁଠାରୁ ଅର୍ଥପୂର୍ଣ୍ଣ ଏସବୁ ଦିନ ମୋ ଜୀବନରେ ଯେତେବେଳେ ସମଗ୍ର ଦୁନିଆ ବିରୁଦ୍ଧରେ ମତେ ଆଉ ଲଢ଼ିବାକୁ ପଡ଼ୁ ନାହିଁ......ଯେତେବେଳେ ଗୋଟାଏ ବିଚ୍ଛିନ୍ନ ବାହିନୀ ଏକାକୀ ସଂଗ୍ରାମ କଲା ପରି ବୋଧ ହେଉନାହିଁ । ମନେ ହେଉଛି ଏ ବିପୁଳ ସୃଷ୍ଟି ସହିତ ମଣିଷ ଯେମିତି ଏକାକାର ହୋଇ ଯାଇଛି ।’’—ହାତଟା ଘୂରେଇ ଆଣି ସେ ଆଭାସ ଦେଲେ ବିପୁଳ ବିଶ୍ୱର । ତାପରେ ପୁଣି କହିଲେ,—‘‘ମନେ ହେଉଛି, ଏଇ ଅନ୍ତହୀନ ସୃଷ୍ଟିର ଗୋଟାଏ ଅବିଚ୍ଛିନ୍ନ ଅଂଶ ମୁଁ ଯେମିତି ହୋଇ ଯାଇଛି । ତାର ନିଃଶ୍ୱାସ ହେଉଛି ମୋର ନିଶ୍ୱାସ, ତାର ପ୍ରାଣ ହେଉଛି ମୋର ପ୍ରାଣ—ଦେଖୁଛି, ମାର‍୍ୟୁତ୍‌କା ! ଦେଖୁଛ—ଏଇ ଢେଉ, ଏଇ ତରଙ୍ଗ, ଏଇ ଝୁରୁ ଝୁରୁ ଫେନାୟିତ ଉର୍ମି, ଶୁଣୁଛ ତାର ସେଇ ନିଃଶ୍ୱାସ ପ୍ରଶ୍ୱାସର ସଁ ସଁ ଶବ୍ଦ ? ସେ ଶବ୍ଦ, ସେ ଶ୍ୱାସପ୍ରଶ୍ୱାସ ଏଇ ସାଗରର ନୁହଁ, ମୋର—ମୋର ଆତ୍ମାର, ମୋର ଦେହର ।’’

 

ମାର‍୍ୟୁତ୍‌କା ତଳେ ଥୋଇଦେଲା ଛୁରୀଟା ।

 

‘‘ତମେ ତ କ’ଣ ଭାରି ସାହିତ୍ୟିକ ଭାଷାରେ କଥା କହୁଛ ! ମୁଁ କିନ୍ତୁ କିଛି ବୁଝି ପାରୁନାହିଁ ତମ କଥା । ମୁଁ ହୋଇଥିଲେ କେବଳ କହନ୍ତି—ମୁଁ ବେଶ୍‌ ସୁଖରେ ଅଛି ଏଇଠି । ବାସ୍‌, ସେତିକି-?’’

 

‘‘ଶବ୍ଦଗୁଡ଼ାକ ହୁଏତ ଭିନ୍ନ ହୋଇପାରେ, କିନ୍ତୁ ଅର୍ଥ ସମାନ । ଏଇନେ....ଏଇନେ ମୋର ଆଉ ଇଚ୍ଛା ହେଉ ନାହିଁ ଏଇ ଅଜବ ଦ୍ୱୀପର ମମତା ତୁଟେଇ ଦେଇ ଚାଲିଯିବା ପାଇଁ । ଇଚ୍ଛା ହେଉଛି, ଏଇଠି ରହିଯିବା ପାଇଁ, ଚିର ଦିନ ଲାଗି ଏଇଠି ରହିଯିବା ପାଇଁ, ଏଇ କାଙ୍ଗାଳ ସୂର୍ଯ୍ୟର ଉତ୍ତାପ ଭିତରେ ନିଜକୁ ମିଳେଇ ଦେଇ ଏକାକାର ହୋଇଯିବା ପାଇଁ । ଗୋଟାଏ ପରିତୃପ୍ତ ପଶୁ ପରି ଏଇଠି ବଞ୍ଚି ରହିବା ପାଇଁ ।’’

 

ଅପଲକ ଆଖିରେ ମାର‍୍ୟୁତ୍‌କା ଅନେଇ ରହିଲା ପାଦ ତଳର ସରୁ ସରୁ ବାଲିକଣାକୁ । ମନେ ହେଲା ଯେମିତି କ’ଣ ସେ ମନେ ପକାଇବାକୁ ଚେଷ୍ଟା କରୁଛି । ଧୀରେ ଧୀରେ ଓଠ ଉପରେ ତାର ଫୁଟି ଉଠିଲା ଏକ କୋମଳ ସଲ୍ଲଜ୍ଜ ସ୍ମିତହାସ୍ୟ ।

 

‘‘ଧେତ୍‌ ! ମୁଁ କେବେ ଏଇଠି ରହିବି ନାହିଁ !’’ କହିଲା ସେ । ‘‘ଅତି ସହଜ ଏ ଜୀବନ ! ମଣିଷକୁ ନରମ ନିଷ୍କ୍ରୟ କରି ଦିଏ ଏ ଜୀବନ । ନିଜ ପ୍ରାଣର ଆନନ୍ଦ ଏଇଠି ପ୍ରକାଶ କରିବ କାହା ଆଗରେ ? କିଏ ଅଛି ଏଇଠି ଆଉ ଦେଖିବାକୁ ଏ ଆନନ୍ଦମୟ ଜୀବନକୁ ? ମଲା ମାଛ ଛଡ଼ା ଆଉ କେହି ନାହିଁ ଏଇଠି । ମାଛଧରାଳିମାନେ ଆସନ୍ତେ କି କେମିତି ଏଇଠିକି ଜଲଦି ! ମାଘ ମାସ ତ ବୋଧହୁଏ ଶେଷ ହୋଇଗଲାଣି । ଜୀଅନ୍ତା ମଣିଷର ସାନ୍ନିଧ୍ୟ ପାଇଁ ମନ ଆକୁଳ ହୋଇ ଉଠିଲାଣି ମୋର ।’’

 

‘‘ଆମେ କ’ଣ ଜୀଅନ୍ତା ମଣିଷ ନୋହୁଁ ?’’

 

‘‘ହଁ, ଜୀଅନ୍ତା ହୋଇ ରହିଛୁ ସତ ଏପର୍ଯ୍ୟନ୍ତ । କିନ୍ତୁ, ଆଉ ସପ୍ତାହେ ଯାଉ ଦେଖିବ, ଯେତେବେଳେ ଏଇ ଫିମ୍ପିମରା ଅଟ୍ଟା କଣିକାଏ ବି ଆଉ ନଥିବ ଏବଂ କ୍ରମେ କ୍ରମେ ରୋଗ ଆମ ଦେହରେ ଘୋଟିଯିବ, ସେତେବେଳେ ଦେଖିବ କେମିତି ଭିନ୍ନ ସ୍ୱର ବାହାରିବ ତମ କଣ୍ଠରୁ । ତା’ଛଡ଼ା ଚୁଲିମୁଣ୍ଡରେ ଉଷୁମ ଟାଣି ଟାଣି ଆରାମ କରିବାର ସମୟ ୟେ ନୁହଁ । ତେଣେ ଆମର ସୈନ୍ୟମାନେ ଲଢ଼େଇ କରୁଛନ୍ତି, ଜୀବନର ଶେଷ ରକ୍ତ ବିନ୍ଦୁ ଦେଇ, ସଂଗ୍ରାମ କରୁଛନ୍ତି । ପ୍ରତ୍ୟେକ ଲୋକର ସାହାଯ୍ୟ ଏଇନେ ସେମାନଙ୍କର ପ୍ରୟୋଜନ । ଏମିତି ସମୟରେ ମୁଁ ଏଇଠି ବସି ବସି ଆରାମ କରିବି କେମିତି ? ଏଇଥିପାଇଁ କ’ଣ ମୁଁ ଶପଥ ନେଇଥିଲି ସୈନ୍ୟବାହିନୀରେ ଯୋଗ ଦେଲାବେଳେ ।’’

 

ବିସ୍ମୟର ବିଦ୍ୟୁତ ଚମକି ଉଠିଲା ଲେଫଟ୍‌ନାଣ୍ଟଙ୍କର ଆଖି ଦିଟାରେ ।

 

‘‘ତା ମାନେ ତୁମେ କ’ଣ କହୁଛ, ତୁମେ ପୁଣି ଫେରିଯିବ ସେଇ ସୈନ୍ୟବାହିନୀକୁ ।’’

 

‘‘ଫେରି ଯିବିନି ତ ଆଉ କ’ଣ ?’’

 

ଭଙ୍ଗା କବାଟରୁ ଭାଙ୍ଗି ନେଇଥିବା ଟୁକୁରାଏ କାଠକୁ ହାତରେ ଧରି ନଚେଇ ନଚେଇ କହିଲେ ଲେଫଟ୍‌ନାଣ୍ଟ । କଣ୍ଠ ତାଙ୍କର ଗମ୍ଭୀର ହୋଇ ଉଠିଲା, ଆହୁରି ଆବେଗମୟ ହୋଇ ଉଠିଲା ।

 

‘‘ନିର୍ବୋଧ ବାଳିକା ତୁମେ ! ମୁଁ କ’ଣ ତୁମକୁ କହିବାକୁ ଚାହୁଁଥିଲି ଜାଣ, ମାର‍୍ୟୁତ୍‌କା ! ମୁଁ ଚାହୁଁଥିଲି କହିବାକୁ—ଏଇ ମୃତ୍ୟୁ, ଏଇ ରକ୍ତପାତ ଦେଖି ଦେଖି ମୁଁ ଅତିଷ୍ଠ ହୋଇ ଗଲିଣି । ବର୍ଷ ବର୍ଷ ଧରି ଖାଲି ଏଇ ଯୁଦ୍ଧ, ଏଇ ରକ୍ତପାତ, ଏଇ ଘୃଣା ! ମୁଁ ସୈନିକ ହୋଇ ଜନ୍ମ ହୋଇ ନଥିଲି ମାର‍୍ୟୁତ୍‌କା ! ବହୁ ଦିନ ତଳେ ମୁଁ ବଞ୍ଚି ରହିଥିଲି....ବଞ୍ଚି ରହିଥିଲି ମଣିଷ ପରି....ଜୀବନ ଥିଲା ସୁନ୍ଦର । ଜର୍ମାନୀ ସହିତ ଯୁଦ୍ଧ ଲାଗିବା ପୂର୍ବରୁ ମୁଁ ଛାତ୍ର ଥିଲି; ଭାଷାତତ୍ତ୍ୱର ଛାତ୍ର ଥିଲି । ବହି ନେଇ ବହି ସାଙ୍ଗରେ ବଞ୍ଚି ରହୁଥିଲି । ବହି ଥିଲା ମୋର ଜୀବନ; ବହି ଥିଲା ମୋର ଅତି ଆଦରର ବସ୍ତୁ, ଅତି ପ୍ରିୟ ବସ୍ତୁ । ବହି କେବେ ବିଶ୍ୱାସଘାତକତା କରେ ନାହିଁ ମଣିଷ ପ୍ରତି । ଅନେକ ବହି ଥିଲା ମୋର । ମୋ ଘରର ତିନିଟା କାନ୍ଥ ଭରି ରହିଥିଲା ବହିରେ, ତଳୁ ଛାତ ଯାଏ । ସନ୍ଧ୍ୟା ହେଲେ ବଡ଼ ଆରାମ୍‌ ଚଉକିଟିଏ ପକେଇ ମୁଁ ବସି ଯାଏଁ ମୋ କକ୍ଷରେ । ପାଖରେ ଜଳୁଥାଏ ଚୁଲି, ଘର ଉଷୁମ ହୋଇ ରହିଥାଏ । ଆଉ ଟେବୁଲ ଉପରେ ଉଜ୍ଜ୍ୱଳ ଦୀପର ଆଲୋକରେ ଉଦ୍ଦୀପିତ ହୋଇଥାଏ କକ୍ଷ । ବାହାରେ ପିଟର୍‌ସ୍‌ବର୍ଗ ସହରର ଘନ କୁହେଳିଟା ଭିଜା ଭିଜା ହାତର ପାପୁଲିରେ ଥାପଡ଼େଇ ଦେଇ ଯାଉଥାଏ ରାଜପଥର ପଥିକମାନଙ୍କୁ । ଆଉ ଏଇନେ ଯେମିତି ମନେ ହେଉଛି, ସେତେବେଳେ ବି ସେମିତି ମନେ ହେଉଥିଲା ଜୀବନ ସ୍ୱାଧୀନ, ବେପରୁଆ । ଆଉ ଏହି ଚେତନା ଭିତର ଦେଇ ଧୀରେ ଧୀରେ ଉନ୍ମେଷିତ ହୋଇ ଉଠୁଥାଏ ଆତ୍ମା । ମନେ ହେଉଥାଏ, କୋମଳ କଳିକାର ସେଇ ନିଶବ୍ଦ ସ୍ପୁଟନର ଶବ୍ଦ ଯେମିତି ମୁଁ ଶୁଣି ପାରୁଛି; ପୁଣି ପାରୁଛି ତରୁର ଡାଳେ ଡାଳେ ପୁଷ୍ପର ମର୍ମରଣ । ଏହି ଫାଲଗୁନରେ ବାଦାମ ଗଛରେ କେମିତି ଫୁଲ ଫୁଟେ ଦେଖିଛ ତୁମେ, ମାର‍୍ୟୁତ୍‌କା ? ବୁଝି ପାରୁଛ ?’’

 

‘‘ହଁ,’’ ଖୁବ୍‌ ସନ୍ତର୍ପଣରେ କହିଲା ମାର‍୍ୟୁତ୍‌କା ।

 

‘‘ଆଉ, ତାପରେ ଗୋଟିଏ ସୁନ୍ଦର ଦିନରେ ସବୁ କୁଆଡ଼େ ଉଡ଼ିଗଲା, ବିସ୍ଫୋରିତ ହୋଇଗଲା, ଟିକି ଟିକି ହୋଇ ଛିନ୍ନ ଭିନ୍ନ ହୋଇଗଲା । ଆଜି ବି ମନେ ଅଛି ସେଇ ଦିନଟି ମୋର-। ଏଇ କାଲି ପରି ଲାଗୁଛି । ଆମର ସେଇ ଗାଁ ଘରେ ମୁଁ ବସିଥିଲି ବାରଣ୍ଡାରେ, ବସି ବସି ବହି ଖଣ୍ଡେ ପଢ଼ୁଥିଲି । ସେ କଥା ବି ସ୍ପଷ୍ଟ ମନେ ଅଛି ମୋର । ଦୂରରେ ବୁଡ଼ି ଯାଉଥିଲା ସୂର୍ଯ୍ୟ—ଓଃ, କି ଭୟାନକ ସେ ଦିନର ସେଇ ସୂର୍ଯ୍ୟାସ୍ତ ! ଲାଲ, ଗାଢ଼ ଲାଲ, ସତେ ଯେମିତି ରକ୍ତ କିଏ ବୋଳି ଦେଇଥାଏ ଚାରିଆଡ଼େ । ବାପା ସହରରୁ ଫେରି ଆସିଲେ ଟ୍ରେନରେ । ହାତରେ ଖଣ୍ଡେ ଖବରକାଗଜ । ଖୁବ୍‌ ବିଚଳିତ ହୋଇ ପଡ଼ିଲା ପରି ଦେଖାଯାଉଥାନ୍ତି । ତାଙ୍କ ତୁଣ୍ଡରୁ ଆଉ କିଛି ବାହାରିଲା ନାହିଁ, କେବଳ ଗୋଟିଏ ମାତ୍ର ଶବ୍ଦ, ପାହାଡ଼ ଛିଡ଼ିଲା ପରି ବାହାରି ପଡ଼ିଲା ସେଇ ଶବ୍ଦଟି—ଯୁଦ୍ଧ ! ଅତି ଭୟାନକ ଏ ଶବ୍ଦ, ଠିକ୍‌ ସେ ଦିନର ସେଇ ସୂର୍ଯ୍ୟାସ୍ତ ପରି ରକ୍ତାପ୍ଳୁତ । ତାପରେ ବାପା ବହିଲେ, ‘ଭ୍ୟାଦିମ୍‌, ତୋ ବାପା, ତୋ ଜେଜେ ବାପା, ତୋ ବଡ଼ ଜେଜେବାପା ସମସ୍ତେ ଦେଶର ପ୍ରଥମ ଆହ୍ୱାନରେ ହିଁ ଘର ଛାଡ଼ି ବାହାରି ପଡ଼ିଥିଲେ । ଆଉ ମୋର ଆଶା ତୁ !’ ତାଙ୍କର ସେ ଆଶା ବ୍ୟର୍ଥହେଲା ନାହିଁ । ବହିପତ୍ର ଛାଡ଼ି ବାହାରି ପଡ଼ିଲି । ମୋର ଦୃଢ଼ ବିଶ୍ୱାସ ଥିଲା ଠିକ୍‌ କାମ କରୁଛି ମୁଁ ।’’

 

‘‘ବୋକା !’’ କହି ଉଠିଲା ମାର‍୍ୟୁତ୍‌କା କାନ୍ଧ ଦିଟାକୁ ଟିକିଏ ଝାଡ଼ି ଦେଇ । ‘‘ମୋ ବୁଢ଼ା ବାପ ଯଦି ମାତାଲ ହୋଇ କାନ୍ଥରେ ମଥା ପିଟେ ତାହେଲେ ତମେ କ’ଣ ଭାବୁଛ, ମୁଁ ମଧ୍ୟ ସେୟା କରିବା ଉଚିତ ? କାହିଁକି ଯେ—ମୁଁ ବୁଝି ପାରୁ ନାହିଁ !’’

 

ଗଭୀର ଦୀର୍ଘଶ୍ୱାସଟିଏ ଛାଡ଼ିଲେ ଲେଫଟ୍‌ନାଣ୍ଟ ।

 

‘‘ନାଁ, ତୁମେ ବୁଝି ପାରିବ ନାହିଁ । ଗୋଟାଏ ସୁପ୍ରାଚୀନ ବଂଶର, ଗୋଟାଏ ନାମଜାଦା ବଂଶର ଗୌରବର ଭାର ତ ତୁମକୁ କେବେ ବହନ କରିବାକୁ ପଡ଼ିନାହିଁ ! ତୁମେ ବୁଝିବ କେମିତି ? ବଂଶର ମର୍ଯ୍ୟାଦା ରକ୍ଷା କରିବାକୁ ହେବ, ପ୍ରତ୍ୟେକଙ୍କର କର୍ତ୍ତବ୍ୟ । ଏ ବିଷୟରେ ଆମେ ଅତ୍ୟନ୍ତ ସଚେତନ ଥିଲୁ ।’’

 

‘‘ତାହେଲେ କ’ଣ ହେଲା ? ମୁଁ ମଧ୍ୟ ଭଲ ପାଏ ମୋ ବାପାଙ୍କୁ । କିନ୍ତୁ ସେ ମାତାଲ ହେଲେ ବୋଲି ମୁଁ ଯେ ମାତାଲ ହେବି ତାର କୌଣସି କାରଣ ନାହିଁ । ତମେ ତମ ବାପାଙ୍କୁ ବିଦା କରିଦେବା ଉଚିତ ଥିଲା ।’’

 

ତିକ୍ତ, କୁଟିଳ ହସଟିଏ ଫୁଟି ଉଠିଲା ଲେଫଟ୍‌ନାଣ୍ଟଙ୍କ ଓଠ ଉପରେ ।

 

‘‘ନାଁ, ତାଙ୍କୁ ବିଦା କରି ଦେଲି ନାହିଁ । ନିଜେ ବିଦା ହୋଇଗଲି—ବିଦା ହୋଇଗଲି ଯୁଦ୍ଧକୁ । ଆଉ ସେହି ପୂରିଷର ସ୍ତୁପ ଭିତରେ, ସେହି ସାର୍ବଜନୀନ କବର ଭିତରେ, ଏଇ ମୋର ନିଜ ହାତରେ ମୁଁ ପୋତିଦେଲି ମୋର ମଣିଷର ହୃଦୟଟାକୁ । ତାପରେ ଆସିଲା ବିପ୍ଳବ । ଖୁସି ହେଲି । ପ୍ରାଣରେ ପୁଣି ମୋର ଉଜ୍ଜୀବିତ ହୋଇ ଉଠିଲା ଆଶା, କିନ୍ତୁ....ଜାଣିଛ, ଏଇ ଏତେ ବର୍ଷ ହେଲାଣି, ଜାରର ସୈନ୍ୟବାହିନୀରେ ଜଣେ ଅଫିସର ରୂପେ ମୁଁ କାମ କରି ଆସିଲିଣି, କିନ୍ତୁ ଦିନେ ହେଲେ ବି ମୁଁ କେବେ ମୋର ଅଧୀନସ୍ଥ କୌଣସି ସୈନିକ ଦେହରେ ଟିପଟିଏ ଛୁଆଇଁ ନାହିଁ । କିନ୍ତୁ ତୁମର ଲାଲ ଫୌଜର ସୈନିକମାନେ ମତେ ବନ୍ଦୀ କରିନେଲେ ଗୋମେଲ ଷ୍ଟେସନରେ, ମୋ ଦେହରୁ ମୋର ସାମରିକ ସଙ୍କେତଗୁଡ଼ିକୁ ଛିଣ୍ଡେଇ ଫୋପାଡ଼ି ଦେଲେ, ମୋ ମୁହଁରେ ଛେପ ପକେଇଲେ । କାହିଁକି ? କାହିଁକି ସେମାନେ ଏମିତି କଲେ ? ....ସେମାନଙ୍କ କବଳରୁ ଖସି ଯାଇ ମୁଁ ପଳାଇଲି ଉରାଲକୁ । ମୋ ଦେଶ ଉପରେ ସେପର୍ଯ୍ୟନ୍ତ ବି ମୋର ବିଶ୍ୱାସ ଥିଲା ଆହୁରି । ପୁଣି ଥରେ ମୁଁ ବାହାରିଲି ଲଢ଼ିବାକୁ ମୋ ଦେଶ ପାଇଁ, ମୋର ସେଇ ଛିନ୍ନଭିନ୍ନ ଆଉ ଅପମାନିତ ସାମରିକ ସଙ୍କେତ ଗୁଡ଼ିକ ପାଇଁ । କିନ୍ତୁ ମୁଁ ଯେତିକି ଯେତିକି ଲଢ଼ିଲି ସେତିକି ସେତିକି ସ୍ପଷ୍ଟ ହୋଇ ଉଠିଲା ଯେ, ମୋର ନିଜର ଦେଶ ବୋଲି ଆଉ କୌଣସି ଦେଶ ନାହିଁ ମୋ ପାଇଁ । ଆଉ ଏହି ସାମରିକ ସଙ୍କେତଗୁଡ଼ିକ ପାଇଁ ଲଢ଼ିବାର କୌଣସି ଅର୍ଥ ମଧ୍ୟ ନାହିଁ । ସେତିକିବେଳେ ମୋର ମନେ ପଡ଼ିଲା, ସେଇ ଏକମାତ୍ର ବସ୍ତୁ ଯାହା ପ୍ରକୃତରେ ମଣିଷଠାରୁ ବଳି ମଣିଷ, ଯାହାର ମୂଲ୍ୟ ଚିରନ୍ତନ, ସିଏ ହେଉଛି ମଣିଷର ଚିନ୍ତା, ତାର ଭାବଧାରା । ମୋ ବହିଗୁଡ଼ାକ ପୁଣି ମୋର ମନେ ପଡ଼ିଗଲା । ଏଇନେ ମୁଁ ଆଉ କିଛି ଚାହେଁ ନାହିଁ । ମୁଁ କେବଳ ଚାହେଁ ପୁଣି ଥରେ ଫେରି ଯିବାକୁ ସେଇ ବହି କୋଳକୁ; ସେଇ ବହି ଭିତରେ ନିଜକୁ ହଜାଇ ଦେବାକୁ, ବହିଠାରୁ କ୍ଷମା ମାଗି ନେବାକୁ, ଆଉ ତା ସହିତ ଏକାକାର ହୋଇ ବଞ୍ଚି ରହିବାକୁ ।’’

 

‘‘ଓଃ, ଏୟା ତୁମେ ଚାହଁ, ତାହେଲେ ! ଦୁନିଆ ଆଜି ଫାଟି ଦୁଇଫାଳ ହୋଇ ଯାଉଛି, ମଣିଷ ଆଜି ପ୍ରାଣପାତ କରି ଲଢ଼େଇ କରୁଛି ନ୍ୟାୟ ପାଇଁ । ଆଉ ତମେ ଚାହୁଁଛ ସୋଫା ଉପରେ ଆରାମରେ ବସି ବସି ଖାଲି ବହି ପଢ଼ିବ ?’’

 

‘‘ସେ ସବୁ କଥା ଜାଣେନା.....କି ଜାଣିବାକୁ ମଧ୍ୟ ଚାହେଁନା !’’ ଡେଇଁ ପଡ଼ି ଉଦ୍‌ଭ୍ରାନ୍ତ ଭାବେ ଚିତ୍କାର କରି ଉଠିଲେ ଲେଫଟ୍‍ନାଣ୍ଟ । ‘‘ମୁଁ କେବଳ ଜାଣେ ଯେ ଦୁନିଆ ଆଜି ଶେଷ ପାଇ ଯାଉଛି । ତୁମେ ଠିକ୍‌ କହିଛ, ପୃଥିବୀ ଦୁଇଫାଳ ହୋଇ ଫାଟି ଯାଉଛି ! ଓଃ, ଫାଟି ଯାଉଛି, ଠିକ୍‌ ହୋଇଛି ! ପଚିସଢ଼ି ଯାଇଛି ଏ ଦୁନିଆ, ତେଣୁ ଖଣ୍ଡ ଖଣ୍ଡ ହୋଇ ଝଡ଼ିଯାଉଛି । ଶୂନ୍ୟ ହୋଇଯାଇଛି, ଫମ୍ପା ହୋଇଯାଇଛି ! ଅନ୍ତଃସାର ଶୂନ୍ୟ ହୋଇଯାଇଛି । ନିଜର ଶୂନ୍ୟତାରେ ନିଃଶେଷ ହୋଇ ଆଜି ମରି ମରି ଯାଉଛି । ଦିନେ ତରୁଣ ଥିଲା, ଉର୍ବର ଥିଲା ଅନାବିଷ୍କୃତ ଥିଲା ଏ ଦୁନିଆ ! ନୂଆ ନୂଆ ମାଟିର ମୋହ ଥିଲା, ଅନାବିଷ୍କୃତ ବିଭବର ମୋହ ଥିଲା ତା’ଠି । କିନ୍ତୁ ସେ ସବୁ ଆଜି ସରିଯାଇଛି । ଆବିଷ୍କାର କରିବା ପାଇଁ ଆଉ କିଛି ନୂଆ ଜିନିଷ ନାହିଁ । ମଣିଷର ମନ ଆଜି ଧୂର୍ତ୍ତ; ଯାହା ସମ୍ୱଳ ରହିଛି ତାକୁଇ କେମିତି ସେ ରକ୍ଷା କରି ପାରିବ ସେଇଥିପାଇଁ ଲାଗି ପଡ଼ିଛି । ସେ କେବଳ ଚାହୁଁଛି, କେମିତି ସେ ତିଷ୍ଠି ଯିବ ଆଉ କିଛି କାଳ—ହୁଏତ ଆଉ ଗୋଟାଏ ଶତାବ୍ଦୀ, ନହେଲେ ଆଉ ଗୋଟାଏ ବର୍ଷ, ଅନ୍ତତଃ ପକ୍ଷେ ଆଉ ଗୋଟାଏ ସପ୍ତାହ । ମେସିନ, ସବୁ କିଛି ମେସିନ....ପ୍ରାଣହୀନ ଗଣିତ ! ଆଉ ମଣିଷର ମନକୁ ବନ୍ଧ୍ୟା କରି ଦେଇଛି ଏଇ ଗଣିତ, ଏଇ ହିସାବ । ଏକା ଲୟରେ ସେଇ ମନ ଲାଗି ପଡ଼ିଛି କେମିତି ମଣିଷକୁ ଧ୍ୱଂସ କରିଦେବ, ନିଶ୍ଚିହ୍ନ କରିଦେବ ମଣିଷ ଜାତିକୁ ଏଇ ଧରାପୃଷ୍ଠରୁ । ଯେତିକି ଯେତିକି ମଣିଷକୁ ଆମେ ନିଶ୍ଚିହ୍ନ କରି ଦେଇ ପାରିବା, ସେତିକି ସେତିକି ଫୁଲି ଫୁଲି ଉଠିବ ଆମର ପେଟ ଆଉ ଆମର ପକେଟ୍‌ । ଜାହାନ୍ନାମାକୁ ଯାଉ ଏସବୁ ! ମୁଁ ଆଉ କାହାର ମତାମତ ଶୁଣିବାକୁ ଚାହେଁନା ! ଯଥେଷ୍ଟ ଶୁଣିଛି ! ଏସବୁ ଭିତରେ ମୁଁ ଆଉ ନାହିଁ । ମୁଁ ଚାହେଁନା ମୋର ଏଇ ହାତକୁ ଆଉ କର୍ଦ୍ଦମାକ୍ତ କରିବାକୁ, କଳଙ୍କିତ କରିବାକୁ !’’

 

‘‘ଆଃ, ତମର ଏଇ ଧଳା ଧଳା ସୁନ୍ଦର ହାତ ! ଏଇ ଧଳା ଧଳା କଡ଼ା କଲାର୍‌ ! ବାଃ ! ତମ ପାଇଁ କିନ୍ତୁ ଅନ୍ୟମାନେ ନିଜର ହାତକୁ କଳଙ୍କିତ କରିବେ, କର୍ଦ୍ଦମାକ୍ତ କରିବେ; ନୁହଁ ? ଓଃ, କି ଉଦାର ହୃଦୟ ତମର !’’

 

‘‘କରନ୍ତୁ ସେମାନେ, ଡ୍ୟାମ୍‌ ଇଟ୍‌ ଯାହାକୁ ! ସେ କାମ ଭଲ ଲାଗୁଛି କରୁ ସେ । ମୋର ସେଥିରେ ଯାଏ ଆସେ କ’ଣ ! ଜାଣ ମାର‍୍ୟୁତ୍‌କା, ଆମେ ଏଇଠୁ ନିଷ୍କୃତି ପାଇଲେ ଚାଲିଯିବା କକେସସ୍‌କୁ । ସେଇଠି ମୋର ଖଣ୍ଡେ ଛୋଟ ଜାଗା ଅଛି, ଠିକ୍‌ ସୁଖୁମୀ ପାଖରେ । ସେଇଠିକି ଆମେ ଚାଲିଯିବା । ମୋ ବହି ନେଇ ମୁଁ ମୋର ସଂସାର ପାତିବି, ଆଉ ଏଇ ଦୁନିଆ ଯାଉ ଚୁଲିକୁ-। ମୁଁ ଚାହେଁ ଟିକିଏ ଶାନ୍ତି, ଟିକିଏ ବିଜନତା ! ଚାହେଁନା ନ୍ୟାୟ, ଚାହେଁ ଶାନ୍ତି । ଆଉ ସେଇଠି—ତୁମେ ତୁମର ପଢ଼ାପଢ଼ି ଆରମ୍ଭ କରିଦେବ । ତୁମେ ତ ପଢ଼ିବାକୁ ଖୁବ୍‌ ଚାହୁଁଚ, ନାଁ ? ଅନେକ ଥର ତ ତୁମେ କହିଛ ପଢ଼ିବାକୁ ଟିକିଏ ସୁଯୋଗ ପାଇନ ଜୀବନରେ । ଏଇ ତୁମର ସୁଯୋଗ ମାର‍୍ୟୁତ୍‌କା । ତୁମ ପାଇଁ ସବୁ କରିଦେବି । ତୁମେ ମତେ ବଞ୍ଚେଇଚ, ତୁମେ ମତେ ନୂଆ ଜୀବନ ଦେଇଚ, କେବେ ଭୁଲି ପାରିବି ନାହିଁ ସେକଥା ।’’

 

ଆହତ, ଉତ୍‌କ୍ଷିପ୍ତ ବାଘୁଣୀ ପରି ଲମ୍ପ ଦେଇ ଉଠିଲା ମାର‍୍ୟୁତ୍‌କା ।

 

‘‘ଓଃ, ତୁମେ ତାହେଲେ ଚାହଁ, ମୁଁ ଯାଇ ତୁମ ପାଖରେ ଏୟା କରିବି, ନୁହଁ ?’’ ମୁଠା ମୁଠା କଣ୍ଟା ପରି ସେ ଛାଟି ଦେଲା ଏଇ ଶବ୍ଦ ଗୁଡ଼ାକ ତାଙ୍କ ମୁହଁକୁ । ‘‘ତୁଳିତଳ୍ପ ଶଯ୍ୟା ଉପରେ ତୁମ କୋଳରେ ମୁଁ ଲୋଟି ରହିଥିବି ଆଉ ଏଣେ ଅଗଣିତ ମଣିଷ ତିଳ ତିଳ ରକ୍ତ ଦେଇ, ସ୍ୱେଦ ଦେଇ ସଂଗ୍ରାମ କରୁଥିବେ ପୃଥିବୀରେ ନ୍ୟାୟ ପ୍ରତିଷ୍ଠା କରିବା ପାଇଁ ? ନୁହଁ ? ମୁଠା ମୁଠା ଚକଲେଟ୍‌ ମୁଁ ଭରୁଥିବି ପେଟରେ ଆଉ ସେଥିରୁ ପ୍ରତ୍ୟେକଟି ଚକଲେଟ୍‌ କିଣା ହେଉଥିବ ଅନ୍ୟ କାହାର ରକ୍ତର ବିନିମୟରେ ? ନୁହଁ ? ଏୟା ତାହେଲେ ତୁମେ ଚାହଁ ?’’

 

‘‘ଶୁଣ, ଶୁଣ ! ଏମିତି ରୁଖା ଅଚଞ୍ଛାଙ୍କ ଅସଭ୍ୟଙ୍କ ପରି ହେଉଛ କାହିଁକି ?’’ ଶିହରି ଉଠିଲେ ଲେଫଟ୍‌ନାଣ୍ଟ ।

 

‘‘ଅସଭ୍ୟ ? ତମେ ଚାହଁ ସବୁ ସୁନ୍ଦର, ସବୁ ସୁକୋମଳ ହେବ ତମ ପାଇଁ । ରହ, ରହ ତମେ ! ଦେଖିବ । ‘ବଲ୍‌ଶେଭିକ୍‌ ସତ୍ୟ’ କଥାରେ ନାକ ଟେକୁଥିଲ ନାଁ ତମେ ? କହିଲ, ‘ମୁଁ ଏସବୁ କଥା କିଛି ଜାଣିବାକୁ ଚାହେଁନା ।’ ବେଶ୍‌, ତମେ ସେ ବିଷୟରେ କିଛି ଜାଣ ନା, ଜାଣି ନଥିଲ ବି କେବେ କିଛି । ନାଃ ! ଜାଣନା, ଏହି ସତ୍ୟ ଜଡ଼ୁବୁଡ଼ ହୋଇ ରହିଛି ମଣିଷର ଲହୁ ଆଉ ଲୁହରେ ।’’

 

‘‘ନାଁ, ମୁଁ ଜାଣେନା ।’’ କ୍ଳାନ୍ତ, ନିସ୍ତେଜ କଣ୍ଠରେ କହିଲେ ଲେଫଟ୍‌ନାଣ୍ଟ । ‘‘କିନ୍ତୁ ମତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ତମ ପରି ଝିଅ ଜଣେ କେମିତି ଏମିତି ଅସଭ୍ୟ ହୋଇପାରେ !’’

 

ଅଣ୍ଟାରେ ଦିହାତ ଦେଇ ସଳଖ ହୋଇ ଠିଆ ହୋଇ ପଡ଼ିଲା ମାର‍୍ୟୁତ୍‌କା ।

 

‘‘ତମ ପରି ଲୋକ ସାଙ୍ଗରେ ବନ୍ଧୁତା କରି ନିଜକୁ ଲଜ୍ଜିତ ମନେ କରୁଛି ମୁଁ !’’ କ୍ରୋଧରେ ଫାଟି ପଡ଼ିଲା ମାର‍୍ୟୁତ୍‌କା । ‘‘ତମେ କାପୁରୁଷ, ଗୋଟାଏ ମେରୁଦଣ୍ଡହୀନ ଜୀବ ! ‘ଆସ ଆସ ସଖି ତୁମେ ଆଉ ମୁଁ, ଆମେ ଯିବା ଚାଲି ଆମର ଅନ୍ତଃପୁରେ, ଆଉ ଆମେ ଉପଭୋଗ କରିନେବା ଆମର ଏଇ ଜୀବନକୁ’—ନୁହଁ’’, ବିଦ୍ରୂପ କରି ଉଠିଲା ସେ । ତାପରେ ପୁଣି କହିଲା, ‘‘ଆଜି କୋଟି କୋଟି ମଣିଷ ଏଇ ଖାଲି ହାତରେ ପୃଥିବୀକୁ ଚଷିଦେଇ ଯାଉଛନ୍ତି ଗୋଟାଏ ନୂଆ ଦୁନିଆ, ଗୋଟାଏ ନୂଆ ଜୀବନ ଗଢ଼ିବେ ବୋଲି; ଆଉ ତମେ କ’ଣ ନାଁ.....ଉଃ ! ଶୂଅର୍‌କା ବଚ୍ଚା ତମେ ଗୋଟାଏ !’’

 

ରକ୍ତ ଚହଟିଗଲା ଲେଫଟ୍‌ନାଣ୍ଟଙ୍କ ମୁହଁରେ, ଓଠ ଦିଟା ଚିପି ହୋଇ ପରିଣତ ହୋଇଗଲା ଗୋଟିଏ ସରୁ ରେଖାରେ ।

 

‘‘ଚୁପ୍‌ କର୍‌ ! ମୁହଁ ଭାରି ବଢ଼ିଯାଉଛି ତୋର ! ଭୁଲି ଯାଉଛୁ ନିଜକୁ ତୁ, କୁତ୍ତି !’’

 

ପାହୁଣ୍ଡେ ଆଗେଇ ଗଲା ମାର‍୍ୟୁତ୍‌କା । ହାତ ଉଠେଇ ଖୁବ୍‌ ଜୋରରେ ମାରିଲା ଏକ ଚାପୁଡ଼ା ଲେଫଟ୍‌ନାଣ୍ଟଙ୍କ ସେଇ ରୂଢ଼ଭରା ଗାଲ ଉପରେ ।

 

ଟଳ ଟଳ ହୋଇ, ଥରି ଥରି ସେ ହଟିଗଲେ ଦୁଇ ପାହୁଣ୍ଡ ପଛକୁ । ପାପୁଲି ଦିଟା ତାଙ୍କର ମୁଠା ମୁଠା ହୋଇଗଲା ରାଗରେ ।

 

‘‘ଭାଗ୍ୟ ତୋର ଭଲ, ମାଇପିଟାଏ ତୁ !’’ ଦାନ୍ତଚିପି ଗର୍ଜି ଉଠିଲେ ତମ୍ପ ପରି, ‘‘ମୁଁ ତତେ ଘୃଣା କରେ ଅସଭ୍ୟ, ବଦ୍‌ମାସ !’’

 

ତାପରେ ସେ ଲମ୍ୱା ଲମ୍ୱା ପାଦ ପକେଇ ଚାଲିଗଲେ କୁଡ଼ିଆ ଭିତରକୁ ।

 

ହତବୁଦ୍ଧି ହୋଇ ମାର‍୍ୟୁତ୍‌କା ଅନେଇ ରହିଲା ତାର ସେଇ ଝିମି ଝିମି ହୋଇ ଯାଉଥିବା ପାପୁଲିଟିକୁ । ତାପରେ ଗୋଟାଏ ଆସନ୍ନ ବିପଦକୁ ଯେମିତି ସେ ଏଡ଼ିଦେବାକୁ ଯାଉଛି, ସେମିତି ଭଙ୍ଗୀରେ ପାପୁଲିଟା ହଲେଇ ଦେଇ କହିଲା, ‘‘ବେଶ୍‌ ତ ଭଦ୍ରଲୋକଟାଏ ! ମରଣ ହେଉନି ୟାକୁ-!’’

Image

 

ଦଶମ ଅଧ୍ୟାୟ

 

ଯେଉଁଥିରେ ଲେଫଟ୍‌ନାଣ୍ଟ ଗୋଭ୍‌ରୁଖ ଓତ୍ରୋକ୍‌ ଶୁଣିଛନ୍ତି ଏହି ପୃଥିବୀ ନାମକ ଗ୍ରହର ଧ୍ୱଂସକାଳୀନ ଗର୍ଜନ ଆଉ ଯେଉଁଥିରେ ଲେଖକ ଫାଙ୍କି ଦେଇଛନ୍ତି କାହାଣୀ ଶେଷ କରିବାର ଦାୟିତ୍ୱ....

ତିନି ଦିନ ପର୍ଯ୍ୟନ୍ତ ପରସ୍ପର ସହିତ ଆଉ କଥାବାର୍ତ୍ତା କଲେ ନାହିଁ ମାର‍୍ୟୁତ୍‌କା ଓ ଲେଫଟ୍‌ନାଣ୍ଟ ।

କିନ୍ତୁ ନିର୍ଜନ ଦ୍ୱୀପରେ ଦୁଇ ଜଣ ମଣିଷ ପରସ୍ପରକୁ ଏଡ଼ି ଚଳିବା ବେଶି ଦିନ ସମ୍ଭବ ହୁଅନ୍ତା ବା କେତେକେ ?

ଆଉ ତାପରେ, ପବନରେ ପବନରେ ଫାଲ୍‌ଗୁନର ସ୍ପର୍ଶ !

ହଠାତ୍‌ ଆସିଗଲା ଫାଲ୍‌ଗୁନ୍‌, ଆସିଗଲା ଦମ୍‌କାଏ ଉତ୍ତାପ ନେଇ । ବସନ୍ତର କୁନି କୁନି ସୁନେଲୀ ପାଦ ତଳେ ବିଦଳିତ ହୋଇଗଲା ଏହି ନିର୍ଜନ ଦ୍ୱୀପର ପତଳା ବରଫର ଆସ୍ତରଣ । ମଣଷର ଅଜାଣତରେ ଛିନ୍ନ ହୋଇଗଲା ଏ ଶ୍ୱେତ ଶଯ୍ୟାଟି । ବେଳାଭୂମିରେ ଲାଗିଛି କୋମଳ ପୀତାଭ ଆବେଶ ଆଉ ତାର ପଟ୍ଟଭୂମିରେ ଝଲମଲ କରି ଉଠୁଛି ଘନ ନୀଳ କାଚର ସାଗର !

—ମଧ୍ୟାହ୍ନରେ ଉତ୍ତପ୍ତ ହୋଇ ଉଠୁଛି ବେଳାଭୂମିର ବାଲି ।

—ଗୋଟାଏ ସୁବର୍ଣ୍ଣ ବଳୟ ପରି ଆକାଶର ବୁକୁ ଉପରକୁ ଗଡ଼ି ଗଡ଼ି ଚାଲିଆସୁଛି ସୂର୍ଯ୍ୟ, ମସୃଣ ହୋଉ ଉଠୁଛି ଉଷ୍ଣ ସମୀରଣର ସ୍ପର୍ଶରେ ।

ଦୁଇଟି ମାତ୍ର ମଣିଷ, ନିର୍ଜନ ଦ୍ୱୀପରେ । କ୍ଳାନ୍ତ ଓ ଦୁର୍ବଳ, ଅବସନ୍ନ ହୋଇ ପଡ଼ିଲେଣି ସେମାନେ ଏଇ ସୂର୍ଯ୍ୟର ଉତ୍ତାପରେ, ଏଇ ଲବଣାକ୍ତ ସମୀରଣର ସ୍ପର୍ଶରେ ଆଉ କାଛୁ କୁଣ୍ଡିଆରେ-

ଝଗଡ଼ା କରିବାର ସମୟ ୟେ ନୁହଁ ।

ସକାଳୁ ସଞ୍ଜ ଯାଏ ପଡ଼ିରହନ୍ତି ସେମାନେ ବେଳାଭୂମିର ବାଲି ଉପରେ, ଫୁଲିଲା ଫୁଲିଲା ଆଖି ଦିଟା ସେମାନଙ୍କର ନିବଦ୍ଧ ହୋଇ ରହେ ସାଗରର ନୀଳ କାଚ ଉପରେ ଆଉ ଖୋଜି ବୁଲେ ଗୋଟାଏ ପାଲର ଆଭାସ ପାଇଁ ।

‘‘ଆଃ ମୁଁ ଆଉ ସହ୍ୟ କରି ପାରିବି ନାହିଁ ଏ ଜୀବନ !’’ ହତାଶ, ଆକୁଳ କଣ୍ଠରେ ଦିନେ କହିଲା ମାର‍୍ୟୁତ୍‌କା । ‘‘ଆଉ ତିନି ଦିନ ଭିତରେ ଯଦି ମାଛଧରାଳିମାନେ ନ ଆସନ୍ତି ଏ ଦ୍ୱୀପକୁ, ତାହେଲେ ବନ୍ଧୁକରେ ମୁଁ ଉଡ଼େଇ ଦେବି ମୋର ଏଇ ମୁଣ୍ଡଟାକୁ ।’’

ପାଟିରେ ସରୁ ସିଟିଟିଏ ମାରିଲେ ଲେଫଟ୍‌ନାଣ୍ଟ ।

‘‘ଭାବିଥିଲି, ମୁଁ କେବଳ ଏକା ଗୋଟାଏ ମେରୁଦଣ୍ଡହୀନ ପ୍ରାଣୀ । ଧୈର୍ଯ୍ୟ ଧର, ମାର‍୍ୟୁତ୍‌କା, ଧୈର୍ଯ୍ୟଧର ! ଗୋଟାଏ ବଡ଼ ସର୍ଦ୍ଦାର ହେବ ତୁମେ ଦିନେ । କେବଳ ସେଇଥିପାଇଁ ତୁମେ ଉପଯୁକ୍ତ—ଗୋଟାଏ ଦସ୍ୟୁବାହିନୀର ସର୍ଦ୍ଦାର ହେବା ପାଇଁ ।’’

‘‘ପୁଣି ଥରେ କାହିଁକି ସେକଥା ଉଠାଉଛ ତମେ ? ଗଲା କଥା ତ ଗଲାଣି । ଅବଶ୍ୟ, ମୁଁ ଖୁବ୍‌ ରାଗି ଯାଇଥିଲି । ରାଗିବା ପାଇଁ ବି ଯଥେଷ୍ଟ କାରଣ ଥିଲା । ତମେ ଯେ ଗୋଟାଏ ଏତେ ବଡ଼ ଅପଦାର୍ଥ—ତା ଖୁବ୍‌ ଆଘାତ କରିଥିଲା ମତେ । ଭୟାନକ ଭାବେ ଆଘାତ କରିଥିଲା । ଜୀବାଣୁ ପରି ମୋର ଅଲକ୍ଷ୍ୟରେ ତମେ ପଶି ଯାଇଛ ମୋ ହୃଦୟ ଭିତରକୁ ମତେ ଧ୍ୱଂସ କରିଦେବା ପାଇଁ । ଧେତ୍‌ ! ମରଣ ହେଉନି ତମକୁ; ତମେ ନୀଳ ଆଖିଆ ସଇତାନ୍‌ କେଉଁଠିକାର-!’’

 

ହସରେ ଫାଟି ପଡ଼ିଲେ ଲେଫଟ୍‌ନାଣ୍ଟ, ହସି ହସି ଲୋଟିଗଲେ ବାଲି ଉପରେ । ପାଦ ଦିଟା ଟେକି ହୋଇ ଗଲା ଶୂନ୍ୟକୁ, ହସି ହସି ଗୋଇଠା ମାରିବାକୁ ଲାଗିଲେ ସେ ପବନକୁ ।

 

‘‘ଆରେ କ’ଣ ପୁଣି ବିଗିଡ଼ି ଗଲା ? ପାଗଳ ହୋଇଗଲ କି ତମେ ?’’ ପଚାରିଲା ମାର‍୍ୟୁତ୍‌କା ।

 

ସେମିତି ହୋ ହୋ ହୋଇ ହସି ଲାଗିଲେ ଲେଫଟ୍‌ନାଣ୍ଟ ।

 

‘‘ହେ, ହେ, ମୋଟା-ବୁଦ୍ଧିଆ ! ଶୁଭୁନି ତମକୁ ?’’

 

ତଥାପି ଲେଫଟ୍‌ନାଣ୍ଟର ହସ ବନ୍ଦ ହେଲା ନାହିଁ । ତାଙ୍କ ପଞ୍ଜରାରେ ମାର‍୍ୟୁତ୍‌କା ଖେଞ୍ଚାଏ ଦେବା ପରେ ଯାଇ ଟିକିଏ ଚୁପ୍‌ ହେଲେ ସେ । ବାଲି ଉପରୁ ଉଠି ବସି ଆଖି ପତାରୁ ଲୁହ ପୋଛିଲେ ।

 

‘‘କାହିଁକି ଏମିତି ଗର୍ଜୁଥିଲ ?’’

 

‘‘ଆଃ, ଗୋଟାଏ ଅଦ୍‍ଭୁତ ଜୀବ ତୁମେ, ମେରିଆ ଫିଲାତୋଭ୍‌ନା । ଯେ କୌଣସି ମଣିଷକୁ ବି ହସେଇ ହସେଇ ମାରିଦେଇ ପାରିବ ତୁମେ, ଆଉ ମୁର୍ଦ୍ଦାରକୁ ବି ହସେଇ ହସେଇ ନଚେଇ ଦେଇ ପାରିବ ତୁମେ !’’

‘‘କାହିଁକି ନୁହଁ ? ନାଁ, ତୁମେ ଭାବିଛ ତୁମ ପରି ଖାଲି ପାଣିଭଉଁରି ଭିତରେ କାଠ ଖଣ୍ଡେ ଭଳି ଘୂରି ଘୂରି ବୁଲିବା ଭଲ—ଏକୂଳ ନାହିଁ କି ସେକୂଳ ନାହିଁ, ଖାଲି ଘୂରି ଘୂରି ନିଜେ ପାଗଳ ହେବା ଆଉ ଅନ୍ୟକୁ ବି ପାଗଳ କରିବା ?’’

 

ପୁଣି ଥରେ ହସରେ ଫାଟି ପଡ଼ିଲେ ଲେଫଟ୍‌ନାଣ୍ଟ, ହସି ହସି ଥାପଡ଼େଇ ଦେଲେ ମାର‍୍ୟୁତ୍‌କାର ପିଠିକୁ ।

 

‘‘ଆଃ, ଜୟ ହେଉ ତୁମର, ଚାମୁଣ୍ଡା ବାହିନୀର ରାଣୀ, ରଣଚଣ୍ଡୀ ଗୋ ! ଶୁଭାକାଂକ୍ଷୀ ବନ୍ଧୁ ଫ୍ରାଇଡେ, ମୋର ! ଦୁନିଆଟାକୁ ଓଲଟପାଲଟ କରି ଦେଇଛ ତୁମେ ମୋପାଇଁ, ମାର‍୍ୟୁତ୍‌କା ! ଶିରାରେ ଶିରାରେ ମୋର ତୁମେ ଢାଳି ଦେଇଛ ସଂଜୀବନୀ ସୁରା । ତୁମେ କହିଲା ଭଳି ପାଣିଭଉଁରି ଭିତରେ କାଠ ଖଣ୍ଡେ ପରି ମୁଁ ଆଉ ଘୂରି ଘୂରି ବୁଲିବାକୁ ଚାହେଁ ନାହିଁ । ଦେଖୁଛି, ବହି କୋଳକୁ ଫେରି ଯିବାର ସମୟ ଆହୁରି ହୋଇନାହିଁ ମୋ ପାଇଁ । ଆହୁରି କିଛି ଦେଖିବାକୁ ପଡ଼ିବ ଏ ଜୀବନକୁ, ଦାନ୍ତ ଦେଖେଇ, ନଖ ଦେଖେଇ ଖେଦି ଯିବାକୁ ପଡ଼ିବ ସମସ୍ତଙ୍କୁ । ହିଂସ୍ର ଶ୍ୱାପଦ ପରି କାମୁଡ଼ିବାକୁ ପଡ଼ିବ । ତାହେଲେ ଲୋକେ ଭୟ କରିବେ ମତେ !’’

 

‘‘ସତେ ? ମୁଣ୍ଡରେ ଟିକିଏ ବୁଦ୍ଧି ଉଦୟ ହେଲାଣି ତାହେଲେ ତମର !’’

 

‘‘ହଁ, ଉଦୟ ହେଲାଣି, ରାଣୀ ! ବୁଦ୍ଧି ଉଦୟ ହେଲାଣି ! ଅଶେଷ ଧନ୍ୟବାଦ ତୁମକୁ ! ଅନେକ କିଛି ତୁମେ ମତେ ଶିଖେଇ ଦେଲ ! ଜାଣୁ ଏମିତି ସମୟରେ ଆମେ ଯଦି ବହି ନେଇ ବ୍ୟସ୍ତ ରହୁ ଆଉ ତମମାନଙ୍କୁ ଛାଡ଼ିଦେଉ ଆମର ଏଇ ପୁରୁଣା ପୃଥିବୀଟାକୁ ନେଇ ଖେଳିବା ପାଇଁ, ତାହେଲେ ଜୀବନଟାକୁ ନରକରେ ପରିଣତ କରିଦେବ ତୁମେ ଆମର । ନାଁ, ରାଣୀ, ସମୟ ଆହୁରି ହୋଇନାହିଁ; ବହି କୋଳକୁ.....’’

 

ବେଦମ ହୋଇ ଥମିଗଲେ ଲେଫଟ୍‌ନାଣ୍ଟ ।

 

ତାଙ୍କର ସେଇ ନିବିଡ଼ ନୀଳ ଆଖି ଡୋଳା ଦିଟା ନିବଦ୍ଧ ହୋଇ ରହିଲା ଦୂର ଦିଗ୍‌ବଳୟ ଉପରେ, ଆଉ ସେଇ ଡୋଳା ଭିତରେ ନାଚି ଉଠିଲା ଉଲ୍ଲାସର ଶିଖା ।

 

ସାଗର ବୁକୁକୁ ଆଙ୍ଗୁଳି ବଢ଼େଇ ସେ ଦେଖେଇ ଦେଲେ ଶାନ୍ତ ଅଥଚ କମ୍ପିତ କଣ୍ଠରେ କହିଲେ, ‘‘ଦେଖ, ଗୋଟାଏ ପାଲ !’’

 

ଖୋଲିଗଲା ଗୋଟାଏ ସ୍ପ୍ରିଙ୍ଗ ପରି ଲମ୍ଫ ଦେଇ ଠିଆ ହୋଇ ପଡ଼ିଲା ମାର‍୍ୟୁତ୍‌କା । ଲେଫଟ୍‌ନାଣ୍ଟ ଯେଉଁ ଆଡ଼କୁ ଆଙ୍ଗୁଳି ଦେଖେଇଥିଲେ ସେଇ ଆଡ଼କୁ ନିରିଖି ନିରିଖି ଅନେଇଲା ସେ । ଦେଖିଲା ସାଗରର ନୀଳାଭ ବୁକୁ ଉପରେ ଦୋହଲି ଉଠୁଛି, ଶିହରି ଉଠୁଛି, କ୍ଷୁଦ୍ର ଶ୍ୱେତାଭ ସ୍ଫୁଲିଙ୍ଗଟିଏ—ପବନରେ ପବନରେ ଥରି ଉଠୁଛି ପାଲ ।

 

ଛାତି ଉପରେ ହାତ ଦିଟାକୁ ଚାପିଧରି ସେ ଆକୁଳ ଭାବେ ଚାହିଁ ରହିଲା ସେଇ ଦୃଶ୍ୟକୁ-। ବିଶ୍ୱାସ କରି ପାରିଲା ନାହିଁ ଏହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତର ବାସ୍ତବତାକୁ ।

 

ତା ପାଖେ ପାଖେ ଲେଫଟ୍‌ନାଣ୍ଟ ନାଚିକୁଦି ଡେଇଁବାକୁ ଲାଗିଲେ ଆନନ୍ଦରେ, ତା ହାତ ଦିଟାକୁ ଟାଣି ନେଇ ତାକୁ ଘୂରେଇ ଦେଲେ ତାଙ୍କ ଚାରି ପାଖେ ଦି ଚାରିଥର ।

 

ତାପରେ ତାଙ୍କର ସେଇ ସରୁ ସରୁ ଗୋଡ଼ ଦିଟାରେ ନାଚିବାକୁ ଆରମ୍ଭ କରି ଦେଲେ ସେଇ ବାଲି ଉପରେ । ଆଉ ଉଦାତ୍ତ ସ୍ୱରରେ ଗଳାଛାଡ଼ି ଗାଇ ଉଠିଲେ ଗୋଟାଏ ଗୀତ

 

‘ନୀଳ ସାଗରର ବୁକେ.....

ନୀଳ ସାଗରର ବୁକେ,

ଝଲମଲ କରେ ନିରୋଳା ତରୀର ପାଲ....

ନିରୋଳା ତରୀର ପାଲ.....

ଟ୍ରା....ଲା....ଲା....ଲା....ଲା

ଟ୍ରାଲା.....ଟ୍ରା......ଲା.....’’

ତାକ୍‌ଧିନ୍‌......ତାକ୍‌ଧିନ୍‌.....ଧିନ୍‌

 

‘‘ଆରେ ! ଚୁପ୍‌ କର ବୋକା କୋଉଠିକାର !’’ ଅସୀମ ଆନନ୍ଦରେ ହସି ଉଠିଲା ମାର‍୍ୟୁତ୍‌କା ।

 

‘‘ଆଃ, ମାର‍୍ୟୁତ୍‌କା ! ସୁନାଟି ମୋର ! ରାଣୀଟି ମୋର ! ରଣଚଣ୍ଡୀ ମୋର ! ବଞ୍ଚିଗଲେ ଆମେ, ବଞ୍ଚିଗଲେ !’’

‘‘ଦେଖିଲ ! ତମେ ମଧ୍ୟ ଚାହୁଁଛ ପୁଣି ଥରେ ଫେରିଯିବା ପାଇଁ ସେଇ ମଣିଷର ସଂସାରକୁ, ନୁହଁ ?’’

‘‘ହଁ, ମୁଁ ଚାହେଁ, ଚାହେଁ ! ସେଇ କଥା ତ ତୁମକୁ କହୁଥିଲି ଏଇନେ !’’

‘‘ରହ, ରହ ! ସେମାନଙ୍କୁ କେମିତି ଜଣାଇ ଦେବାକୁ ପଡ଼ିବ ଆମେ ଏଇଠି ଅଛୁ ବୋଲି–କିଛି ଗୋଟାଏ ସଙ୍କେତ ଦେବାକୁ ହେବ ଆଗ ।’’

‘‘କାହିଁକି ? ସେମାନେ ତ ଏଇ ଆଡ଼କୁ ମୁହାଁଇଛନ୍ତି ।’’

‘‘କିନ୍ତୁ ସେମାନେ ଯଦି ଘୂରିଯିବେ ଆଉ ଗୋଟାଏ ଦ୍ୱୀପକୁ ? ଲକ୍ଷ ଲକ୍ଷ ତ ଦ୍ୱୀପ ୟା ଭିତରେ । ସେମାନେ ଆମକୁ ନଦେଖି ଚାଲିଯାଇ ପାରନ୍ତି । ଦିଅ, ସେଇ କୁଡ଼ିଆ ଭିତରୁ ଗୋଟାଏ ରାଇଫେଲ୍‍ ଆଣ ।’’

ଲେଫଟ୍‌ନାଣ୍ଟ ଦୌଡ଼ିଗଲେ କୁଡ଼ିଆ ଭିତରକୁ । ମୁହୂର୍ତ୍ତକ ମଧ୍ୟରେ ହାତରେ ଗୋଟାଏ ରାଇଫଲ୍‌ ନଚେଇ ନଚେଇ ଫେରି ଆସିଲେ ।

‘‘ଆରେ, ସେଇଟାକୁ ନେଇ ସେମିତି ଖେଳୁଚ କଣ ? ଦିଅ ଶୂନ୍ୟକୁ ତିନିଥର ଗୁଳି ଫୁଟାଅ ।’’ ଡାକ ପକାଇଲା ମାର‍୍ୟୁତ୍‌କା ।

ରାଇଫେଲ୍‍ର୍‌ ଗୋବଟାକୁ କାନ୍ଧ ପାଖରେ ଥୋଇଲେ ଲେଫଟ୍‌ନାଣ୍ଟ । ଛିନ୍ନଛତ୍ର ହୋଇଗଲା ବେଳାଭୂମିର କାଚପରି ନିସ୍ତବ୍ଧତା । ତିନିଥର ଫୁଟି ଉଠିଲା ରାଇଫଲ୍‌ । ଆଉ ସେଇ ତିନି ଥରଯାକ ଲେଫଟ୍‌ନାଣ୍ଟଙ୍କର ମନେ ହେଲା ବନ୍ଧୁକ ଠେଲାରେ ସେ ଯେମିତି ଟଳି ପଡ଼ିବେ ପଛକୁ । ସେତେବେଳେ ଯାଇ ବୁଝିଲେ ସେ କେଡ଼େ ଦୁର୍ବଳ ହୋଇ ପଡ଼ିଛନ୍ତି ଏଥି ଭିତରେ ।

ଏଥର ପରିଷ୍କାର ଭାବେ ଦେଖାଗଲା ତରୀର ପାଲ, କେମିତି ଟିକିଏ ହଳଦିଲାଲ ରଙ୍ଗର; ଧୀରେ ଧୀରେ ଭାସି ଆସିଲା ପାଣି ଉପରେ ବିହଙ୍ଗର ଡେଣା ପରି ଶୁଭବାର୍ତ୍ତା ନେଇ ।

‘‘ୟେ କି ରକମର ଢଙ୍ଗ ମ ?’’ ଗୁଣୁ ଗୁଣୁ ହୋଇ କହିଲା ମାର‍୍ୟୁତ୍‌କା । ତାର ଶାଣିତ ଦୃଷ୍ଟି ନିବଦ୍ଧ ହୋଇ ରହିଥାଏ ସେଇ ପାଲ ଉପରେ । —‘‘ମାଛଧରା ଡଙ୍ଗା ତ ଏତେ ବଡ଼ହୋଇ ନଥାଏ କେବେ !’’

ସ୍ପଷ୍ଟ ଜଣାଗଲା ଡଙ୍ଗାରେ ଥିବା ଲୋକେ ଗୁଳିର ଆବାଜ ଶୁଣିଛନ୍ତି । କାରଣ ଡଙ୍ଗାର ପାଲ ଥରି ଥରି ଘୂରିଗଲା ଆରପଟକୁ ଆଉ ଡଙ୍ଗାଟା ସିଧା ସଳଖ ମୁହାଇଁ ଆସିଲା କୂଳ ଆଡ଼କୁ ।

‘‘ହୁଏତ ମତ୍ସ୍ୟ ବିଭାଗର ଇନ୍‌ସପେକ୍‌ଟରମାନଙ୍କର ଡଙ୍ଗା ଏଇଟା, କିମ୍ୱା ଆଉ କୌଣସି ସରକାରୀ ବିଭାଗର ଡଙ୍ଗା । କିନ୍ତୁ ଫାଲ୍‌ଗୁନ ମାସରେ ବା କାହିଁକି ସେମାନେ ଆସନ୍ତେ ଇଆଡ଼େ ?’’ ପଚାରିଲା ମାର‍୍ୟୁତ୍‌କା ।

କୂଳଠାରୁ ପ୍ରାୟ ଚାରି ଶହ ଫୁଟ ଦୂରରେ ଡଙ୍ଗାଟା ଆସି ପହଞ୍ଚିଲା ବେଳକୁ ଘୂରିଗଲା ଟିକିଏ ଆରପଟକୁ ଆଉ ମଙ୍ଗ ଉପରେ ଦେଖାଗଲା ଗୋଟାଏ ଲୋକର ରୂପରେଖ । ପାଟି ପାଖରେ ଦୁଇ ପାପୁଲିକୁ କରେଇ ରଖି ସେ ଡାକ ପକାଇଲା ସେମାନଙ୍କୁ ।

ଚମକି ଉଠିଲେ ଲେଫଟ୍‌ନାଣ୍ଟ, ଆଗକୁ ଟିକିଏ ଝୁଙ୍କି ପଡ଼ିଲେ ଆଉ ତାପରେ ରାଇଫେଲ୍‍କୁ ଫୋପାଡ଼ି ଦେଇ ଏକା ଡିଆଁରେ ଯାଇ ପହଞ୍ଚିଗଲେ ପାଣି ପାଖରେ । ଦୁଇ ବାହୁକୁ ପ୍ରସାରିତ କରିଦେଇ ଉନ୍ମତ୍ତ ଆନନ୍ଦରେ ପାଟିକରି ଉଠିଲେ, ‘‘ହୁ....ର....ରେ..... ! ଆମ ଲୋକ ! ଆମ ଲୋକ ! ସାବାସ୍‌ ଟୋକାଏ ! ଆସ, ଆସ !’’

ଆଖି ଦିଟାକୁ ଆହୁରି ସଙ୍କୁଚିତ କରି ଦେଇ ନିରିଖି ନିରିଖି ଅନେଇଲା ମାର‍୍ୟୁତ୍‌କା ଡଙ୍ଗା ଆଡ଼କୁ । ଦେଖିଲା, ମଙ୍ଗ ଉପରେ ଯେଉଁ ଲୋକଟା ଠିଆ ହୋଇଛି ତା ଛାତି ଉପରେ ଚିକ୍‌ ଚିକ୍‌ କରୁଛି ଦୁଇଟି ସୁନେଲି ପଟି ।

ତ୍ରସ୍ତା ବିହଙ୍ଗୀ ପରି ସେ ଶିହିରି ଉଠିଲା ଗୋଟାଏ ମୁହୂର୍ତ୍ତ ପାଇଁ । ତାପରେ କାଠ ପାଲଟିଗଲା ଯେମିତି—

ତାର ଆଖିର ପର୍ଦ୍ଦାଉପରେ ମୁହୂର୍ତ୍ତକ ପାଇଁ ଚହଲିଗଲା ସ୍ମୃତିର ଗୋଟାଏ ଛବି ।

ତୁଷାରର ସ୍ତୁପ....ନୀଳ ନୀଳ ଜଳର ବ୍ୟାପ୍ତି....ୟେଭ୍‍ଶୁକୋଭ୍‍ଙ୍କର ମୁହଁ....ଆଉ ତାଙ୍କର ସେଇ କଥା କେତୋଟି—‘‘ପ୍ରତିବିପ୍ଳବୀ ବାହିନୀର ହାବୁଡ଼ରେ ଯଦି ପଡ଼ୁ ତୁ, ଜୀଅନ୍ତା କେବେ ଛାଡ଼ିଦେବୁ ନାହିଁ ଲୋକଟାକୁ ।’’

ଗୋଟାଏ ଗଭୀର ଦୀର୍ଘଶ୍ୱାସ ବାହାରିଗଲା ଛାତି ଭିତରୁ । ଓଠ ଦିଟାକୁ ଦାନ୍ତରେ ଚାପିଧରି ସେ ବାଲି ଉପରୁ ଉଠାଇ ଆଣିଲା ରାଇଫେଲ୍‍ଟାକୁ ।

‘‘ହଟି ଆ ପଛକୁ ତୁ; ଶୂଅର୍‌କା ବଚ୍ଚା !’’ ଚିତ୍କାର କରି ଉଠିଲା ହତାଶ ହୋଇ, ‘‘ହଟି ଆ, କହୁଛି !’’

ଲେଫଟ୍‌ନାଣ୍ଟ ସେତେବେଳକୁ ସମୁଦ୍ରରେ ଆଣ୍ଠୁଏ ପାଣି ଭିତରେ ପଶି ହାତ ଦିଟାକୁ ହଲାଇ ଲାଗିଥାନ୍ତି ।

ହଠାତ୍‌ ତାଙ୍କ ପଛରୁ ଭାସି ଆସିଲା ଦମକାଏ ପ୍ରଚଣ୍ଡ ଶବ୍ଦର ବାତ୍ୟା । ମନେ ହେଲା, ପୃଥିବୀଟା ଯେମିତି ଦୁଇଫାଳ ହୋଇ ଫାଟିଗଲା, ଛିନ୍ନ ଭିନ୍ନ ହୋଇଗଲା ଅଗ୍ନି ଆଉ ବତାସରେ । ଏହି ବିପର୍ଯ୍ୟୟରୁ ବର୍ତ୍ତିଯିବା ପାଇଁ ପ୍ରବୃତ୍ତିଗତ ଭାବେ ସେ ଡେଇଁ ପଡ଼ିଲେ ଗୋଟାଏ କରକୁ । ମୁମୂର୍ଷୁ ପୃଥିବୀର ବିସ୍ଫୋରଣର ଆବାଜ କେବଳ ଶେଷ ଥର ପାଇଁ ଅନୁରଣିତ ହୋଇ ଉଠିଲା ତାଙ୍କର କର୍ଣ୍ଣକୁହରରେ ।

ମାର‍୍ୟୁତ୍‌କା ଅନେଇଲା ତାଙ୍କ ଆଡ଼କୁ ।

ପାଣି ଭିତରେ ଟଳି ପଡ଼ିଛି ତାଙ୍କର ମୁଣ୍ଡଟା । ଧାର ଧାର ହୋଇ ରକ୍ତର ସ୍ରୋତ ଛୁଟି ଯାଉଛି ତାଙ୍କର ଚୂର୍ଣ୍ଣୀଭୂତ ଖପୁରି ଭିତରୁ, ତାପରେ ମିଳେଇ ଯାଉଛି ତରଳ କାଚର ପାରବାର ଭିତରେ ।

ଦୌଡ଼ି ଗଲା ସେ ତାଙ୍କରି ଆଡ଼କୁ । ଆଣ୍ଠୁ ମାଡ଼ି ବସି ପଡ଼ିଲା ତାଙ୍କ ପାଖରେ । ରାଇଫଲ୍‌ଟାକୁ ତଳେ ପକେଇ ଦେଇ ଛିଣ୍ଡେଇ ଦେଲା ତା ଜ୍ୟାକେଟ୍‌ର କଲାରଟାକୁ । ତାପରେ ଟାଣିବାକୁ ଚେଷ୍ଟା କଲା ସେଇ ନିସ୍ପନ୍ଦ, ଜଡ଼ ଦେହଟାକୁ; ଉଠାଇବାକୁ ଚେଷ୍ଟା କଲା ସେଇ କ୍ଷତ ବିକ୍ଷତ ରକ୍ତାକ୍ତ ମୁଣ୍ଡଟାକୁ । ପାରିଲା ନାହିଁ ମାର‍୍ୟୁତ୍‌କା । ହଠାତ୍‌ ଟଳି ପଡ଼ିଲା ସେଇ ମୃତ ଦେହ ଉପରେ ।

‘‘ଓଃ, କ’ଣ କଲି ମୁଁ ? ସୁନାଟି ମୋର ! ଚାହଁ ମତେ ! ଅନାଅ ଥରେ ମୋ ଆଡ଼କୁ ! ସୁନାଟି ମୋର ! ଖୋଲ ତମର ଖୋଲ ଥରେ ସେଇ ନୀଳ ନୀଳ ଆଖି ଦିଟା ! ଖୋଲ !’’

ଠିକ୍‌ ସେତିକି ବେଳକୁ ଡଙ୍ଗାଟି ଆସି ଲାଗିଲା ବାଲି ଉପରେ । ଡଙ୍ଗାର ଯାତ୍ରୀମାନେ ନିର୍ବାକ ହୋଇ ଅନେଇ ରହିଲେ ସେଇ ତରୁଣୀ ଆଉ ତରୁଣକୁ ।

Image